Posted inଫୁରସତ

ରାଣୀଙ୍କ ସ୍ଥାପତ୍ୟ

ଇତିହାସର ଫର୍ଦ୍ଦ ଓଲଟାଇଲେ ପ୍ରବଳ ପ୍ରତାପୀ ରାଜା ମହାରାଜାଙ୍କର ଅନେକ ବୀରତ୍ୱର ଗାଥା ଦେହ ଓ ମନରେ ରୋମାଞ୍ଚ ଭରିଦିଏ । କେବଳ ଯେ ସେମାନେ ବଳଶାଳୀ ଓ ପ୍ରତିପତ୍ତିସମ୍ପନ୍ନ ଥିଲେ ତାହା ନୁହେଁ ଅନେକ ରାଜା ତ କଳା, ସଂସ୍କୃତିର ପୂଜାରୀ ବି ଥିଲେ। ଆଉ ଗଢିଥିଲେ ଅନେକ ଐତିହାସିକ ସ୍ଥାପତ୍ୟ। ଯାହା ଏବେ ବି ମୂକସାକ୍ଷୀ। ଆଉ ସେଗୁଡିକ ସେହି ରାଜା ମହାରାଜାଙ୍କ କଥା ବାରବାର ମନେପକାଇଦିଏ। ତେଣୁ ସାଧାରଣ ଜନମାନସରେ ଏହି ଧାରଣା ଘର କରିଯାଇଛି ଯେ, ଭାରତବର୍ଷରେ ଯାହା ବି ସ୍ଥାପତ୍ୟ ଗଢ଼ାଯାଇଛି, ସେସବୁ କୌଣସି ରାଜା ହିଁ ଗଢ଼ିଛନ୍ତି। ହେଲେ ଏମିତି ବି କିଛି ଐତିହାସିକ ସ୍ଥାପତ୍ୟ ଅଛି ଯାହାକୁ ଗଢ଼ିଥିଲେ କେତେଜଣ ରାଣୀ, ମହାରାଣୀ ଓ ସାମ୍ରାଜ୍ଞୀ। କିଏ ଭଲ ପାଇବାର ସ୍ମୃତି ସନ୍ତକଭାବେ ତ କିଏ ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ସେସବୁକୁ ଗଢ଼ିଥିଲେ। ଯାହା ଆଜି ବି ଅଛି ଓ ସାରା ପୃଥିବୀରେ ଭାରତର ଯଶ ଗାନ କରୁଛି।

ବିରୁପାକ୍ଷ ମନ୍ଦିର: କର୍ନାଟକ ଅନ୍ତର୍ଗତ ବାଗଲକୋଟ୍‌ ଜିଲାର ଏକ ପ୍ରମୁଖ ସହର ହେଉଛି ପତଦକଲ। ଏଇ ସହରରେ ଅଛି ଅନେକ ଐତିହାସିକ ସ୍ମାରକୀ। ଏହା ୟୁନେସ୍କୋ ଓ୍ବାଲର୍‌ଡ ହେରିଟେଜ୍‌ ତାଲିକାର ଅନ୍ତର୍ଭୁକ୍ତ। ଏଇ ସହରକୁ ସପ୍ତମ-ଅଷ୍ଟମ ଶତାବ୍ଦୀରେ ଚାଲୁକ୍ୟ ବଂଶ ଦ୍ୱାରା ସ୍ଥାପନ କରାଯାଇଥିବା କୁହାଯାଏ। ପତଦକଲସ୍ଥିତ ଯେଉଁସବୁ ପୌରାଣିକ ସ୍ମାରକୀ ଓ ଧାର୍ମିକସ୍ଥଳ ଅଛି ତନ୍ମଧ୍ୟରେ ବିରୁପାକ୍ଷ ମନ୍ଦିର ସବୁଠାରୁ ବେଶି ପ୍ରସିଦ୍ଧ ଓ ଲୋକପ୍ରିୟ। ବିକ୍ରମାଦିତ୍ୟ ଦ୍ୱିତୀୟଙ୍କ ପଲ୍ଲବ ଉପରେ ବିଜୟଲାଭ ଖୁସିରେ ଏହି ମନ୍ଦିରକୁ ସପ୍ତମ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା। ବିକ୍ରମାଦିତ୍ୟ ଦ୍ୱିତୀୟଙ୍କ ମୁଖ୍ୟରାଣୀ ଲୋକମହାଦେବୀ ଏହାକୁ ନିର୍ମାଣ କରାଇଥିଲେ। ମନ୍ଦିରର ଖୋଦିତ ଲିପିରେ ମନ୍ଦିର ପାଇଁ ରାଣୀ ଦେଇଥିବା ଦାନ ସମ୍ପର୍କରେ ଉଲ୍ଲେଖ ରହିଥିବା ସହ ମୁଖ୍ୟ ସ୍ଥପତିଙ୍କ ନାମ ବି ଖୋଦିତ ଅଛି। ମନ୍ଦିରଟି ମୁଖ୍ୟ ରୂପରେ ଭଗବାନ ଶିବଙ୍କୁ ସମର୍ପିତ। ଦ୍ରାବିଡ଼ ଶୈଳୀରେ ନିର୍ମିତ ଉକ୍ତ ମନ୍ଦିର ଶ୍ରୀ ‘ଲୋକେଶ୍ୱର ମହାଶିଳା ପ୍ରସାଦ’ ନାମରେ ବି ପରିଚିତ। ଏହା ମାଲପ୍ରଭା ନଦୀର ପଶ୍ଚିମ ତଟରେ ଅବସ୍ଥିତ। କୁହାଯାଏ ଏଲୋରା ଗୁମ୍ଫାରେ ଥିବା ପ୍ରସିଦ୍ଧ କୈଳାସ ମନ୍ଦିର ଏହି ମନ୍ଦିରର ଡିଜାଇନ୍‌କୁ ଅନୁକରଣ କରି କରାଯାଇଛି। ଆଉ ଏହି ବିରୁପାକ୍ଷ ମନ୍ଦିର କାଞ୍ଚତ୍ପୁରମ୍‌ର କୈଳାସନାଥ ମନ୍ଦିରର ମଡେଲକୁ ଅନୁକରଣ କରି କରାଯାଇଛି। ମନ୍ଦିରର ଖୋଦେଇ କାରୁକାର୍ଯ୍ୟରେ ଶୈବ, ବୈଷ୍ଣବ, ଶାକ୍ତ ଧର୍ମର ଝଲକ ଦେଖିବାକୁ ମିଳେ। ବିକ୍ରମାଦିତ୍ୟ ଦ୍ୱିତୀୟଙ୍କର ଅନ୍ୟଜଣେ ରାଣୀ ତ୍ରୈଲୋକ୍ୟମହାଦେବୀ ମଧ୍ୟ ଏକ ମନ୍ଦିର ନିର୍ମାଣ କରିଥିଲେ। ଯାହାକି ବିରୁପାକ୍ଷ ମନ୍ଦିର ଗଢ଼ାଯାଇଥିବା ସମୟରେ ନିର୍ମାଣ କରାଯାଇଥିଲା। ଆଉ ଏହାର ଡିଜାଇନ୍‌ ସହ ବିରୁପାକ୍ଷ ମନ୍ଦିରର ଡିଜାଇନ୍‌ରେ ରହିଛି ଅନେକ ସାମଞ୍ଜସ୍ୟ। ହେଲେ ଉକ୍ତ ମନ୍ଦିରଟି ବିରୁପାକ୍ଷ ମନ୍ଦିରଠାରୁ ଛୋଟ। ଏହାର ନାମ ‘ତ୍ରୈଲୋକେଶ୍ୱର ମନ୍ଦିର’। କିନ୍ତୁ ଏହା ‘ମଲ୍ଲିକାର୍ଜୁନ ମନ୍ଦିର’ ନାମରେ ଅଧିକ ପରିଚିତ।

ଇତ୍‌ମାଦ ଉଦ୍‌ ଦୌଲାହ: ଉତ୍ତର ପ୍ରଦେଶ, ଆଗ୍ରାରେ ଅଛି ଏହି ମୋଗଲ ସମାଧି ସୌଧ। ଏହାକୁ କିଏ ‘ଜୁଏଲ୍‌ ବକ୍ସ’ କୁହନ୍ତି ତ କିଏ କୁହନ୍ତି ‘ବଚା ତାଜ୍‌’ ବା ‘ବେବି ତାଜ୍‌’। ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ପତ୍ନୀ ନୁରଜାହାନ୍‌ ତାଙ୍କର ପିତା ମିର୍ଜା ଘିୟାସ୍‌ ଓ ମାତା ଅସମତ୍‌ ବେଗମ୍‌ଙ୍କ ମୃତ୍ୟୁ ପରେ ସ୍ମୃତି ସନ୍ତକ ଭାବେ ୧୬୨୨-୧୬୨୮ ମଧ୍ୟରେ ଏହି ସମାଧି ସୌଧଟି ଗଢିଥିଲେ। ରେଡ୍‌ ଷ୍ଟୋନ୍‌ ଓ ହ୍ବାଇଟ୍‌ ମାର୍ବଲରେ ତିଆରି ଏହି ସମାଧିପୀଠ ‘ଇତମାଦ୍‌ ଉଦ୍‌ ଦୌଲାହ’ ନାମରେ ବେଶ୍‌ ପରିଚିତ। କାରଣ ମିର୍ଜା ଘିୟାସ୍‌ ‘ଇତମାଦ୍‌ ଉଦ୍‌ ଦୌଲାହ’ ଉପାଧିରେ ଭୂଷିତ ହୋଇଥିତ୍ଲେ। ଯମୁନା ନଦୀ କୂଳରେ ଥିବା ଏହି ଚମତ୍କାର ସ୍ଥାପତ୍ୟକୁ ତାଜମହଲ ନିର୍ମାଣ ପଛର ଅନୁପ୍ରେରଣାଭାବେ ମଧ୍ୟ ଗ୍ରହଣ କରାଯାଏ।

ରାନୀ କି ଭାଭ: ଗୁଜରାଟର ପାଟଣରେ ଅଛି ଏହି ବହୁ ପ୍ରସିଦ୍ଧ ଐତିହାସିକ ସ୍ମାରକୀ। ମାରୁ -ଗୁଜର ଶୈଳୀରେ ନିର୍ମିତ ଏହି ସ୍ଥାପତ୍ୟ ସରସ୍ବତୀ ନଦୀ କୂଳରେ ଶୋଭାପାଏ। ଏହା ହେଉଛି ଏକ ପାହାଚ ଥିବା କୂଅ। ତେବେ ଏହାର ନିର୍ମାଣଶୈଳୀ ଓ କାରିଗରି ସବୁବେଳେ ସମସ୍ତଙ୍କୁ ଚକିତ କରିଆସିଛି। ଏହା ହେଉଛି ଭାରତର ସବୁଠାରୁ ସୁନ୍ଦର ଷ୍ଟେପ୍‌୍‌ଓ୍ବେଲ। ଏକାଦଶ ଶତାବ୍ଦୀରେ ସୋଲାଙ୍କି ସାମ୍ରାଜ୍ୟର ରାଜା ପ୍ରଥମ ଭୀମଦେବଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ରାଣୀ ଉଦୟମତି ଏହାକୁ ନିର୍ମାଣ କରାଇଥିଲେ। ପ୍ରେମର ସ୍ମାରକୀଭାବେ ଗଣନା କରାଯାଉଥିବା ଉକ୍ତ କୂଅକୁ ଏକ ଓଲଟା ମନ୍ଦିର ଭାବେ ନିର୍ମାଣ କରାଯାଇଛି। ସାତୋଟି ସୋପାନରେ ବିଭକ୍ତ ଏହି କୂଅର ପ୍ରତି ସୋପାନରେ ଚମତ୍କାର କାରିଗରି ଦେଖିବାକୁ ମିଳେ। କୂଅର କାନ୍ଥ, ସ୍ତମ୍ଭ ଆଦିରେ ବିଭିନ୍ନ କଳାକୃତି ଯେମିତିକି ଭଗବାନ ବିଷ୍ଣୁଙ୍କ ବିଭିନ୍ନ ଅବତାର, ମହିଷମର୍ଦ୍ଦିନୀ ମା’ଙ୍କର ବିଭିନ୍ନ ରୂପ ଆଦି କରାଯାଇଛି। ରାନୀ କି ଭାଭ ୟୁନେସ୍କୋର ଓ୍ବାଲର୍‌ଡ ହେରିଟେଜ୍‌ ସାଇଟ୍‌ରେ ଅନ୍ତର୍ଭୁକ୍ତ। ୨୦୧୮ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଚିତ୍ରକୁ ୧୦୦ଟଙ୍କା ନୋଟ୍‌ରେ ସ୍ଥାନିତ କରିଥିଲା।

ମୋହିନୀଶ୍ୱର ଶିବାଳୟ ମନ୍ଦିର: ଏହି ମନ୍ଦିର ‘ମହାରାଣୀ ଶଙ୍କର ମନ୍ଦିର’ ଅବା ‘ରାଣୀ ଜୀ’ ମନ୍ଦିର ନାମରେ ବି ପରିଚିତ। କଶ୍ମୀର ଭ୍ୟାଲିସ୍ଥିତ ଗୁଲମାର୍ଗ ସହରର ମଧ୍ୟଭାଗରେ ଉକ୍ତ ମନ୍ଦିରଟି ଅଛି। ୧୯୧୫ରେ କଶ୍ମୀରର ଡୋଗ୍ରା ରାଜବଂଶର ରାଜା ହରି ସିଂହଙ୍କ ପତ୍ନୀ ମହାରାଣୀ ମୋହିନୀ ବାଈ ସିସୋଡିଆ ଏହାକୁ ନିର୍ମାଣ କରାଇଥିଲେ। ଭଗବାନ ଶିବଙ୍କୁ ସମର୍ପିତ ଉକ୍ତ ମନ୍ଦିର ଏକ ଛୋଟ ପାହାଡ଼ ଉପରେ ଅଛି। ଯାହାର ପଛଭାଗରେ ବରଫାବୃତ୍ତ ପର୍ବତର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ। ମନ୍ଦିରଟିକୁ ଏଭଳିଭାବେ ତିଆରି କରାଯାଇଛି ଯେ, ତାହା ଗୁଲମାର୍ଗର ପ୍ରତିକୋଣ ଅନୁକୋଣରୁ ଦୃଶ୍ୟମାନ ହୁଏ।

ମିର୍ଜାନ୍‌ ଫୋର୍ଟ: ଅନେକ ଯୁଦ୍ଧର ସ୍ମୃତି ବହନ କରୁଥିବା ଏହି ଦୁର୍ଗ କର୍ନାଟକର ଉତ୍ତର କନ୍ନଡ ଜିଲାରେ ଅଛି। ସୁନ୍ଦର ସ୍ଥାପତ୍ୟ ପାଇଁ ପ୍ରସିଦ୍ଧ ମିର୍ଜାନ ଫୋର୍ଟକୁ ଷୋଡ଼ଶ ଶତାବ୍ଦୀରେ ବିଜୟନଗର ସାମ୍ରାଜ୍ୟ ଅଧିକୃତ କରି ଗେରସୋପାର ରାଣୀ ଚେନ୍ନାଭୈରଦେବୀ ନିର୍ମାଣ କରିଥିଲେ। ଯେକି ୫୪ ବର୍ଷ ଧରି ଗେରସୋପାର ରାଣୀଭାବେ ଶାସନ କରିଥିଲେ ଓ ସେହି ଦୁର୍ଗରେ ରହୁଥିଲେ। ତା’ସହ ଉକ୍ତ ଦୁର୍ଗକୁ ସେ ଗୋଲମରୀଚର ନୌପରିବହନସ୍ଥଳଭାବେ ମଧ୍ୟ ବ୍ୟବହାର କରି ନିଜ ବ୍ୟବସାୟ କଥା ବୁଝୁଥିଲେ। ଅଗନାଶିନୀ ନଦୀ କୂଳରେ ୧୦ ଏକର ପରିମିତ ଅଞ୍ଚଳରେ ଥିବା ଉକ୍ତ ଦୁର୍ଗ ଲାଟେରାଇଟ୍‌ ପଥରରେ ନିର୍ମିତ।

ଲାଲ ଦରଓ୍ବାଜା ମସ୍‌ଜିଦ୍‌: ଉତ୍ତର ପ୍ରଦେଶର ଜୌନପୁର ଏକ ଛୋଟିଆ ପ୍ରସିଦ୍ଧ ସହର। ଏହି ସହର ତା’ର ସମୃଦ୍ଧ ସ୍ଥାପତ୍ୟ ପାଇଁ ବେଶ୍‌ ଜଣାଶୁଣା। ତେବେ ଏଠାକାର ମୁଖ୍ୟ ଆକର୍ଷଣ ହେଉଛି ଚିତ୍ତାକର୍ଷକ ଡିଜାଇନ୍‌ରେ ନିର୍ମିତ ଲାଲ ଦରଓ୍ବାଜା ମସ୍‌ଜିଦ୍‌। ୧୪୪୭ରେ ସନ୍ଥ ସାୟିଦ ଅଲି ଦାଉଦ କୁତୁବୁଦ୍ଦିନଙ୍କୁ ସମର୍ପିତ କରି ମହାରାଣୀ ରାଜ୍ୟେ ବିବି ଏହାକୁ ନିର୍ମାଣ କରାଇଥିଲେ। ଶର୍କି ରାଜବଂଶର ସୁଲତାନ ମହମୁଦ ଶର୍କିଙ୍କ ରାଣୀ ହେଉଛନ୍ତି ରାଜ୍ୟେ ବିବି। ଲାଲ ମସ୍‌ଜିଦ୍‌ ଥିଲା ରାଣୀଙ୍କର ବ୍ୟକ୍ତିଗତ। ରାଣୀ ଏହି ମସ୍‌ଜିଦ୍‌ ନିକଟରେ ଜାମିଆ ହୁସେନିଆ ନାମକ ଏକ ଧାର୍ମିକ ସ୍କୁଲ ବା ମଦ୍ରାସା ବି ସ୍ଥାପନ କରିଥିଲେ। ଯାହାକି ଏବେ ବି ଦେଖିବାକୁ ମିଳେ।

ହୁମାୟୁନ୍‌ଙ୍କ ସମାଧିପୀଠ: ଦିଲ୍ଲୀରେ ଅଛି ମୋଗଲ ସମ୍ରାଟ ହୁମାୟୁନ୍‌ଙ୍କର ଏହି ସମାଧିପୀଠ। ଯାହାକୁ ହୁମାୟୁନ୍‌ଙ୍କ ପ୍ରଥମ ପତ୍ନୀ ମୋଗଲ ସାମ୍ରାଜ୍ଞୀ ବେଗା ବେଗମ୍‌ ନିର୍ମାଣ କରାଇଥିଲେ। ହୁମାୟୁନ୍‌ଙ୍କ ଦେହାନ୍ତ ପରେ ବେଗା ବେଗମ୍‌ ଦୁଃଖରେ ଭାଙ୍ଗିପଡିଥିଲେ। ହେଲେ ପରେ ସେ ନିଜକୁ ସମ୍ଭାଳି ବାକି ଜୀବନକୁ ସ୍ବାମୀଙ୍କ ପାଇଁ ଏକ ଭବ୍ୟ ସମାଧିପୀଠ ନିର୍ମାଣ କରିବାରେ ଉତ୍ସର୍ଗ କରିଥିଲେ। ସମାଧିସୌଧର ନିର୍ମାଣ ୧୫୬୫ରେ ଆରମ୍ଭ ହୋଇ ୧୫୭୨ରେ ଶେଷ ହୋଇଥିଲା। ଖର୍ଚ୍ଚ ହୋଇଥିଲା ୧.୫ ମିଲିୟନ ଟଙ୍କା। ଆଉ ଏହି ଖଚ୍ଚର୍କୁ ସେ ନିଜେ ବହନ କରିଥିଲେ। ମିରାକ ମିର୍ଜା ଘିୟାସ ଓ ତାଙ୍କ ପୁଅ ସାୟିଦ ମହମ୍ମଦ ଏହାକୁ ଡିଜାଇନ୍‌ କରିଥିଲେ। ଆଉ ପାର୍ସୀ ସ୍ଥପତିଙ୍କୁ ରାଣୀ ଚୟନ କରିଥିଲେ ଏହାର ନିର୍ମାଣ ପାଇଁ। ଏହା ହେଉଛି ଭାରତୀୟ ଉପମହାଦ୍ୱୀପର ପ୍ରଥମ ବଗିଚା ଥିବା ସମାଧିପୀଠ। ୧୯୯୩ରେ ଏହାକୁ ୟୁନେସ୍କୋର ଓ୍ବାଲର୍‌ଡ ହେରିଟେଜ୍‌ ସାଇଟ୍‌ରେ ଅନ୍ତର୍ଭୁକ୍ତ କରାଯାଇଥିଲା।

ଦକ୍ଷିଣେଶ୍ୱର କାଳୀ ମନ୍ଦିର: କୋଲକାତା, ହୁଗୁଳି ନଦୀର ପଶ୍ଚିମ ତଟରେ ଅଛି ଭବ୍ୟ ଦକ୍ଷିଣେଶ୍ୱର କାଳୀ ମନ୍ଦିର। ମା’ ଭବତାରିଣୀ ଏହି ମନ୍ଦିରରେ ପୂଜା ପାଆନ୍ତି। ୧୮୫୫ରେ ରାଣୀ ରାଶମୋନି ଉକ୍ତ ମନ୍ଦିରକୁ ନିର୍ମାଣ କରାଇଥିଲେ। ଯେକି ସତୀ ଓ ବାଲ୍ୟବିବାହ ବିରୋଧରେ ସ୍ବର ଉତ୍ତୋଳନ କରିଥିବାରୁ ବହୁତ ଲୋକପ୍ରିୟ ଥିଲେ। ସେ ମା’ କାଳୀଙ୍କର ବି ପରମ ଭକ୍ତ ଥିଲେ। ଆଉ ଭବତାରିଣୀ ହେଉଛନ୍ତି ଆଦିଶକ୍ତି କାଳୀଙ୍କର ସ୍ବରୂପ। ତେଣୁ ପଶ୍ଚିମବଙ୍ଗର ବାସ୍ତୁକଳା ନବରତ୍ନ ଶୈଳୀରେ ସେ ଏହି ମନ୍ଦିରକୁ ନିର୍ମାଣ କରାଇଥିଲେ।

ତାଜ୍‌ ଉଲ୍‌ ମସ୍‌ଜିଦ୍‌: ମଧ୍ୟପ୍ରଦେଶ, ଭୋପାଳରେ ଥିବା ଏହି ମସ୍‌ଜିଦ୍‌କୁ କ୍ରାଉନ୍‌ ଅଫ୍‌ ମସ୍କସ୍‌ ବୋଲି କୁହାଯାଏ। ଏହା ହେଉଛି ଭାରତର ସବୁଠାରୁ ବଡ଼ ମସ୍‌ଜିଦ୍‌। ସାରା ପୃଥିବୀରେ ମଧ୍ୟ ଏହାକୁ ବଡ଼ ବଡ଼ ମସ୍‌ଜିଦ୍‌ ମଧ୍ୟରେ ଅନ୍ୟତମଭାବେ ଗଣନା କରାଯାଏ। ଏହାର ନିର୍ମାଣ କାର୍ଯ୍ୟ ନଓ୍ବାବ ଶାହଜହାନ ବେଗମ୍‌ ପ୍ରାୟ ୧୮୭୧ରେ ଆରମ୍ଭ କରିଥିଲେ। ହେଲେ ଜୀବିତ ଥିବା ଭିତରେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ୧୯୦୧ରେ ତାଙ୍କର ମୃତ୍ୟୁ ହେବାପରେ ତାଙ୍କ ଝିଅ ସୁଲତାନ ଜହାନ ବେଗମ୍‌ ସେହି କାର୍ଯ୍ୟର ତଦାରଖ କଲେ। ଅର୍ଥ ଅଭାବରେ ଏହାର କାମ କିଛିବର୍ଷ ବନ୍ଦ ମଧ୍ୟ ରହିଲା। ୧୯୭୧ରେ ପୁଣିଥରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ୧୯୮୫ରେ ମସ୍‌ଜିଦ୍‌ ନିର୍ମାଣ କାର୍ଯ୍ୟ ସରିଲା। ଏହି ମସ୍‌ଜିଦ୍‌ ମୁନ୍‌ସି ହୁସେନ୍‌ ପୋଖରୀ, ନୁର୍‌ ମହଲ ପୋଖରୀ ଓ ମୋତିଆ ପୋଖରୀର ମଧ୍ୟଭାଗରେ ରହିଛି।

ଖୈର ଉଲ୍‌ ମନାଜିଲ: ୧୫୬୧ରେ ଏହି ଐତିହାସିକ ମସ୍‌ଜିଦ୍‌ ନୂଆଦିଲ୍ଲୀରେ ନିର୍ମାଣ କରାଯାଇଥିଲା। ଏହାକୁ ବି ଜଣେ ମହିଳା ଗଢ଼ିଥିଲେ। ତାଙ୍କ ନାମ ହେଉଛି ମହମ ଅଙ୍ଗା। ସେ ଜଣେ ରାଣୀ ନ ଥିଲେ। ହେଲେ ସମ୍ରାଟ ଆକବରଙ୍କ ଦରବାରରେ ପ୍ରଭାବଶାଳୀ ମହିଳାଭାବେ ପରିଚିତ ଥିଲେ। କାରଣ ସେ ଆକବରଙ୍କର ଧାଈ ମା’ ଥିଲେ। ଆଉ ଆକବର ତାଙ୍କୁ ନିଜର ମା’ ଭଳି ସମ୍ମାନ କରୁଥିଲେ। ସେ ନିର୍ମାଣ କରିଥିବା ଉକ୍ତ ମସ୍‌ଜିଦ୍‌ ମୋଗଲ ସ୍ଥାପତ୍ୟର ସୁନ୍ଦର ନିଦର୍ଶନ। ଏହା ଏକ ଦୁଇ ମହଲାବିଶିଷ୍ଟ ସ୍ଥାପତ୍ୟ। ଲାଲ ସ୍ୟାଣ୍ଡଷ୍ଟୋନ୍‌ରେ ନିର୍ମିତ ଏହାର ବିରାଟକାୟ ମୁଖ୍ୟଦ୍ୱାର ଏହି ମସ୍‌ଜିଦ୍‌ର ମୁଖ୍ୟ ଆକର୍ଷଣ।

ମହିମ୍‌ ପକ୍କା ସଡ଼କ: କୋଙ୍କଣ ଡିଭିଜନ ଅନ୍ତର୍ଗତ ସାଲ୍ସେଟ୍‌ ଦ୍ୱୀପ ଓ ମହାରାଷ୍ଟ୍ରର ମହିମକୁ ସଂଯୋଗ କରିବା ଲାଗି ୧୮୪୧-୧୮୪୬ ମଧ୍ୟରେ ମହିମ୍‌ କଜ୍‌ଓ୍ବେ ବା ମହିମ ପକ୍କା ସଡ଼କ ନିର୍ମାଣ କରାଯାଇଥିଲା। ଏହି ଦୁଇଦ୍ୱୀପ ମଧ୍ୟସ୍ଥ ସନ୍ତସନ୍ତିଆ ଅଞ୍ଚଳ ଯାତାୟାତକୁ ବିପଦପୂର୍ଣ୍ଣ କରିଦେଇଥିଲା। ଆଉ ଅନେକଙ୍କ ଜୀବନ ବି ଯାଇଥିଲା। ସେତେବେଳେ ବମ୍ବେରେ ଶାସନ କରୁଥିବା ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଏଠାରେ ପକ୍କା ସଡ଼କ କରିବା ଲାଗି ଅର୍ଥ ଦେବାକୁ ରାଜି ହୋଇ ନ ଥିଲା। ହେଲେ ପ୍ରଥମ ବେରୋନେଟ୍‌(ପଦବୀ) ସର୍‌ ଜମସେତଜୀ ଜିଜିଭୋୟଙ୍କ ସ୍ତ୍ରୀ ଆଭାବାଈ ଜମସେତ୍‌ଜୀ ଜିଜିଭୋୟ ୧,୫୭,୦୦୦ଟଙ୍କା ପକ୍କା ସଡ଼କ ନିର୍ମାଣ ପାଇଁ ପ୍ରଦାନ କରିଥିଲେ। ଫଳରେ ମହିମ୍‌ କଜ୍‌ଓ୍ବେ ତିଆରି ହେଲା ଓ ପରବର୍ତ୍ତୀ ସମୟରେ ଏହା ମୁମ୍ବାଇର ଜୀବନରେଖା ପାଲଟିଗଲା। ଏବେବି ଏହା ମୁମ୍ବାଇର ମୁଖ୍ୟ ରାସ୍ତା ମଧ୍ୟରେ ଗୋଟିଏ ଗଣନା କରାଯାଏ। ଏହି ରାସ୍ତା ସ୍ବାମୀ ବିବେକାନନ୍ଦ ରୋଡ ଓ ଏଲ.ଜେ. ରୋଡକୁ ସଂଯୋଗ କରେ।

ରାଜମାତାଙ୍କର ଦୁଇ ମନ୍ଦିର: ସୁନ୍ଦରଗଡ଼ ଜିଲା ହେମଗିରିର ରାଜମାତା ଚନ୍ଦ୍ରମୁଖୀ ଦେବୀ ତୋଳାଇଛନ୍ତି ଦୁଇ ଦୁଇଟି ମନ୍ଦିର। ଗୋଟିଏ ହେଉଛି ବାଲୁଗାଁର ମାମୁଭଣଜା ପାହାଡ଼ ଉପରେ ଥିବା ବିନ୍ଧ୍ୟବାସିନୀ ମା’ଙ୍କ ମନ୍ଦିର ଓ ହେମଗିରିରେ ଥିବା ଗଙ୍ଗାମାତାଙ୍କ ମନ୍ଦିର। ଏ ସମ୍ପର୍କରେ ରାଜମାତାଙ୍କ ବଡ଼ ପୁଅ ତଥା ରାଜାସାହେବ ସୁନୀଲ ସିଂଦେଓ କୁହନ୍ତି, ‘ମୋ ମା’ ଥିଲେ ବେଶ୍‌ ଧର୍ମପରାୟଣା। ମୋ ଜେଜେବାପା ଓ ଜେଜେବାପାଙ୍କ ବାପା ପୂର୍ବରୁ ୩ଟି ମନ୍ଦିର ତୋଳିଥିଲେ। ଆଉ ସେଇ ମନ୍ଦିରସବୁ ମା’ଙ୍କ ମନରେ ବି ଏକ ମନ୍ଦିର ତୋଳାଇବାକୁ ପ୍ରେରଣା ଦେଇଥିଲା। ଏହାଛଡା ଥରେ ସେ ବାଲୁଗାଁର ମାମୁଭଣଜା ପାହାଡ ଉପରେ ଥିବା ରାମ ସୀତା ମନ୍ଦିର ଦେଖିବାକୁ ଯାଇଥିଲେ। ପାହାଡ଼ ଉପରେ ଏକ ସୀତାକୁଣ୍ଡ ଥିବା ଦେଖି ତାଙ୍କ ମନରେ ସେଇ ପାହାଡ ଉପରେ ହିଁ ଏକ ଦେବୀ ମନ୍ଦିର ସ୍ଥାପନ କରିବା ଲାଗି ଇଚ୍ଛା ଜାଗ୍ରତ ହୋଇଥିଲା। ଆଉ ୨୦୧୦ରେ ସେହି ମାମୁ ଭଣଜା ପାହାଡ଼ ଉପରେ ଆରମ୍ଭ ହୋଇଥିଲା ବିନ୍ଧ୍ୟବାସିନୀ ମା’ଙ୍କ ମନ୍ଦିର ତୋଳା କାମ । ଦୀର୍ଘ ୧୦ ବର୍ଷ ଲାଗିଗଲା ମନ୍ଦିର ନିର୍ମାଣ ଶେଷ ହେବାକୁ। ତେବେ ଦୁଃଖର କଥା ମନ୍ଦିର କାମ ଶେଷ ହେବା ପୂର୍ବରୁ ୨୦୧୭ରେ ସେ ଦେହତ୍ୟାଗ କଲେ। ମନ୍ଦିରର ପ୍ରାୟ ସବୁ କାମ ସରିଥିଲା। କେବଳ ଫିନିଶିଂ ବାକି ଥିଲା। ମା’ ମତେ ଓ ମୋ ସାନ ଭାଇ ଅନିଲ ସିଂଦେଓଙ୍କୁ କହିଥିଲେ ମନ୍ଦିର କାର୍ଯ୍ୟ ଦୁଇ ଭାଇ ମିଶି ସମ୍ପନ୍ନ କରିବାକୁ। ତେଣୁ ଦୁହେଁ ମିଶି ମନ୍ଦିରର ବାକି କାର୍ଯ୍ୟ ସାରି ୨୦୨୦ରେ ପ୍ରତିଷ୍ଠା କରାଇଲୁ। ଏହି ମନ୍ଦିରରେ ମା’ଙ୍କର ଏକ ପ୍ରତିମୂର୍ତ୍ତି ବି ରହିଛି। ମନ୍ଦିର ତୋଳାରେ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ମନ୍ଦିରଟି ପଥରରେ ତିଆରି ହୋଇଛି। ଏହା ବ୍ୟତୀତ ଆମ ଗାଁ ହେମଗିରିରେ ବି ମା’ ଏକ ମନ୍ଦିର ତୋଳାଇଛନ୍ତି। ତାହା ମୋ ଜେଜେବାପାଙ୍କ ବାପା ତିଆରି କରିଥିବା ଝାଡେଶ୍ୱର ଶିବ ମନ୍ଦିର ପାଖରେ ଅଛି। ଗ୍ରାମ ଲୋକେ ଏହି ମନ୍ଦିର ନିକଟରେ ମା’ ପାର୍ବତୀଙ୍କର ମନ୍ଦିର ତୋଳାଗଲେ ଭଲ ହୁଅନ୍ତା ବୋଲି ଦାବି କରିଆସୁଥିଲେ। ଆଉ ମା’ ସେହି ମନ୍ଦିର ପ୍ରାଙ୍ଗଣରେ ଗଙ୍ଗା ମାତାଙ୍କ ମନ୍ଦିର ତୋଳାଇଲେ। ହେଲେ ମନ୍ଦିରଟି ସମ୍ପୂର୍ଣ୍ଣ ହେବାର ସେ ଦେଖି ପାରିଲେ ନାହିଁ। ୨୦୨୧ରେ ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେଲା। ମନ୍ଦିରର ଯାହା ବଳକା କାମ ଥିଲା ଆମେ ତାକୁ ସାରି ପ୍ରତିଷ୍ଠା କରାଇଲୁ। ମା’ ସିନା ନାହାନ୍ତି ହେଲେ ସେ ତୋଳାଇଥିବା ଏହି ଦୁଇ ମନ୍ଦିର ଭିତରେ ସେ ସବୁବେଳେ ଜୀବିତ ହୋଇରହିଥିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri