ଋଷିକୁଲ୍ୟା ବନ୍ୟାରେ ପୁରୁଷୋତ୍ତମପୁର ବେହାଲ: ରାତିରେ ସ୍ଥିତି ସମୀକ୍ଷା କଲେ ଗଞ୍ଜାମ ଜିଲାପାଳ, ଆସନ୍ତା ୧୦ ଦିନ ଯାଏ…

ପୁରୁଷୋତ୍ତମପୁର, ୩୧।୧୦(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳକୁ ସମ୍ପୂର୍ଣ୍ଣ ଛାରଖାର କରିଦେଇଛି। ଗାଁଠାରୁ ସହର ପର୍ଯ୍ୟନ୍ତ ବନ୍ୟାଜଳ ମାଡ଼ିଯିବାରୁ ଘରଦ୍ୱାର, ଦୋକାନବଜାର ଓ ଜୀବନଜୀବିକା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଅନେକ ଅଞ୍ଚଳରେ ଏବେ ବି ବନ୍ୟାପାଣି ଲହଡ଼ି ଭାଙ୍ଗୁଥିବାରୁ ଲୋକେ ଜଳବନ୍ଦୀ ଜୀବନ ବିତାଉଛନ୍ତି। ଘରେ ପାଣି ପଶି ରନ୍ଧା ସାମଗ୍ରୀ ନଷ୍ଟ ହୋଇଯାଇଥିବାରୁ ଅନେକ ପରିବାର ଖାଦ୍ୟ ସଙ୍କଟରେ ପଡ଼ି ହାହାକାର ହେଉଛନ୍ତି।

ଏହି ଦୁର୍ଦ୍ଦଶାର ବାସ୍ତବ ସ୍ଥିତି ପରଖିବା ପାଇଁ ଶୁକ୍ରବାର ରାତିରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ପୁରୁଷୋତ୍ତମପୁର ଗସ୍ତ କରି ବନ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ। ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଦେଖି ସେ ଗଭୀର ଦୁଃଖ ପ୍ରକାଶ କରିବା ସହ ରାସ୍ତାଘାଟ ଭାଙ୍ଗିଯିବା ଓ ପାଣି ଜମି ରହିବା ଯୋଗୁ ରିଲିଫ୍ ପହଞ୍ଚାଇବାରେ ବିଳମ୍ବ ଘଟିଥିବା ସ୍ୱୀକାର କରିଥିଲେ।

ତେବେ କୌଣସି ବିପନ୍ନ ଯେପରି ରିଲିଫ୍‌ରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଅଧିକାରୀମାନଙ୍କୁ ତ୍ୱରିତ ପଦକ୍ଷେପ ନେବାକୁ ଜିଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଆସନ୍ତା ୭ରୁ ୧୦ ଦିନ ଯାଏଁ ବିପନ୍ନଙ୍କୁ ଖାଦ୍ୟ, ପାନୀୟ ଜଳ ସମେତ ସମସ୍ତ ଆବଶ୍ୟକ ମୌଳିକ ସୁବିଧା ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ପୁରୁଷୋତ୍ତମପୁର ଏନ୍‌ଏସି ସମେତ ହାଣ୍ଡିଘର, ଆଛୁଲି, କେ.ଏନ୍‌.ପୁର ଓ ଅନ୍ତରିଗାଁ ପଞ୍ଚାୟତ ସର୍ବାଧିକ ପ୍ରଭାବିତ ହୋଇଛି। ଏନ୍‌ଡିଆର୍‌ଏଫ୍‌ ଓ ଓଡ୍ରାଫ୍‌ ଟିମ୍‌ ସହାୟତାରେ ରିଲିଫ୍ ବଣ୍ଟନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ବନ୍ୟାଜଳ ହଟିବା ପରେ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ କରାଯାଇ ଯଥାଶୀଘ୍ର ସହାୟତା ଦିଆଯିବ। ଏଥିପାଇଁ ସରକାର ଜିଲାକୁ ୧୦ ଜଣ ଓଏଏସ୍‌ ଅଧିକାରୀଙ୍କୁ ନିଯୁକ୍ତ କରିଥିବା ବେଳେ ଚାଷଜମିର କ୍ଷୟକ୍ଷତି ଆକଳନ ପାଇଁ କୃଷି ଅଧିକାରୀଙ୍କୁ ନିୟୋଜିତ କରାଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Share