ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା ଭବନ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ପୀଠର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ପୁରୀ ବେଳାଭୂମି ‘ଆଧ୍ୟାତ୍ମିକ ବେଳାଭୂମି’ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

ବୈଠକରେ ମୁଖ୍ୟମନ୍ତ୍ରୀ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ପ୍ରତିଦିନ ଅନୁଷ୍ଠିତ ହେଉଥିବା ପବିତ୍ର ‘ସନ୍ଧ୍ୟା ମହୋଦଧି ଆରତୀ’ ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି । ଏହି ଆରତୀ ସ୍ଥଳର ସୌନ୍ଦର୍ଯ୍ୟକରଣ କରାଯିବା ସହିତ ସନ୍ଧ୍ୟା ଆରତୀକୁ ଆହୁରି ଭବ୍ୟ ଆକାରରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସମଗ୍ର ପୁରୀ ବେଳାଭୂମିକୁ ଏକ ଭବ୍ୟ ଆଧ୍ୟାତ୍ମିକ ବେଳାଭୂମି ଭାବେ ବିକଶିତ କରିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ଗୋବର୍ଦ୍ଧନ ପୀଠର ଜମି ଜମା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପୁରୁଣା ଲ୍ୟାଣ୍ଡ ସେଟେଲମେଣ୍ଟ ଦସ୍ତାବିଜ୍‌କୁ ପୁନର୍ବାର ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିରାପତ୍ତା ଓ ପୀଠ ପରିସରର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି. କେ. ସିଂହ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ, ଆଇନ ସଚିବ ଡକ୍ଟର ପବିତ୍ର ମୋହନ ସାମଲ, ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଏବଂ ପୁରୀ ଏସପି ପ୍ରତୀକ ସିଂହ ପ୍ରମୁଖ ଯୋଗଦେଇଥିଲେ।

 

Dharitri – Odisha’s No.1 Odia Daily

Share