ଲୋଇସିଂହା, ୩ା୯: ଲୋଇସିଂହା ଏନ୍ଏସି ଅଧୀନ ଲୋଇସିଂହା ଓ ବୁର୍ଡା ଅଞ୍ଚଳରେ କାର୍ଯ୍ୟରତ ଏସିଏମ୍ ଓ ପାନୀୟଜଳ ପ୍ରକଳ୍ପର ପମ୍ପ ଅପରେଟରମାନେ ଦୀର୍ଘ ୬ ମାସ ଧରି ପାରିଶ୍ରମିକ ପାଇନଥିବା ଅଭିଯୋଗ କରିଛନ୍ତି। ବକେୟା ପାରିଶ୍ରମିକ ଯୋଗୁଁ ପରିବାର ଚଳାଇବାରେ ସମସ୍ୟା ହେଉଥିବାବେଳେ ଆଗକୁ ନୂଆଖାଇ ପର୍ବ ଥିବାରୁ ସେମାନଙ୍କ ଚିନ୍ତା ଆହୁରି ବଢ଼ିଛି।
୨୦୨୬ ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ ଏନ୍ଏସି ଅଧୀନରେ ଲୋଇସିଂହା ଓ ବୁର୍ଡା ଅଞ୍ଚଳରେ କାର୍ଯ୍ୟରତ ୧୨ ଜଣ କର୍ମଚାରୀ ପାରିଶ୍ରମିକ ପାଇନଥିବା ଜଣାପଡ଼ିଛି। ପାରିଶ୍ରମିକ ପ୍ରଦାନ ପାଇଁ ସେମାନେ ଗତ ଜୁଲାଇ ୧ ତାରିଖରେ ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏହାପରେ ଜୁଲାଇ ୨୭ରେ ଲୋଇସିଂହା ବ୍ଲକ ପୁରୁଣା ସଭାଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ସେମାନେ ଅଭିଯୋଗ କରିଥିଲେ।
ଶିବିରରେ ଅଭିଯୋଗ ଶୁଣି ଅଧ୍ୟକ୍ଷତା କରୁଥିବା ଏଡିଏମ୍ ବିଜୟାନନ୍ଦ ସେଠୀ ପାରିଶ୍ରମିକ ପ୍ରଦାନ ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିବା କୁହାଯାଇଛି। ଶୀଘ୍ର ପାରିଶ୍ରମିକ ଦିଆଯିବ ବୋଲି ବିଡିଓ ଏଡିଏମ୍ଙ୍କୁ କହିଥିଲେ। ତେବେ ଏହାପରେ ମଧ୍ୟ ମାସେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପାରିଶ୍ରମିକ ମିଳିନଥିବା ଅଭିଯୋଗ ହୋଇଛି।
ଗୁରୁବାର ପୁଣି ଏସିଏମ୍ ଓ ପମ୍ପ ଅପରେଟରମାନେ ଲୋଇସିଂହା ବିଡିଓ ତଥା ଏନ୍ଏସି ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ବକେୟା ପାରିଶ୍ରମିକ ପ୍ରଦାନ ପାଇଁ ଦାବି କରିଥିଲେ। ସରକାରଙ୍କଠାରୁ ଫଣ୍ଡ ଆସୁନଥିବାରୁ ପାରିଶ୍ରମିକ ପ୍ରଦାନ କରିବା ସମ୍ଭବ ନୁହେଁ ବୋଲି ବିଡିଓ କହିଥିବା କର୍ମଚାରୀମାନେ ପ୍ରକାଶ କରିଛନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସେପ୍ଟେମ୍ବର ୬ ତାରିଖ ସୁଦ୍ଧା ବକେୟା ପାରିଶ୍ରମିକ ପ୍ରଦାନ କରାନଗଲେ ସେପ୍ଟେମ୍ବର ୭ରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି କର୍ମଚାରୀମାନେ ଲିଖିତ ଭାବେ ଚେତାବନୀ ଦେଇଛନ୍ତି। ପମ୍ପ ଅପରେଟର ଦିଲୀପ ଥନାପତି, ଭୋଲାଶଙ୍କର ସାହୁ, ଅମିତ ପଧାନ, ଚୂଡ଼ାମଣୀ ଧରୁଆ ଓ ବିଦ୍ୟାଧର ପଧାନ ପ୍ରମୁଖ ଏନେଇ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ନୂଆଖାଇ ପୂର୍ବରୁ ବକେୟା ପାରିଶ୍ରମିକ ମିଳିବ କି ନାହିଁ, ତାହାକୁ ନେଇ କର୍ମଚାରୀମାନଙ୍କ ମଧ୍ୟରେ ଅନିଶ୍ଚିତତା ଲାଗି ରହିଛି।
Dharitri – Odisha’s No.1 Odia Daily

