Categories: ଖେଳ

କୋର୍ଟରେ ମିଥ୍ୟା କହିଥିଲେ ପୁଏର୍ଟା

ବୁଏନ୍‌ସ୍ସଏୟାର୍ସ, ୫ା୮ (ଏପି)-ବାସନ୍ଦ ଦଣ୍ଡ ହ୍ରାସ କରିବା ପାଇଁ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌)ରେ ମିଥ୍ୟା ବୟାନ ଦେଇଥିବା ସ୍ବୀକାର କରିଛନ୍ତି ଦୁଇଥର ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବା ଅବସରପ୍ରାପ୍ତ ଟେନିସ ଖେଳାଳି ମାରିଆନୋ ପୁଏର୍ଟା। ଆର୍ଜେଣ୍ଟିନାର ଏହି ପୂର୍ବତନ ଖେଳାଳି ୨୦୦୫ରେ ତାଙ୍କ କ୍ୟାରିୟରର ଶୀର୍ଷରେ ପହଞ୍ଚତ୍ ଫ୍ରେଞ୍ଚ୍‌ ଓପନ ଫାଇନାଲକୁ ଉନ୍ନୀତ ହୋଇ ପାରିଥିଲେ। ଏହାର ୪ମାସ ପରେ ତାଙ୍କର ଡୋପ୍‌ ଟେଷ୍ଟ ହୋଇଥିଲା। ସଂଗୃହୀତ ଏଟିଲେଫ୍ରିନ୍‌ (ଏକ ନିଷିଦ୍ଧ କାର୍ଡିଓରେସ୍ପିରେଟୋରି ଷ୍ଟିମୁଲାଣ୍ଟ) ପାଇଁ ତାଙ୍କର ପଜିଟିଭ୍‌ ଆସିଥିଲା। ଆନାବୋଲିକ୍‌ ଷ୍ଟେରଏଡ୍‌ ବ୍ୟବହାର କରିଥିବାରୁ ୨୦୦୩ରେ ମଧ୍ୟ ସେ ଧରାପଡ଼ିଥିଲେ। ପୁଏର୍ଟା ପ୍ରଥମେ ୮ ବର୍ଷ ସସ୍‌ପେଣ୍ଡ ହୋଇଥିଲେ। ମାତ୍ର ଏହି ମାମଲାରେ ସେ ରକ୍ଷଣାତ୍ମକ ରଣକୌଶଳ ଅବଲମ୍ବନ କରିବାରୁ ତାଙ୍କ ଦଣ୍ଡ ୨ ବର୍ଷକୁ ହ୍ରାସ ପାଇଥିଲା। ଅର୍ଥାତ ତାଙ୍କୁ କୋର୍ଟରେ ମିଥ୍ୟା କହିବାକୁ ପଡ଼ିଥିଲା। ହେଲେ ଖେଳ ପାଇଁ ସେ ଏହି ଫାଇଦାର ଉପଯୋଗ କରି ନ ଥିଲେ। ମିଥ୍ୟାର ଆଶ୍ରୟ ନେଇଥିବାରୁ ତାଙ୍କ ମନ ବୁଝି ନ ଥିଲା। ଶେଷରେ ଏକ ଖବରକାଗଜ ସାକ୍ଷାତ୍‌କାରରେ ସତ୍ୟପ୍ରକାଶ କରିଦେବାକୁ ଉଚିତ ମଣିଥିଲେ। ଦଣ୍ଡ ହ୍ରାସ କରିବା ଉଦ୍ଦେଶ୍ୟରେ ପୁଏର୍ଟା କୋର୍ଟରେ ତାଙ୍କ ବୟାନରେ କହିଥିଲେ ଯେ, ତାଙ୍କ ସ୍ତ୍ରୀ ସୋଲ୍‌ ଏଷ୍ଟିଭାନେଜ୍‌ଙ୍କ ମେନ୍‌ଷ୍ଟ୍ରୁଆଲ୍‌ କ୍ରାମ୍ପ ସମସ୍ୟା ଥିବାରୁ ଇଫୋର୍ଟିଲ ନାମକ ଏକ ଔଷଧ ସେବନ କରୁଥିଲେ ଯେଉଁଥିରେ କି ଏଟିଲେଫ୍ରିନ୍‌ର ମାତ୍ରା ରହିଥିଲା। ଏହି ଗ୍ଲାସ୍‌ରେ ସେ ପାଣି ପିଇଥିବାରୁ ତାଙ୍କଠାରୁ ସଂଗୃହୀତ ନମୁନାରୁ ନିଷିଦ୍ଧ ଦ୍ରବ୍ୟ ଠାବ ହୋଇଥିଲା ପୂର୍ବତନ ଖେଳାଳି କହିଛନ୍ତି, କୋର୍ଟରେ ମିଥ୍ୟା କଥା କହିବା ଲାଗି ଏଡୁଆର୍ଡୋ ମୋଲିନ୍‌ ଓ’ କନ୍ନର ନାମକ ଜଣେ ଓକିଲ ତାଙ୍କୁ ପରାମର୍ଶ ଦେଇଥିଲେ, ଯାହାଙ୍କର ୨୦୧୪ରେ ଦେହାନ୍ତ ଘଟିଛି। ଓ’ କନ୍ନର ୧୯୯୮ରୁ ୨୦୦୬ ପର୍ଯ୍ୟନ୍ତ କାସ୍‌ର ଜଣେ ସଦସ୍ୟ ଥିଲେ।

Share