ପାଣିଡଙ୍ଗର ଜଳ ପ୍ରକଳ୍ପ ଦାବିରେ ଗଣ ପ୍ରତିବାଦ

ଗୁଣପୁର,୨୮ା୮(ସୁଜାତା ପାଢ଼ୀ): ସିପିଆଇ (ଏମ୍‌ଏଲ) ଲିବରେଶନ ପକ୍ଷରୁ ବଂଶଧାରା ନଦୀ ଗୁଡ଼ାରୀର ପାଣି ଡଙ୍ଗରଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବିରେ ଶୁକ୍ରବାର ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରେ ଏକ ଗଣ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଗତ ସରକାରଙ୍କ ବଂଶଧାରା ଓ ଋଷିକୁଲ୍ୟା ସଂଯୋଗୀକରଣ ଯୋଜନାରେ ଗୁଡ଼ାରୀର ପାଣି ଠାରେ ଜଳ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ ଭୋଟ୍‌ ରାଜନୀତି ମନେକରି ଦୀର୍ଘ ୧୫ ବର୍ଷ ହେଲା ଦାବି ଅଣଦେଖା କରାଯାଇଛି। କୈଣସି ସରକାର କର୍ଣ୍ଣପାତ କରୁନାହାନ୍ତି। ବଂଶଧାରା ପାଣିକୁ ନେଇ ବହୁ ଦିନର ବିବାଦ ଅନ୍ତ ଘଟିଛି। ଶେଷରେ ଆନ୍ଧ୍ରର କାଟ୍ରାଗାଡ଼ାଠାରେ ୨ ପର୍ଯ୍ୟାୟ ପ୍ରକଳ୍ପକୁ ମାନ୍ୟବର ସୁପ୍ରିମକୋର୍ଟ ଟ୍ରିବ୍ୟୁନାଲ ଟିମ୍‌ ସବୁଜ ସଂକେତ ଦେଇଛନ୍ତି। ବିବାଦ ଭିତରେ ଆନ୍ଧ୍ର ସରକାର ବଂଶଧାରା ନଦୀର ପାଣିକୁ ସଦ ବିନିଯୋଗ କରିବା ପାଇଁ ତାର ସମସ୍ତ କାର୍ଯ୍ୟ ଶେଷ କରିଛି। ଆମେ ଆନ୍ଧ୍ରର ପ୍ରକଳ୍ପକୁ ବିରୋଧ କରୁନାହୁଁ। ସରକାରଙ୍କ ପ୍ରତାବିତ ଯୋଜନା ଉପରେ ଦାବି କରୁଛୁ। ବଂଶଧାରା ନଦୀ ଉପର ମୁଣ୍ଡ ଗୁଡ଼ାରୀ ପାଣିଠାରେ ପ୍ରକଳ୍ପ କରାଗଲେ ରାୟଗଡା ଜିଲା ସମେତ ଗଞ୍ଜାମ, ଗଜପତି ଚାଷୀକୁଳ ଉପକୃତ ହେବା ସାଙ୍ଗକୁ ଅଞ୍ଚଳରେ ବିଦ୍ୟୁତ ଉତ୍ପନ୍ନ ହୋଇପାରିବ। ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଋଷିକୁଲ୍ୟା – ହରଭଙ୍ଗି – ବାଂଶଧାରା ନଦୀ ସଂଯୋଗୀ କରଣ ପାଇଁ ଘୋଷଣା କରିବା ପରେ ରାଜ୍ୟ ସରକାର ମଧ୍ୟ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ନିମନ୍ତେ ଗୁଡାରୀ ଠାରେ କାର୍ଯ୍ୟାଳୟ ନିର୍ମାଣ ସହ ଉଦ୍‌ଘାଟନ କରି ତିନି ତିନି ଥର ସର୍ଭେ କରାଯାଇ ସରକାର ତହବିଲରୁ ପ୍ରାୟ ୪ରୁ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ୨୦୦୭ରୁ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଆଡ଼କୁ ଠେଲି ହୋଇଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନମୁଖୀ କାମ ଓ ନିର୍ବାଚିତ ପ୍ରତିନିଧିମାନଙ୍କ ଅଣଦେଖା ସହିତ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁ ପ୍ରକଳ୍ପ ଆଉ ଆଗେଇ ପାରିଲା ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ପାଇଁ ଅତିଶୀଘ୍ର ଘୋଷଣା କରନ୍ତୁ ନଚେତ ସେପ୍ଟେମ୍ବର ମାସରେ ଗୁଣପୁର ବନ୍ଦ ପାଳନ କରିବାକୁ ବାଧ୍ୟ ହେବୁ ବୋଲି ସିପିଆଇ (ଏମ୍‌ଏଲ) ଲିବରେଶନର ଜିଲା ସମ୍ପାଦକ ତ୍ରୀପତି ଗମାଙ୍ଗ ଆଜିର ପ୍ରତିବାଦ ସଭାରେ ଚେତାବନୀ ଦେଇଛନ୍ତି। ଏହି ପ୍ରତିବାଦ ସଭାରେ ସଂଜୀବ ଶବର, ସିଦ୍ଧାର୍ଥ ଗମାଙ୍ଗ, ମନୋଜ ନିମାଲା, ମୋଜେସ ବିଡିକା, ରାଜୁ ପାତିକା, ଜଗନ୍ନାଥ ଶବର,ଗିରିଧର ଶବର, ଓସମା ବିନ୍‌ ଶବର ପ୍ରମୁଖ ଯୋଗଦେଇ ପ୍ରତିବାଦ କରିଥିଲେ।

Dharitri – Odisha’s No.1 Odia Daily

Share