ଦିଗପହଣ୍ଡି,୩।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ଶ୍ରୀ ଉଜ୍ଜଳେଶ୍ୱର ଶୈବପୀଠ ସଭା ମଣ୍ଡପରେ ଦକ୍ଷିଣ ଓଡ଼ିଶା ବିକାଶ ସମିତି ଆନୁକୁଲ୍ୟରେ ଖେମୁଣ୍ଡି ଉନ୍ନୟନ ମଞ୍ଚ ପକ୍ଷରୁ ବୁଧବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ସାମାଜିକ କର୍ମୀ ବୃନ୍ଦାବନ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ପଞ୍ଚାନନ ପାଇକ ଅଧ୍ୟକ୍ଷତା କରିଥିବା ବେଳେ ଦକ୍ଷିଣ ଓଡିଶା ବିକାଶ ସମିତିର ସଭାପତି ତଥା ଅବସର ପ୍ରାପ୍ତ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ଡ଼. ବାଳକୃଷ୍ଣ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।
ସମଗ୍ର ଦକ୍ଷିଣ ଓଡ଼ିଶାର ବହୁ ପ୍ରତିକ୍ଷୀତ ଗୋପାଳପୁର- ରାୟଗଡ଼ା ନୂତନ ରେଳପଥ ପ୍ରକଳ୍ପ ନିମନ୍ତେ ପୂର୍ବରୁ ସର୍ଭେ ସରିଛି । ଏହି ନୂତନ ରେଳ ଲାଇନ୍ ଗୋପାଳପୁର ଠାରୁ ଜଗନ୍ନାଥପୁର, ଗୁରୁଣ୍ଠୀ, ବାଲିପଡ଼ା, ଅନଙ୍ଗପୁର, ଦିଗପହଣ୍ଡି, ଗୁମା,ଫାସିଗୁଡ଼ା, ଭୀଷ୍ମଗିରି, ଚାକୁଣ୍ଡାପଲ୍ଲୀ ଦେଇ ଗଜପତି ଜିଲା ଚାନ୍ଦିପୁଟ, ଅନ୍ତର୍ବା ଠାରୁ ରାୟଗଡ଼ାକୁ ମାତ୍ର ଏହି ରେଳ ଲାଇନ ସଂଯୋଗ କରିବ। କିନ୍ତୁ ଫାଇନାଲ ସର୍ଭେ ରିପୋର୍ଟ ଦାଖଲ ପାଇଁ ଦାୟିତ୍ୱରେ ଥିବା କିଛି ଆନ୍ଧ୍ର ରେଲୱେ ଅଧିକାରୀ ଉକ୍ତ ସର୍ଭେ ରିପୋର୍ଟକୁ ବଦଳାଇ ଗୋପାଳପୁର ଠାରୁ ଭାୟା କନ୍ଧମାଳ ଦେଇ ରାୟଗଡ଼ା ଯାଏ ନୂତନ ରେଳ ଲାଇନ ନିର୍ମାଣ ପାଇଁ ଯୋଜନାବଦ୍ଧ ଭାବେ ଉଦ୍ୟମ ଚଳାଇଛନ୍ତି ବୋଲି କହିଥିଲେ। ସେହିପରି ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପର ଆବଶ୍ୟକତା ସାଙ୍ଗକୁ ତାହାର ସର୍ବେକ୍ଷଣ ଓ ଅନ୍ୟାନ୍ୟ ଆନୁସଙ୍ଗିକ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଥିବାରୁ ତାହାକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯାଇ କେନାଲ ଜରିଆରେ ଜମିକୁ ଜଳ ଯୋଗାଣ ଏବଂ ପାଇପ ଲାଇନ୍ ମାଧ୍ୟମରେ ପାନୀୟ ଜଳ ଯୋଗାଣ ଖୁବ୍ ଶୀଘ୍ର ଆରମ୍ଭ କରିବା ଦାବିରେ ଜନ ଆନ୍ଦୋଳନର ଆବଶ୍ୟକତା ଥିବା କହିଥିଲେ।
ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିକାଶ ସମିତି ର ପ୍ରମୁଖ କାର୍ଯ୍ୟକର୍ତ୍ତା ସୁଜିତ କୁମାର ତ୍ରିପାଠୀ, ପ୍ରତାପ ଚନ୍ଦ୍ର ଦାଶ, ଦିଗପହଣ୍ଡି ଏନଏସିର ପ୍ରାକ୍ତନ ଅଧ୍ୟକ୍ଷ ଭି. ରବିନାରାୟଣ ରାଜୁ, ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼, ସୁନୀଲ କୁମାର ବିଷୋୟୀ, ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ପାଠୀ, ପିତାମ୍ବର ଗୌଡ଼, ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼, ସିମାଞ୍ଚଳ ଗୌଡ଼, ଅବସରପ୍ରାପ୍ତ ଶିକ୍ଷକ ମାଗତା ପ୍ରଧାନ, ପ୍ରତାପ ଚନ୍ଦ୍ର ଦୀକ୍ଷିତ, ସନ୍ତୋଷ କୁମାର ସାହୁ, ଶିବାନନ୍ଦ ପାଣିଗ୍ରାହୀ, ସିମାଞ୍ଚଳ କର, ନିରଞ୍ଜନ ଗୌଡ଼, ଏ. ନାରସୁ ପ୍ରମୁଖ ମଞ୍ଚାସିନ ଥିଲେ । ସଭାରେ ଖମାରିଗାଁ, ନିମଖଣ୍ଡିପେଣ୍ଠ, ଚଷାନିମଖଣ୍ଡି, ଭୀଷ୍ମଗିରି ଓ ସହଦେବ ଟିକରପଡା ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମରୁ ୩ ଶହରୁ ଉର୍ଦ୍ଧ୍ବ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ତେଣୁ ଗୋପାଳପୁର – ରାୟଗଡା ରେଳପଥ ନିର୍ମାଣ ଓ ଛେଳିଗଡ଼ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବୀରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଗଣ ଆନ୍ଦୋଳନ ପାଇଁ ସଭାରେ ସର୍ବ ସମ୍ମତ ନିଷ୍ପତ୍ତି ଗୃହୀତ କରାଯାଇଥିଲା। ଆଗାମୀ ଦିନରେ ଦକ୍ଷିଣ ଓଡିଶା ବିକାଶ ପରିଷଦ ପକ୍ଷରୁ ଏଥିପାଇଁ ଆବଶ୍ୟକ ଯେକୌଣସି ଆନ୍ଦୋଳନ ଡାକରାରେ ସାମିଲ ହେବାପାଇଁ ଉପସ୍ଥିତ ଜନସାଧାରଣ, ଖେମୁଣ୍ଡି ଉନ୍ନୟନ ମଞ୍ଚର କାର୍ଯ୍ୟକର୍ତ୍ତା ଓ ସଭ୍ୟ ବୃନ୍ଦ ଶପଥ ନେଇଥିଲେ । ପରିଶେଷରେ ଖମାରିଗାଁ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।