ପ୍ରଗତିପନ୍ଥୀ ବିଚାରପତି

ପାକିସ୍ତାନ ୧୪ ଅଗଷ୍ଟ ୨୦୨୧ରେ ୭୫ତମ ସ୍ବାଧୀନତା ଦିବସ ପାଳନ କରିଛି। ଏହାର ଅବ୍ୟବହିତ ପୂର୍ବରୁ ତା’ର ନ୍ୟାୟପାଳିକା ଇତିହାସରେ ଏକ ପ୍ରଗତିଶୀଳ ପଦକ୍ଷେପ ନିଆଯାଇଥିବାରୁ ତାହାକୁ ନେଇ ଚର୍ଚ୍ଚା ହେଉଛି। ଲାହୋର ହାଇକୋର୍ଟ ବିଚାରପତି ଥିବା ଜଷ୍ଟିସ୍‌ ଆୟେଶା ମଲିକଙ୍କୁ ସେପ୍ଟେମ୍ବର ୯ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ କରାଯିବ। ପାକିସ୍ତାନର ସର୍ବୋଚ୍ଚ ଅଦାଲତରେ ବିଚାରପତି ରୂପେ ନିଯୁକ୍ତ ହେବାରେ ଜଷ୍ଟିସ୍‌ ଆୟେଶା ହେବେ ପ୍ରଥମ ମହିଳା। ପାକିସ୍ତାନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ମୁଶିର ଆଲାମ ଆସନ୍ତା ୧୭ରେ ଅବସର ନେବେ। ଖାଲି ହେବାକୁ ଥିବା ଏହି ପଦବୀରେ ଜଷ୍ଟିସ୍‌ ଆୟେଶାଙ୍କୁ ନିଯୁକ୍ତି ଦେବା ଲାଗି ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦ ସୁପାରିସ କରିଛନ୍ତି। ତେବେ ରୂଢ଼ିବାଦୀ ଚିନ୍ତାଧାରାରେ ବୁଡ଼ି ରହିଥିବା କେତେକ ପାକିସ୍ତାନ ନାଗରିକ ସର୍ବୋଚ୍ଚ ନ୍ୟାୟାଳୟକୁ ମହିଳାଙ୍କ ଉନ୍ନୀତ ହେବା ବିଷୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଅପରପକ୍ଷରେ ପାକିସ୍ତାନର ଅନେକ ଟୁଇଟର ବ୍ୟବହାରକାରୀ ଆୟେଶାଙ୍କୁ ନେଇ ବହୁ ସକାରାତ୍ମକ ମତ ଦେବାରେ ଲାଗିଛନ୍ତି। ଲାହୋର ହାଇକୋର୍ଟ ବିଚାରପତି ଭାବେ ସେ ବିଭିନ୍ନ ସମୟରେ ଦେଇଥିବା ନିର୍ଭୀକ ରାୟ ପାକିସ୍ତାନ ବିଚାର ବ୍ୟବସ୍ଥାରେ ନୂଆ ଧାରା ସୃଷ୍ଟି କରିଥିବାରୁ ଯୁବପିଢ଼ି ତାଙ୍କ ପଦୋନ୍ନତିରେ ଖୁସିବ୍ୟକ୍ତ କରିଛନ୍ତି। ପାକିସ୍ତାନର ସର୍ବୋଚ୍ଚ ଅଦାଲତ ପୁରୁଷ ପ୍ରାଧାନ୍ୟ ରହି ଆସିଥିବାରୁ ମହିଳାଙ୍କ ସଂକ୍ରାନ୍ତୀୟ ରାୟ ବେଳେ ଅସଙ୍ଗତି ଦେଖାଦେଉଥିବା ଅଭିଯୋଗ ହୋଇଥାଏ। ଏପଟେ ଭାରତୀୟ ନ୍ୟାୟପାଳିକା କଥା ଦେଖିଲେ ୬ ଅକ୍ଟୋବର ୧୯୮୯ରେ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ହେବାରେ ଫାତିମା ବିବି ଗୌରବ ଅର୍ଜନ କରିଥିଲେ। ମାତ୍ର କେଇ ଘଣ୍ଟାର ବ୍ୟବଧାନରେ ପାକିସ୍ତାନ ଓ ଭାରତ ସ୍ବାଧୀନତା ଲାଭ କରିଥିଲେ ହେଁ ଫାତିମାଙ୍କ ଦାୟିତ୍ୱ ଗ୍ରହଣର ପ୍ରାୟ ୩୨ ବର୍ଷ ପରେ ଆୟେଶା ପାକିସ୍ତାନର ଶୀର୍ଷ ଅଦାଲତରେ ମହିଳା ଭାବେ ବିଚାର କରିବାର ସୁଯୋଗ ପାଇବେ।
ଆୟେଶା ୩ ଜୁନ୍‌ ୧୯୬୬ରେ ଜନ୍ମଗ୍ରହଣ କରିଥିଲେ। କରାଚି ଗ୍ରାମାର ସ୍କୁଲରୁ ପଢ଼ା ସାରି ସେ କରାଚିସ୍ଥିତ ଗଭର୍ନମେଣ୍ଟ କଲେଜ ଅଫ୍‌ କମର୍ସ ଆଣ୍ଡ୍‌ ଇକୋନମିକ୍ସରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ଲାହୋରସ୍ଥିତ ପାକିସ୍ତାନ କଲେଜ ଅଫ୍‌ ଲ’ରୁ ଆଇନର ପ୍ରାରମ୍ଭିକ ପଢ଼ା ଶେଷ କରିବା ପରେ ସେ ଆମେରିକାର ହାର୍ଭାର୍ଡ ଲ’ ସ୍କୁଲରୁ ଏଲ୍‌ଏଲ୍‌ଏମ୍‌ ଡିଗ୍ରୀ ହାସଲ କରିଥିଲେ। ତେବେ ଉଲ୍ଲେଖନୀୟ ମେଧା ଲାଗି ଆୟେଶା ଲଣ୍ଡନ ଏଚ୍‌. ଗାମୋନ୍‌ ଫେଲୋ ୧୯୯୮-୯୯ ପାଇ ତାଙ୍କ ଦକ୍ଷତାର ପ୍ରମାଣ ଦେଇଥିଲେ। ସେ ୧୯୯୭ରେ ଫଖୁରଦ୍ଦିନ ଜି. ଇମ୍ରାହିମ୍‌ଙ୍କ ଲିଗାଲ ଫାର୍ମରେ କ୍ୟାରିୟର ଆରମ୍ଭ କରି ୨୦୦୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୦୧ରୁ ୨୦୦୪ ଯାଏ ସେ ରାଜ୍‌ଭି, ଇସା, ଆଫ୍ରିଦି ଆଣ୍ଡ୍‌ ଏଞ୍ଜେଲା (ଆର୍‌ଆଇଏଏ) କମ୍ପାନୀରେ ସିନିୟର ଆସୋସିଏଟ୍‌ ଭାବେ କାମ ଆରମ୍ଭ କରିଥିଲେ। ୨୦୦୪ରୁ ୨୦୧୨ ପର୍ଯ୍ୟନ୍ତ ସେ କମ୍ପାନୀର ପାର୍ଟନର ମଧ୍ୟ ରହିଥିଲେ। କମ୍ପାନୀର ଲାହୋରସ୍ଥିତ କାର୍ଯ୍ୟାଳୟ ଦାୟିତ୍ୱରେ ରହିବା ସହ ଆୟେଶା ଏହାର କର୍ପୋରେଟ ଆଣ୍ଡ୍‌ ଲିଟିଗେଶନ ଡିପାର୍ଟମେଣ୍ଟ ବୁଝାଶୁଝା କରୁଥିଲେ। କମ୍ପାନୀ ଦୁନିଆରୁ ଢେର ଅଭିଜ୍ଞତା ତୋଳିବା ପରେ ସେ ବାସ୍ତବ ଆଇନ ଦୁନିଆକୁ ଓହ୍ଲାଇଥିଲେ। ୨୭ ମାର୍ଚ୍ଚ ୨୦୧୨ରେ ତାଙ୍କୁ ଲାହୋର ହାଇକୋର୍ଟ ବିଚାରପତି କରାଯାଇଥିଲା। ମହିଳାଙ୍କ ଅଧିକାର ସଂକ୍ରାନ୍ତ ତାଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଜାନୁୟାରୀ ୨୦୧୯ରେ ସେ ଲାହୋରଠାରେ ମହିଳା ବିଚାରପତିଙ୍କୁ ସୁରକ୍ଷା ଦିଆଯିବା ସଂକ୍ରାନ୍ତ ନୂଆକରି ଗଠନ କରାଯାଇଥିବା କମିଟିର ଅଧ୍ୟକ୍ଷ ହୋଇଥିଲେ। ବିଭିନ୍ନ ଜିଲା କୋର୍ଟରେ ମହିଳା ବିଚାରପତିମାନଙ୍କୁ ସ୍ଥାନୀୟ ଆଇନଜୀବୀମାନେ ହଇରାଣହରକତ କରୁଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସକାଶେ ଲାହୋର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଏହି କମିଟି ଗଠନ କରାଯାଇଥିଲା। ଆୟେଶାଙ୍କ ଏଭଳି ସାହସ ତାଙ୍କୁ ଆଗକୁ ବଢ଼ିବାରେ ସହାୟକ ହୋଇଥିଲା। ସେ ମଧ୍ୟ ଅନ୍ତର୍ଜାତୀୟ ମହିଳା ବିଚାରପତି ସଂଘ (ଆଇଏଡବ୍ଲ୍ୟୁଜେ)ର ଅଂଶବିଶେଷ ରହି ପ୍ରତ୍ୟେକ ବାଳିକା ଓ ମହିଳାଙ୍କ ପ୍ରତି ସମାନତା ଓ ନ୍ୟାୟ ଦେବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଆୟେଶା ହାଇକୋର୍ଟ, ଜିଲା କୋର୍ଟ, ବ୍ୟାଙ୍କିଙ୍ଗ କୋର୍ଟ, ସ୍ପେଶାଲ ଟ୍ରିବ୍ୟୁନାଲ ଓ ଆର୍ବିଟ୍ରେଶନ ଟ୍ରିବ୍ୟୁନାଲରେ ଲିଗାଲ ପ୍ରାକ୍ଟିସ୍‌ କରିଛନ୍ତି। ଏପରିକି ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ଫ୍ୟାମିଲ ଲ’ର ବିଶେଷଜ୍ଞ ସାକ୍ଷୀ (ଏକ୍ସପର୍ଟ ଓ୍ବିଟ୍‌ନେସ୍‌) ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି । କେତେକ କଲେଜରେ ବ୍ୟାଙ୍କିଙ୍ଗ୍‌ ଓ ମର୍କାଣ୍ଟାଇଲ ଲ’ ପଢ଼ାଇବା ସହ ଆଇନ ସଂକ୍ରାନ୍ତ ପୁସ୍ତକ ମଧ୍ୟ ରଚନା କରିଛନ୍ତି।
ବର୍ତ୍ତମାନ ଆୟେଶା ଲାହୋର ହାଇକୋର୍ଟରେ କାର୍ଯ୍ୟରତ ଓ ବରିଷ୍ଠତା ତାଲିକାରେ ଚତୁର୍ଥ ର଼୍ୟାଙ୍କ୍‌ରେ ଅଛନ୍ତି। ପଦୋନ୍ନତି ପାଇଲେ ସେ ୨୦୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ବିଚାରପତି ଭାବେ କାର୍ଯ୍ୟ କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କ ସମ୍ପର୍କୀୟଙ୍କୁ ସେମାନଙ୍କ ମାଲିକାନାରେ ଥିବା ଚିନି କାରଖାନାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦେଇ ନ ଥିବାରୁ ଜଷ୍ଟିସ୍‌ ଆୟେଶାଙ୍କ ସାହସକୁ ୟୁଟ୍ୟୁବର ଅଲି ରଜାଙ୍କ ସମେତ ଅନେକେ ପ୍ରଶଂସା କରିଛନ୍ତି। ସେହିପରି ଚଳିତବର୍ଷ ଜାନୁୟାରୀରେ ଲାହୋର ହାଇକୋର୍ଟ ଯୌନ ପୀଡ଼ିତାଙ୍କ ଟୁ-ଫିଙ୍ଗର ଟେଷ୍ଟ (ଟିଏଫ୍‌ଟି) ଓ ହାଇମେନ୍‌ (ସତୀଚ୍ଛଦ) ପରୀକ୍ଷାକୁ ବେଆଇନ ଓ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ଆୟେଶା ଐତିହାସିକ ନିଷ୍ପତ୍ତି ନେଇ ୩୦ ପୃଷ୍ଠା ବିଶିଷ୍ଟ ସମ୍ପୂର୍ଣ୍ଣ ରାୟ ପ୍ରଦାନ କରିବା ବେଳେ ଏଭଳି ପରୀକ୍ଷାକୁ ଅବୈଜ୍ଞାନିକ ବୋଲି ବିବେଚନା କରିଥିଲେ। ସୁପ୍ରିମକୋର୍ଟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରି ପାକିସ୍ତାନ ନ୍ୟାୟ ବ୍ୟବସ୍ଥାରେ ସେ ଆହୁରି ଅନେକ ଯୁଗାନ୍ତକାରୀ ରାୟ ଦେବେ ବୋଲି ଆଶା କରାଯାଉଛି। ଆୟେଶାଙ୍କ ବ୍ୟକ୍ତିଗତ ଜୀବନ କହିଲେ ସ୍ବାମୀ ଓ ୩ ସନ୍ତାନକୁ ନେଇ ତାଙ୍କ ସଂସାର।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri