ଭୁବନେଶ୍ୱର,୪ା୧୨(ବ୍ୟୁରୋ): ବିଶିଷ୍ଟ ବୈଜ୍ଞାନିକ ତଥା ଶିକ୍ଷାବିତ୍ ପଦ୍ମଭୂଷଣ ପ୍ରଫେସର ଡଃ. ତ୍ରିଲୋଚନ ପ୍ରଧାନଙ୍କର ଶନିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା।
ନୟାଗଡ଼ର ସୁଯୋଗ୍ୟ ସନ୍ତାନ ସେ। ୧୯୨୯ ମସିହା ଜାନୁୟାରୀ ୩ରେ ନୟାଗଡ଼ ଜିଲା ଘଣାଶାଳିଆ ଗାଁରେ ତାଙ୍କର ଜନ୍ମ। ଡ. ପ୍ରଧାନ ରେଭେନ୍ସା ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ୧୯୫୬ ମସିହାରେ ପିଏଚ୍ଡି କରିଥିଲେ। ରେଭେନ୍ସାରେ କିଛିବର୍ଷ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ସେ ଭୁବନେଶ୍ୱରସ୍ଥିତ ଇନିଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ (ଫାଉଣ୍ଡର ଡାଇରେକ୍ଟର) ଥିଲେ। ଏଥିସହ ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।
ଭୌତିକ ବିଜ୍ଞାନ କ୍ଷେତ୍ରରେ ଅତ୍ୟାଧୁନିକ ଗବେଷଣା ଲାଗି ତାଙ୍କୁ ୧୯୯୦ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ୨୦୧୪ରେ ତାଙ୍କୁ ‘କଳିଙ୍ଗ ସମ୍ମାନ’ ପ୍ରଦାନ କରାଯାଇଥିଲା।
ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।