ବୃତ୍ତିଜୀବୀ ଖୁସ୍‌, କର୍ମଜୀବୀ ଉବୁଟୁବୁ

ସହଦେବ ସାହୁ

 

ସବୁ ଚାକିରିଆ କର୍ମଜୀବୀ, ସରକାରୀ କମ୍ପାନୀ ବି ଗୋଟିଏ ଗୋଟିଏ କର୍ମଜୀବୀ। କିନ୍ତୁ ପୁଞ୍ଜିନିବେଶକାରୀମାନେ ବୃତ୍ତିଜୀବୀ। ଗୋଟିଏ ଆମେରିକାନ୍‌ ଖବରର ଶୀର୍ଷକ ‘ରାଇଜିଂ ପ୍ରଫେଶନାଲ୍‌ ଆଣ୍ଡ ସିଙ୍କିଙ୍ଗ ୱାର୍କର୍ସ’ ଏ ଦୁଇଟି ଭିତରେ ସତ୍ୟଟା ଜଣାଏ: ବୃତ୍ତିଜୀବୀ ଲୋକେ ଖୁସିରେ ପହଁରୁଛନ୍ତି ତ ଶ୍ରମଜୀବୀମାନେ ଡୁବିବାରେ ଲାଗିଛନ୍ତି, ଉବୁଟୁବୁ ହେଉଛନ୍ତି। କୋଭିଡ୍‌-୧୯ ମହାମାରୀ ବେଳେ ନିଜ ରାଜ୍ୟକୁ ଫେରୁଥିବା ମାଇଗ୍ରାଣ୍ଟ ଶ୍ରମିକମାନଙ୍କ ଦୁଃଖ କଷ୍ଟ ଟିଭି ମାଧ୍ୟମରେ ଦେଖି ଏହି ମାର୍କିନ୍‌ ହେଡ୍‌ ଲାଇନ୍‌ର ମର୍ମ ଏବେ ବୁଝିହୁଏ। ଆମେରିକାର ଇନ୍‌ଲାଣ୍ଡ ରେଭେନ୍ୟୁ ସର୍ଭିସ୍‌ (ଆଇଆର୍‌ଏସ୍‌) ଠାରୁ ପ୍ରୋପବ୍ଲିକା ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଟିକସ ପରିସଂଖ୍ୟାନ (ଟାକ୍ସ ଡାଟା) କରି କହିଛି ଯେ ୱାରେନ୍‌ ବଫେଟ, ଏଲନ୍‌ ମସ୍କ ଓ ଜେଫ୍‌ ବେଜୋସ୍‌ ଭଳି ଆମେରିକାର ପେସାଦାର ଲୋକେ ଯେଉଁ ନାମମାତ୍ର ଆୟକର ଦେଇଥାନ୍ତି ତାହାକୁ ଆଇନସଙ୍ଗତ କରିନିଆଯାଇଛି। ତେଣୁ ସେମାନେ କୁବେର ହୁଅନ୍ତି। ଶ୍ରମଜୀବୀଟିଏ ନଗଦ ଟଙ୍କା ପଇସା ଆକାରରେ ପାରିଶ୍ରମିକ ପାଉଥିବାରୁ ସାଙ୍ଗେ ସାଙ୍ଗେ ତା’ ଉପରେ ଟିକସ ପଡ଼ିଯାଏ, ପୁଣି ପ୍ରତିବର୍ଷ। ପ୍ରଫେଶନାଲମାନେ ସେମାନଙ୍କ ରୋଜଗାରକୁ ଷ୍ଟକ୍‌ ଓ ରିଅଲ୍‌ ଇଷ୍ଟେଟ୍‌ ଆକାରରେ ବାନ୍ଧି ରଖି, ଅନ୍‌ରିଅଲାଇଜ୍‌ଡ ପ୍ରଫିଟ୍‌ (ପାଇ ନ ଥିବା ଲାଭ) କହି ତା’ ଉପରେ ଟିକସ ଦିଅନ୍ତି ନାହିଁ। ଆମେରିକାର ଏ ପ୍ରକାରର ଟାକ୍ସ ସିଷ୍ଟମ ଅସମତା ସୃଷ୍ଟି କରୁଛି, ଧନୀ ଗରିବ ବ୍ୟବଧାନ ବଢ଼ାଉଛି। ଆମେ ବି ଏପ୍ରକାରର ଆଇନ ଆପଣେଇ ନେଇଛୁ, ଘରୋଇ ଲୋକଙ୍କ ପୁଞ୍ଜି ଯେମିିତି ଦେଶର ବିକାଶରେ ଲାଗିବ ସେଥିରେ ପ୍ରୋତ୍ସାହନ ଦେବା ଲାଗି ମାର୍କିନ୍‌ ଆଦର୍ଶକୁ ଗ୍ରହଣ କରିନେଇଛୁ, ତେଣୁ ଅମ୍ବାନୀ, ଆଦାନୀ ଭଳି ପେସାଦାର ଲୋକେ ଟିକସ-ରିହାତିର ସୁବିଧା ବେଶ୍‌ ମାରିନେଉଛନ୍ତି। କମ୍ପାନୀ ବା କର୍ପୋରେଟ୍‌ ହାଉସ୍‌ମାନେ ସେମାନଙ୍କ ଟିକସ ବିବରଣୀ ଭିତରେ କେତେକ ତଥ୍ୟ ଗୋପନୀୟ ରଖିଥାଆନ୍ତି, ସେମାନେ ପ୍ରକୃତ ଟିକସ କେତେ ଦିଅନ୍ତି ପ୍ରୋପବ୍ଳିକା ହିସାବ କରି କହିଛି ସେମାନଙ୍କ ନିଗମଗୁଡ଼ିକର ପ୍ରକୃତ ଟିକସ ହାର ମାତ୍ର ୩.୪%।
ଏ ପ୍ରକାରର ହିସାବର ଖେଳକୁ ଆଇନ-ଅନୁମୋଦିତ କରିଛନ୍ତି ଆମେରିକାର ଗଣତନ୍ତ୍ରବାଦୀ ନେତାମାନେ; ଯେଉଁମାନଙ୍କୁ ଅର୍ଥନୀତି ବିଶାରଦମାନେ କହନ୍ତି, ଉଦାର ପୁଞ୍ଜିବାଦର ଭକ୍ତ। ଆମେ ସେହି ମାର୍କିନ୍‌ ଢାଞ୍ଚାକୁ ଆପଣେଇ ନେଇଛୁ। ସରକାରଙ୍କ ପାଖରେ ପଇସା ନାହିଁ, ପଇସା ପାଇଁ ଟିକସ ବଢ଼ାଇଲେ ଲୋକେ ବିରୁଦ୍ଧରେ ଭୋଟ ଦେବେ, ତେଣୁ ପୁଞ୍ଜିପତିମାନଙ୍କୁ ଆମନ୍ତ୍ରଣ କରାଯାଉଛି ବିକାଶ କାମରେ ପୁଞ୍ଜି ଲଗାଇବାକୁ। ଏ ପ୍ରକ୍ରିୟାରେ ଖୁବ୍‌ ଧନୀମାନେ ତାଙ୍କ ସମ୍ପତ୍ତିର ସିଂହଭାଗ ଏମିତି ସାଇତି ରଖୁଛନ୍ତି ଯେମିତି ତା’ର ମୂଲ୍ୟ ବଢୁଥିବ ଓ ତାଙ୍କର ଜୀବନଶୈଳୀକୁ ଟେକିରଖୁଥିବ ଅଥଚ ସେମାନେ ତହିଁରୁ କିଛି ଖର୍ଚ୍ଚ କରୁ ନ ଥିବେ, ତେବେ ତାଙ୍କ ସମ୍ଭାବ୍ୟ (ଅନ୍‌ରିଅଲାଇଜଡ୍‌) ଆୟ ଉପରେ ଆୟକର ପଡ଼ିବ ନାହିଁ। କେତେବେଳେ ଭଙ୍ଗାଇଲେ ସେହିଥରକ ପାଇଁ କାପିଟାଲ୍‌ ଗେନ୍ସ ଟାକ୍ସ ପଡ଼ିବ, ତାହା ପୁଣି ୨୦% ହାରରେ। ଯେହେତୁ ସେମାନଙ୍କୁ ଏପରି ସୁବିଧା ଯୋଗାଇ ଦେଉଛନ୍ତି, ରାଜନେତାମାନେ ପୁଞ୍ଜିପତିମାନଙ୍କଠାରୁ ନିର୍ବାଚନୀ ଖର୍ଚ୍ଚ ଆଣିପାରୁଛନ୍ତି। ପୁଞ୍ଜିନିବେଶକାରୀକୁ ଋଣ ନେବାରେ ସରକାର ସାହାଯ୍ୟ କରିବେ, ତା’ ଉପରେ ଯେଉଁ ସୁଧ ଦେବ ସେ ବାବଦକୁ ଆୟକର ଛାଡ଼ ପାଇବ। ସାଧାରଣ କର୍ମଜୀବୀ ପାଇଁ ଆୟକର ପ୍ରତିବର୍ଷ ୩୭ ଶତାଂଶ ପଡୁଥିବା ବେଳେ ପୁଞ୍ଜିନିବେଶକାରୀର ଆୟକୁ କାପିଟାଲ୍‌ ଗେନ୍ସ କୁହାଯାଇ ତାହା ଭଙ୍ଗାଇଲା ବେଳେ ହିଁ (ପ୍ରତିବର୍ଷ ନୁହେଁ) ଟାକ୍ସ ୨୦ ଶତାଂଶ ପଡ଼ିବ। ବର୍କସାୟାର ହାଥ୍‌ୱେଜ୍‌ କମ୍ପାନୀର ମୁଖ୍ୟ ଭାବେ ବଫେଟ ୨୦୧୪ରୁ ୨୦୧୮ ଭିତରେ ମୋଟ ଆୟ ୧୨୫ ମିଲିଅନ୍‌ ଡଲାର ଉପରେ ଫେଡେରାଲ୍‌ ଇନ୍‌କମ୍‌ ଟାକ୍ସ ୨୩.୭ ମିଲିଅନ୍‌ ଡଲାର ଦେଇଛି, ତା’ ମାନେ ୧୯ ଶତାଂଶ। ସେହି କାଳରେ ବଫେଟଙ୍କ ସମ୍ପତ୍ତି ୨୪.୩ ବିଲିଅନ ଡଲାର ବଢ଼ିିଗଲା, ତା’ ମାନେ ପ୍ରକୃତ ଟିକସ ହାର (ଟ୍ରୁ ଟାକ୍ସ ରେଟ୍‌) ୦.୧୦%। ସେହିପରି ଟେସ୍ଲାର ଚିଫ୍‌ ଏଗ୍‌ଜିକ୍ୟୁଟିଭ୍‌ ମସ୍କ ୧.୫୨ ବିଲିଅନ ଡଲାର ଆୟ ଉପରେ ୪୫୫ ମିଲିଅନ ଡଲାର ଦେଲା, ତା’ର ସମ୍ପତ୍ତି ୧୩.୯ ବିଲିଅନ ଡଲାର ବଢ଼ିଥିବା ବେଳେ ଟ୍ରୁ ଟାକ୍ସ ରେଟ୍‌ ୩.୨୭%। ଆମାଜନର ଚିଫ୍‌ ଏଗ୍‌ଜିକ୍ୟୁଟିଭ୍‌ ଓ ୱାଶିଂଟନ୍‌ ପୋଷ୍ଟର ମାଲିକ ବେଜୋସ୍‌ ୪.୨୨ ବିଲିୟନ୍‌ ଡଲାର ଆୟ ଉପରେ ୯୭୩ ମିଲିଅନ ଡଲାର ଟିକସ ଦେଇଛି କିନ୍ତୁ ତାଙ୍କ ସମ୍ପତ୍ତି ୯୯ ବିଲିଅନ ଡଲାର ବଢ଼ିଥିଲା, ତେଣୁ ଟ୍ରୁ ଟାକ୍ସ ରେଟ୍‌ ହେଲା ୦.୯୮%। ବେଜୋସ୍‌ ୨୦୧୧ରେ ଆୟକର ରିଟର୍ନରେ ବ୍ୟାଡ୍‌ ଇନ୍‌ଭେଷ୍ଟମେଣ୍ଟ ଯୋଗୁ ଲସ୍‌ କରିଥିବା ଦର୍ଶାଇ ୪୦୦୦ ଡଲାର ଟାକ୍ସ କ୍ରେଡିଟ୍‌ ପାଇଛି। ଆଉ ଜଣେ କୁବେର କାର୍ଲ ଇକହ୍ନ ନୂଆ କମ୍ପାନୀ କିଣି ଧନୀ ହେଲେ, ୨୦୧୬ ଓ ୧୭ରେ ସେ ଜିରୋ ଇନକମ୍‌ ଟାକ୍ସ ଦେଇଛନ୍ତି, କାରଣ ସେ ଲୋନ୍‌ ଉପରେ ସୁଧ ବାବଦ ଛାଡ଼ ସାଙ୍ଗରେ କାପିଟାଲ୍‌ ଗେନ୍ସ ଟାକ୍ସରେ ରିହାତି ପାଇଛନ୍ତି। ତେଣେ ଧନୀ-ଗରିବ ବ୍ୟବଧାନ ବଢୁଥାଉ, ଗରିବ ଆହୁରି ଗରିବ ହେଉଥାଉ, ସେଥିଲାଗି ଚିନ୍ତା ନାହିଁ।
ବହିର୍ଶୁଳ୍କ ଓ ଉପତ୍ାଦନ ଶୁଳ୍କରେ ଅମ୍ବାନୀର ରିଲାୟାନ୍ସ ଦେଶର ସର୍ବାଧିକ ଟିକସ ଦିଏ, ୨୧,୦୪୪ କୋଟି ଟଙ୍କା, ଜିଏସ୍‌ଟି ଓ ଭାଟ୍‌ ମିଶି ରିଲାୟାନ୍ସ ୮୫,୩୦୬ କୋଟି ଟଙ୍କା; କିନ୍ତୁ ୩୫% ଲାଭ କରୁଥିବା ରିଲାୟାନ୍ସ ଇଣ୍ଡଷ୍ଟ୍ରିଜ୍‌ ଦେଉଥିବା ପ୍ରକୃତ ଟିକସ ହାର ୩%। ଆମେରିକାରେ ମାଟିରୁ ତେଲ, ସେଲ୍‌ ଗ୍ୟାସ୍‌, ଉପରେ ଟିକସ ଛାଡ, ତାକୁ କିଣି ରିଲାୟାନ୍ସ ଟିକସ ଦିଏ ନାହିଁ, ପୁଣି ଜାମ୍‌ନଗର ଏସ୍‌ଇଜେଡ୍‌ ଭିତରେ ରିଫାଇନେରି ଅଛି ବୋଲି ଟିକସ ନାହିଁ। ଯୋଜନାବଦ୍ଧ ପୁନର୍ଗଠନ, ଯଥା କଂଗ୍ଲୋମରେଟ୍‌ (ଗୋଟିଏ ବଡ଼ କମ୍ପାନୀ ଅଧୀନରେ ସବୁ କମ୍ପାନୀ ରହିବା) ଗଢ଼ିଲେ, ଆଜିର ଟିକସ ଭବିଷ୍ୟତକୁ ନେଇହେବ, ସବ୍‌ସିଡିଆରୀ (ଉପକମ୍ପାନୀମାନ) ତିଆରି କରି ଟିକସ ଛାଡ଼ ପାଇହେବ, ଏଭଳି ବ୍ୟବସ୍ଥା କରି ୧୯୭୧-୧୯୯୬ରେ ସବୁଠୁ ଅଧିକ ଲାଭକରିଥିବା କମ୍ପାନୀ ହୋଇ ବି ଜିରୋ କର୍ପୋରେଟ୍‌ ଟିକସ ଦେଇଥିଲା। କିଛି ଲାଭ ହେଉନାହିଁ ଦର୍ଶାଇ କମ୍ପାନୀମାନେ ନୂ୍ୟନତମ ଟିକସ (ମ୍ୟାଟ୍‌୍‌, ମିନିମମ୍‌ ଅଲଟର୍‌ନେଟ୍‌ ଟାକ୍ସ) ଦିଅନ୍ତି, କମ୍ପାନୀମାନେ ବଡ଼ ବଡ଼ ଓକିଲ ଓ ଟାକ୍ସ କନ୍‌ସଲଟାଣ୍ଟ ଲଗାଇ ଆଇନର ଏମିତି ବ୍ୟାଖ୍ୟା କରିପାରନ୍ତି। ରିଲାୟାନ୍ସ ଯଦି ଗୁଗଲ ଓ ଫେସ୍‌ବୁକ୍‌ ଭଳି ଇନ୍‌ଭେଷ୍ଟରମାନଙ୍କଠୁ ପୁଞ୍ଜିନିବେଶ ପାଇପାରୁଛି ସେ ତ ବିଶ୍ୱର ଶ୍ରେଷ୍ଠ କମ୍ପାନୀ, କିନ୍ତୁ ରିଲାୟାନ୍ସ ତା’ର ହିସାବରେ ସ୍ବଚ୍ଛତା ରଖେନାହିଁ – ଗୋଳିଆପାଣିରୁ ଆଇନଜ୍ଞମାନେ ରିଲାୟାନ୍ସକୁ ଓ ଆଦାନୀ ଭଳି ବଡ଼ ବଡ଼ କମ୍ପାନୀକୁ ଟିକସରୁ ଖଲାସ ହେବାରେ ସାହାଯ୍ୟ କରନ୍ତି। ଗୌତମ ଆଦାନୀ ୧୭ ମେ ୨୦୨୨ରେ ସୁଇଜରଲାଣ୍ଡର ନିର୍ମାଣ ସାମଗ୍ରୀ ତିଆରି କମ୍ପାନୀ ହଲ୍‌ସିମ୍‌ ସହ ୬.୩୮ ବିଲିଅନ୍‌ ଡଲାର ବ୍ୟବସାୟ ରାଜିନାମା କରି ନୂଆ କମ୍ପାନୀ ବୋଲି ଟିକସ ଦେବନାହିଁ। ସରକାରୀ କମ୍ପାନୀ ଓଏନ୍‌ଜିସି (ଅଏଲ୍‌ ଆଣ୍ଡ ନାଚୁରାଲ୍‌ ଗ୍ୟାସ୍‌ କମ୍ପାନୀ) ଅନ୍ୟ ବ୍ୟବସାୟରେ କ୍ଷତି ସହୁଥିଲେ ବି ତା’ର ଚଳିତ ବର୍ଷିକିଆ ଲାଭର ୫୦% ଉପରେ ୧,୧୪,୯୧୩ କୋଟି ଟଙ୍କା ଟିକସ ଦେଇଛି। ଶ୍ରମଜୀବୀଟିଏ ସେଇମିତି, କୋଟିଏରୁ ବେଶି ଦରମା ପାଇଲେ ୧୫%, ୨କୋଟିରୁ ବେଶି ପାଇଲେ ୨୫%, ୫ କୋଟିରୁ ବେଶି ପାଇଲେ ୩୦% ଟିକସ ଦେବ, ପୁଣି ପ୍ରତିବର୍ଷ ଦେବ, ସେ କେବେ କୋଟିପତି ହେବ କି? ପୁଞ୍ଜିନିବେଶକାରୀଟିଏ ଖୁସିରେ ପହଁରୁଥିବା ବେଳେ ଶ୍ରମଜୀବୀଟିଏ ଉବୁଟୁବୁ ହୋଇ ପାଣି ଉପରେ ମୁଣ୍ଡଟେକି ରଖିବାର ସୁବିଧା ପାଉ ନ ଥିବ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri