ପ୍ରିୟଦର୍ଶୀ ମହାପାତ୍ର ଜଣେ ଅଭିଜ୍ଞ ଶିଳ୍ପପତି ଏବଂ ସଫଳ ଉଦ୍ୟୋଗୀ ଭାବେ ପରିଚିତ। ସେ ‘କ୍ୟୁଅରବେ’ ପ୍ରତିଷ୍ଠା କରିବା ପୂର୍ବରୁ ଗୁଗଲ୍, ମାଇକ୍ରୋସଫ୍ଟ, ଏସ୍ଏପି, ଆଭାୟା ଏବଂ ସନ୍ ମାଇକ୍ରୋସିଷ୍ଟମ୍ସ ଭଳି ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ଭାରତର ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଥିବା ଅସମାନତାକୁ ଦୂର କରିବା ଲକ୍ଷ୍ୟରେ ସେ ‘କ୍ୟୁଅରବେ’ ସ୍ଥାପନ କରିଛନ୍ତି, ଯାହା ବର୍ତ୍ତମାନ ଭାରତର ଦ୍ରୁତତମ ଅଭିବୃଦ୍ଧିଶୀଳ ହେଲ୍ଥ-ଟେକ୍ କମ୍ପାନୀ ଭାବେ ମାନ୍ୟତା ପାଇଛି। ବର୍ତ୍ତମାନ ଏହା ଓଡ଼ିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡରେ ୧୯୦ରୁ ଅଧିକ ଇ-କ୍ଲିନିକ୍ ଏବଂ ୧୫୦୦ରୁ ଅଧିକ ‘ସ୍ବାସ୍ଥ୍ୟ ମିତ୍ର’ଙ୍କ ସହାୟତାରେ ୧୦.୫ ଲକ୍ଷରୁ ଅଧିକ ରୋଗୀଙ୍କୁ ସେବା ଯୋଗାଇ ସାରିଛି। ସମ୍ପ୍ରତି କମ୍ପାନୀ ୨୧ ମିଲିୟନ୍ ଡଲାର୍ ଟଙ୍କା ଫଣ୍ଡିଂ ପାଇଛି, ଯାହା ସାରା ଦେଶରେ ବିସ୍ତାର ଲାଭ କରିବାରେ ସହାୟକ ହେବ ବୋଲି ଆଶା ରଖିଥିବା ପ୍ରିୟଦର୍ଶୀଙ୍କ ସହ ସାକ୍ଷାତ୍କାର….
ପ୍ରଶ୍ନ- ଗ୍ରାମାଞ୍ଚଳ ଏବଂ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ‘କ୍ୟୁଅରବେ’ କିପରି ‘ହେଲ୍ଥ ଆସୁରାନ୍ସ’କୁ ଏକ ନୂଆ ରୂପ ଦେଉଛି?
ଉତ୍ତର- ‘କ୍ୟୁଅରବେ’ରେ ଆମେ ବିଶ୍ୱାସ କରୁ ଯେ ପାରମ୍ପରିକ ସ୍ବାସ୍ଥ୍ୟସେବା ବ୍ୟବସ୍ଥା କେବଳ ରୋଗର ଚିକିତ୍ସା ଉପରେ ଗୁରୁତ୍ୱ ଦେଇଥାଏ। ଆମେ ଏହାକୁ ପରିବର୍ତ୍ତନ କରି ‘ହେଲ୍ଥ ଆସୁରାନ୍ସ’ ବା ସ୍ବାସ୍ଥ୍ୟ ନିଶ୍ଚିତତା ଉପରେ ଧ୍ୟାନ ଦେଉଛୁ। ଆମର ‘ପେଭାଇଡର୍’ ମଡେଲ୍ ସ୍ବାସ୍ଥ୍ୟସେବା, ଆର୍ଥିକ ସହାୟତା ଏବଂ ଡିଜିଟାଲ୍ ଭିତ୍ତିଭୂମିକୁ ଏକାଠି କରି ଗ୍ରାମାଞ୍ଚଳରେ ପହଞ୍ଚାଉଛି। ଆମର ସ୍ଥାନୀୟ ଇ-କ୍ଲିନିକ୍ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ କର୍ମୀମାନେ ଗ୍ରାମାଞ୍ଚଳର ପରିବାରଗୁଡ଼ିକର ବିଶ୍ୱାସ ଜିତି ସେମାନଙ୍କୁ ସ୍ବାସ୍ଥ୍ୟସେବା ସହ ଯୋଡ଼ୁଛନ୍ତି। ଏହାଦ୍ୱାରା ଲୋକମାନେ ରୋଗ ଜଟିଳ ହେବା ପୂର୍ବରୁ ପ୍ରାଥମିକ ଚିକିତ୍ସା ପାଇପାରୁଛନ୍ତି, ଯାହା ଚିକିତ୍ସାଜନିତ ଋଣ ଭାରକୁ କମ୍ କରିବାରେ ସାହାଯ୍ୟ କରୁଛି।
ପ୍ରଶ୍ନ- ଆପଣ ବିଶ୍ୱାସ କରନ୍ତି କି ‘ହାଇବ୍ରିଡ୍’ ସ୍ବାସ୍ଥ୍ୟ ମଡେଲ୍ (ଡିଜିଟାଲ୍ ଏବଂ ଫିଜିକାଲ କ୍ଲିନିକ୍ର ମିଶ୍ରଣ) ଦୂରଦୂରାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବାକୁ ସୁଧାରି ପାରିବ?
ଉତ୍ତର- ନିଶ୍ଚିତ ଭାବରେ। ଗ୍ରାମାଞ୍ଚଳ ପାଇଁ ହାଇବ୍ରିଡ୍ ସ୍ବାସ୍ଥ୍ୟ ମଡେଲ୍ ଅତ୍ୟନ୍ତ ଜରୁରୀ। ଆମର ଇ- କ୍ଲିନିକ୍ଗୁଡ଼ିକ ସ୍ଥାନୀୟ ସ୍ତରରେ ଏକ ଶକ୍ତିଶାଳୀ ଭିତ୍ତିଭୂମି ଭାବେ କାର୍ଯ୍ୟ କରୁଥିବାବେଳେ, ଡିଜିଟାଲ୍ ବ୍ୟବସ୍ଥା ମାଧ୍ୟମରେ ଟେଲି-କନ୍ସଲଟେଶନ ଏବଂ ଡାଇଗ୍ନୋଷ୍ଟିକ ସେବା ସହଜ ହୋଇପାରୁଛି। ଏହାଦ୍ୱାରା ରୋଗୀମାନେ ଆବଶ୍ୟକ ସ୍ଥଳେ ଶାରୀରିକ ପରୀକ୍ଷା କରାଇବା ସହ ଡିଜିଟାଲ୍ ମାଧ୍ୟମରେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ମଧ୍ୟ ପାଇପାରୁଛନ୍ତି। ଏଠାରେ ଟେକ୍ନୋଲୋଜି ମଣିଷର ବିଶ୍ୱାସକୁ ବଢ଼ାଇବା ପାଇଁ ବ୍ୟବହୃତ ହେଉଛି।
ପ୍ରଶ୍ନ- ଦୂରଦୂରାନ୍ତ ଅଞ୍ଚଳରେ ସେବା ଯୋଗାଇବା ପାଇଁ ବୀମା କମ୍ପାନୀ ଏବଂ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ସମ୍ମୁଖରେ କେଉଁ ସବୁ ଚ୍ୟାଲେଞ୍ଜ ରହିଛି?
ଉତ୍ତର: ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଯେ, ପାରମ୍ପରିକ ସ୍ବାସ୍ଥ୍ୟ ବ୍ୟବସ୍ଥା ସହରୀ ହସ୍ପିଟାଲ ଉପରେ ଆଧାରିତ। ଗ୍ରାମାଞ୍ଚଳରେ ତିନୋଟି ମୁଖ୍ୟ ସମସ୍ୟା ରହିଛି। ତାହା ହେଲା ପ୍ରାଥମିକ ଚିକିତ୍ସାରେ ବିଳମ୍ବ, ଭିତ୍ତିଭୂମିର ଅଭାବ ଏବଂ ଜରୁରିକାଳୀନ ଚିକିତ୍ସା ସମୟରେ ଆର୍ଥିକ ସମସ୍ୟା। ଯେତେବେଳେ ସ୍ବାସ୍ଥ୍ୟସେବା କେବଳ ଜରୁରିକାଳୀନ ପରିସ୍ଥିତିରେ ଉପଲବ୍ଧ ହୁଏ, ସେତେବେଳେ ରୋଗୀ ଏବଂ ବୀମା କମ୍ପାନୀ ଉଭୟଙ୍କ ପାଇଁ ଖର୍ଚ୍ଚ ବଢ଼ିଯାଏ। ପ୍ରତିଷେଧକ ମୂଳକ ଚିକିତ୍ସା ମାଧ୍ୟମରେ ଏହି ଖର୍ଚ୍ଚକୁ କମାଯାଇପାରିବ।
ପ୍ରଶ୍ନ- ଗ୍ରାମ ଏବଂ ଛୋଟ ସହରରେ ସ୍ବାସ୍ଥ୍ୟସେବା ଏବଂ ବୀମା ସଚେତନତା ବୃଦ୍ଧି ପାଇଁ କେଉଁ ପଦ୍ଧତି ସବୁଠାରୁ ଅଧିକ ପ୍ରଭାବଶାଳୀ?
ଉତ୍ତର- ଗ୍ରାମାଞ୍ଚଳ ଭାରତରେ କେବଳ ବିଜ୍ଞାପନ ଦ୍ୱାରା ସଚେତନତା ଆସେ ନାହିଁ, ଏହା ବିଶ୍ୱାସରୁ ଆସିଥାଏ। ଆମେ ‘ସ୍ବାସ୍ଥ୍ୟ ସୁରକ୍ଷକ’ଙ୍କ ଉପରେ ନିର୍ଭର କରୁ, ଯେଉଁମାନେ ସେହି ଗାଁରେ ରୁହନ୍ତି। ସେମାନେ ପରିବାରଗୁଡ଼ିକୁ ପ୍ରତିଷେଧକ ଚିକିତ୍ସା ବିଷୟରେ ବୁଝାନ୍ତି ଏବଂ ଡିଜିଟାଲ୍ ଟୁଲ୍ସ ସାହାଯ୍ୟରେ ସେମାନଙ୍କୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରନ୍ତି। ଲୋକେ ସହଜରେ ଚିକିତ୍ସା ପାଇଲେ, ସେମାନଙ୍କ ମଧ୍ୟରେ ସଚେତନତା ଆପେ ଆପେ ବଢ଼ିଥାଏ।
ପ୍ରଶ୍ନ- ସ୍ବାସ୍ଥ୍ୟସେବାରୁ ବଞ୍ଚିତ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ଆପଣ କିପରି ପ୍ରେରିତ ହୋଇଥିଲେ? ଏହି କ୍ଷେତ୍ରର ନୂଆ ଉଦ୍ୟୋଗୀଙ୍କୁ କ’ଣ ପରାମର୍ଶ ଦେବେ?
ଉତ୍ତର- ଆମ ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ଏକ ମୌଳିକ ବିରୋଧାଭାସ ଦେଖି ପ୍ରେରଣା ମିଳିଥିଲା। ଲୋକମାନେ ସୁସ୍ଥ ରହିବା ପରିବର୍ତ୍ତେ ରୋଗୀ ହେଲେ ବ୍ୟବସ୍ଥା ପ୍ରାୟତଃ ଲାଭବାନ ହୁଏ। ଏହି ଅନୁଭବ ଆମକୁ ଏକ ମଡେଲ୍୍ ଡିଜାଇନ୍ କରିବାକୁ ପ୍ରେରଣା ଦେଇଥିଲା, ଯେଉଁଠାରେ ଆମର ସଫଳତା ଆମ ସଦସ୍ୟମାନଙ୍କ କଲ୍ୟାଣ ତଥା ସୁସ୍ଥତା ଉପରେ ନିର୍ଭର କରେ। ଲୋକମାନେ ପ୍ରତିରୋଧକ ଯତ୍ନ ଏବଂ ପ୍ରାରମ୍ଭିକ ସ୍ତରରୁ ସୁସ୍ଥ ରହିଲେ ବ୍ୟବସ୍ଥା ଆର୍ଥିକ ଭାବେ ସ୍ଥାୟୀ ଏବଂ ସାମାଜିକ ଭାବେ ପ୍ରଭାବଶାଳୀ ହୋଇଯାଏ। ନୂତନ ଉଦ୍ୟୋଗୀମାନଙ୍କୁ ମୋର ପରାମର୍ଶ ହେଉଛି, ସାମାଜିକ ପ୍ରଭାବ ପକାଇବା ଭଳି ସମାଧାନ ପ୍ରସ୍ତୁତ କରନ୍ତୁ, ଯାହା ଆର୍ଥିକ ଦୃଷ୍ଟିରୁ ସ୍ଥାୟୀ ହୋଇପାରିବ।