ପ୍ରାଥମିକ ଶିକ୍ଷାରେ ଭାଷା-ବାଧକ ନା ସମ୍ୱଳ

ଲପ ଗଛ ମୁଣ୍ଡ ଉପରକୁ ଚଢ଼ିଗଲାଣି ସୁଆଁଲ ନଟି। ଗଛରେ ଦି’କେନା ବାହୁଙ୍ଗା ଆଉ ଚାରି କାନ୍ଦି ବଉଳ। ଜାଡ଼ ପବନରେ ସଲପ ଗଛ ନିଜକୁ ଉଷୁମ କରିନେଉଛି ପଉଷ ଖରାରେ। ଦିନ ଚାରିଟା ବେଳକୁ ସମସ୍ତେ ଥଣ୍ଡାରେ ଜଡ଼ସଡ଼। ପଉଷ ପବନ ଆସୁଛି ଧୀରେ ଧୀରେ/ ଭୂଇଁ ଶୁଖିଗଲାଣି କେଉଁକାଳୁ। ଆଗକୁ ଆହୁରି ଶୁଖି ଯାଉଥିବ ସୂର୍ଯ୍ୟମୁଖୀ ଗଛର ଶୁଖିଲା ପତରପରି। ମଣିଷର ମନ ମରିଗଲେ ଶୁଖିଲା ପତର ପରି। ଏତେବଡ଼ ସଂସାର ଆହୁରି ଲାଗେ ଚିମ୍‌ରା ଚିମ୍‌ରା। ଟାଙ୍ଗିରାହରୁ ଉପରୁ ଆଉ ଗଁା ଗହୀରରୁ ବଣ କପୋତର ସୁର ଚିମ୍‌ରା କରିଦେଉଛି ମାଟିର ଶୁଖିଲା ରଙ୍ଗକୁ ଶୁଖିଲା ସୂର୍ଯ୍ୟମୁଖୀର ମୁହଁଟି ପରି। ମାଟି ଉପରେ ଡଗଡଗ ହୋଇ ଚାଲିଯାଉଛି ନୁଖୁରା ଧୂଳିଆ ଜନ୍ଦା ତା’ଗାତ ଆଡ଼େ। ହିଡ଼ ଦୁଇମୁଣ୍ଡରେ ଘାସ କଞ୍ଚା ରହିଛି। ସୋଣୁ କିଆରି ଉପର ଦେଇ ପଉଷର ଚହଲା ପବନ ଚହଟି ଆହୁରି ସୂର୍ଯ୍ୟମୁଖୀ ବାଡ଼କୁ ପୁଣି ମକାବାଡ଼କୁ। ଶୁଖିଲା ମାଟି ଉପରେ ଶୁଖିଲା ସୂର୍ଯ୍ୟମୁଖୀ ଗଛସବୁ, ପୁଣି ଶୁଖିଲା ମକାବାଡ଼। ଶୁଖିଲା ମକାଗଛର ପତ୍ର ପବନକୁ ଆଉଜାଇ ଆଣି କରୁଛି ଖଡ଼ଖଡ଼। ନିଃଶବ୍ଦ ପବନକୁ ସେ ଶବ୍ଦମୟ କରିଦେଉଛି ଚିମ୍‌ରା ପାହାଡ଼ କାନିରେ। ସୂର୍ଯ୍ୟମୁଖୀ ଝୁରିଗଲାଣି। ସବୁତକ ଗଛର ମୁହଁ ତଳକୁ ତଳକୁ। କନିଅଁାର ମୁହଁଟି ପଣତ ତଳେ ଯେପରି ରହିଥାଏ ସୂର୍ଯ୍ୟମୁଖୀ ଫୁଲଗୁଡ଼ିକର ମୁହଁ ନେଳିଆ ଚାନ୍ଦୁଆ ତଳେ ସେହିପରି ରହିଛନ୍ତି। ମଝିରେ ମଝିରେ ପଉଷ ପବନ ଧୀରେ ଧୀରେ ଆସି ସେମାନଙ୍କ ଘୁମେଇବାକୁ ଭାଙ୍ଗିଦେଉଛି। ସୂର୍ଯ୍ୟମୁଖୀ ବାଡ଼ ସେପଟକୁ ଆମ୍ୱଗଛ। ଆଉ ଦିନ କେଇଟା ପରେ ବଉଳ ଆସିବ। ହସିଉଠିବ ତାର ଡାଳପତ୍ର କାହାକୁ କିଛି ନ କହି। ସମସ୍ତଙ୍କ ଅଜାଣତରେ ହସି ଉଠେ ସ୍ୱାଭାବିକ ଗତିଛନ୍ଦ। ସୂର୍ଯ୍ୟମୁଖୀ ସେପଟକୁ କପାବାଡ଼। ଯେତେ ଯେତେ ଜାଡ଼, ସେତେ ସେତେ କପାର ପାରିବାପଣ। ଯେତେ ଝୁରିବ ସେତେ ସେତେ ଧଳା ଦିଶିବ। ଚାରିଆଡ଼େ କପାର ପାଗଳାମି। କପା ହସର ପାଗଳାମି। ଏହି ହସ ମଣିଷକୁ ବାଇଆ କରିଛି। ଶୁଖେଇ ଦେଇଛି ମାଟିକୁ। ମାଟି ଆହୁରି ଶୁଖୁଛି। ପଉଷର ଶୁଖିଲା ଶୀତଠାରୁ କପାବାଡ଼ର ମାଟି ଆହୁରି ଶୁଖିଲା। ଧରାଧରି ଜୀବନ କପାର ବାଇଆ ହସରେ ଆହୁରି ଶୁଖିଯାଉଛି। ପଉଷ ପବନର କରାମତିଠାରୁ କପାବାଡ଼ ହସର କରାମତି ଢେର୍‌ ବେଶି। ଏହି ହସର ଆଘାତ ଢେର ଗହିରିଆ ।
ଢେର୍‌ ଢେର୍‌ ଭେଦିଛି ଶୁଖିଲା ମାଟିର ଛାତି ଭିତରକୁ। ଟାଙ୍ଗିରି ହରୁର (ଟାଙ୍ଗିରି ପାହାଡ଼) ନେଉଟା ଖରା ପଡ଼ିଛି ଶୁଖିଲା ମାଟିର ମୁହଁ ଉପରେ। ମଣିଷ ହାତର ଔଷଧ, ସାର ପଡ଼ି ନାହିଁ ହିଡ଼ମୁଣ୍ଡରେ। ପଡ଼ିଥିଲେ ହିଡ଼ ଦି’ମୁଣ୍ଡର କଞ୍ଚା ଘାସତକ ବି ନଥା’ନ୍ତା କି କଥା କହୁନଥାନ୍ତା ପଉଷ ପବନରେ ଜାଡ଼କୁ ନେଇ। ହିଡ଼ ଦି’ ମୁଣ୍ଡରେ ଛନ୍ନଛନ୍ନ ଦୂବ ମନ୍ଦା ମାନ। ମଣିଷର ଆକଟକୁ ବେଶ୍‌ ଉଛୁର କରି ସେମାନେ ମୁଣ୍ଡ ଟେକିଛନ୍ତି ଶୁଖିଲା ମାଟିର ମୁହଁ ଉପରେ।
ଟାଙ୍ଗିରି ହରୁରୁ ଓହ୍ଲେଇ ଆସୁଛି ଜାଡ଼ ପବନ ଗଁା ଦିହକୁ। ଗଁା କାନିରେ ସ୍କୁଲ। ସରକାରୀ ପ୍ରାଥମିକ ସ୍କୁଲ ମଣ୍ଡାପାଇ। ରାୟଗଡ଼ା ଜିଲା ବିଷମକଟକ ବ୍ଲକର ମଣ୍ଡାପାଇ ଗଁା। ଏବେ ଖୋଲା ଆକାଶର ନୋଳିଆ ଚାନ୍ଦୁଆରୁ ଅଜାଡ଼ି ହୋଇ ପଡ଼ୁଥିବା ଖରା ଜାଡ଼ ପବନକୁ ଜିତି ପାରୁନାହିଁ। ଯେତେକ ଖରା ତା’ର ତିନିଗୁଣା ହେଉଛି ଜାଡ଼ ପବନ। ସଞ୍ଜ ନ ହେଉଣୁ ପଉଷର ଜାଡ଼ ପବନ ସାରାଗଁାକୁ ଭିଜାଇ ଦେଉଛି। ଶିକ୍ଷାକେନ୍ଦ୍ରରୁ ବାହୁଡ଼ି ଆସିଲା ବେଳକୁ ମୁହଁ ଅନ୍ଧାର। ମଣ୍ଡାପାଇ ସରକାରୀ ସ୍କୁଲଟିରେ ଅଛି ଶିଶୁବାଟିକାରୁ ପଞ୍ଚମ ଶ୍ରେଣୀ। ସମୁଦାୟ ତିରିଶ ପଇଁତିରିଶ ପିଲା। ମଣ୍ଡାପାଇ ଗଁାର ସବୁତକ ଘର କୁଇ କନ୍ଧକୁଳ ସମାଜର। କନ୍ଧ ଜନ ସମୁଦାୟଙ୍କ କଥିତ ଭାଷା ହେଉଛି କୁଇ ଭାଷା। କୁଇ ଭାଷାର ଲିପି ନାହିଁ। କନ୍ଧକୁଳ ସମାଜ ପୁଣି ଦି’ଭାଗରେ ବିଭକ୍ତ। ନିୟମଗିରିର ଡଙ୍ଗରିଆ କନ୍ଧ ହେଉଛନ୍ତି ଅନ୍ୟତମ ପ୍ରାଚୀନ ଜନଜାତି। ଡଙ୍ଗରତଳେ ଯେଉଁମାନେ ରହିଛନ୍ତି, ସେମାନେ ହେଲେ କୁଇ କନ୍ଧ ଆଦିବାସୀ। କୁଇ କନ୍ଧ କିମ୍ୱା ଡଙ୍ଗରିଆ କନ୍ଧ କାହାରି ହେଲେ ଲିପିନାହିଁ। କଥିତ ଭାଷାରେ ହିଁ ଜୀବନର ଚାଲିଚଳଣି ରୂପ ନିଏ। ବଡ଼ଙ୍କଠାରୁ ସାନମାନେ ଶିଖିନିଅନ୍ତି କୁଇଭାଷାର ଉଚ୍ଚାରଣ ଓ ଆବେଦନ। ଡଙ୍ଗର ଦିହରେ ବର୍ଷାଠାରୁ ଗଁା କାନିରେ କିଏ ଦୁଃଖ ହୋଇଯିବା, ଅଣ୍ଡା(ଭାତ)ଠାରୁ ଆରମ୍ଭ କରି ମାଣ୍ଡିଆ ମଣ୍ଡା ପର୍ଯ୍ୟନ୍ତ କୁଇଭାଷାର ଏକ ଉଜ୍ଜ୍ୱଳ ଗତିଧାରା ରହିଛି।
ପିଲାଏ ଫେରି ଆସନ୍ତି ଶିକ୍ଷାକେନ୍ଦ୍ରରୁ ଏବଂ ସଞ୍ଜ ଉଛୁର ହୋଇ ଆସିଲେ ସାଙ୍ଗହୋଇ ବାହାରିପଡ଼ନ୍ତି ପଦର, ଗୁଡ଼ିଆ, ବନ୍ଧ ଓ ଡଙ୍ଗରକୁ। ମନ ଓ ଆଖି ଖୋଜେ ଚଢ଼େଇମାନଙ୍କୁ। କିଏ ରୁଣ୍ଡେଇ ଆଣେ ଛୋଟ ଛୋଟ ପଥର ଗୋଡ଼ି, ଆଉ କିଏ ପକାଏ ଗଛ ଉପରକୁ ଆଲୁଆ ବାଟେଲ୍‌ର ବା ବାଟୁଳିଖଡ଼ା ପଥର ଖାଲି ଫେରେ ନାହିଁ। ଖସିପଡ଼ନ୍ତି କେତେକେତେ ଚଢ଼େଇ। ଗଛତଳେ, ବନ୍ଧ କଡ଼ରେ ଚଢ଼େଇ ପୁଡ଼ାର ସୁଆଦ ପିଲାଙ୍କ ପାଟିକୁ ହାତ ପାଉନଥିବା ଖୁସୀ ଆଣିଦେଉଥାଏ। ହଁ, ମଣ୍ଡାପାଇ ସ୍କୁଲଟିର ନରେଶ, ଆୟୁଷ ଆଦି କେତୋଟି ପଞ୍ଚମ ଶ୍ରେଣୀ ପିଲା ପାଠରେ ବିଶେଷଭାବେ ଲେଖାଲେଖିରେ ଆଗଧାଡ଼ିକୁ ଆସିପାରନ୍ତି ନାହିଁ। ପିଲା ଦୁଇଟି ଉପରେ ଶୁଭାଶୁଭ ଦୃଷ୍ଟି ଭଲରେ କି ଭେଲରେ କାହାର ନଥାଏ। କିନ୍ତୁ ଜାଡ଼ ପବନରେ ଚଢ଼େଇମରାର କଥା ସେମାନେ ଲେଖିଲେ ପୃଷ୍ଠା ପରେ ପୃଷ୍ଠା ଅନ୍ୟମାନଙ୍କୁ ପଛରେ ପକାଇ ସେଦିନ। ଲେଖିଲାବେଳେ ସେମାନଙ୍କର ମନ ଓ ହାତ ଅସମ୍ଭଳା ପଡ଼ୁଥାଏ। କୁଇ ଓ ଓଡ଼ିଆ ଭାଷାର ମନମତାଣିଆ ଭାବର ଏକ ଭାଷା ସେମାନଙ୍କ ପୃଷ୍ଠାକୁ ଉଛୁଳାଇ ଦେଉଥାଏ। ସତରେ ସେଦିନର ଖୁସି କହିଲେ ନସରେ। ସ୍କୁଲ୍‌ ପାଠରେ ତ ଏସବୁ କଥା ନାହିଁ। ସାର୍‌ ଓ ଦିଦିମାନେ ଏସବୁ କଥାକୁ ଦିନେ ବି ଚାହିଁନାହାନ୍ତି। ଶିକ୍ଷା ଅଭିଧାନରେ ନିକଟରୁ ଦୂର ପ୍ରତିଶ୍ରୁତିଟି ଖୁବ୍‌ ଏକ ସକ୍ରିୟ ସମ୍ୱଳ। ଏହାକୁ ପୁଞ୍ଜିକରି ପିଲାଙ୍କୁ ଆଗକୁ ନେଇହୁଏ। ନରେଶ ଓ ଆୟୁଷ ପାଇଁ ଏପରି ଲେଖା ତାଙ୍କ ପାଇଁ ଧୀରେ ଧୀରେ ଅନୁକୂଳ ପବନକୁ ହକାରି ଆଣିଲେ। କୁଇ ଓ ଓଡ଼ିଆ ଭାଷାର ମିଶାମିଶି ଲେଖାର ମାଳଟିଏ (ଲତା) ଭିତରୁ ଧୀରେ ଧୀରେ ଆଗକୁ ପାଦ ପକାଇବା ପାଇଁ ପିଲାମାନେ ସାହସ ପାଉଥିଲେ। ଟାଙ୍ଗିରି ହରୁରୁ ଆସୁଥିଲା ଉଛୁଳା ଜାଡ଼ ପବନ। ସଞ୍ଜ ଆସୁଥିଲା ତା’ସାଙ୍ଗକୁ ଚହଟି ଆସୁଥିଲା ଅସରନ୍ତି ଖୁସିର ମଉକା-ଯାହାକୁ ବଡ଼ମାନେ ଛୁଇଁପାରନ୍ତି ନାହିଁ। ମାତ୍ର ନରେଶ, ଆୟୁଷ ଆଦି କେତେକେତେ ପିଲା ସେହି ଖୁସିକୁ ଛୁଇଁ ପାରନ୍ତି, ଦେଖିପାରନ୍ତି, ଲେଖିପାରନ୍ତି। ତେବେ ସେଦିନ ସ୍କୁଲଟିର ନରେଶ, ଆୟୁଷ ଆଦି କେତୋଟି ପଞ୍ଚମ ଶ୍ରେଣୀ ପିଲା କୁଇ ଓ ଓଡ଼ିଆ ଭାଷାର ମିଶାମିଶି ଏହିଭଳି ଲେଖିଥିଲେ-
ମ (ମୋ) ନାମ ନରେଶ କୁମ୍ୱରୁକା। ଆମ ଗାଁ ନାମ ମଣ୍ଡାପାଇ। ରବିବାର ଦିନ ବାଟେଲ୍‌ ଦରିକିନା ପ୍ରଥର ବାଟିଲି। ତା’ପରେ ମୁଁ ଗଲି। ଦୂରରେ ୬୦ ମିଟରରେ ବସିଣି କପତ। ଚଢ଼େଇ ମାରିଦେଲି। ତାପରେ ମୁଁ ବାଟେଲ ଦରିକିନା ପ୍ରଥର ବେଟିକିନା ଗଲି। ତାପରେ ୫୦ ମିଟର ଦୂରରେ ବସିଛି। ତାକୁ ମାରିଦେଲି।
ନରେଶ କୁଟୃକା-ମୁଁ ବାଟି ଚଢ଼େଇ ମାରିଲି ଓ ରାନ୍ଦି କରି ଖାଇଲି। ମୁଁ ବଗ ଓ କପତ ମଧ୍ୟ ମାରି ଖାଇଲି। ସେ ବଗ ବିଲରେ ମାଛ ଧରୁଥିଲା ଓ ମୁଁ ପାଟେଲ୍‌ କାଢ଼ି ମାରିଲି। ବଗ ମରିଗଲା। କପତ ଆମ୍ୱଗଛରେ ବସିଥିଲା। ମୁଁ ମାରିଲି। ସିଧା ମରିଗଲା। ଘରକୁ ନେଇ ସାଙ୍ଗମାନଙ୍କ ସହ ଖାଇଲୁ।
ଆୟୁଷ କୁଟ୍ରୁକା – ଗେଟି ଛଡେଇ ଗଛରେ ବସିଥିଲା। ସେକୁ ମୁଇଁ ବଟେଲ ସହଇତ ମାରିତେଲି। ସେ ଛଡେଇ ମରିଗଲା। ଗେଟି ବଗ ସହିତ ଥିଲା। ସେ ଛଡେଇ ମରିଗଲା। ଏଭଳି ପିଲାଙ୍କ ମୌଖିକ ଲେଖାକୁ ଯଦି ଆମେ ଉତ୍ସାହିତ କରିପାରିବା ତେବେ ମାନକ ଓଡ଼ିଆ ଭାଷା ଲେଖିବା ପାଇଁ ସେମାନେ ସମର୍ଥ ହୋଇପାରିବେ। ଏହାଫଳରେ ସେମାନଙ୍କ ପାଇଁ ଭାଷା ସମ୍ୱଳ ହୋଇପାରିବ।
ବିଷମକଟକ, ରାୟଗଡ଼ା
ମୋ: ୮୨୪୯୬୫୭୭୭୮

Share