
ଓ୍ବାର୍ସ,୨୫।୩: ୩୧ ଦିନରେ ପହଞ୍ଚିଛି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ। ପ୍ରତ୍ୟକ୍ଷରେ ନହେଲେ ହେଁ ପରୋକ୍ଷରେ ଯୁଦ୍ଧକୁ ନେଇ ୟୁକ୍ରେନକୁ ସବୁ ପ୍ରକାରର ଆର୍ଥିକ ଓ ସାମରିକ ସହାୟତା ଯୋଗାଇ ଦେଉଛି ଆମେରିକା। ଏସବୁ ମଧ୍ୟରେ ଶୁକ୍ରବାର ୟୁକ୍ରେନର ପଡ଼ୋଶୀ ଦେଶ ପୋଲାଣ୍ଡରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ।
ବାଇଡେନ୍ଙ୍କ ପୋଲାଣ୍ଡ ଗସ୍ତ ପଛର ପ୍ରକୃତ କାରଣ ହ୍ବାଇଟ ହାଉସ ପକ୍ଷରୁ କୁହାଯାଇ ନ ଥିବା ବେଳେ ସେଠାରେ ଥିବା ଆମେରିକା ସୈନ୍ୟ ଏବଂ ୟୁକ୍ରେନ୍-ପୋଲାଣ୍ଡ ସୀମାରେ ଅବସ୍ଥାପିତ ଏନ୍ଜିଓଙ୍କ ସହ ସାକ୍ଷାତ କରିବେ ବୋଲି କୁହାଯାଉଛି। ସେ ପୋଲାଣ୍ଡରେ ଥିବା ଆମେରିକା ସେନାର ୮୨ତମ ଏୟାରବର୍ନ ଡିଭିଜନର ସୈନ୍ୟମାନଙ୍କୁ ଭେଟିବେ। ଏହି ଡିଭିଜନର ସଦସ୍ୟମାନେ ପୋଲାଣ୍ତ ଆର୍ମି ସହ ନିୟମିତ ଭାବେ କାମ କରୁଛନ୍ତି।
ବାଇଡେନ ମଧ୍ୟାହ୍ନରେ ସ୍ବତନ୍ତ୍ର ବିମାନ ଯୋଗେ ପୋଲାଣ୍ଡର ରେଜଜୋ ଏୟାରପୋର୍ଟରେ ପହଞ୍ଚିଥିଲେ। ଏହା ୟୁକ୍ରେନ ସୀମା ଠାରୁ ପ୍ରାୟ ୧୦୦ କିମି ଦୂର। ଶନିବାର ରାଷ୍ଟ୍ରପତି ବାଇଡେନ ତାଙ୍କ ପୋଲାଣ୍ଡ ପ୍ରତିପକ୍ଷ ଆଣ୍ଡ୍ରେଜ ଦୁଦା ଏବଂ ଅନ୍ୟମାନଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।
ତେବେ ବାଇଡେନ ପୋଲାଣ୍ଡରେ ଶରଣାର୍ଥୀ ଜୀବନ କାଟୁଥିବା ୟୁକ୍ରେନ୍ବାସୀଙ୍କୁ ରାଷ୍ଟ୍ରପତି ଭେଟିବେ। ସେହିପରି ସେଠାର ପ୍ରକୃତ ସ୍ଥିତି ଓ ମାନବୀୟ ସଙ୍କଟ ସମ୍ପର୍କରେ ସିଧାସଳଖ ଆମେରିକା ସୈନ୍ୟ ଏବଂ ସ୍ଥାନୀୟ ବିଶେଷଜ୍ଞଙ୍କଠାରୁ ତଥ୍ୟ ସଂଗ୍ରହ କରିବେ। ଏହାପରେ ଆମେରିକା ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି।