ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍କେ, ଏଡିଏମ୍କେ, ଟିଡିପି, ଏନ୍ସିପି, ପିଡିପି, ଟିଏମ୍ସି, ଆଇଏନ୍ସି, ଜେଡି (ଏସ୍) ଏବଂ ଜେଡି (ୟୁ), ଏନ୍ସିପି, ଟିଆର୍ଏସ୍, ନୂଆ ଦଳ ଟିଭିକେ ଏବଂ ସିପିଏମ୍, ସିପିଆଇ ଇତ୍ୟାଦି ଦଳ ଅଛନ୍ତି। ଭିନ୍ନ ଭିନ୍ନ ବିଚାରକୁ ଗ୍ରହଣ କରୁଥିବା ଦଳର ମଧ୍ୟ ଅଭାବ ନାହିଁ। କିନ୍ତୁ ଯଦି ଭାରତୀୟ ସଂଖ୍ୟାଲଘୁ, ବିଶେଷକରି ମୁସଲମାନଙ୍କ ପ୍ରତି ଧମକ ଏବଂ ଉତ୍ପୀଡ଼ନ ବିଷୟକୁ ନେଇ ଆପଣଙ୍କର ଆଗ୍ରହ ଥାଏ ତେବେ ଆପଣଙ୍କ ପସନ୍ଦର କେବଳ ଗୋଟିଏ ଦଳ ଅଛି ଏବଂ ତାହା ହେଉଛି ଭାଜପା। ଏହା ପକ୍ଷପାତି ଭାରତୀୟଙ୍କୁ ଏକାଠି କରେ। ସମ୍ପ୍ରତି ଗଣମାଧ୍ୟମ ସହିତ ଆଲୋଚନାରେ ଜଣେ ବିଶ୍ଳେଷକ ସମାନ କଥାକୁ ଭିନ୍ନ ଉପାୟରେ କହିଛନ୍ତି। ସେ ଭାଜପାର ଆହ୍ବାନ ବିଷୟରେ କହିଛନ୍ତି, ”ଯାହାର ଦକ୍ଷିଣପନ୍ଥୀ ଚିନ୍ତାଧାରା ଅଛି ତାହାର ଗୋଟିଏ ଦଳ ଅଛି। ଅନ୍ୟପଟେ, ଏତେ ପ୍ରତିଯୋଗିତା ଅଛି ଯେ ସେହି ଭୋଟ ବିଭାଜିତ ହୋଇଯାଏ।“ କାହିଁକି ଏହା ହେଉଛି। କାରଣ ଏହା ସତ୍ୟ ଯେ, ଭାଜପା ଯାହା କରେ ସେହି କ୍ଷେତ୍ରରେ ତାହାର କୌଣସି ପ୍ରତିଯୋଗିତା ନାହିଁ। କାହିଁକି ‘ଦକ୍ଷିଣପନ୍ଥୀ’ ଏକ ଘୃଣା-ଆଧାରିତ ଶବ୍ଦ ତାହା କ୍ଷଣକରେ ଦେଖିପାରିବା। ପ୍ରଥମେ, ଭାଜପାର କୌଣସି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି ବୋଲି ସ୍ବୀକାର କରିବା ପରେ ଆମକୁ ମଧ୍ୟ ଗ୍ରହଣ କରିବାକୁ ପଡ଼ିବ ଯେ, ଏହା ଏକ ସରଳ ଏବଂ ବୋଧଗମ୍ୟ ସୂତ୍ର ପ୍ରଦାନ କରେ। ‘ମୁଁ ମୁସଲମାନଙ୍କୁ ଘୃଣା କରେ’ ମନ୍ତବ୍ୟ ଅତ୍ୟନ୍ତ ସ୍ପଷ୍ଟ, ପ୍ରତ୍ୟକ୍ଷ ଏବଂ ପ୍ରଭାବଶାଳୀ। ଦଳ କ’ଣ ପ୍ରତିନିଧିତ୍ୱ କରୁଛି ତାହା ବୁଝିବା ପାଇଁ ଭୋଟରଙ୍କୁ ଇସ୍ତାହାର ଅନୁଧ୍ୟାନ କରିବା ଦରକାର ନାହିଁ। ଭାଜପା ଚିନ୍ତାଧାରାର ମୂଳ ହେଉଛି ସଂଖ୍ୟାଲଘୁ ବିରୋଧୀ। ଯଦି ଆପଣ ଏପରି କରୁଥିବା ଏକ ଦଳ ଖୋଜୁଛନ୍ତି, ତେବେ ଆପଣଙ୍କ ପାଖରେ ଏକ ଜାତୀୟସ୍ତରରେ ରହିଥିବା ଏବଂ ଏହି ପ୍ରସଙ୍ଗକୁ ଦଶନ୍ଧି ଧରି ପ୍ରଦର୍ଶନ କରିଥିବା ଦଳ ଅଛି। ତେବେ ଅନ୍ୟ ଏକ ଦଳ କାହିଁକି ଖୋଜିବେ? ଏହାର କୌଣସି ଆବଶ୍ୟକତା ନାହିଁ।
ପ୍ରଶ୍ନ ଉଠେ, ଭାଜପା କ’ଣ ଅନ୍ୟ ଏକ ଦଳଠାରୁ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇପାରିବ ନାହିଁ? ଏହା ହୋଇପାରିବ ଏବଂ ନିଶ୍ଚିତ ହୋଇପାରେ। ତେବେ ଯେତେବେଳେ ଉତ୍ତରାଧିକାର ସଂଘର୍ଷ ଆରମ୍ଭ ହେବ ସେତେବେଳେ ଆମେ ସମ୍ଭବତଃ ତାହା ଦେଖିପାରିବା। ସଂଖ୍ୟାଲଘୁଙ୍କୁ ଘୃଣା କରିବାଠାରୁ ଆରମ୍ଭ କରି ସେମାନଙ୍କ ପ୍ରତି ହିଂସା ଆଚରଣ କରିବା ଭାଜପା ବିଚାରଧାରା ପରିସରଭୁକ୍ତ। ଏହା ହେଉଛି ପ୍ରଥମ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାରଣ ଯେ ବାସ୍ତବରେ ଭାଜପାର ସଂଖ୍ୟାଲଘୁ ବିରୋଧୀ ଭାବନାର କୌଣସି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି। ଦ୍ୱିତୀୟ କାରଣ ହେଉଛି, ଅନ୍ୟ ଦଳଗୁଡ଼ିକ ଭାଜପା ଯାହା ଉପରେ ଗୁରୁତ୍ୱ ଦିଏ ତାହା କରିବାକୁ ପସନ୍ଦ କରି ନ ଥାନ୍ତି। ଆମେ ଜାଣୁ ଭାରତରେ ଅନେକ ଦଳ ସାମ୍ପ୍ରଦାୟିକତାରେ ଲିପ୍ତ। କିନ୍ତୁ ସାମ୍ପ୍ରଦାୟିକତା ସେମାନଙ୍କ ରାଜନୀତି କିମ୍ବା ସେମାନଙ୍କ ପରିଚୟର କେନ୍ଦ୍ରରେ ନାହିଁ। ଭାଜପା ଏକମାତ୍ର ଦଳ ନୁହେଁ, ଯିଏ ବିଭାଜନ ଏବଂ ଘୃଣାରୁ ଲାଭ ପାଇଛି, କିନ୍ତୁ ଏହା ଏକମାତ୍ର ଦଳ, ଯିଏ ଏହାକୁ ନିଜର ବିଚାର ଭାବେ ଗ୍ରହଣ କରିଛି।
ଯେଉଁ ପ୍ରସଙ୍ଗଗୁଡ଼ିକ ଭାଜପାକୁ ସବୁଠାରୁ ବଡ଼ ଦଳ କରିଛି ସେସବୁର ତାଲିକା ଅନେକ ବର୍ଷ ଧରି ଅପରିବର୍ତ୍ତିତ ରହିଥିଲା। ପ୍ରଥମତଃ, ମୁସଲମାନମାନଙ୍କୁ ଅଯୋଧ୍ୟାରେ ସେମାନଙ୍କ ମସ୍ଜିଦ ଛାଡ଼ିବାକୁ ପଡ଼ିବ। ଦ୍ୱିତୀୟରେ ମୁସଲମାନଙ୍କୁ କଶ୍ମୀରରେ ସେମାନଙ୍କ ସାମ୍ବିଧାନିକ ସ୍ବାୟତ୍ତତା ଛାଡ଼ିବାକୁ ପଡ଼ିବ। ତୃତୀୟତଃ, ମୁସଲମାନଙ୍କୁ ସେମାନଙ୍କ ବ୍ୟକ୍ତିଗତ ଆଇନ ଛାଡ଼ିବାକୁ ପଡ଼ିବ। ଲକ୍ଷ୍ୟ କରନ୍ତୁ ଏହି ବିଚାରଧାରାରେ ହିନ୍ଦୁଙ୍କ ପାଇଁ କିଛି ନାହିଁ। ଦଳ ଯାହା ହାସଲ କରିବାକୁ ଚାହୁଁଥିଲା ସେଥିରୁ ଅଧିକାଂଶ ହାସଲ କରିବା ପରେ ମଧ୍ୟ ସମାନ ପଥରେ ଥିବା ଦେଖିବାକୁ ପାଇଛେ। ମୁସଲମାନଙ୍କୁ ସେମାନଙ୍କର ଖାଦ୍ୟପେୟ ତ୍ୟାଗ କରିବାକୁ ପଡ଼ିବ; କାହାକୁ ପ୍ରେମ ଏବଂ ବିବାହ କରିବେ ସେ ସମ୍ପର୍କିତ କାର୍ଯ୍ୟକଳାପ ତ୍ୟାଗ କରିବାକୁ ପଡ଼ିବ; କେଉଁଠି ରହିବେ, କେଉଁଠି ପ୍ରାର୍ଥନା କରିବେ ସେ ସମ୍ପର୍କିତ କାର୍ଯ୍ୟକଳାପକୁ ତ୍ୟାଗ କରିବାକୁ ପଡ଼ିବ; ମୁସଲମାନମାନେ ଭୋଟ ଦେଇପାରିବେ କି ନାହିଁ; ସେମାନେ ଶରଣ ନେଇପାରିବେ କି ନାହିଁ ଇତ୍ୟାଦି ଏବଂ ଆହୁରି ଅନେକ କିଛି। ଏହାର କୌଣସି ଅନ୍ତ ନାହିଁ କାରଣ ଉତ୍ପୀଡ଼ନ ହେଉଛି ଉଦ୍ଦେଶ୍ୟ ଏବଂ ଧମକ ହିଁ ଏକମାତ୍ର ଚୂଡ଼ାନ୍ତ ଲକ୍ଷ୍ୟ।
ଏହି ଧର୍ମାନ୍ଧତାକୁ ‘ଦକ୍ଷିଣପନ୍ଥୀ’ ଚିନ୍ତାଧାରା ଏବଂ ରାଜନୀତି କୁହାଯିବା ଏହି ଶବ୍ଦ ପ୍ରତି ଏକ ଅପମାନ। ରାଜନୀତିରେ ସାଧାରଣରେ ରକ୍ଷଣଶୀଳତାର ଏକ ଦୀର୍ଘ ଏବଂ ମହାନ୍ ପରମ୍ପରା ଅଛି। ଏହା ନିରନ୍ତରତା ଚାହେଁ। ଏହା ସ୍ଥିରତାକୁ ଗୁରୁତ୍ୱ ଦିଏ। ଉଦାହରଣ ସ୍ବରୂପ, ମୁଦ୍ରା ଉଚ୍ଛେଦ ଏକ ଉଗ୍ର ସୁଧାରବାଦୀ ଧାରଣା, ଯାହା ରକ୍ଷଣଶୀଳ ନୁହେଁ। ଆମେ ଯେଉଁ ସଂସ୍ଥାଗୁଡ଼ିକର ମନଇଚ୍ଛା ଅଦଳବଦଳ କରିବା, ପୁନଃ ନାମକରଣ, କାଟିବା ଏବଂ ପରିବର୍ତ୍ତନ ଆଦି ଦେଖୁଛୁ, ସେଥିମଧ୍ୟରୁ କୌଣସିଟି ରକ୍ଷଣଶୀଳ ନୁହେଁ। ଏଠାରେ ଦକ୍ଷିଣପନ୍ଥୀକୁ ଯାହା ଚିତ୍ରିତ କରାଯାଇଛି ତାହା ହେଉଛି ତୀବ୍ର ପକ୍ଷପାତ। ଏହି କାରଣରୁ ଦଶନ୍ଧି ଧରି ଭାଜପା ଇସ୍ତାହାର ଅନେକ ବିଷୟକୁ ପରୀକ୍ଷାନିରୀକ୍ଷା କରି ଗ୍ରହଣ କରିଛି ଏବଂ ପ୍ରତ୍ୟାଖ୍ୟାନ କରିଛି। ସେସବୁ ୧୯୬୦ ଏବଂ ୧୯୭୦ ଦଶକରେ ସମାଜବାଦୀ ରହିଥିଲା। ବାଜପେୟୀଙ୍କ ଶାସନରେ ଦଳ ଘୋଷଣା କରିଥିଲା ଯେ, ଏହା ସମସ୍ତ ଭାରତୀୟଙ୍କ ଆୟ ଏବଂ ଘରର ଆକାରକୁ ସୀମିତ କରିବ। ଏହା ପରିତ୍ୟାଗ କରାଗଲା। ଦଳ ଦାବି କରିଥିଲା ଯେ କାରଖାନାରେ ଶ୍ରମିକଙ୍କ ସ୍ଥାନ ନେବା ପାଇଁ ଯାନ୍ତ୍ରିକୀକରଣକୁ ଅନୁମତି ଦିଆଯିବ ନାହିଁ। ଏହାକୁ ମଧ୍ୟ ବାଦ୍ ଦିଆଯାଇଥିଲା। ଏହା ଚାହୁଁଥିଲା ଯେ ଚାଷୀମାନେ ଟ୍ରାକ୍ଟର ବଦଳରେ ବଳଦରେ ଚାଷ କରନ୍ତୁ, ଯେଉଁଥିରୁ ମଧ୍ୟ ଦୂରେଇଯାଇଥିଲା। ଏହି ବିଷୟଗୁଡ଼ିକୁ କାହିଁକି ଗ୍ରହଣ କରାଯାଇଥିଲା କିମ୍ବା ପ୍ରତ୍ୟାଖ୍ୟାନ କରାଯାଇ ଥିଲା, ସେ ସମ୍ପର୍କରେ କୌଣସି ବ୍ୟାଖ୍ୟା କରାଯାଇ ନ ଥିଲା। ଭାଜପା/ଜନସଂଘ ଯେଉଁ ପ୍ରାଥମିକ ଫଳାଫଳ ପ୍ରଦାନ କରୁଥିଲା ତାହା ସ୍ପଷ୍ଟତଃ ଥିଲା ସଂଖ୍ୟାଲଘୁଙ୍କ ପ୍ରତି ଏହାର ପ୍ରକୃତ ତଥା ଅପରିବର୍ତ୍ତନୀୟ ଘୃଣା ଭାବନା। ବାକି ସବୁ ଥିଲା ଅପ୍ରାସଙ୍ଗିକ।