କେସିଙ୍ଗା/ଖପ୍ରାଖୋଲ,୨୮/୫(ତୁମେଶ୍ୱର ସାହୁ/ଅଭୟ ତ୍ରିପାଠୀ): ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଜାନିପଡା ପାହାଡ଼ ପାଖରେ ରହୁଥିବା ରୋହିତ ଧରୂଆଙ୍କ ସ୍ତ୍ରୀ ସୀମା ମାଝୀଙ୍କ ଗର୍ଭଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଡାକ୍ତରଖାନା ଆଣିବା ପାଇଁ ୧୦୮କୁ ଫୋନ କରିଥିଲେ। ତୁରନ୍ତ ତାଙ୍କୁ ପାଇଁ ନିକଟସ୍ଥ ଯୋଗୀମୁଣ୍ଡା ସବସେଣ୍ଟରରୁ ୧୦୮ ଆମ୍ବୁଲାନ୍ସ ପଠାଯାଇଥିଲା। କିନ୍ତୁ ରାସ୍ତା ନ ଥିବାରୁ ଜାନିପଡାଠାରେ ଆମ୍ବୁଲାନ୍ସ ଆଗକୁ ଯାଇପାରି ନ ଥିଲା। ଲୋକଙ୍କଠାରୁ ଖବର ପାଇ ଗର୍ଭବତୀ ମହିଳାଙ୍କୁ ଆଣିବା ପାଇଁ ଷ୍ଟ୍ରେଚରରେ ପୂର୍ବାହ୍ନ୧୦.୨୬ମିନିଟ ନେଇ ଆମ୍ବୁଲାନ୍ସ କର୍ମଚାରୀ ଇ.ଏମ.ଟି ଜିତେନ୍ଦ୍ର ହାତୀ, ହେଲପର୍ ଯଜାତି ମହାପାତ୍ର ଏବଂ ଡ୍ରାଇଭର ସୁବାସ ପୁଟେଲ ରୋହିତଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଥିଲେ। ତା’ପରେ ଗର୍ଭବତୀ ମହିଳା ସୀମାଙ୍କୁ ଷ୍ଟ୍ରେଚର ଯୋଗେ ପ୍ରାୟ ୩ କିଲୋମିଟର ବୋହିଆଣି, ୧୦୮ ଆମ୍ବୁଲାନ୍ସ ଦ୍ବାରା ମଧ୍ୟାହ୍ନ ୧୨:୧୦ ମିନିଟ ସମୟରେ ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ। ଗ୍ରୀଷ୍ମ ପ୍ରବାହ ଯୋଗୁ ପ୍ରବଳ ଖରାକୁ ଖାତିର ନ କରି ନିଜର କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଇଥିବାରୁ, ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ସ୍ଥାନୀୟ ଲୋକଙ୍କ ପ୍ରଶଂସା କରୁଛନ୍ତି।