Posted inଫୁରସତ

ପ୍ରହ୍ଲାଦ ନାଟକ

ଓଡ଼ିଶାର ଏକ ଲୋକପ୍ରିୟ ଲୋକନାଟକ ଭାବେ ପ୍ରହ୍ଲାଦ ନାଟକ ଖୁବ୍‌ ପରିଚିତ। ଏହା ନୃସିଂହ ପୂଜାର ଲୋକପ୍ରିୟତାରୁ ନାଟ୍ୟରୂପ ନେଇଥିଲା। ନୃସିଂହ ମହାପ୍ରଭୁଙ୍କର ଆବିର୍ଭାବ କାହାଣୀ ଏହି ନାଟକର ବିଷୟବସ୍ତୁ। ଦାନବ ହିରଣ୍ୟକଶିପୁଙ୍କ ଗର୍ବ ଖର୍ବ କରିବା ପାଇଁ ଭକ୍ତ ପ୍ରହ୍ଲାଦଙ୍କ ଭକ୍ତିର ପରାକାଷ୍ଠା ଦର୍ଶାଇବାକୁ ସ୍ବୟଂ ବିଷ୍ଣୁଭଗବାନ ନୃସିଂହରୂପ ଧାରଣକରିଥିଲେ। ତେବେ କେତେକ ଗବେଷକଙ୍କ ମତରେ ଏହି ନାଟକର ପ୍ରାରମ୍ଭ ପ୍ରାୟ ବହୁବର୍ଷ ତଳର ବୋଲି ଜଣାପଡ଼େ। ଓଡ଼ଶା ସଂଗୀତ ନାଟକ ଏକାଡ଼େମୀର ଉପସଭାପତି ତଥା ନାଟ୍ୟକାର ଓ ନାଟ୍ୟନିର୍ଦ୍ଦେଶକ ମନ୍ମଥ କୁମାର ଶତପଥୀ କୁହନ୍ତି ପ୍ରହ୍ଲାଦ ନାଟକର ମୂଳ ଲେଖକଥିଲେ କବି ଗୌରହରି ପରିଚ୍ଛା। ସେହି ସମୟର ପ୍ରଥା ଅନୁଯାଇ ଜଳନ୍ତର ରାଜା ରାମକୃଷ୍ଣ ଦେବଙ୍କ ନାମରେ ଗୀତର ଭଣତି ହୋଇଥିଲା । ଊନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ପ୍ରହ୍ଲାଦ ନାଟକ ମୁଦ୍ରିତ ହୋଇଅଛି। ଏଥିରେ ପରିବେଷିତ ଗୀତଗୁଡ଼ିକ ପ୍ରାୟ କର୍ଣାଟକୀ ରାଗ, ରାଗିଣୀ ଶୈଳୀରେ ଆଧାରିତ। ଏହି ନାଟକରେ ପ୍ରାୟ ୧୩୪ଟି ଗୀତ ପରିବେଷଣ କରାଯାଇଥାଏ। ପାରମ୍ପରିକ ବାଦ୍ୟଯନ୍ତ୍ର ଭାବେ ମର୍ଦ୍ଦଳ, ଝାଞ୍ଜ ଓ ମୁଖବାଦ୍ୟ ବ୍ୟବହୃତ ହୋଇଥାଏ। ଦକ୍ଷିଣ ଓଡ଼ିଶାରେ ଏହି ନାଟକକୁ କଳାକାରମାନେ ଦିନଦିନ ଧରି ପରିବେଷଣ କରିଥା’ନ୍ତି। ଅବଶ୍ୟ ଆଜିକାଲି କମ୍‌ ସମୟ ମଧ୍ୟରେ ନାଟକର ବିଷୟକୁ ସଂକ୍ଷିପ୍ତ କରାଯାଇ ପରିବେଷଣ କରାଯାଇ ପାରୁଛି। ମଞ୍ଚରେ ଏକ ସିଂହାସନ ତିଆରି କରାଯାଇଥାଏ। ସୋପାନ ପରେ ସୋପାନ ଦେଇ ଏହା ଉପରକୁ ଉଠିଥାଏ। ଏହି ସିଂହାସନ ବେଶ୍‌ ସୁସଜ୍ଜିତ ହୋଇଥାଏ। ମଞ୍ଚର ଅନ୍ୟ ଦୁଇପଟେ ବାମ ଓ ଦକ୍ଷିଣ ଦିଗରେ ଦୁଇଟି ତୋରଣ କରାଯାଇଥାଏ। ନାଟକର ବିଷୟବସ୍ତୁ ଅନୁସାରେ ହିରଣ୍ୟକଶିପୁଙ୍କ ନିର୍ଦ୍ଦେଶରେ ପ୍ରହ୍ଲାଦଙ୍କୁ ଅଗ୍ନିକୁ ନିକ୍ଷେପ, ଗଭୀର ଜଳକୁ ନିକ୍ଷେପ ଆଦି ୧୪ ପ୍ରକାରର ମରଣାନ୍ତକ ଦଣ୍ଡ ଦେବାର କଥା ବର୍ଣ୍ଣନା ହୋଇଛି। ଆଜିକାଲି ମଞ୍ଚକୁ କେତେକ ବୈଷୟିକ ସାଜସଜାରେ ଅଧିକ ଆକର୍ଷଣୀୟ କରାଯାଇ ପାରୁଛି। ମଞ୍ଚକୁ ବିଭିନ୍ନ ସୋପାନରେ ଭକ୍ତ ପ୍ରହ୍ଲାଦ ନାଚି ନାଚି ଗୀତ ଗାଇ ଗାଇ ଆସିଥାନ୍ତି। କିନ୍ତୁ ପ୍ରହ୍ଲାଦ ଚରିତ୍ରରେ ଜଣେ ୭ରୁ୮ବୟସର ବାଳକ ଅଭିନୟ କରିଥା’ନ୍ତି। ମାତା ଲୀଳାବତି ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ସଙ୍ଗୀତ ଗାନରେ କରୁଣରସ ସୃଷ୍ଟିକରେ। ଏହି ସମୟରେ ଉପସ୍ଥିତ ଦର୍ଶକଙ୍କ ମନରେ ଏକ ଆକୁଳତାର ଦୁଃଖଦ ସ୍ପନ୍ଦନ ସୃଷ୍ଟି ହୁଏ। ଲୀଳାବତିଙ୍କ ବିଳାପରେ ନାରୀମାନେ ମଧ୍ୟ କାନ୍ଦି ଉଠନ୍ତି। ଅବଶ୍ୟ ଏହି ନାଟକରେ ବୀର, କରୁଣ, ବାତ୍ସଲ୍ୟ ରସରେ ଗୀତ ଗାନ କରି କଳାକାମାନେ ଅଭିନୟ କରିଥାନ୍ତି। ଦ୍ୱାରୀ, ଶୁକ୍ରାଚାର୍ଯ୍ୟ, ଧାଈ, ପ୍ରହ୍ଲାଦ ଓ ନାରଦ ଆଦି ଚରିତ୍ର ଦ୍ୱାରା ସମାଜକୁ ଶିକ୍ଷା ମିଳିଥାଏ। ନାଟକର ମଝିରେ ମଝିରେ କେଳା କେଳୁଣୀ ଅଭିନୟରେ ହାସ୍ୟରସର ଅବତାରଣା କରାଯାଏ। ହିରଣ୍ୟକଶିପଙ୍କ ବେଶପୋଷାକ ଓ ମୁଖମଣ୍ଡଳର ରଙ୍ଗସଜ୍ଜା ଅନେକାଂଶରେ କଥାକଳୀ ଚିତ୍ରଣ ଅନୁମେୟ କରିହୁଏ। ଏହି ନାଟକରେ ରାକ୍ଷସ ଚିତ୍ରଣରେ କଳାକାରମାନେ ଯଥେଷ୍ଟ ସମୟ ଦେଇଥା’ନ୍ତି। ଗଦା ପ୍ରହାରରେ ଖମ୍ବ ଭଙ୍ଗାଯିବା ଦୃଶ୍ୟ ଓ ତନ୍ମଧ୍ୟରୁ ପ୍ରଭୁ ନୃସିଂହଙ୍କର ବାହାରିବା ଦୃଶ୍ୟ ଦର୍ଶକଙ୍କୁ ଶିହରିତ କରାଏ। କିନ୍ତୁ ଏହି ଲୋକ ନାଟକର ପଛରେ ଦେବପୂଜାର୍ଚ୍ଚନାର ପୌରାଣିକ କଥା ରହିଛି। ଭାଗବତ,ନୃସିଂହପୁରାଣ ଓ ବିଷ୍ଣୁପୁରାଣର ବିଷୟବସ୍ତୁକୁ ନେଇ ପ୍ରହ୍ଲାଦ ନାଟକ ରଚିତ। ଏହା ଲୀଳା, ଯାତ୍ରା ବା ଗୀତିନାଟ୍ୟଠାରୁ ସ୍ବତନ୍ତ୍ର। ଉକ୍ତ ନାଟକ ଲୋକନାଟକର ମାନ୍ୟତା ପାଇଥିଲେ ମଧ୍ୟ ନୃତ୍ୟ ଓ ତାଳ ମଧ୍ୟରେ ସଂଶ୍ଳିଷ୍ଟ । ଏଥିରେ ଶାସ୍ତ୍ରୀୟତା ପରିଲକ୍ଷିତ ହୁଏ। କେତେକ ଏହାକୁ ରଜାନାଟକ ବୋଲି କୁହନ୍ତି। ଗଞ୍ଜାମ ଜିଲାର ବିଭିନ୍ନ ଲୋକନାଟକ ମଧ୍ୟରେ ପ୍ରହ୍ଲାଦ ନାଟକ ସ୍ବତନ୍ତ୍ର। ଶୈବଭକ୍ତ ରାଜା ହିରଣ୍ୟକଶିପୁ ଓ ବିଷ୍ଣୁଭକ୍ତ ପ୍ରହ୍ଲାଦଙ୍କ ଲୀଳା ଏହି ନାଟକରେ ପ୍ରଦର୍ଶନ ହୁଏ। ଉକ୍ତ ନାଟକକୁ ଦେଶର ବିଭିନ୍ନ ସ୍ଥାନ ତଥା ଦେଶ ବାହାରେ ମଧ୍ୟ ପରିବେଷଣ କରାଯାଉଛି। ଏପରିକି ଗୁରୁ କୃଷ୍ଣଚନ୍ଦ୍ର ସାହୁ ଆମେରିକା, ଲଣ୍ଡନ ଆଦି ବିଦେଶରେ ମଧ୍ୟ ଏହି ନାଟକ ପରିବେଷଣ କରି ବିଶ୍ୱ ଦରବାରରେ ଏହାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରାଇଥିଲେ।ଏହି ନାଟକସମ୍ପର୍କରେ ଗୁରୁ ଏ .ରାଜେନ୍ଦ୍ର ପାତ୍ର କୁହନ୍ତି ପ୍ରହ୍ଲାଦ ନାଟକର ଖଳନାୟକ ହିରଣ୍ୟକଶିପୁ ଓ ନାୟକ ପ୍ରହ୍ଲାଦ। ମଞ୍ଚ ନିକଟରେ ଥିବା ସହଯୋଗୀ ସଂଗୀତ ଶିଳ୍ପୀମାନେ ବିଭିନ୍ନ ରାଗରେ ଗୀତର ଶେଷପାଦକୁ ବାରମ୍ବାର ଆବୃତ୍ତି କରିଥା’ନ୍ତି। ଏଥିରେ ପ୍ରାୟ ୨୫ରୁ ୩୦ଜଣ କଳାକାର ଅଭିନୟ କରିଥା’ନ୍ତି। ପ୍ରାୟ ୫ରୁ ୭ଜଣ ସଂଗୀତ ସହଯୋଗୀ ଓ ୪ରୁ ୫ଜଣ ମଞ୍ଚ ସହଯୋଗୀ ରହିଥା’ନ୍ତି। କିନ୍ତୁ ନାରୀମାନେ ଏହି ନାଟକରେ ଅଭିନୟ କରନ୍ତି ନାହିଁ। ପୁରୁଷମାନେ ନାରୀ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଥା’ନ୍ତି। ସନ୍ତୋଷ କୁମାର ରଣା କୁହନ୍ତି, ଦେଶର ବିଭିନ୍ନ ସ୍ଥାନରେ ଏହି ନାଟକକୁ ପରିବେଷଣ କରିବାର ସୁଯୋଗ ମିଳିପାରିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକରୂପ ନୃସିଂହ ଅବତାର। ତେବେ ଓଡ଼ିଶାରେ ନୃସିଂହ ପୂଜା ବହୁ ପ୍ରାଚୀନ କାଳରୁ ପ୍ରଚଳିତ। ଉକ୍ତ ନାଟକରେ ଆଧ୍ୟାତ୍ମିକତାଭାବ ସୃଷ୍ଟି ହୋଇଥାଏ। କଳାକାରମାନେ ନିଷ୍ଠା, ଏକାଗ୍ରତାର ସହ ଦେବ ଆରାଧନା କରିଥା’ନ୍ତି।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri