Categories: ଖେଳ

ଅଭ୍ୟାସ ମ୍ୟାଚ୍‌: ହମିଦଙ୍କ ଶତକ ସତ୍ତ୍ୱେ ଭାରତ ଅଗ୍ରଣୀ

ଚେଷ୍ଟର-ଲି-ଷ୍ଟ୍ରିଟ୍‌,୨୨।୭: ଏଠାରେ ଚାଲିଥିବା କାଉଣ୍ଟି ସିଲେକ୍ଟ ଏକାଦଶ ବିପକ୍ଷ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ଟସ୍‌ ଜିତି ଭାରତ ପ୍ରଥମ ଇନିଂସରେ ଲୋକେଶ ରାହୁଲଙ୍କ ଶତକ (୧୦୧ ରନ) ଓ ରବିନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ (୭୫) ସହାୟତାରେ ୯୩ ଓଭରରେ ୩୧୧ ରନକରି ଅଲଆଉଟ ହୋଇଥିଲା। ଜବାବରେ ବ୍ୟାଟିଂ ଆରମ୍ଭ କରି କାଉଣ୍ଟି ଦଳ ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ୮୨.୩ ଓଭରରେ ୨୨୦ ରନକରି ଅଲଆଉଟ ହୋଇଛି। ଫଳରେ ଭାରତ ୯୧ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଓପନର ହାସିବ ହମିଦଙ୍କ ଶତକ (୧୧୨ ରନ, ୨୪୬ ବଲ, ୧୩ ଚୌକା) ସତ୍ତ୍ୱେ କାଉଣ୍ଟି ଦଳ ବଡ଼ ସ୍କୋର ହାସଲ କରି ପାରି ନ ଥିଲା। ସେହିପରି ଲିଆମ ପାଟରସନ-ହ୍ବାଇଟ୍‌ ୩୩ ଓ ଲିଣ୍ଡନ ଜେମ୍ସ ୨୭ ରନକରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଭଲ ପ୍ରଦର୍ଶନ କରି ନ ଥିଲେ।
କାଉଣ୍ଟି ଦଳ ୫୬ ରନରେ ୪ ଉଇକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୫ମ ଉଇକେଟରେ ହମିଦ ଓ ଲିଣ୍ଡନ ଜେମ୍ସ ୭୫ ରନକରି ସ୍ଥିତି ସମ୍ଭାଳିଥିଲେ। ଅନ୍ୟତମ ଓପନର ଜ୍ୟାକ ଲିବି ୧୨, ଅଧିନାୟକ ଓ୍ବିଲି ରୋଡ୍ସ ୧୧, ଓ୍ବାଶିଂଟନ ସୁନ୍ଦର ୧, ରବର୍ଟ ୟାଟେସ୍‌ ୧, ଜେମ୍ସ ରିଓ୍ବି ୨, ଜ୍ୟାକ କାର୍ସନ ୩ ରନକରି ଆଉଟ ହୋଇଥିଲେ। ବୋଲିଂରେ ଭାରତ ପକ୍ଷରୁ ଉମେଶ ୩, ସିରାଜ ୨, ବୁମ୍‌ରା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୦୬/୯ରୁ ଖେଳ ଆରମ୍ଭ କରି ଭାରତ ବୁଧବାର ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଯଶପ୍ରୀତ ବୁମ୍‌ରା ୫ ରନକରି ଆଉଟ ହୋଇଥିତ୍ବାବେଳେ ମହମ୍ମଦ ସିରାଜ ୩ ରନ କରି ଅପରାଜିତ ରହିଥିଲେ। କାଉଣ୍ଟି ଦଳ ପକ୍ଷରୁ କ୍ରେଗ୍‌ ମାଇଲ୍ସ ସର୍ବାଧିକ ୪, ଲିଣ୍ଡନ ଜେମ୍ସ ଓ ଲିଆମ ପାଟରସନ ହ୍ବାଇଟ୍‌ ୨ଟି ଲେଖାଏ, ଜ୍ୟାକ କାର୍ସନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ପ୍ରଥମ ଇନିଂସ:୯୩ ଓଭରରେ ୩୧୧ ଅଲଆଉଟ।
କାଉଣ୍ଟି ସିଲେକ୍ଟ ଏକାଦଶ: ୮୨.୩ ଓଭରରେ ୨୨୦ ଅଲଆଉଟ
(ହାସିବ ହମିଦ-୧୧୨, ଲିଣ୍ଡନ ଜେମ୍ସ-୨୭, ଲିଆମ ପାଟରସନ ହ୍ବାଇଟ-୩୩; ଉମେଶ ଯାଦବ-୩/୨୨, ମହମ୍ମଦ ସିରାଜ-୨/୩୨)।

Share