ବିପଦ ଆଳ ଦେଖାଇ ସଂଯୋଗ କାଟିଲା ବିଦ୍ୟୁତ୍‌ ବିଭାଗ: ୩୫ ଏକର ଚାଷ ପ୍ରଭାବିତ

ଚମ୍ପୁଆ,୨୬।୭ (ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଜିଆ ପଞ୍ଚାୟତର ମହେଶ୍ୱରପୁରଠାରେ ଥିବା ଉଠା ଜଳସେଚନ ପଏଣ୍ଟର ବିଜୁଳି ସଂଯୋଗ ବିଦ୍ୟୁତ୍‌ ବିଭାଗ କାଟିଦେବାପରେ ଏକର ଏକର ପରିବା ଚାଷ କରିଥିବା ପରିବା ଚାଷୀମାନେ ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରୀତିମୟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିଦ୍ୟୁତ୍‌ ବିଭାଗର ଜଣେ ଯନ୍ତ୍ରୀ ବିପଜ୍ଜନକ ଅବସ୍ଥାରେ ତାର ଝୁଲୁଥିବା ତଥା ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ସଂଯୋଗ କଟାଯାଇଛି ବୋଲି କହିଛନ୍ତି।
ସୂଚନା ଅନୁସାରେ ଚଳିତ ଖରିଫ ଋତୁରେ ଚାଷ ପାଇଁ ଆବଶ୍ୟକ ବର୍ଷାଜଳ ନ ରହିବାରୁ ପ୍ରାୟତଃ ସବୁ ପ୍ରକାର ଚାଷ ପ୍ରଭାବିତ ହୋଇଛି। ତେବେ କେତେକ ଅଞ୍ଚଳରେ ଯଦିଓ ଚାଷ କରାଯାଉଛି ତାହା ଉଠା ଜଲସେଚନ ପଏଣ୍ଟ ମାଧ୍ୟମରେ କରାଯାଉଥିବା ଦେଖିବାକୁ ମିଳିଛି। ମାତ୍ର ବର୍ଷା ନ ଥିବା ସମୟରେ ଏକର ଏକର ଜମିରେ ପରିବା ଚାଷ କରାଯାଇଥିବା ବେଳେ ବିଦ୍ୟୁତ୍‌ ସଂଯୋଗ କଟାଯିବାରୁ ୩୫ ଏକର ଜମିରେ ଚାଷ ପ୍ରଭାବିତ ହେବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ମହେଶ୍ୱରପୁର ଚାଷୀ ଯଦୁମଣି ମହାନ୍ତ, ପଦ୍ମଲୋଚନ ମହାନ୍ତ, ଧନେଶ୍ୱର ମହାନ୍ତ ପ୍ରମୁଖ ଏହି ବିଦ୍ୟୁତ୍‌ ସଂଯୋଗ କଟାଯିବା ବିରୋଧରେ ଉପଜିଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି। ଚାଷୀମାନେ ବିଜୁ କଲ୍ୟାଣ ଯୋଜନାରେ ଦୀର୍ଘ ୧୦ ବର୍ଷ ହେବ ଗଭୀର ନଳକୂପ ମାଧ୍ୟମରେ ବର୍ଷ ସାରା ପନିପରିବା ଚାଷ କରିଆସୁଛନ୍ତି। ଗତ ୨୧ରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଉକ୍ତ ଉଠାଜଳସେଚନ ପଏଣ୍ଟ ସଂଯୋଗ କାଟି ଦିଆଯାଇଛି। ଦୀର୍ଘ ୧୦ ବର୍ଷ ଧରି ବିଦ୍ୟୁତ୍‌ ବିଭାଗ ଏହି ବିପଦସଙ୍କୁଳ ଅବସ୍ଥାରେ ଏଠାରେ କିପରି ତାର ଟଣାଯାଇଥିବା ଜାଣିପାରି ନ ଥିଲା। ତେବେ ଏହାର ସମାଧାନ ନ କରି ବର୍ଷା ନ ଥିବା ସମୟରେ ଏହି ସଂଯୋଗ କାଟିବା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରୀତିମୟଙ୍କୁ ପଚାରିବାରୁ ଉଠା ଜଳସେଚନ ଯନ୍ତ୍ରୀଙ୍କୁ ଏ ସମ୍ବନ୍ଧରେ ସୂଚନା ଦିଆଯିବା ସହିତ ଚମ୍ପୁଆ ତହସିଲଦାରଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି। ସୁରକ୍ଷାକୁ ଆଖି ଆଗରେ ରଖି ଚାଷୀଙ୍କୁ ତୁରନ୍ତ ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।