ନିଶର ଦମ୍‌

ଉତ୍ତରପ୍ରଦେଶରେ ପ୍ରଭିନ୍‌ସିଆଲ ଆର୍ମଡ କନ୍‌ଷ୍ଟେବୁଲେରି (ପି.ଏ.ସି.) ନାମକ ସଶସ୍ତ୍ର ପୋଲିସ ବାହିନୀ ଅଛି। ସେମାନେ ରାଜ୍ୟର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ କାର୍ଯ୍ୟ କରନ୍ତି। ଡେପୁଟି ଇନ୍ସପେକ୍ଟର ଜେନେରାଲ କିମ୍ବା ତଦୂର୍ଦ୍ଧ୍ୱ ଅଫିସରଙ୍କ ଆଦେଶ ଦ୍ୱାରା ସେମାନେ ପରିଚାଳିତ। ଅନେକ ସମୟରେ ଆଇନଶୃଙ୍ଖଳାରେ ବିଭ୍ରାଟ ଗୁରୁତର ହେଲେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେମାନେ ପ୍ରେରିତ ହୋଇଥା’ନ୍ତି।
ଉତ୍ତେଜନାପୂର୍ଣ୍ଣ ଜନତାର ସମ୍ମୁଖୀନ ହେବା ବେଳେ ଅନେକ ସମୟରେ ପୋଲିସ ବାହିନୀର ଚେହେରା ଆପାତତଃ ପ୍ରଭାବ ପକାଇଥାଏ। ତେଣୁ ଉଚ୍ଛୃଙ୍ଖଳ ବ୍ୟକ୍ତିମାନଙ୍କ ମନରେ ପ୍ରାରମ୍ଭିକ ସ୍ତରରୁ ଭୀତି ସଞ୍ଚାର କରିବା ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷ ଉକ୍ତ ପୋଲିସ ଫୌଜର ସଦସ୍ୟମାନଙ୍କୁ ନିଶ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ରିଟିଶ୍‌ ସରକାରଙ୍କ ଅମଳରୁ ଏମିତି ଉପାଦେୟ ନିଶର ରକ୍ଷଣାବେକ୍ଷଣ ପାଇଁ ମାସିକ ପଚାଶ ଟଙ୍କା ଭତ୍ତା ଦିଆଯାଉଥିଲା। ଏହା ‘ମୁଷ୍ଟାକ୍‌ ମେଣ୍ଟେନାନ୍‌ସ’ ଭାବେ ଅଭିହିତ। କିନ୍ତୁ ୧୯୮୦ ଦଶକରେ ନୂତନ ଭାବେ ପୋଲିସ ପୋଷାକ ଆଇନ (୧୯୮୬) ପ୍ରଚଳିତ ହେଲା।  ଏଥିରେ ନିଶକୁ ବାଧ୍ୟତାମୂଳକ କରାଯାଇ ନ ଥିଲା। ତେଣୁ ଫୌଜରେ ନିଶୁଆମାନେ କ୍ରମଶଃ ହ୍ରାସ ପାଇଲେ।
ନିଶ ପୋଲିସଙ୍କ ମନରେ ଉତ୍ସାହ ଓ ଜୋଶ୍‌ ଜାଗରିତ କରେ। ସେମାନେ ନିଜକୁ ବଳିଷ୍ଠ ପରି ଅନୁଭବ କରିଥା’ନ୍ତି। ଉପଦ୍ରବକାରୀଙ୍କୁ ଯଥାଶୀଘ୍ର ସାବାଡ଼ କରିଦିଅନ୍ତି। ଏତାଦୃଶ କାରଣରୁ ଉକ୍ତ ବାହିନୀରେ ନିଶର ପୁନଃ ପ୍ରଚଳନ ସମ୍ପ୍ରତି ଗୃହୀତ ହୋଇଛି। ବିନୋଦ କୁମାର ସିଂ ପି.ଏ.ସି.ର ଏ.ଡି.ଜେ. ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନିଶର ଗୁରୁତ୍ୱ ଉପଲବ୍ଧି କରି ପୋଲିସମାନଙ୍କୁ ନିଶ ନ କାଟିବା ପାଇଁ ପରାମର୍ଶ ଦେଲେ। ସମ୍ପ୍ରତି ଏହି ‘ମୁଛ ଭତ୍ତା’କୁ ୫୦ ଟଙ୍କାରୁ ବଢ଼ାଇ ୨୫୦ ଟଙ୍କାରେ ନିର୍ଦ୍ଧାରଣ କରିବା ସକାଶେ ସରକାରଙ୍କୁ ପ୍ରସ୍ତାବ ଦିଆଗଲାଣି।
ପ୍ରସଙ୍ଗକ୍ରମେ ସ୍ପେନୀୟ ଚିତ୍ରକର ସାଲଭାଡର ଡାଲି (୧୯୦୪-୧୯୮୯)ଙ୍କ ଜୀବନୀ ପ୍ରତି ଦୃଷ୍ଟି ଦିଆଯାଇପାରେ ା ସେ ଜଣେ ଅବୋଲକରା ଥିଲେ ଛାତ୍ରାବସ୍ଥାରେ। ତେଣୁ ସ୍କୁଲରୁ ଦୁଇ ଥର ତଡ଼ା ଖାଇ ପରବର୍ତ୍ତୀ କାଳରେ ୧୯୧୭ରେ ଆରମ୍ଭ ହୋଇଥିବା ସର୍‌ରିଆଲିଜମ୍‌ ଚିତ୍ରକଳାର ସେ ଜଣେ ଅଗ୍ରଣୀ ଶିଳ୍ପୀ ଭାବେ ଆଦୃତ ହେଲେ। ଏହି ବିଶିଷ୍ଟ ଶିଳ୍ପୀଙ୍କ ଅନ୍ୟ ଏକ ବିଶେଷତ୍ୱ ହେଉଛି ତାଙ୍କର ଦର୍ଶନୀୟ ନିଶ। ସେ ଓ ତାଙ୍କ ଫଟୋଗ୍ରାଫର ଫିଲିପ୍‌ ହାଲ୍ସମ୍ୟାନ ମିଶି ‘ଡାଲିସ୍‌ ମୁଷ୍ଟାକ୍‌’ ନାମକ ଏକ ହାସ୍ୟ ରସାମତ୍କ ପୁସ୍ତକ ୧୯୫୪ରେ ପ୍ରକାଶ କରିଥିଲେ। ସେଥିରେ ମୁଖମଣ୍ଡଳର କେଶକୁ ସମ୍ବେଦନଶୀଳ ‘ଆଣ୍ଟେନା’ ଭାବେ ଅଭିହିତ କରାଯାଇଛି ଏବଂ ଦର୍ଶାଯାଇଛି ଯେ, ଏହା ସୃଜନାମତ୍କ ପ୍ରେରଣାର କାରକ। ‘ଡାଲିସ୍‌ ମୁଷ୍ଟାକ୍‌’ ବହିଟିକୁ ଏହି ପ୍ରକାରେ ଲେଖକ ଡାଲି ଉତ୍ସର୍ଗ କରିଛନ୍ତି ଗାଲାଙ୍କୁ।” ଗାଲା, ଯିଏକି ମୋ ନିଶର ରକ୍ଷାକାରୀ କଳ୍ପିତ ଦେବଦୂତ“। ପ୍ରକାଶଥାଉ କି, ଗାଲା ହେଉଛନ୍ତି ଡାଲିଙ୍କ ପତ୍ନୀ। ସେମିତି ବହିର ଫଟୋଗ୍ରାଫର- ଲେଖକ ଜଣଙ୍କ ନିଜ ସ୍ତ୍ରୀଙ୍କୁ ଉତ୍ସର୍ଗ କରି ଲେଖିଛନ୍ତି ଯେ, ତାଙ୍କ (ପତ୍ନୀ) ପାଇଁ ମୁଁ ଦୈନିକ ଖିଅର ହୁଏ। ଉଲ୍ଲେଖନୀୟ , ଡାଲି ନିଶୁଆ, ମାତ୍ର ତାଙ୍କ ଫଟୋଗ୍ରାଫରଙ୍କ ଗାଲ ଚିକ୍କଣ। ଡାଲିଙ୍କ ମୃତ୍ୟୁର ୨୮ବର୍ଷ ପରେ ଏକ ଅପ୍ରତ୍ୟାଶିତ ଘଟଣା ଘଟିଲା। ମାରିଆ ପିଲାର ନାମ୍ନୀ ଜଣେ ଯୁବତୀ ଦାବି କଲା ଯେ, ସେ ହେଉଛି ଡାଲିଙ୍କ ସନ୍ତାନ। ତେଣୁ ସେ ତାଙ୍କ ସମ୍ପତ୍ତିର ଏକ-ଚତୁର୍ଥାଂଶ ପାଇଁ ହକ୍‌ଦାର। ଏହି ମାମଲା ଅଦାଲତକୁ ଗଲା। କୋର୍ଟ ନିର୍ଦ୍ଦେଶାନୁସାରେ ଡାଲିଙ୍କ କବର ଖୋଳିବା ଦାୟିତ୍ୱ ନାର୍ସିସ ବ୍ରାଡଲେଟ୍‌ଙ୍କୁ ଦିଆଗଲା, ଯିଏକି କବର ଦେବା ଆଗରୁ ଡାଲିଙ୍କ ଶବକୁ ସଂରକ୍ଷିତ ରଖିବାକୁ ବ୍ୟବସ୍ଥା କରିଥିଲେ। ବ୍ରାଡଲେଟ୍‌ ଏହି ଖନନ ପାଇଁ କୌତୂହଳୀ ହୋଇଥିଲେ; କାରଣ ସେ ଜାଣିବାକୁ ଚାହିଁଥିଲେ ଡାଲିଙ୍କ ଶବର ନିଶ ପୂର୍ବବତ୍‌ ରହିଛି ନା ବିଲୁପ୍ତ ହୋଇଛି ା ଆଶ୍ଚର୍ଯ୍ୟର ବିଷୟ ଯେ, ଏହା କାନ୍ଥଘଡ଼ିର ଦଶଟା ବାଜି ଦଶ ମିନିଟ୍‌ ପରି ଅବସ୍ଥାରେ ଅକ୍ଷତ ଭାବେ ରହିଛି ା ଏହା ହେଉଛି ଡାଲିଙ୍କ ଜୀବିତାବସ୍ଥାରେ ମୁଖମଣ୍ଡଳର ମହାର୍ଘ ପ୍ରତୀକ ା ମଲା ମଣିଷର ଚିରକାଳ ସାକ୍ଷୀ। ସାକ୍ଷ୍ୟ-ପ୍ରମାଣ ଆଧାରରେ କୋର୍ଟ ଉକ୍ତ ଯୁବତୀଙ୍କ ମାମଲା ଖାରଜ କରି ଦେଇଥିଲା। ଏହି ଘଟଣା ସତେ ଯେମିତି ସୂଚାଉଛି ଏକ ପ୍ରକାର ଅକାଟ (ହୁଏତ ଅମରତ୍ୱ)ର ବାହକ ହେଉଛି ନିଶ-ଦାଢ଼ି। ତେଣୁ ବ୍ରିଟିଶ୍‌ ଅମଳର ନିଶ-ଭତ୍ତା ଏବେ ଯଦି ଉତ୍ତରପ୍ରଦେଶକୁ ଫେରିବ, ଆମେ ଏଥିରେ ବିସ୍ମିତ ହେବାର କାରଣ ନାହିଁ।
ଆମେ ଯଦି କୌଣସି ଅତ୍ୟାଧୁନିକ ସେଲୁନକୁ ନିଶ ବନାଇବାକୁ ଯାଉ, ତେବେ ହୁଏତ ସେଠାରେ ପରିଚାଳକ ଆମକୁ ବିଭିନ୍ନ ବିକଳ୍ପ ଥିବା ନିଶମାନଙ୍କର ଛବି ଦେଖାଇ ବୁଝାଇବେ ସେମାନଙ୍କ ପୃଷ୍ଠଭୂମି ସମ୍ପର୍କରେ। ଯଦି ଦୈବାତ ସେଇ ତାଲିକାଟି ବା ଟ୍ରେଣ୍ଡସ୍ପଟର୍‌ ଡଟ୍‌ ନେଟ୍‌ ଡଟ୍‌ ଇପିଆଇରୁ ଅବିକଳ ନକଲ ହୋଇଥିବ, ତାହାହେଲେ ନିମ୍ନ ନଅ ପ୍ରକାର ନିଶ ଆମ ନଜରକୁ ଆସିବ। ଯଥା ଅଭିନେତା ଟମ୍‌ ସେଲକଙ୍କ ଚେଭ୍ରନ ନିଶ, ଓ୍ବାଲରସ (ଲମ୍ବା ଦୁଇଟି ଆଗ ଦାନ୍ତ ଥିବା ସିଲ୍‌ ଜାତୀୟ ଜନ୍ତୁ ବିଶେଷ) ନିଶ, କ୍ରିକେଟ୍‌ ଖେଳାଳି ଶିଖର ଧାଓ୍ବନଙ୍କ ପରି ହ୍ୟାଣ୍ଡଲ ବାର୍‌ ନିଶ, କ୍ଲାର୍କ ଗବଲ, ଏରୋଲ ଫ୍ଲାଇନଙ୍କ ପରି ଷ୍ଟାରମାନେ ବଢ଼ାଇଥିତ୍ବା ପେନ୍‌ସିଲ ନିଶ, ଆମେରିକୀୟ ମୁଷ୍ଟିଯୋନ୍ଧା ହଲକ ହୋଗାନ ଓ ଫୁଟବଲ ଖେଳାଳି ଆରନ ରୋଡ଼ଜରସ ରଖିଥିବା ଘୋଡ଼ାପାଦର ନାଲ ପରି ନିଶ, ଟୟ ଷ୍ଟୋରିର କାଳ୍ପନିକ ଚରିତ୍ର ସେରିଫ ଉଡିଙ୍କ ନିଶ (ଯାହାକି ଆମେରିକାର କିଛି ଅଞ୍ଚଳର ଗୋପାଳକ କାଓବୟ ରଖିଥା’ନ୍ତି), କମିକ୍‌ ବହି ଫୁ ମାଞ୍ଚୁଙ୍କ ଅବାଗିଆ ବିକୃତ ନିଶ, ଅପରିଷ୍କାର (ସ୍କ୍ରାପିଂ) ନିଶ, ଯାହାର ଚାହିଦା ବହୁ ନାମଜାଦା ଅଭିନେତାଙ୍କ ସହଜସାଧ୍ୟ ଷ୍ଟାଇଲିଷ୍ଟ ନିଶ) ଏବଂ ପରିଶେଷରେ ଚିତ୍ରକର ଡାଲିଙ୍କ ନିଶ।
ଆମେ ଡାଲିଙ୍କ ଏକ ଅନାଲୋଚିତ ଚରିତ୍ରର ଦିଗ ଉପରେ ଆଲୋକପାତ କରିପାରୁ। ସେ ଏକଦା ମତବ୍ୟକ୍ତ କରିଥିଲେ, ”ସାଧାରଣତଃ ପୁରୁଷମାନେ ନାରୀମାନଙ୍କୁ (ସୁନ୍ଦରୀ?) ସ୍ବପ୍ନରେ ଦେଖିଥା’ନ୍ତି। କିନ୍ତୁ ମୁଁ (ଜର୍ମାନୀର ଏକଚ୍ଛତ୍ରବାଦୀ ଶାସକ) ହିଟ୍‌ଲରଙ୍କୁ ସ୍ବପ୍ନରେ ଦେଖେ।“ ଏଥିରୁ ସ୍ପଷ୍ଟ ଯେ, ସେ ନାଜି ବା ଫାଶୀବାଦର ବିଶ୍ୱାସୀ। ଏହି କାରଣରୁ ତାଙ୍କୁ ଅର୍ନେଷ୍ଟ, ମାଗ୍ରିଟ୍‌, ବ୍ରେଟନଙ୍କ ପରି ସର୍‌ରିଆଲଷ୍ଟିଙ୍କ ଦଳରୁ ବହିଷ୍କୃତ କରାଯାଇଥିଲା। ଡାଲିଙ୍କ ମନୋଭାବରୁ ଆଭାସ ମିଳେଯେ, ଜନ୍ମଗତ ପ୍ରକୃତିବଶତଃ ସେ ବଳିଷ୍ଠ ପୁରୁଷଙ୍କଠାରେ ପରିଲକ୍ଷିତ ବଳ, ବୀର୍ଯ୍ୟ, ଶୌର୍ଯ୍ୟର ପରିପ୍ରକାଶକୁ ଆନନ୍ଦଦାୟକ ମନେକରନ୍ତି। ହୁଏତ କେତେକାଂଶରେ ତାଙ୍କ ସ୍ବତନ୍ତ୍ର ନିଶ ଏହାର ପରିଚାୟକ।

  • ଡ. ନିଖିଳାନନ୍ଦ ପାଣିଗ୍ରାହୀ
    ମୋ:୯୦୭୮୭୪୩୮୪୩

Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri