Posted inଖେଳ

ପାଓ୍ବାର ଭାରତୀୟ ମହିଳା କ୍ରିକେଟ ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ, ୧୪।୫(ପି.ଟି.): ପୂର୍ବତନ ଟିମ୍‌ ଇଣ୍ଡିଆ ସ୍ପିନର ରମେଶ ପାଓ୍ବାର ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ପଦକୁ ଫେରିଛନ୍ତି। ସେ ଡବ୍ଲ୍ୟୁଭି ରମଣଙ୍କ ସ୍ଥାନ ନେଇଛନ୍ତି। ରମେଶ ପୂର୍ବରୁ ମହିଳା ଦଳର ମୁଖ୍ୟ କୋଚ୍‌ ଥିଲେ। ମାତ୍ର ଏକଦିବସୀୟ ଅଧିନାୟିକା ମିଥାଲି ରାଜଙ୍କ ସହ ମନାନ୍ତର ଯୋଗୁ ବହିଷ୍କୃତ ହୋଇଥିଲେ। ୨ ବର୍ଷରୁ ଊର୍ଦ୍ଧ୍ୱ ବ୍ୟବଧାନ ପରେ ସେ ପୁଣି ଏହି ଗୁରୁଦାୟିତ୍ୱ ପାଇଛନ୍ତି। ମଦନ ଲାଲ୍‌ଙ୍କ ନେତୃତ୍ୱାଧୀନ କ୍ରିକେଟ ପରାମର୍ଶଦାତା କମିଟି (ସିଏସି) ରମଣଙ୍କ ସହ ୮ ପ୍ରାର୍ଥୀଙ୍କ ସାକ୍ଷାତକାର ନେବାପରେ ୪୨ ବର୍ଷୀୟ ପାଓ୍ବାରଙ୍କୁ ନିଯୁକ୍ତି ଦେଇଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ପଦ ପାଇଁ ବିଜ୍ଞାପନ ଦେଇଥିଲା। ମୋଟ ୩୫ ଜଣ ଆବେଦନ କରିଥିଲେ। ସମସ୍ତ ଔପଚାରିକତା ପୂରଣ ପରେ ପାଓ୍ବାରଙ୍କୁ ମୁଖ୍ୟ କୋଚ୍‌ଭାବେ ନିଯୁକ୍ତି ଦିଆଯାଇଥିବା ବିସିସିଆଇ ପକ୍ଷରୁ ଏକ ବିବୃତିରେ ପ୍ରକାଶ କରାଯାଇଛି। ପୂର୍ବତନ ଉଇକେଟ କିପର ଅଜୟ ରାତ୍ରା ଏବଂ ପୂର୍ବତନ ଚୟନ କମିଟି ମୁଖ୍ୟ ହେମଲତା କାଲାଙ୍କ ସମେତ ୪ ମହିଳା ଏହି ଦୌଡ଼ରେ ଥିଲେ।
ତାଙ୍କୁ ଏହି ପଦ ପାଇଁ ଉପଯୁକ୍ତ ମନେ କରାଯାଇଥିବାରୁ ସିଏସି ଓ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି ପାଓ୍ବାର। ସେ ଏହି ଗୁରୁଦାୟିତ୍ୱ ପାଇଁ ପ୍ରସ୍ତୁତ ଥିବା ଟୁଇଟ୍‌ କରି ଜଣାଇଛନ୍ତି। ଦଳ ପାଇଁ ସ୍ପଷ୍ଟ ଦୃଷ୍ଟିକୋଣ ଯୋଗୁ ରମେଶଙ୍କୁ ଚୟନ କରାଯାଇଥିବା ମଦନ ଲାଲ କହିଛନ୍ତି। ” ସେ କୋଚିଂ ଦେବାର ଅଭିଜ୍ଞତା ରଖିଛନ୍ତି। ଦଳ ପାଇଁ ତାଙ୍କର ଦୃଷ୍ଟିକୋଣ ଆମକୁ ସବୁଠାରୁ ଅଧିକ ପ୍ରଭାବିତ କରିଛି। ଦଳକୁ ଭିନ୍ନଏକ ସ୍ତରକୁ ନେଇଯିବା ପାଇଁ ତାଙ୍କର ସ୍ବତନ୍ତ୍ର ଯୋଜନା ରହିଛି। କ୍ରିକେଟର ସମସ୍ତ ଦିଗ ପ୍ରତି ତାଙ୍କ ନଜର ରହିଛି। ଏବେ ସେ ତାହାକୁ କାର୍ଯ୍ୟରେ ପରିଣତ କରିବାର ସମୟ“ ବୋଲି ମଦନ ଲାଲ ପ୍ରକାଶ କରିଛନ୍ତି। ଏବେ ମିଥାଲିଙ୍କ ସହ ରମେଶ କିପରି କାର୍ଯ୍ୟ କରୁଛନ୍ତି ତାହା ଦେଖିବାକୁ ଉତ୍ସୁକତା ରହିବ। ହରମନପ୍ରୀତ କୌରଙ୍କୁ ଟି୨୦ ଅଧିନାୟିକା କରାଯିବା ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ କପ୍‌ ସେମିଫାଇନାଲରୁ ବାଦ୍‌ ପଡ଼ିବା ପରେ ପାଓ୍ବାର ତାଙ୍କ କ୍ୟାରିୟର ନଷ୍ଟ କରିଦେବାକୁ ଚେଷ୍ଟା କରୁଛନ୍ତି ବୋଲି ମିଥାଲି ଅଭିଯୋଗ ଆଣିଥିଲେ। ଏ ସମ୍ପର୍କରେ ସେ ଏକ ପତ୍ର ମଧ୍ୟ ବିସିସିଆଇକୁ ଦେଇଥିଲେ। ଅନ୍ୟପକ୍ଷରେ ପାଓ୍ବାର ଏହାକୁ ଖଣ୍ଡନ କରିବା ସହ ମିଥାଲି ଖରାପ ମିଜାଜ ସହ ଦଳରେ ବିଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ। ମହିଳା କ୍ରିକେଟ ଦଳରୁ ଦୂରେଇ ରହିବା ପରେ ପାଓ୍ବାର ନିଜକୁ ଦକ୍ଷ କୋଚ୍‌ ଭାବେ ପ୍ରମାଣିତ କରିଥିଲେ। ଟି୨୦ ପ୍ରତିଯୋଗିତାରେ ମୁମ୍ବାଇ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାବେଳେ ପାଓ୍ବାରଙ୍କ ପ୍ରଶିକ୍ଷଣରେ ଦଳ ବିଜୟ ହଜାରେ ଟ୍ରଫିରେ ଚମକ ସୃଷ୍ଟି କରିଥିଲା। ଏହା ବ୍ୟତୀତ ସେ ଜାତୀୟ କ୍ରିକେଟ ଏକାଡେମୀରେ ବୋଲିଂ କୋଚ୍‌ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।
ମିଥାଲିଙ୍କ ସହ ତାଙ୍କ ମତଭେଦ ସମ୍ପର୍କରେ ପାଓ୍ବାରଙ୍କୁ ସାକ୍ଷାତକାର ଅବସରରେ ପ୍ରଶ୍ନ କରାଯାଇଥିଲା। ମାତ୍ର ଏଥିରେ ତାଙ୍କର କିଛି ଦୋଷ ନାହିଁ। ସେ ପିଲାମାନଙ୍କ ସହ କାର୍ଯ୍ୟ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଥିବା ମଦନ ଲାଲ ପ୍ରକାଶ କରିଛନ୍ତି। ୪ ମହିଳା ପ୍ରାର୍ଥୀଙ୍କ ଆଭିମୁଖ୍ୟରେ ସେ ଖୁବ୍‌ ପ୍ରଭାବିତ ବୋଲି କହିଛନ୍ତି ମଦନ। ସେମାନେ କ୍ରିକେଟ ସହିତ ସମ୍ପୂର୍ଣ୍ଣଭାବେ ଜଡ଼ିତ ହୋଇରହିଛନ୍ତି। ଫଳରେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ସେ କହିଛନ୍ତି। ପାଓ୍ବାର ଭାରତ ପକ୍ଷରୁ ୨ ଟେଷ୍ଟ ଏବଂ ୩୧ଟି ଦିନିକିଆ ଖେଳିଛନ୍ତି। ୨୦୧୮ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ସେ ଭାରତୀୟ ମହିଳା ଦଳ ଦାୟିତ୍ୱରେ ଥିଲେ। ତାଙ୍କ ପ୍ରଶିକ୍ଷଣରେ ଭାରତ ସେହିବର୍ଷ ଟି୨୦ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଥିଲା। ଏହା ବ୍ୟତୀତ କ୍ରମାଗତ ୧୪ଟି ଟି୨୦ ମ୍ୟାଚ ଜିତିବାରେ ମଧ୍ୟ ରେକର୍ଡ କରିଥିଲା। ୨୦୧୮ ଡିସେମ୍ବରରେ ପାଓ୍ବାରଙ୍କ ସ୍ଥାନ ନେଇଥିବା ରମଣଙ୍କ ଅବସ୍ଥା ମଧ୍ୟ ଅନୁରୂପ। ତାଙ୍କ ପ୍ରଶିକ୍ଷଣରେ ଭାରତ ଗତବର୍ଷ ଟି୨୦ ବିଶ୍ୱକପ ଫାଇନାଲ ଖେଳିଥିଲା। ତେବେ ଗତ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକାଠାରୁ ଦିନିକିଆ ଓ ଟି୨୦ ସିରିଜରେ ଦଳର ଶୋଚନୀୟ ପ୍ରଦର୍ଶନ ତାଙ୍କ ପାଇଁ ମହଙ୍ଗା ପଡ଼ିଲା। ଟିନ୍‌ ଏଜ୍‌ ବିଗ୍‌ ହିଟର ଶେଫାଳୀ ବର୍ମା ଏବଂ ସିନିୟର ପେସ୍‌ ବୋଲର ଶିଖା ପାଣ୍ଡେଙ୍କୁ ଦଳରୁ ବାଦ୍‌ଦେବା ନିଷ୍ପତ୍ତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। କୋଚ୍‌ ପଦକୁ ଫେରିଥିବାରୁ ପାଓ୍ବାରଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ରମଣ। ଆସନ୍ତା ବର୍ଷ ନ୍ୟୁଜିଲାଣ୍ଡରେ ହେବାକୁଥିବା ଦିନିକିଆ ବିଶ୍ୱକପ ପାଇଁ ଦଳକୁ ପ୍ରସ୍ତୁତ କରିବା ପାଓ୍ବାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ। ତେବେ ତାଙ୍କ ପ୍ରଶିକ୍ଷଣରେ ଦଳ ପ୍ରଥମେ ୟୁକେରେ ସମ୍ପୂର୍ଣ୍ଣ ସିରିଜ ଖେଳିବ। ୭ ବର୍ଷ ବ୍ୟବଧାନରେ ଭାରତ ପ୍ରଥମଥର ପାଇଁ ଟେଷ୍ଟ ମ୍ୟାଚ ଖେଳିବ। ଜୁନ୍‌ ୧୬ରୁ ଏହା ଆରମ୍ଭ ହେବା କାର୍ଯ୍ୟସୂଚୀ ରହିଛି। ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଯିବାର ମଧ୍ୟ କାର୍ଯ୍ୟସୂଚୀ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri