ବିକାଶର ସମ୍ଭାବ୍ୟ ପଦକ୍ଷେପ

ଓଡ଼ିଶା ୧୫.୫ ନିୟୁତ ହେକ୍ଟର କ୍ଷେତ୍ରଫଳ ସହ ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ଭାରତରେ ବାର୍ଷିକ ହାରାହାରି ୧୨୦୦ ମି.ମି. ବୃଷ୍ଟିପାତ ହେଉଥିବା ବେଳେ ଓଡ଼ିଶାରେ ଏହା ୧୫୦୦ ମି.ମି.। ସମଗ୍ର ଦେଶରେ ୧୫ କୃଷି ଜଳବାୟୁ ମଣ୍ଡଳ ଥିବାବେଳେ ଆମ ପାଖରେ ମଧ୍ୟ ୧୦ ମଣ୍ଡଳ ଅଛି। ସମଗ୍ର ଦେଶରେ ୮ ପ୍ରକାର ମୃତ୍ତିକା ଥିବା ସ୍ଥଳେ ଓଡ଼ିଶାରେ ମଧ୍ୟ ୮ ପ୍ରକାର ମୃତ୍ତିକା ଅଛି। ଓଡ଼ିଶାର ଜଳବାୟୁ ଓ ଭୂମିରୂପ ବିବିଧତା ଆମକୁ ବର୍ଷ ସାରା ବିଭିନ୍ନ ପ୍ରକାର ଫସଲ ଉତ୍ପାଦନ ପାଇଁ ସୁଯୋଗ ଦେଇଛି। ଖଣିଜ ପଦାର୍ଥରେ ସମୃଦ୍ଧ ଓଡ଼ିଶାରେ ସମଗ୍ର ଦେଶର ଲୁହାପଥରର ଶତକଡ଼ା ୨୮ଭାଗ, କୋଇଲାର ଶତକଡ଼ା ୨୪ ଭାଗ, ବକ୍ସାଇଟ (ଆଲୁମିନିୟମ)ର ଶତକଡ଼ା ୫୯ଭାଗ ଓ କ୍ରୋମାଇଟର ୯୮ ଭାଗ ମହଜୁଦ ଅଛି। ତା’ ଛଡ଼ା ଅନ୍ୟାନ୍ୟ ଖଣିଜ ପଦାର୍ଥ ମଧ୍ୟ ଅଳ୍ପ ବହୁତେ ଅଛି। ଆମ ପାଖରେ ୪୮୫ କି.ମି. ଲମ୍ବ ସୁଦୀର୍ଘ ସମୁଦ୍ର କୂଳ ମଧ୍ୟ ଉପଲବ୍ଧ। ବିଭିନ୍ନ ପ୍ରକାର କାର୍ଯ୍ୟ କରିବା ପାଇଁ ୬୨ ପ୍ରକାର ସଚ୍ଚୋଟ ଓ ପରିଶ୍ରମୀ ଆଦିବାସୀ ସମ୍ପ୍ରଦାୟ ମଧ୍ୟ ଅଛନ୍ତି। ଇତିହାସ କହେ, ବିଶ୍ୱ ବିଖ୍ୟାତ ହିଟ୍‌ଲର ଓଡ଼ିଶାର ସମ୍ପଦରେ ଅଭିଭୂତ ହୋଇଯାଇଥିଲେ ଓ ଅଧିକାର କରିପାରିଲେ ସମଗ୍ର ବିଶ୍ୱକୁ ସେ ଜୟ କରିପାରିବେ ବୋଲି ସ୍ବପ୍ନ ମଧ୍ୟ ଦେଖିଥିଲେ। ସେଥିପାଇଁ ବୋଧହୁଏ ବିଖ୍ୟାତ କବି ମାୟାଧର ମାନସିଂହଙ୍କ କଲମ ଲେଖି ଉଠିଥିଲା- ହାୟରେ ଉତ୍କଳ ଭୂମି ପ୍ରକୃତି ସୁନ୍ଦର , ମନ୍ଦାକିନୀ ସମ ନଦୀ, ଶିବ ସମ ଗିରି, କାନନେ କେଦାର ଭରା ଶୋଭାର ବହର , ଥାଉ ତୋର କହ କିମ୍ପା ଏତେ ହତଶିରି। ଚିନ୍ତାକଲେ ବଡ଼ ଦୁଃଖ ଲାଗେ। ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ ମୁଣ୍ଡ ପିଛା ବାର୍ଷିକ ରୋଜଗାରରେ ୨୨ତମ ସ୍ଥାନରେ। ଏହାର ପ୍ରଥମ ଓ ପ୍ରଧାନ କାରଣ ହେଲା ଆମେ ଭଲ ଯୋଜନା ପ୍ରସ୍ତୁତକରି ତାକୁ ଠିକ୍‌ ଭାବେ କ୍ରିୟାନ୍ବୟନ କରିପାରି ନାହାନ୍ତି। ଆସନ୍ତୁ, ବିଚାରକରିବା ବିକଶିତ ଓଡ଼ିଶା ପାଇଁ କେଉଁ କେଉଁ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ।
ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଓ ରାଜ୍ୟର ପାଖାପାଖି ୭୦ ଭାଗ ଲୋକ କୃଷିରେ ଜୀବିକା ନିର୍ବାହ କରନ୍ତି। ମାତ୍ର ସ୍ବାଧୀନତାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଓଡ଼ିଶାର କୃଷିଜମିକୁ ଜଳସେଚନର ହାର ମାତ୍ର ଶତକଡ଼ା ୩୦ ଭାଗ। ଆମକୁ ଏଥିରେ ପୁଞ୍ଜିନିବେଶ କରିବାକୁ ପଡ଼ିବ ଓ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ଜଳସେଚନ ପ୍ରକଳ୍ପ ସାରି ଅତିକମ୍‌ରେ ଶତକଡ଼ା ୫୦ ଭାଗ ଜମିକୁ ଜଳସେଚନ ସୁବିଧା ଯୋଗାଇଦେବାକୁ ହେବ। ଯୁଦ୍ଧକାଳୀନ ଭିତ୍ତିରେ ପ୍ରଥମ ପର୍ଯ୍ୟାୟରେ ସବୁ ଜିଲାରେ ଚଳମାନ ଶୀତଳ ଭଣ୍ଡାର ନିର୍ମାଣ ସହ ପରବର୍ତ୍ତୀ ସମୟରେ ଏହାକୁ ସବୁ ବ୍ଲକ୍‌କୁ ସମ୍ପ୍ରସାରଣ କରିବାକୁ ହେବ। ପଡ଼ୋଶୀ ରାଜ୍ୟ ସମସ୍ତେ ସଫଳତାର ସହ ଶୀତଳ ଭଣ୍ଡାର ପରିଚାଳନା କରୁଛନ୍ତି। ଏହା ଆଦୌ ଅସମ୍ଭବ ବ୍ୟାପାର ନୁହେଁ। ଚାଷୀମାନଙ୍କୁ ପ୍ରୋତ୍ସାହିତକରି ବିଭିନ୍ନ ପ୍ରକାର କୃଷିଜାତ ପଦାର୍ଥକୁ କିପରି ଓଡ଼ିଶା ବାହାରକୁ ରପ୍ତାନି କରାଯାଇପାରିବ ସେ ବିଷୟରେ ମଧ୍ୟ କାର୍ଯ୍ୟ କରିବାକୁ ହେବ।
ପ୍ରତି ସ୍କୁଲରେ ପର୍ଯ୍ୟାପ୍ତ ଶିକ୍ଷକ ନିଯୁକ୍ତି କରିବା ଓ ଶିକ୍ଷକମାନଙ୍କୁ ପାଠ ପଢ଼ା ପାଇଁ ଉତ୍ତରଦାୟୀ କରିବା ଆମର ପ୍ରାଥମିକତା ହେବା ଆବଶ୍ୟକ। ସ୍କୁଲର ପାଠପଢ଼ା ଗୁଣବତ୍ତା ନିୟମିତ ପରୀକ୍ଷା ପାଇଁ ପୂର୍ବରୁ ପ୍ରଚଳିତ ଥିବା ସ୍କୁଲ ଇନ୍ସିପେକ୍ଟର ଭଳି ବ୍ୟବସ୍ଥା ହେବା ବାଞ୍ଛନୀୟ। କଲେଜ ଓ ବିଶ୍ୱବିଦ୍ୟାଳୟରେ ପର୍ଯ୍ୟାପ୍ତ ଶିକ୍ଷକ ନିଯୁକ୍ତିକରି ଶିକ୍ଷାଦାନ ଗୁଣବତ୍ତା ବୃଦ୍ଧି କରିବାକୁ ହେବ। ଶିକ୍ଷାର ଗୁଣାତ୍ମକ ହ୍ରାସ ଯୋଗୁ ପ୍ରତିବର୍ଷ ଆମ ରାଜ୍ୟର ଛାତ୍ରୀଛାତ୍ର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷାରେ ଅଧିକ ସଂଖ୍ୟାରେ କୃତକାର୍ଯ୍ୟ ହୋଇପାରୁନାହାନ୍ତି। ଶିକ୍ଷକ ସମାଜକୁ ଏ ଗୁରୁଦାୟିତ୍ୱକୁ କାନ୍ଧରେ ଉଠାଇବାକୁ ହେବ।
ପ୍ରତିବର୍ଷ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି ବିଭିନ୍ନ ଭିତ୍ତିଭୂମି ନିର୍ମାଣ କରୁଛନ୍ତି। ମାତ୍ର ଇଂରେଜମାନଙ୍କ ଦ୍ୱାରା ନିର୍ମିତ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କୋଠା ଶତାୟୁରେ ଅତୁଟ ରହିଥିବା ବେଳେ ଆମର ନିର୍ମାଣ ୨୦-୨୫ ବର୍ଷ ବି ଚାଲିବା କିମ୍ବା ରାସ୍ତାଟି ଗୋଟିଏ ଋତୁରେ ନଷ୍ଟ ହୋଇଯିବା ଏକ ଗମ୍ଭୀର ବିଷୟ। ପିସି ଅଂଶକୁ ନିର୍ମୂଳକରି କିପରି ଭିତ୍ତିଭୂମିର ସ୍ଥାୟିତ୍ୱ ଗ୍ୟାରେଣ୍ଟି ନିର୍ମାତାଙ୍କଠୁ ନିଆଯିବ, ସେ ବିଷୟରେ କାର୍ଯ୍ୟ କରିବାକୁ ହେବ। ନ ହେଲେ ପ୍ରତିବର୍ଷ ରାଜକୋଷରୁ କୋଟି କୋଟି ଟଙ୍କା ଅପଚୟ ହେବା ସ୍ବାଭାବିକ।
ଓଡ଼ିଆ ଭାଷାର ବିପୁଳ ପ୍ରଚାରପ୍ରସାର ପାଇଁ ନୂତନ ପିଢ଼ି ହେଉଛନ୍ତି ଉପଯୁକ୍ତ ସୈନିକ। ଅତୀତରେ ଏହି ଓଡ଼ିଆ ମାଟି ଚାଳ ବିଦ୍ୟାଳୟ ସମଗ୍ର ଦେଶରେ ଉତ୍କର୍ଷ ଲାଭ କରିଥିବା ବ୍ୟକ୍ତିଙ୍କୁ ସୃଷ୍ଟି କରିଛି। ଏବେ ମଧ୍ୟ କରିପାରିବ। ଓଡ଼ିଆ ସ୍କୁଲ, ଫେଲ୍‌ କଲା ବୋଲି ଆଦର୍ଶ ସ୍କୁଲ ଆଣିବା ଓ ସେ ଫେଲ୍‌ କଲେ ପୁନଶ୍ଚ ଏକ ନୂଆ ସର୍ବଦା ଆଦର୍ଶ ସ୍କୁଲ ବସାଇବାର କିଛି ଅର୍ଥ ନ ଥାଏ। ପ୍ରଥମ ପର୍ଯ୍ୟାୟରେ ସବୁ ଜିଲା ସ୍କୁଲ ଓ ତା’ ପରେ ସବୁ ବ୍ଲକ୍‌ ହାଇସ୍କୁଲକୁ ଆବଶ୍ୟକ ଶିକ୍ଷକ ଦିଆଯିବା ଉଚିତ। ତା’ ସହ ଆର୍ଟ, ସଙ୍ଗୀତ, ନୃତ୍ୟ, ଇଂରାଜୀ, ହିନ୍ଦୀ, ବ୍ୟାୟାମ, ଖେଳ ଶିକ୍ଷକ ଯୋଗାଇଦେବା ଆବଶ୍ୟକ। ପାଠପଢ଼ା ସହ ଏକ୍ସଟ୍ରା କରିକୁଲାର କାର୍ଯ୍ୟକ୍ରମ ନିୟମିତକରି ପିଲାଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଚେଷ୍ଟା ହେବା ଉଚିତ।
ଓଡ଼ିଶାରେ ନକଲି ଔଷଧ ଯେପରି ନ ପଶିବ, କଠୋର ପଦକ୍ଷେପ ନେବାକୁ ହେବ। ସବୁ ଜିଲା ମୁଖ୍ୟାଳୟ ଡାକ୍ତରଖାନା ଓ ବ୍ଲକ୍‌ ଡାକ୍ତରଖାନାରେ ଅଧିକ ପୁଞ୍ଜି ନିବେଶକରି ଭିତ୍ତିଭୂମିର ବିକାଶ ଓ ଡାକ୍ତର ନିଯୁକ୍ତିକୁ ପ୍ରାଧାନ୍ୟ ଦେବାକୁ ହେବ। ଏହାଦ୍ୱାରା ଗାଁଗଣ୍ଡାର ଲୋକେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେବେ ନାହିଁ। ଓଡ଼ିଶାର ଦୀର୍ଘ ୪୮୫ କି.ମି. ସମୁଦ୍ରକୂଳରେ ମାତ୍ର ୪ ଟି ସମୁଦ୍ରକୂଳ ପର୍ଯ୍ୟଟନ ସ୍ଥଳୀ (ପୁରୀ, କୋଣାର୍କ, ଗୋପାଳପୁର, ଚାନ୍ଦିପୁର) ଆଦୌ ଗ୍ରହଣୀୟ ନୁହେଁ। ଆମେ ଆହୁରି ୧୫-୨୦ଟି ଆକର୍ଷଣୀୟ ବେଳାଭୂମି ବିକାଶ କରିପାରିବା। ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ବହୁତ ଜରୁରୀ। ଆମର ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଅଧିକ ପୁଞ୍ଜିନିବେଶକରି ସବୁଦିନିଆ ପର୍ଯ୍ୟଟନରେ ପରିଣତ କରିପାରିଲେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବ ଓ ରୋଜଗାର ବଢ଼ିବ।
ଓଡ଼ିଶାରେ ଖଣିଜ ଧାତୁ ଆଧାରିତ ଶିଳ୍ପ ବସାଇବାକୁ ପଡ଼ିବ। ଏହାଦ୍ୱାରା ଯୁବାଙ୍କୁ ନିଯୁକ୍ତି ଦେବାରେ ଆମେ ସକ୍ଷମ ହେବା। ଆମେ କିଛି କାରଖାନା ବସାଇଛନ୍ତି, ଆହୁରି ବସାଇବାକୁ ହେବ। ଆମ ପାଖରେ ବସ୍ତ୍ର, କାଠ କାମ, ପଥର କାମ, ଶିଙ୍ଗ କାମ, ତାଳପତ୍ର କାମ, କଂସାବାସନ କାମ, ସବାଇ ଘାସ କାମ, ରୁପା ସୁନା ତାରକସି କାମ, କାଇଁଚ ଡାଲା ପ୍ରଭୃତି ଅନେକ ହସ୍ତକାର୍ଯ୍ୟ ଅଛି। ମାତ୍ର ଆମେ ସେ ସବୁ ରପ୍ତାନିକରି ଅଧିକ ଲାଭ ଓ ରୋଜଗାର ସୃଷ୍ଟି କରିନାହୁଁ। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ଖର୍ଚ୍ଚ କମ୍‌ ଓ ରୋଜଗାର ଅଧିକ ମିଳିଥାଏ। ତେଣୁ ଆମକୁ ଏହି କ୍ଷେତ୍ର ପାଇଁ ଅଧିକ ପୁଞ୍ଜି ବିନିଯୋଗ କରିବାକୁ ପଡ଼ିବ। ଆସନ୍ତୁ, ସମସ୍ତେ ଓଡ଼ିଆ ଅସ୍ମିତାକୁ କେବଳ ଭାଷାରେ ସୀମିତ ନ ରଖି ବିକଶିତ ଓଡ଼ିଶାରେ ଓଡ଼ିଆ ଅସ୍ମିତାକୁ ଦେଖିବା ଓ ଅନ୍ୟକୁ ଦେଖାଇବା ପାଇଁ ଚେଷ୍ଟା କରିବା।

  • ଡ. ପ୍ରମୋଦ କୁମାର ପଣ୍ଡା
    ପ୍ରଧାନ ବୈଜ୍ଞାନିକ, ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଭୁବନେଶର
    ମୋ: ୮୯୧୭୪୨୬୪୪୦

Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri