ଚନ୍ଦ୍ରପୃଷ୍ଠରେ ଜନବସତ

ଡ. ନରେନ୍ଦ୍ର ସେଠୀ

ଜହ୍ନମାମୁ ଆଡ଼େ ହାତ ଦେଖେଇ ମାଆ ଆମକୁ ପିଲାବେଳେ ଖୁଆଇ ଦେଉଥିବା ସମସ୍ତଙ୍କ ମନେଥିବ। ଜହ୍ନ ଉଭୟ ହିନ୍ଦୁ ଓ ମୁସଲମାନଙ୍କ ଧର୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଛି। ୫୦ ବର୍ଷ ପୂର୍ବେ ଶେଷ ଥର ମଣିଷ ଜହ୍ନ ଉପରେ ପାଦ ରଖିଥିଲା। ବିଜ୍ଞାନର ଅପାର ସଫଳତା ଭିତରେ ଏହା ସବୁଠୁ ବଡ଼ ଐତିହାସିକ ଘଟଣା ଥିଲା କହିଲେ ଭୁଲ୍‌ ହବନି। ସେଦିନ ପରେ ମଣିଷର ଚନ୍ଦ୍ର ବା ଜହ୍ନ ପ୍ରତି ଥିବା କୌତୂହଳ ଅନେକାଂଶରେ ଦୂର ହୋଇଥିଲା ଓ ଏହା ଯେ ପୃଥିବୀ ପରି ମାଟି ପଥରରେ ଗଢ଼ା, ଏହା ଭୂଖଣ୍ଡରୁ କିଛି ଅଧିକ ନୁହେଁ ଜାଣିଲା। ତଥାପି ହିନ୍ଦୁ ଧର୍ମର ଅନେକ ପର୍ବପର୍ବାଣି ଯେମିତି କୁମାର ପୂର୍ଣ୍ଣିମା, ତିଜ୍‌ ଓ ମୁସଲମାନଙ୍କର ଇଦ୍‌ ଓ ରମ୍‌ଜାନରେ ଜହ୍ନର ଧାର୍ମିକ ଗୁରୁତ୍ୱ ଅକ୍ଷୁଣ୍ଣ ରହିଛି ଓ ରହିଥିବ। ତେବେ ପୃଥିବୀ ଉପରେ ସରି ଆସୁଥିବା ପ୍ରାକୃତିକ ସମ୍ପଦ, ପାରମ୍ପରିକ ଇନ୍ଧନ, ଜନସଂଖ୍ୟା ବିସ୍ଫୋଟ, ଖାଦ୍ୟ ସମସ୍ୟା, ଅସ୍ତିତ୍ୱ ଉପରେ ପ୍ରଶ୍ନ ସୃଷ୍ଟି କରୁଥିବା ବୈଶ୍ୱିକ ମହାମାରୀ ଯୋଗୁ ବିଜ୍ଞାନ ସହାୟତାରେ ମଣିଷ ବସତି ସ୍ଥାପନ ପାଇଁ ଅନ୍ୟ ଗ୍ରହ ଉପଗ୍ରହ ଆଡ଼େ ମନ ବଳେଇଛି। ପୃଥିବୀ ବାହାରେ ଜନବସତି ପାଇଁ ମଙ୍ଗଳ ଗ୍ରହ ଓ ଚନ୍ଦ୍ରକୁ ମଣିଷ ବେଶି ନିକଟତର ହୋଇ ବିଚାରକୁ ନେଇଛି। ଯଦିଓ ଏଯାଏ ମଙ୍ଗଳ ଗ୍ରହରେ ମଣିଷ ପାଦ ପଡ଼ିନି ତେବେ ୟା ଭିତରେ ଅନେକ ଦେଶର ବୈଜ୍ଞାନିକ ନିଜ ନିଜ ଜ୍ଞାନ କୌଶଳର ପ୍ରଦର୍ଶନ ସ୍ବରୂପ ଜହ୍ନରେ ଜନବସତି ସ୍ଥାପନ କରିବାକୁ ପ୍ରୟାସ କଲେଣି। ଏପରି କି ଘରୋଇ କମ୍ପାନୀ ସ୍ପେସେକ୍ସ ଚନ୍ଦ୍ର ପୃଷ୍ଠକୁ ଏକ ପର୍ଯ୍ୟଟନ ସ୍ଥଳ ଭାବରେ ବ୍ୟବହାର କରିବାକୁ ଆଗେଇ ଆସିଲାଣି। କିଛି ଲୋକ ଜହ୍ନରେ ଜାଗା କିଣିବାର ଶୁଣିବାକୁ ମିଳେ; ଯାହା ଆନ୍ତର୍ଜାତିକ ମହାକାଶ ଚୁକ୍ତିନାମା ଅନୁଯାୟୀ ଅସମ୍ଭବ। ତେବେ ବୈଜ୍ଞାନିକମାନଙ୍କର ଜହ୍ନ ପ୍ରତି ଏତେ ଆକର୍ଷିତ ହେବାର ଆହୁରି ଅନେକ କାରଣ ମଧ୍ୟ ଅଛି। ସୂଚନାଯୋଗ୍ୟ ଯେ, ଜହ୍ନରେ ମାଧ୍ୟାକର୍ଷଣ ବଳ ପୃଥିବୀଠାରୁ ଛ’ ଗୁଣ କମ୍‌। ଫଳରେ ଏଠି ଇନ୍ଧନ କମ୍‌ ଖର୍ଚ୍ଚ ହେବ ଓ ଗମନା ଗମନ ପାଇଁ ଖର୍ଚ୍ଚ ପୃଥିବୀ ଅପେକ୍ଷା କମ୍‌ ଲାଗିବ। ତା’ ଛଡ଼ା ଖଣିଜ ପଦାର୍ଥର ଉତ୍ତୋଳନ କରି ହେବ। ବଡ଼ ବଡ଼ ସୂଚନା ଉପକରଣ ଲଗେଇ ପୃଥିବୀ ସହିତ ଖୁବ୍‌ ସହଜରେ ଯୋଗାଯୋଗ କରିହେବ। ସାମାନ୍ୟ ମାଧ୍ୟାକର୍ଷଣ ବଳ ଯୋଗୁ ଚନ୍ଦ୍ରପୃଷ୍ଠରୁ ସହଜରେ ମହାକାଶର ଅନ୍ୟ ଗ୍ରହକୁ ଉପଗ୍ରହ ପ୍ରକ୍ଷେପଣ କରିବାରେ ସୁବିଧା ହେବ।
ମହାକାଶରେ ଚନ୍ଦ୍ର ପୃଥିବୀର ସବୁଠୁ ନିକଟରେ ଅବସ୍ଥିତ। ତେଣୁ ସେଠାକୁ ସହଜରେ ଦୈନନ୍ଦିନ ବ୍ୟବହାର ହେଉଥିବା ଜିନିଷ ଯେମିତି ସ୍ପେସ ସୁଟ, ହାଇଡ୍ରୋଫୋନିକ ଯନ୍ତ୍ରାଂଶ, ଔଷଧ, ଫିଉଜନ ରିଆକ୍ଟର, ସୋଲାର ପ୍ୟାନେଲ ଇତ୍ୟାଦି ସହଜରେ ପହଞ୍ଚେଇ ଦିଆଯାଇ ପାରିବ। ତେଣୁ ମହାକାଶରେ ମଣିଷର ପ୍ରଭୁତ୍ୱର ପାଦଚିହ୍ନ ପକେଇବା ପାଇଁ ଖାଦ୍ୟ, ଇନ୍ଧନ, ବାସସ୍ଥାନ ଓ ଆନୁଷଙ୍ଗିକ ବ୍ୟବସ୍ଥା ତିଆରି ଲାଗି ଚନ୍ଦ୍ରପୃଷ୍ଠ ଏକ ଉପଯୁକ୍ତ ସ୍ଥାନ। ଚନ୍ଦ୍ରପୃଷ୍ଠରେ ଅନେକ ପରିମାଣରେ ହିଲିୟମ-୩ ଅଛି; ଯାହା ଭବିଷ୍ୟତରେ ଫିଉଜନ ଶକ୍ତି ଉତ୍ସ ଭାବରେ ବ୍ୟବହାର କରି ହେବ। ଚନ୍ଦ୍ରପୃଷ୍ଠର ମାଟି ନମୁନା ପରୀକ୍ଷା କରି ୟୁରୋପୀୟନ ସ୍ପେସ ଏଜେନ୍ସି ଏଥିରେ ୪୦ରୁ ୪୫% ଅମ୍ଳଜାନ ଥିବାର ପ୍ରମାଣ ପାଇଛି; ଫଳରେ ଜୀବନ ଦାୟୀ ଅମ୍ଳଜାନ ଉତ୍ପାଦନ କରି ଜନବସତି ସ୍ଥାପନ କରିବାରେ ସହାୟକ ହେବ ବୋଲି କୁହାଯାଏ। ଜୀବନ ପାଇଁ ସବୁଠୁ ବଡ଼ ଦରକାରୀ ଜିନିଷ ହେଲା ପାଣି। ଭାରତର ଚନ୍ଦ୍ରାୟନ ମିଶନ ଓ ନାସାର ଲୁନାର ମିଶନ ଜହ୍ନରେ ପାଣି ଥିବାର ସନ୍ଧାନ ପାଇଛନ୍ତି। ଏହା ସତ୍ତ୍ୱେ ମଧ୍ୟ ଚନ୍ଦ୍ରରେ ଜନବସତି ତିଆରି କରି ରହିବା ଏକ ଜଟିଳ ପ୍ରକ୍ରିୟା। ଆସନ୍ତା ଦଶନ୍ଧି ମଧ୍ୟରେ ଚାଇନା, ଆମେରିକା ଓ ରୁଷିଆ ପ୍ରଭୃତି ଦେଶଗୁଡ଼ିକ ନିଜ ନିଜର ମାନବ କଲୋନି ଚନ୍ଦ୍ର ଉପରେ ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ନାସା ଏ ଦିଗରେ ପାଦେ ଆଗକୁ ଯାଇ ୧୫ ମିଲିୟନ ଡଲାରର ଏକ ପାଞ୍ଚ ବର୍ଷିଆ ଗବେଷଣା କାର୍ଯ୍ୟର ମଞ୍ଜୁରୀ ପ୍ରଦାନ କରିଛି। ପ୍ରାରମ୍ଭିକ ସ୍ତରରେ ନାସା ସୂକ୍ଷ୍ମ ଫଙ୍ଗସମାନଙ୍କ ପାଇଁ ଏକ ଘର ତିଆରି କରି ଚନ୍ଦ୍ର ପୃଷ୍ଠରେ ପରୀକ୍ଷାମୂଳକ ଜନବସତି ସ୍ଥାପନ କରିବାକୁ ଯାଉଛି। ଅତି ସହଜରେ ନିର୍ମାଣ କରି ହେଉଥିବା କଇଁଛ ଆକାରର ଏକ ସ୍ବତନ୍ତ୍ର ଘର ମଧ୍ୟ ଡିଜାଇନ କରାଯାଇଛି। ଏହି ଘରେ ପାଣି ଦେଲା ମାନେ ବ୍ୟାକ୍ଟେରିଆ ଓ ଫଙ୍ଗୀମାନେ ବଂଶ ବିସ୍ତାର କରିପାରନ୍ତି। ଏତେ ସବୁ ଦେଶର ଚନ୍ଦ୍ରପୃଷ୍ଠରେ ଜନବସତି ସ୍ଥାପନ କରିବାର ଉଦ୍ଦେଶ୍ୟ ମଧ୍ୟରେ ସବୁଠୁ ବଡ଼ କାରଣ ହେଲା ଗଚ୍ଛିତ ଖଣିଜ ଲବଣକୁ ହାତେଇବା। ୟୁରୋପୀୟନ ସ୍ପେସ ଏଜେନ୍ସି ୨୦୨୫ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ବିରଳ ଖଣିଜ ଲବଣ ଉତ୍ତୋଳନ କରିବାର ଲକ୍ଷ୍ୟ ରଖିଛି। ଏକ ଅନୁମାନରୁ ଜଣାଯାଏ ଯେ, ଚନ୍ଦ୍ରପୃଷ୍ଠରେ ଥିବା ଅପାର ହିଲିୟମ-୩କୁ ପୃଥିବୀକୁ ଅଣାଯାଇ ଆଣବିକ ବିଜୁଳି ଉତ୍ପାଦନ କରାଯାଇପାରିବ; ଫଳରେ ତୀବ୍ର ଗତିରେ ହ୍ରାସ ପାଉଥିବା ପାରମ୍ପରିକ ଇନ୍ଧନ ସମସ୍ୟାର ଏକ ଆଶୁ ଉପାୟ ମିଳିବ। ସବୁଠୁ ବଡ଼ କଥା ହେଲା ଚନ୍ଦ୍ରପୃଷ୍ଠରୁ ପୃଥିବୀକୁ ଉତ୍ତୋଳିତ ଖଣିଜ ଲବଣକୁ ଅତି ସହଜରେ ଲିନିୟର ଆକ୍ସିଲେଟର କିମ୍ବା ହିଲିୟମ-୩ ଆଣବିକ ଶକ୍ତି ଚାଳିତ ଯାନରେ ପହଞ୍ଚେଇ ହେବ। ତେଣୁ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ବସତି ସ୍ଥାପନ କରିବା ପଛରେ ଅପାର ବାଣିଜି୍ୟକ ସମ୍ଭାବନା ମଧ୍ୟ ଅଛି।
ପାଣି ଓ ଅମ୍ଳଜାନ ଭଳି ସୁବିଧା ମିଳିବା ପରେ ମଧ୍ୟ ଜହ୍ନ ଉପରେ ଘର କରିବା କଷ୍ଟକର ବ୍ୟାପାର। ଏଠାରେ ତାପମାତ୍ରା ଦିନରେ ୨୫୦ ଡିଗ୍ରୀ ସେଣ୍ଟିଗ୍ରେଡ ଓ ରାତିରେ -୨୦୦ ଡିଗ୍ରୀ ସେଣ୍ଟିଗ୍ରେଡ ପର୍ଯ୍ୟନ୍ତ ଯାଇଥାଏ। ଛୋଟ ଛୋଟ ଉଲ୍‌କା ପିଣ୍ଡଗୁଡ଼ିକ ଗୁଳି ବେଗରେ ବେଳେ ବେଳେ ଚନ୍ଦ୍ରପୃଷ୍ଠରେ ବର୍ଷିଥାଆନ୍ତି। ଘଣ୍ଟା ଘଣ୍ଟା ଧରି ବଡ଼ ଧରଣର ଭୂମିକମ୍ପ ହୋଇଥାଏ। ଖାଲି ଆଖିରେ ଅନେଇଲେ ଭୟଙ୍କର ବିକିରଣ ସମସ୍ୟାକୁ ସାମ୍ନା କରିବାକୁ ପଡ଼େ। ଏହି ସବୁ ସମସ୍ୟାର ସମାଧାନ କରିବା ପାଇଁ ଏକ ଉପଯୁକ୍ତ ଘର ଡିଜାଇନ କରିବା ବୈଜ୍ଞାନିକମାନଙ୍କର ପ୍ରଥମ ଲକ୍ଷ୍ୟ ହୋଇପଡିଛି; ଯାହା ଭିତରେ ପାଣି, ପବନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଥିବ। କେତେକ ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ଥିବା ମୃତ ଆଗ୍ନେୟଗିରିର ସୁଡ଼ଙ୍ଗକୁ ବାସ ଉପଯୋଗୀ କରିବା ପାଇଁ ଯୁକ୍ତି ମଧ୍ୟ ବାଢ଼ିଛନ୍ତି। ତେବେ ଏକଥା ନିଶ୍ଚିତ ଯେ ଆଗାମୀ ଦଶନ୍ଧି ଭିତରେ ମଣିଷ ତା’ର ପ୍ରଭୁତ୍ୱକୁ ଚନ୍ଦ୍ର ପୃଷ୍ଠ ଉପରେ ଜମେଇ ସାରିଥିବ। ଶେଷରେ ଏତିକି କୁହାଯାଇ ପାରେ ଯେ, ଭବିଷ୍ୟତରେ ଚନ୍ଦ୍ରପୃଷ୍ଠରେ ଅନେକ ଗାଁଗଣ୍ଡା ଗଢ଼ି ଉଠିବ ଓ ଦେଶ ବିଦେଶର ଲୋକ ନିଜର ଅସ୍ଥାୟୀ ବାସ ସ୍ଥାନ ରୂପେ ଚନ୍ଦ୍ରପୃଷ୍ଠକୁ ବାଛି ନେବେ।
ବୈଜ୍ଞାନିକ ଅଧିକାରୀ, ଭାବା ପରମାଣୁ ଗବେଷଣା କେନ୍ଦ୍ର, ପରିବେଶ ନିରୀକ୍ଷଣ ପରୀକ୍ଷାଗାର, ଯାଦୁଗୁଡ଼ା, ପୂର୍ବ ସିଂଭୁମି, ଝାଡ଼ଖଣ୍ଡ, ମୋ-୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri