ହାଟଡିହୀ/ଛେନାପଦୀ,୧୧।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ କେନାଲରେ ଅବ୍ୟବସ୍ଥା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ, ଯାହାଫଳରେ ଚାଷ କାର୍ଯ୍ୟରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଅନେକ ଗ୍ରାମର ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ସମସ୍ୟାର ସମାଧାନ ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।
ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ଶାସଙ୍ଗ, ସୁଲଣ, ଆବୁଲୁପୁରା, ବିରିଡି, ସରଳ, କୋଳିପଦି ପ୍ରଭୃତି ଗ୍ରାମର ବର୍ଷାଜଳ ବଡରମ୍ପାସ କେନାଲରେ ପ୍ରବାହିତ ହେଉଛି। କିନ୍ତୁ କେନାଲରୁ ଜଳ ନିଷ୍କାସନ ହେଉନଥିବାରୁ ବର୍ଷାଜଳ କେନାଲରେ ଘାଇ ସୃଷ୍ଟି କରୁଛି। ଫଳରେ ବର୍ଷାଜଳ ଟୁକୁଣା, ଈଶଳା, ଖସିପୁର, ଓସ୍ତପାଳ, ଧାନଘର, ସଡ଼ଙ୍ଗା, ଇଞ୍ଚୋଳ ଗ୍ରାମର ଚାଷ ଜମିରେ ପ୍ରବାହିତ ହୋଇ ଜମିଗୁଡ଼ିକ ବୁଡ଼ି ଯାଉଛି। ଚାଷ ଜମିରେ ପାଣି ଜମି ରହିବା ସହ ଚାଷ କାର୍ଯ୍ୟ ଆଗେଇ ନେବା କଷ୍ଟକର ହୋଇପଡ଼ିଛି।
ବିଭିନ୍ନ ଗ୍ରାମର ବର୍ଷାଜଳ କେନାଲ ମଧ୍ୟ ଦେଇ ନିଷ୍କାସିତ ହେବାର ବ୍ୟବସ୍ଥା ଥିଲେ ମଧ୍ୟ ଅବରୋଧ ଯୋଗୁ ତାହା ସମ୍ଭବ ହେଉ ନ ଥିବା ଚାଷୀମାନେ କହିଛନ୍ତି। ଏନେଇ ସମ୍ପୃକ୍ତ କେନାଲ ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ହୋଇ ନ ଥିବା ଅଭିଯୋଗ ହୋଇଛି। ତୁରନ୍ତ କେନାଲର ଅବରୋଧ ହଟାଇ ବର୍ଷାଜଳ ନିଷ୍କାସନର ସୁବ୍ୟବସ୍ଥା କରିବା ସହ ଚାଷୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଲଲାଟେନ୍ଦୁ କେଶରୀ ଜେନା, ନଳିନୀ କାନ୍ତ ଧଳ, ତପନ କୁମାର ପ୍ରଧାନ, ରତ୍ନାକର ଜେନା, ମାୟାଧର ମହାନ୍ତି, ହରିହର ଦାସ, ଅକ୍ଷୟ ମଲ୍ଲିକ, ସୁମନ୍ତ ମଲ୍ଲିକ, ବାଇଧର ସେଠୀ, ସୁଦାମ ଶଙ୍ଖୁଆ ପ୍ରମୁଖ ଦାବି କରିଛନ୍ତି।
ଯଦି ଶୀଘ୍ର ସମସ୍ୟାର ସମାଧାନ ନ ହୁଏ, ତେବେ ବୁଧବାର ଚାଷୀମାନେ ପ୍ରତିବାଦ ଏବଂ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ, କେନ୍ଦୁଝର ଜିଲାପାଳ, ଆନନ୍ଦପୁର ଉପଜିଲାପାଳ, ଆନନ୍ଦପୁର ବିଧାୟକ, ଏସ.ଇ ଶାଳପଡା ଏବଂ ନନ୍ଦିପଦା ଥାନା ଅଧିକାରୀଙ୍କୁ ଅବଗତ କରାଯାଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି।