ସାପୁଆ ନଦୀ ପ୍ରଦୂଷଣ ମୁକ୍ତ ଦାବି

ଆଠଗଡ,୪ା୭(ସ୍ବ.ପ୍ର.): ସାପୁଆ ନଦୀକୁ ପ୍ରଦୂଷଣ ମୁକ୍ତ ଓ ଗୋଡ଼ିଝରିଆ ଜଳ ଯୋଗାଣ ପ୍ରକଳ୍ପରୁ ପାନୀୟଜଳ ଯୋଗାଇବାକୁ ଆଠଗଡ କଂଗ୍ରେସ ପକ୍ଷରୁ ଶନିବାର ଦାବି କରାଯାଇଛି। ଏନେଇ ଦଳୀୟ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ସମେତ ତିଗିରିଆ ବ୍ଲକ କଂଗ୍ରେସ ସଭାପତି ସୋମନାଥ ଦାସ, ସୁଦର୍ଶନ ସାହୁ ଓ ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ସାପୁଆ ନଦୀକୁ ପଣସପାଟଣା ଅଞ୍ଚଳର କେତେଜଣ ମଦ ବ୍ୟବସାୟୀ ରାସାୟନିକ ପଦାର୍ଥ ଛାଡି ଜଳକୁ ପ୍ରଦୂଷିତ କରୁଛନ୍ତି। ଫଳରେ ସ୍ଥାନୀୟ ଲୋକେ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି । ଏହି ବିଷାକ୍ତ ପାଣି ପିଇ ଗୋରୁ ମଧ୍ୟ ଅସୁସ୍ଥ ହେଉଛନ୍ତି। ଏହା ବ୍ୟତୀତ ଗୋଡିଝରିଆ ଅଞ୍ଚଳରେ ୩ ବର୍ଷ ହେବ ବସୁଧା ଯୋଜନାରେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଛି। ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି। ଏହାସତ୍ତ୍ୱେ ସ୍ଥାନୀୟ ଲୋକେ ଏହାର ସୁଫଳ ପାଉନାହାନ୍ତି। ତୁରନ୍ତ ସେମାନଙ୍କ ନିକଟରେ ପାନୀୟ ଜଳ ପହଞ୍ଚାଇବା ପାଇଁ ପଦକ୍ଷେପ ନେବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପଠାଯାଇଛି।