ଦାରିଙ୍ଗବାଡି, ୨୮।୪ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚକରେ ଏବେ ଗ୍ରୀଷ୍ମ ପ୍ରବାହ ପ୍ରଭାବରେ ଦେଖାଯାଇଛି ଜଳ ସଙ୍କଟ । ଏକାଧିକ ଗ୍ରାମରେ ଜଳାଭବ ଲାଗିରହିଥିବା ବେଳେ ଏହାର ସମାଧାନ ପାଇଁ ସରକାର ମଧ୍ୟ ଏକାଧିକ ମେଗା ଜଳ ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇଛନ୍ତି। ତେବେ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ ହୋଇନଥିବା ଓ କାର୍ଯ୍ୟ ଜାରି ରହିଥିବା ବେଳେ ଜଳ ପାଇଁ ଲୋକଙ୍କୁ ସଂଘର୍ଷ କରିବାକୁ ପଡୁଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ ୩ ନଂ ୱାର୍ଡ ଝାରମୁଣ୍ଡା ଗ୍ରାମରେ। ପିଇବା ପାଣି ସହ ନିତ୍ୟ ବ୍ୟବହାର ପାଇଁ ଜଳ ଟୋପାଏ ମିଳୁ ନ ଥିବା ବେଳେ ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ପୋଖରୀ ଭରସା ବୋଲି ଗ୍ରାମବାସୀ କହିଛନ୍ତ। ଗାଁରେ ବୈଠକ କରାଯାଇ ନିଷ୍ପତ୍ତି ପ୍ରକାରେ ଗାଁର ଶତାଧିକ ଲୋକ ମଙ୍ଗଳବାର ଏକାଠି ହୋଇ ଉକ୍ତ ପୋଖରୀକୁ ସଫେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ପୋଖରୀରେ ରହିଥିବା ପଙ୍କ, ଦଳ ଓ ଅନାବନା ଗଛକୁ ବାହାର କରିବା ସହ ପୋତି ହୋଇ ରହିଥିବା ପୋଖରୀକୁ ପୁନଃରୁଦ୍ଧାର କାର୍ଯ୍ୟ ନିଜ ପରିଶ୍ରମ ଓ ପାଣ୍ଠିରୁ କରାଯାଉଥିବା ଗ୍ରାମ୍ୟ କମିଟିର ସଭାପତି ଗଣପତି ପ୍ରଧାନୀ କହିଛନ୍ତି।
ଗ୍ରାମରେ ମାତ୍ର ୨ଟି ନଳକୂପ ରହିଛି। ସେଥିରୁ ଗୋଟିଏ ଦୀର୍ଘ ଦିନ ହେଲା ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିବା ବେଳେ ଅନ୍ୟଟିରେ ଜଳ ସ୍ତର କମିଥିବାରୁ ଜଳ ବାହାରୁନାହିଁ। ଫଳରେ ଆଉ କୌଣସି ବିକଳ୍ପ ନ ଥିବାରୁ ଏବେ ଏକମାତ୍ର ଭରସା ପୋଖରୀ। ତାକୁ ଯେମିତି ଯେତେ କଷ୍ଟ ହେଲେ ମଧ୍ୟ ସଫେଇ କରାଯାଇ ଉକ୍ତ ଜଳକୁ ପିଇବା, ଗାଧୋଇବା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବ୍ୟବହାର କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଥିବା ଗ୍ରାମ୍ୟ କମିଟିର ସମ୍ପାଦକ କୃତ୍ତିବାସ ପ୍ରଧାନୀଙ୍କ ସମେତ ବିଶାମିତ୍ର ପ୍ରଧାନୀ,ଅର୍ଜୁନ ପ୍ରଧାନୀ,ସୋମନାଥ ପ୍ରଧାନୀ,
କୃଷ୍ଣ ଚନ୍ଦ୍ର ବିଶିମାଝି ପ୍ରମୁଖ କହିଛନ୍ତି। ଗାଁ ପୋଖରୀକୁ ସଫେଇ କରିବାକୁ ସରକାରଙ୍କ ଏମଜିଏନଆରଇଜିଏସ ଯୋଜନା ରେ ଗାଁ ଲୋକଙ୍କୁ କାର୍ଯ୍ୟ ଯୋଗାଇଦେବାକୁ ଗ୍ରାମବାସୀ ଗାଁ ସାଥୀଙ୍କୁ ନିବେଦନ କରିଥିଲେ ମଧ୍ୟ ଗାଁ ସାଥି କୌଣସି ସହଯୋଗ କରୁନଥିବା ଓ ଆଗାମୀ ଦିନରେ ଗାଁ ସାଥୀଙ୍କୁ କାର୍ଯ୍ୟରୁ ହଟେଇ ନୂତନ ଗାଁ ସାଥୀଙ୍କୁ ନିଯୁକ୍ତି ଦେବାକୁ ଗ୍ରାମ୍ୟ କମିଟି ଜିଲା ପ୍ରଶାସନ ନିକଟରେ ଦାବି କରିବ ବୋଲି ଗାଁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଗ୍ରାମ୍ୟ କମିଟି ସଭାପତି ଗଣପତି ପ୍ରଧାନୀ କହିଛନ୍ତି।
Dharitri – Odisha’s No.1 Odia Daily