Categories: ଖେଳ

ପୋଲିସ୍‌ ଶିଲ୍ଡ: ଅର୍ଜୁନ ତେନ୍ଦୁଲକରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ

ମୁମ୍ବାଇ,୧୫।୨(ପି.ଟି.): ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ଆନୁକୂଲ୍ୟରେ ଏଠାରେ ଚାଲିଥିବା ୭୩ତମ ପୋଲିସ ଆମନ୍ତ୍ରଣୀୟ ଶିଲ୍ଡ କ୍ରିକେଟ ଟୁର୍ନାମେଣ୍ଟରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ରାଉଣ୍ଡ ଗ୍ରୁପ୍‌ ଏ’ ମ୍ୟାଚ୍‌ରେ କ୍ରିକେଟ ଆଇକନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଉଭୟ ବ୍ୟାଟ ଓ ବଲ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ନିଜ ଦଳ ଏମ୍‌ଆଇଜି କ୍ରିକେଟ କ୍ଲବକୁ ବିଜୟୀ କରାଇଛନ୍ତି। ଏହି ମ୍ୟାଚ୍‌ରେ ଏମ୍‌ଆଇଜି ୧୯୪ ରନରେ ଇସ୍‌ଲାମ ଜିମ୍‌ଖାନ୍ନାକୁ ପରାସ୍ତ କରିଛି। ଅର୍ଜୁନ ଏହି ମ୍ୟାଚ୍‌ରେ ୩୧ ବଲରୁ ଦ୍ରୁତ ଅପରାଜିତ ୭୭ ରନ କରିବା ସହ ୪୧ ରନ ଦେଇ ମୂଲ୍ୟବାନ ୩ ଉଇକେଟ ଅକ୍ତିଆର କରିଥିଲେ।
୨୧ ବର୍ଷୀୟ ଅର୍ଜୁନ ତାଙ୍କ ଇନିଂସରେ ୫ଟି ଚୌକା ଓ ୮ଟି ଛକା ମାରିଥିଲେ। ଅଫ୍‌ ସ୍ପିନର ହସିର ଦାଫେଦାରଙ୍କ ଗୋଟିଏ ଓଭରରେ ସେ ୫ଟି ଛକା ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏମ୍‌ଆଇଜି ପ୍ରଥମେ ବ୍ୟାଟିଂ କରି ୪୫ ଓଭରରେ ୭ ଉଇକେଟ ହରାଇ ୩୮୫ ରନ ସଂଗ୍ରହ କରିଥିଲା। ଜବାବରେ ଜିମ୍‌ଖାନା ୪୧.୫ ଓଭରରେ ୧୯୧ ରନ କରି ଅଲଆଉଟ ହୋଇଥିଲା। ବୋଲିଂରେ ବିଜୟୀ ଦଳ ତରଫରୁ ଅଙ୍କୁଶ ଜୟସ୍ବାଲ, ଶ୍ରେୟାସ ଗୌରବ ଓ ଅର୍ଜୁନ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। କିଛି ଦିନ ତଳେ ଅର୍ଜୁନ ମୁମ୍ବାଇ ତରଫରୁ ସୟଦ ମୁସ୍ତାକ ଅଲି ଟ୍ରଫିରେ ପଦାର୍ପଣ କରିଥିଲେ। ସେ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣ ପାଇଁ ଆୟୋଜନ ହେବାକୁ ଥିବା ଖେଳାଳି ନିଲାମ ତାଲିକାରେ ସ୍ଥାନ ପାଇଛନ୍ତି। ଚେନ୍ନାଇରେ ଆସନ୍ତା ୧୮ ତାରିଖରେ ନିଲାମ ଆୟୋଜନ ହେବ। ପୂର୍ବରୁ ମଧ୍ୟ ଅର୍ଜୁନ ଭାରତୀୟ ଜାତୀୟ ଦଳ ପାଇଁ ନେଟ୍ସରେ ବୋଲିଂ କରିବାର ସୁଯୋଗ ପାଇଥିଲେ। ସେ ୧୯ ବର୍ଷରୁ କମ୍‌ ଦଳ ସହ ଶ୍ରୀଲଙ୍କା ଗସ୍ତ କରିଥିଲେ।

Share