ବଞ୍ଚୋ,୧।୬(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ସରକାରୀ ବସ୍ଷ୍ଟାଣ୍ଡ ନିକଟରେ ଦୀର୍ଘଦିନ ଧରି ବେଆଇନ ଭାବେ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଆନନ୍ଦପୁର ପୋଲିସ ଚଢ଼ାଉ କରି ଘଟଣାରେ ସମ୍ପୃକ୍ତ ଦନେଇ ଓରଫ ମହେଶ୍ୱର ରାମ(୬୫)ଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ମୁତାବକ, ବସ୍ଷ୍ଟାଣ୍ଡ ନିକଟରେ ଏକ ଦୋକାନ ଖୋଲି ବେଆଇନ ଭାବେ ମଦ ବିକ୍ରି କରାଯାଉଥିଲା। ଫଳରେ ବସ୍ ଚାଳକଙ୍କୁଠାରୁ ଆରମ୍ଭ କରି କଣ୍ଡକ୍ଟରଙ୍କ ସହ ଯୁବଗୋଷ୍ଠୀ ମଦ୍ୟପାନ କରୁଥିଲେ। ଏନେଇ ଯାତ୍ରୀଙ୍କ ସହ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ଅସାମାଜିକ କାର୍ଯ୍ୟକଳାପ ବଢିବାରେ ଲାଗିଥିଲା।
ଅଭିଯୋଗ ପରେ ଆନନ୍ଦପୁର ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ଚଢ଼ାଉ କରି ଅଭିଯୁକ୍ତ ଦନେଇଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ତଦନ୍ତ ବେଳେ ପୋଲିସ ତାଙ୍କ ନିକଟରୁ ୨.୫ ଲିଟର ବିଦେଶୀ ମଦ ଜବତ କରିଛି।
କୌଣସି ବୈଧ ଅନୁମତି ନ ଥାଇ ସାର୍ବଜନିକ ସ୍ଥାନରେ ମଦ ଗଚ୍ଛିତ ରଖି ବିକ୍ରି କରୁଥିବା ଏବଂ ଆଇନ ଉଲ୍ଲଂଘନ ଅଭିଯୋଗରେ ଆନନ୍ଦପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଆନନ୍ଦପୁର ଏସ୍ଡିପିଓ କମଳ ଲୋଚନ ପଣ୍ଡା କହିଛନ୍ତି।

