ମୋହନା,୧।୬ (ମନ୍ମଥ ମିଶ୍ର): ମୁକୁଳା ଭାବେ ପଡ଼ିଥିବା ବିଏସଏନଏଲ୍ ତାର ନେଲା ଜଣେ ମହିଳାଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର.ଉଦୟଗିରି ଥାନା ଅନ୍ତର୍ଗତ କେ.ଏମ.ଭାଲିଆସାହି ମୁଖ୍ୟ ରାସ୍ତାରେ।
ସୂଚନା ଅନୁଯାୟୀ, ରା.ଉଦୟଗିରି ଥାନା ଅନ୍ତର୍ଗତ ଝାଡ଼ପଡା ଗ୍ରାମର ବିପ୍ର କାର୍ଜିଙ୍କ ସ୍ତ୍ରୀ ଇନ୍ଦିରା ବେହେରଦଳାଇ ସହ ଗ୍ରାମର କିଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଖାତା ନୂତନ ଭାବେ ଖୋଲିବା ପାଇଁ ଛେଳିଗଡ଼ ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କକୁ ଯାଉଥିଲେ।
ଇନ୍ଦିରା ଅନ୍ୟ ଏକ ବାଇକ୍ରେ ଯାଉଥିବା ସମୟରେ ରାସ୍ତା କୋଡ଼ରେ ମୁକୁଳା ଭାବେ ପଡ଼ିଥିବା ବିଏସଏନଏଲ୍ ତାର ବାଇକ୍କୁ ଲାଗି କୌଣସି କାରଣରୁ ରାସ୍ତା ମଝିକୁ ଉଠିଆସିଥିଲା। ଏହି ସମୟରେ ଇନ୍ଦିରାଙ୍କ ବାଇକ୍ ଆଗକୁ ବଢ଼ୁଥିବାବେଳେ ହଟାତ୍ ସେହି ତାର ତାଙ୍କ ବେକକୁ ଲାଗିଯାଇଥିଲା।
ଫଳରେ ସେ ରାସ୍ତାରେ ପଡ଼ିଯାଇ ମୁଣ୍ଡରେ ଗୁରୁତର ଆଘାତ ପାଇଥିଲେ। ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଛେଳିଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ଲକ୍ଷ୍ମୀକାନ୍ତ ଚାନ୍ଦ ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାସ୍ଥଳରେ ଆର.ଉଦୟଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଥାପି ଯେଉଁ ସ୍ଥାନରେ ତାରଟି ପଡ଼ିଥିଲା, ସେଠାକୁ ଏପର୍ଯ୍ୟନ୍ତ ଠିକାଦାର କିମ୍ବା ବିଏସଏନଏଲ୍ କର୍ମଚାରୀମାନେ ପହଞ୍ଚିନାହାନ୍ତି।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଇଥିବା ବେଳେଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ ଏପରି ଅବହେଳା ନ ହେବାକୁ ଦାବି ଉଠିଛି।

