ଦାରିଙ୍ଗବାଡି, ୧।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଭ୍ରମରବାଡ଼ି ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଟ୍ରାକ୍ଟରରୁ ଖସି ଜଣେ ୪ ବର୍ଷ ଶିଶୁର ଜୀବନ ଚାଲିଯାଇଥିବା ଥାନାରେ ଅଭିଯୋଗ ହୋଇଛି । ମୃତ ଶିଶୁ ହେଲେ ଭ୍ରମରବାଡ଼ି ଗ୍ରାମର ମନୋରଞ୍ଜନ ପ୍ରଧାନଙ୍କ ପୁଅ ମନୁ (୪ )ବୋଲି ଜଣାପଡିଛି ।
ପ୍ରକାଶ ଯେ, ମନୁଙ୍କ ସମ୍ପର୍କୀୟ ଟ୍ରାକ୍ଟର ଚଳାଉଛନ୍ତି ସେ ଯେଉଁ ଟ୍ରାକ୍ଟର ଚଳାଉଛନ୍ତି ସେଥିରେ କିଛି କାର୍ଯ୍ୟକରୁଥିବାବେଳେ ଶିଶୁ ଜଣଙ୍କ ଟ୍ରାକ୍ଟରରେ ଚଢି ଖେଳୁଥିଲେ। ଏହି ସମୟରେ ତାଙ୍କ ଗୋଡ଼ ଖସି ଯିବାରୁ ସେ ପଡିଯାଇଥିଲେ। ପରିବାର ଲୋକ ଦାରିଙ୍ଗବାଡି ଆମ୍ବୁଲାନ୍ସ ଡକାଇଥିଲେ, କିନ୍ତୁ ଆମ୍ବୁଲାନ୍ସ ନ ଥିବାରୁ ଅଗ୍ନିଶମ ବିଭାଗକୁ ଡାକି ଗୁରୁତର ଅବସ୍ଥାରେ ମନୁଙ୍କୁ ଦାରିଙ୍ଗବାଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଥାନାକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଆଇଆଇସି ସଂଗ୍ରାମ କେଶରୀ ଜେନା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶିଶୁଙ୍କ ମୃତଦେହ ଜବତ କରିବା ସହ କିଭଳି ଘଟଣାଟି ଘଟିଛି ତାର ତଦନ୍ତ ଆରମ୍ଭ କରିଛନ୍ତି। ଶିଶୁଙ୍କ ପରିବାର ଓ ଗ୍ରାମବାସୀଙ୍କୁ ପଚରାଉଚରା କରୁଛି ପୋଲିସ।
Dharitri – Odisha’s No.1 Odia Daily

