ଛତ୍ରପୁର, ୨୩ା୧୦ (ଦିଲ୍ଲୀପ ସାମଲ): ପାର୍ବଣ ଋତୁରେ ବେଆଇନ ଜୁଆ ଖେଳ ଉପରେ ଗଞ୍ଜାମ ପୋଲିସର ଚଢ଼ାଉ ଜାରି ରହିଛି। ଗଞ୍ଜାମ ପୋଲିସ ଜିଲ୍ଲାର ୨୧ଟି ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୪୨ଟି ଜୁଆ ଆଡ୍ଡା ଠାବ କରାଯାଇଛି। ଏହି ଚଢ଼ାଉରେ ୨୫୦ ଜଣ ଜୁଆଡ଼ିଙ୍କୁ ଗିରଫ କରାଯିବା ସହ ୭ ଲକ୍ଷ ୯ ହଜାର ୮୭୧ ଟଙ୍କା ଜବତ କରାଯାଇଛି। ଏଥିସହ ୬୯ଟି ମୋବାଇଲ ଫୋନ୍ ଓ ୧୧ଟି ବାଇକ୍ ଜବତ ହୋଇଛି।
ପାର୍ବଣ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଜୁଆ ଖେଳ ଚାଲୁଥିବା ଖବର ପାଇ ପୋଲିସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଭଞ୍ଜନଗର ଥାନା ପକ୍ଷରୁ ସର୍ବାଧିକ ୫ଟି ସ୍ଥାନରେ ଚଢ଼ାଉ କରାଯାଇ ୨୯ ଜଣଙ୍କୁ ଗିରଫ କରାଯାଇଛି।
ସେହିପରି ଗତ ତିନି ଦିନ ମଧ୍ୟରେ ଗଞ୍ଜାମ ପୋଲିସ ଜିଲ୍ଲାରେ ମୋଟ ୭୯ଟି ଜୁଆ ଆଡ୍ଡାରେ ଚଢ଼ାଉ କରାଯାଇ ୪୪୦ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ଏହି ଚଢ଼ାଉରେ ମୋଟ ୧୧ ଲକ୍ଷ ୬୪ ହଜାର ୯୩୬ ଟଙ୍କା, ୧୧୩ଟି ମୋବାଇଲ ଫୋନ୍ ଓ ୨୫ଟି ଗାଡ଼ି ଜବତ କରାଯାଇଛି।
ବେଆଇନ ଜୁଆ ଖେଳ ରୋକିବା ପାଇଁ ଗଞ୍ଜାମ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି।

