Posted inଜାତୀୟ

ପୋଲିସ ବର୍ବରତା ଥମୁନାହିଁ

ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ), ୬ା୭ : ଏକ ସଭ୍ୟ ସମାଜର ପରିଚୟ ହେଉଛି ଏହାର ପ୍ରଭାବୀ ବିଚାର ଓ ପୋଲିସ ବ୍ୟବସ୍ଥା। ଯେତେବେଳେ ଦେଶରେ ଜଙ୍ଗଲରାଜ ଚାଲିଛି ବୋଲି କୁହାଯିବ ସେତେବେଳେ ବୁଝିବାକୁ ପଡ଼ିବ ଯେ ପୋଲିସର ନିଷ୍କ୍ରିୟତା ଓ କଚେରୀର ଅପାରଗତା ରହିଛି। ଏହାର ବଳିଷ୍ଠ ପ୍ରମାଣ ସାମ୍ପ୍ରତିକ ସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡ଼େ। ଉତ୍ତରପ୍ରଦେଶର କାନପୁରରେ ଶୁକ୍ରବାର ଭୋର ସମୟରେ ଅପରାଧୀଙ୍କ ଅତର୍କିତ ଆକ୍ରମଣରେ ଜଣେ ଡିଏସ୍‌ପିଙ୍କ ସମେତ ୮ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣ ପଛରେ ପୋଲିସ ଦାୟୀ ବୋଲି ଜଣାପଡ଼ିବା ପରେ ପୋଲିସ ବାହିନୀର ଭୂମିକା ସନ୍ଦେହ ଘେରକୁ ଟାଣି ହୋଇଯାଇଛି। ସେହିପରି ଦିଲ୍ଲୀରେ ଜଣେ ଓଡ଼ିଆ ଆଇପିଏସ୍‌ ଅଫିସର କମିଶନର ପଦବୀରେ ଥିବା ସମୟରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା। ସେଥିରେ ପୋଲିସର ଅପାରଗତା ଯୋଗୁ କେବଳ ଯେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ମୃତାହତ ହୋଇଥିଲେ ତାହା ନୁହେଁ, ବରଂ ହିନ୍ଦୁମାନଙ୍କ ମଧ୍ୟ ଜୀବନ ଯାଇଥିଲା। ଏହିସବୁ ଘଟଣାରୁ ଗୋଟିଏ କଥା ସ୍ପଷ୍ଟ ମନେହୁଏ ଯେ ପୋଲିସ ନିଜ ସୁରକ୍ଷା ପାଇଁ ଯେଉଁ ଅପରାଧୀମାନଙ୍କୁ ପ୍ରଶ୍ରୟ ଦେଉଛି, ସେହି ଅପରାଧୀଙ୍କ ଦ୍ୱାରା ନିଜେ ଖାଲରେ ପଡ଼ୁଛି। କାନପୁର ଘଟଣା ଏହାର ବଳିଷ୍ଠ ପ୍ରମାଣ ଦେଉଛି। ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ପରିସରରେ ଜଣେ ନାବାଳିକାଙ୍କୁ ଖୋଦ୍‌ ଥାନା ଅଧିକାରୀ ଓ ତାଙ୍କ ସହକର୍ମୀମାନେ ବଳାତ୍କାର କରିବା ହେଉ ଅଥବା ତାମିଲନାଡୁର ଟୁଟିକୋରିନରେ ମୋବାଇଲ ଦୋକାନୀ ବାପପୁଅଙ୍କୁ ପୋଲିସ ପିଟି ପିଟି ମାରିଦେବା ଗୋଟିଏ ଗୋଟିଏ କଳଙ୍କିତ ଅଧ୍ୟାୟ। ରାଜ୍ୟ ତଥା ଦେଶରେ ଏଭଳି ବିଡ଼ମ୍ବନାର ମାଳ ମାଳ ଦୃଷ୍ଟାନ୍ତ ରହିଛି, ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେବା ପାଇଁ ଯଥେଷ୍ଟ। ସେହିପରି ଆମେରିକାର ମିନିଆପଲିସରେ କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କୁ ଜଣେ ପୋଲିସ ଅଧିକାରୀ ମୃତ୍ୟୁ ପର୍ଯ୍ୟନ୍ତ ଆଣ୍ଠୁରେ ଚାପିରଖି ହାଜତ ବର୍ବରତାର ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି, ଯେଉଁଠୁ ମୁଣ୍ଡ ଟେକିଛି ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ।
ଓଡ଼ିଶା କଥା ବିଚାର କଲେ ଜଣାଯାଏ ଯେ ବିଗତ ୧୦ ବର୍ଷ ମଧ୍ୟରେ ଆମ ରାଜ୍ୟର ପୋଲିସ ହାଜତରେ ୪୩ ଜଣ ବିଚାରାଧୀନ ବନ୍ଦୀ ନିର୍ଯାତନାର ଶିକାର ହୋଇ ପ୍ରାଣ ହରାଇଛନ୍ତି। ସେହିପରି ଏହି ଅବଧି ମଧ୍ୟରେ ପୋଲିସ ସହ ଗୁଳି ବିନିମୟ ବେଳେ ୧୬୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୧୮୭ ଜଣ ଆହତ ହୋଇଥିବା ବିଷୟ ଗତ ନଭେମ୍ବର ୨୫ରେ ବିଧାନସଭାରେ ରାଜ୍ୟ ସରକାର ସ୍ବୀକାର କରିଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସରେ ମହାମାରୀ କରୋନା ଭୂତାଣୁ ରାଜ୍ୟକୁ କବଳିତ କରିଥିବାବେଳେ ଏହାର ମୁକାବିଲା ପାଇଁ ଲକ୍‌ଡାଉନ ଘୋଷଣା କରାଯାଇଥିଲା। ମାର୍ଚ୍ଚ ୨୫ରେ ଓଡ଼ିଶା ପୋଲିସରେ ନିୟୋଜିତ ଦୁଇ ଜଣ ଅଧିକାରୀ ବର୍ବରତାର ସୀମା ଲଂଘିଥିଲେ। କେନ୍ଦୁଝର ଜିଲା ପାଟଣା ଥାନାକୁ ଜମି ସଂକ୍ରାନ୍ତ ଏକ ମାମଲାର ସମାଧାନ ପାଇଁ ରାଜୁ ମହାନ୍ତି ନାମକ ଜଣେ ଯୁବକ ଯାଇଥିଲେ। ଥାନା ଭିତରେ ଆଇଆଇସି ସନ୍ଧ୍ୟାରାଣୀ ଜେନା ତାଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରୁଥିବା ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମେ’ ୨୩ରେ ତାଙ୍କୁ ନିଲମ୍ବନ କରାଯାଇଛି। ସେହି ମାର୍ଚ୍ଚ ୨୫ ତାରିଖରେ ଜଣେ ୧୩ ବର୍ଷୀୟା ଝିଅ ମେଳା ଦେଖିବାକୁ ବୀରମିତ୍ରପୁର ଯାଇଥିଲେ। କରୋନା କଟକଣା ପାଇଁ ମେଳା ବନ୍ଦ ହୋଇଯାଇଥିଲା ଓ ସେ ଗାଁକୁ ଫେରି ପାରି ନଥିଲେ। ପାଟ୍ରୋଲିଂରେ ଥିବା ପୋଲିସ ତାଙ୍କୁ ଆଣି ଥାନାରେ ଅଟକ ରଖିଥିଲା। ଅଭିଯୋଗ ଅନୁଯାୟୀ, ସେଦିନ ରାତିରେ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝି ନାବାଳିକାଙ୍କୁ ବଳାତ୍କାର କରିଥିଲେ। ପରଦିନ ନାବାଳିକାଙ୍କୁ ତାଙ୍କ ଘରକୁ ନେଇ ଛାଡ଼ି ଦିଆଯାଇଥିଲା। କିନ୍ତୁ ବିନା କାରଣରେ ୩ ମାସ ପର୍ଯ୍ୟନ୍ତ ସମ୍ପୃକ୍ତ ନାବାଳିକାଙ୍କୁ ନିୟମିତ ଭାବେ ବୀରମିତ୍ରପୁର ଥାନାକୁ ଡକାଯାଇ ଉପର ମହଲାରେ ରହିବାକୁ ଦିଆଯାଉଥିଲା। ଥାନା ବାବୁଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିଲେ। ପରବର୍ତ୍ତୀ ସମୟରେ ସେ ଅସୁସ୍ଥ ହୋଇପଡ଼ିବାରୁ ଡାକ୍ତରଖାନାକୁ ଯାଇଥିଲେ। ଏକଥା ଜଣାପଡ଼ିବା ପରେ ଥାନାବାବୁ ତାଙ୍କର ଗର୍ଭପାତ କରାଇଥିଲେ।

ଫେରାର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝିଙ୍କୁ ଜୁନ ୧ରେ ଚାକିରିରୁ ବହିଷ୍କାର କରାଗଲା। ସେହିଦିନ ଅନୁଗୋଳ ଜିଲା ଇଚ୍ଛାପୁର ଜଙ୍ଗଲ ଭିତରୁ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ପୋଲିସ ବର୍ବରତା ଓ ଏହାକୁ ନେଇ ଖାକି ପୋଷାକରେ ଲାଗୁଥିବା କେତେକ ଦିଗ ସମ୍ପର୍କରେ ଏଠାରେ ଅବତାରଣା କରାଗଲା।
ଖରାପ ଲୋକଙ୍କୁ ମାଡ଼ ମାରୁଥିବା ପୋଲିସକୁ ଆମ ଦେଶରେ ସବୁଠୁ ଭଲ ପୋଲିସ ବୋଲି ମନେକରାଯାଏ। ପୋଲିସ ଅଫିସର ଯେତେ ରାଗି ଓ ହିଂସ୍ର ହୋଇଥିବେ ତାଙ୍କୁ ସେତିକି ସଚ୍ଚୋଟ ବୋଲି ଅଧିକାଂଶ ଲୋକ ଧରିନିଅନ୍ତି। ପପ୍‌ କଲ୍‌ଚରର ଚିତ୍ରଣରେ ଏପରି ପୋଲିସ କର୍ମଚାରୀଙ୍କୁ ପ୍ରଶଂସା କରାଯାଇଥାଏ। ନ୍ୟାୟ ପାଇଁ ପୋଲିସର ବର୍ବରତାକୁ ଉଚିତ ପଦକ୍ଷେପ ବୋଲି କୁହାଯାଏ। ଟୁଟିକୋରିନର ବାପପୁଅ ଜୟରାଜ (୫୯) ଓ ବେନିକ୍ସ (୩୧)ଙ୍କ ହାଜତ ନିର୍ଯାତନା ଏବଂ ମୃତ୍ୟୁ ସେହି ସଂସ୍କୃତିର କେବଳ ଏକ ପରିଣାମ, ଯାହାକି ଭାରତୀୟ ପୋଲିସ ବ୍ୟବସ୍ଥାରେ ଦୀର୍ଘସ୍ଥାୟୀ ଭାବେ ମଜ୍ଜି ରହିଛି। ୨୦୧୯ରେ ହାଜତ ନିର୍ଯାତନା ଯୋଗୁ ଭାରତରେ ୧,୭୩୧ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୮ରେ ଏହି ସଂଖ୍ୟା ୧,୯୬୬କୁ ବୃଦ୍ଧି ପାଇଥିବା ନେଇ କେତେକ ବେସରକାରୀ ସଙ୍ଗଠନ (ଏନ୍‌ଜିଓ) ପକ୍ଷରୁ ପ୍ରକାଶିତ ‘ଇଣ୍ଡିଆ: ଆନୁଆଲ୍‌ ରିପୋର୍ଟ ଅନ୍‌ ଟର୍ଚର’ରେ ଉଲ୍ଲେଖ କରାଯାଇଛି। ଏହାସତ୍ତ୍ୱେ ପୋଲିସର ତଥାକଥିତ ‘ତ୍ୱରିତ ନ୍ୟାୟ’କୁ ନେଇ ନାଗରିକମାନେ ଖୁସି ବ୍ୟକ୍ତ କରିଥାନ୍ତି। ଗରିବ ଓ ନୀଚ ଜାତିର ତଥା ପୋଲିସକୁ ଲାଞ୍ଚ ଦେବାରେ ଅକ୍ଷମ ଲୋକେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ଶିକାର ହେଉଥିବାବେଳେ ଆମେ ପୋଲିସକୁ ସମର୍ଥନ କରି କିମ୍ବା ନୀରବ ରହି ଏପରି ଅବାଞ୍ଛତ୍ତ ସଂସ୍କୃତିକୁ ଆଗକୁ ବଢ଼ାଇବାରେ ବଡ଼ ଭୂମିକା ନେଉଥାଉ।
ପୋଲିସ ଅତ୍ୟାଚାରକୁ ସାବାସି
ଲକ୍‌ଡାଉନ୍‌ ଆରମ୍ଭରେ ପରିବାର ସଦସ୍ୟମାନେ ଘରେ ବସି ଉଲ୍ଲଂଘନକାରୀଙ୍କୁ ପୋଲିସ ଦଣ୍ଡିତ କରୁଥିବା ଦୃଶ୍ୟ ଥିବା ଭିଡିଓ ଏବଂ କ୍ଲିପ୍‌ଗୁଡ଼ିକୁ ଦେଖୁଥିଲେ। ଅନେକ ରାସ୍ତାକଡ଼ ଦୋକାନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ‘ଅତ୍ୟାବଶ୍ୟକ ସାମଗ୍ରୀ’ ଭାବେ ବର୍ଗୀକୃତ କ୍ଷୀର ଓ ପରିବା କିଣିବା ପାଇଁ ବାହାରକୁ ଆସିଥିବା ଲୋକେ ପୋଲିସଠାରୁ ମାଡ଼ ଖାଇଥିଲେ। ପୋଲିସ ଗରିବ ଲୋକଙ୍କ ଉପରେ ବଳ କଷୁଥିବାବେଳେ ମିଡିଆ ଓ ଜନସାଧାରଣ ଖୁସି ହୋଇଯାଉଥିଲେ। ଲାଠିବର୍ଷା ସହ ବେଙ୍ଗ ଭଳି ଉଠବସ କରାଉଥିବା ପୋଲିସକୁ ମନେମନେ ପ୍ରଶଂସା କରି ଆନନ୍ଦ ପାଉଥିଲେ। ସୋସିଆଲ ମିଡିଆରେ ଲୋକେ କମେଣ୍ଟ ଦେଉଥିଲେ, ଏଭଳି ଲୋକଙ୍କ ସହ ଏପରି ବ୍ୟବହାର କରାଯିବା ଦରକାର। କମେଣ୍ଟ ଦେବାବେଳେ କେହି ଭାବି ନ ଥାନ୍ତି ଯେ, ଏଭଳି ସମର୍ଥନ ଯୋଗୁ ଦିନେ ସେ ନିଜେ ମଧ୍ୟ ପୋଲିସ ବର୍ବରତାର ଶିକାର ହେବେ। ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବା ଥାର୍ଡ ଡିଗ୍ରୀକୁ ଅନେକେ ଯଥାର୍ଥ ବୋଲି ଅଭିହିତ କରୁଥିଲେ। ସେମାନଙ୍କ ଭାଷାରେ ପୋଲିସ ତା’ କାମ (ଡ୍ୟୁଟି) କରୁଛି।
ଭାରତରେ ନ୍ୟାୟର ଧାରଣା ହିଂସା ଉପରେ ପର୍ଯ୍ୟବସିତ। ଅଭିଯୁକ୍ତଙ୍କୁ ସର୍ବସାଧାରଣରେ ଝୁଲାଇଦେବା ପାଇଁ ଦାବି କରିବା ଏହାର ପ୍ରମାଣ ଦିଏ। ଅପରାଧୀମାନଙ୍କୁ ଉଚିତ ଶିକ୍ଷା ଦେବା ଲାଗି ପୋଲିସ ମଧ୍ୟ ସମାନ ଭାବେ ମତପୋଷଣ କରିଥାଏ। ସେତେବେଳେ ଅପରାଧୀଙ୍କୁ ନିର୍ଦ୍ଧାରିତ ନ୍ୟାୟିକ ପ୍ରକ୍ରିୟା ତୁଚ୍ଛ ହୋଇଯାଏ ଓ କଠୋର ଶାସ୍ତି ଦିଆଯାଏ। ୨୦୧୯ ଡିସେମ୍ବରରେ ହାଇଦ୍ରାବାଦ ବଳାତ୍କାର ଓ ହତ୍ୟା ମାମଲାରେ ତେଲଙ୍ଗାନା ପୋଲିସର ଗୁଳିମାଡ଼ରେ ୪ ଅଭିଯୁକ୍ତ ଟଳିପଡ଼ିଥିଲେ। ଏହାକୁ ନେଇ ସାରା ଦେଶରେ ପୋଲିସକୁ ଖୁବ୍‌ ସାବାସି ମିଳିଥିଲା।
‘ସେମାନଙ୍କୁ ଶିକ୍ଷା ଦିଅ’
କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧୀ ବିକ୍ଷୋଭ ଭାରତୀୟ ପୋଲିସକୁ ନିଜର ବର୍ବର ଚେହେରା ସାମ୍ନାକୁ ଆଣିବା ପାଇଁ ପୂରା ସୁଯୋଗ ଦେଇଥିଲା। ଲାଠିଚାର୍ଜ ଓ ହାଜତ ନିର୍ଯାତନା ଏକ ନିୟମ ପାଲଟିଯାଇଥିଲା। ବିଶ୍ୱବିଦ୍ୟାଳୟଗୁଡ଼ିକର ଛାତ୍ରୀଛାତ୍ରଙ୍କଠାରୁ ନେଇ ରାଜରାସ୍ତାରେ ନାଗରିକଙ୍କ ପର୍ଯ୍ୟନ୍ତ କେହି ଛାଡ଼ ପାଇ ନ ଥିଲେ। ଦିଲ୍ଲୀ ପୋଲିସ ଯେତେବେଳେ ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭର୍ସିଟିକୁ ପ୍ରବେଶ କରି ଏକ ଲାଇବ୍ରେରିରେ ଛାତ୍ରୀଛାତ୍ରଙ୍କୁ ପିଟୁଥିଲା, ସେତେବେଳେ ଅନେକ ଲୋକ ଉକ୍ତ ଦୃଶ୍ୟକୁ ଉପଭୋଗ କରୁଥିଲେ। କାରଣ ସେମାନଙ୍କ ମତରେ ପୋଲିସ ‘ଦେଶବିରୋଧୀମାନଙ୍କୁ ଏକ ‘ଶିକ୍ଷା’ ଦେଉଥିଲା। ସେହି ସମୟରେ କଂଗ୍ରେସ କର୍ମୀ ଓ ସୋସିଆଲ ଆକ୍ଟିଭିଷ୍ଟ ସଦଫ ଜାଫରଙ୍କୁ ହାଜତ ଭିତରେ ପୋଲିସ ନିର୍ଯାତନା ଦେଉଥିବାବେଳେ ତାଙ୍କୁ ଜନ ସମର୍ଥନ ମିଳି ନ ଥିଲା। ଉତ୍ତର-ପୂର୍ବ ଦିଲ୍ଲୀରେ ଦଙ୍ଗାବେଳେ ୫ ଜଣ ଆହତ ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ଜାତୀୟ ସଙ୍ଗୀତ ଗାନ କରିବାକୁ ବାଧ୍ୟ କରୁଥିବାବେଳର ବହୁଳ ପ୍ରସାରିତ ଭିଡିଓରେ ହୃଦୟ ବିଦାରକ ଦୃଶ୍ୟକୁ ଅନେକେ ମନେରଖିଥିବେ। ସେମାନଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିଲେ। କିନ୍ତୁ ୪ ମାସ ପରେ ବି କେହି ଜଣେ ହେଲେ ପୋଲିସ ଅଧିକାରୀଙ୍କୁ ଏହି ଅପରାଧ ପାଇଁ ଦାୟୀ କରାଯାଇ ନାହିଁ। ଭାରତରେ ଅନୂ୍ୟନ ୩୧ ଜଣ ସିଏଏ ବିରୋଧୀ ବିକ୍ଷୋଭକାରୀଙ୍କ ହିଂସାରେ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ବୟସ ମାତ୍ର ୧୭ ବର୍ଷ। ତାଙ୍କୁ ପୋଲିସ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଉତ୍ତର ପ୍ରଦେଶ ପୋଲିସ କାନପୁରରେ ବିକ୍ଷୋଭକାରୀମାନଙ୍କୁ ଗୁଳି କରୁଥିବାବେଳର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। କିନ୍ତୁ ଯୋଗୀ ଆଦିତ୍ୟନାଥ ଏପରି ‘ଏନ୍‌କାଉଣ୍ଟର ରାଜ’ ପାଇଁ ପୋଲିସକୁ ମୁକୁଳା ଛାଡ଼ି ଦେଇଥିଲେ।
ପୋଲିସକୁ ହିଂସା ଭିଆଇବା ପାଇଁ ଜନ ସାଧାରଣ ଓ ରାଷ୍ଟ୍ରର ଏପରି ସକ୍ରିୟ ସମର୍ଥନ ମିଳୁଥିବାରୁ ପୋଲିସ ଅଧିକାରୀମାନେ ଉତ୍ସାହିତ ହୋଇଥାନ୍ତି। ଜୟରାଜ ଓ ବେନିକ୍ସଙ୍କ ଭଳି ନାଗରିକମାନଙ୍କୁ ନିର୍ଯାତନା ଦେଇ ମାରିଦେବାକୁ ସାହସ ପାଇଥାନ୍ତି। ଆମେରିକାର ମିନିଆପଲିସ ପୋଲିସର ଥାର୍ଡ ଡିଗ୍ରୀରେ ପ୍ରାଣ ହରାଇଥିବା କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁକୁ ନେଇ ଆମେମାନେ ‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ବୋଲି ଟୁଇଟ୍‌ କରୁଥିବାବେଳେ ଏଭଳି ସଂସ୍କୃତି ଜାରି ରହିପାରେ।
ଟାର୍ଗେଟରେ ଦଳିତ ଓ ମୁସଲମାନ
ଅନେକ ସ୍ଥାନରେ ଜାତି ଓ ଶ୍ରେଣୀକୁ ନେଇ ପୋଲିସ ବର୍ବରତା ଦେଖିବାକୁ ମିଳୁଛି। ମଧ୍ୟମ ଓ ଉଚ୍ଚ ଶ୍ରେଣୀର କିମ୍ବା ଉଚ୍ଚଜାତିର ଲୋକଙ୍କୁ ପୋଲିସ ସ୍ପଷ୍ଟ ଦିବାଲୋକରେ ମାଡ଼ମାରିବା ପାଇଁ ସାହସ କରି ନ ପାରେ। କିନ୍ତୁ ଦଳିତ, ଆଦିବାସୀ, ମୁସ୍‌ଲିମ ସମ୍ପ୍ରଦାୟ ଓ ଶ୍ରମିକମାନେ ଏହି ବାସ୍ତବତାକୁ ନେଇ ଜୀବନ ଜିଇଥାନ୍ତି। କମନ୍‌ କଜ୍‌ ଆଣ୍ଡ ସିଏସ୍‌ଡିଏସ୍‌ ପକ୍ଷରୁ ଜାରି କରାଯାଇଥିବା ‘ଷ୍ଟାଟସ୍‌ ଅନ୍‌ ପୋଲିସିଂ ଇନ୍‌ ଇଣ୍ଡିଆ’ ଏକ ରିପୋର୍ଟ ଅନୁସାରେ ମୁସ୍‌ଲିମ୍‌ ସମ୍ପ୍ରଦାୟର ଲୋକଙ୍କ ଉପରେ ୫୦% ପୋଲିସ କର୍ମଚାରୀଙ୍କ ନକାରାମତ୍କ ଭାବନା ଥାଏ। କାରଣ ଏହି ସଂଖ୍ୟାଲଘୁ ସମୁଦାୟର ଲୋକେ ହିଂସାପ୍ରବଣ ବୋଲି ସେମାନଙ୍କ ଧାରଣା ରହିଛି। ଭାରତରେ ଦଳିତ ଓ ମୁଲମାନମାନଙ୍କ ବିରୋଧରେ ପୋଲିସ ନିର୍ଯାତନାରୁ ଏହା ସ୍ପଷ୍ଟ ହୋଇଛି। କଶ୍ମୀରରେ ପୋଲିସ ଖସି ପଳାଉଥିବା ନାଗରିକମାନଙ୍କୁ ଅତି ନିକଟରୁ ଗୁଳି କରିପାରିବ। ଆଇପିଏସ୍‌ ଅଧିକାରୀ ଭାଗ୍ୟଶ୍ରୀ ନଭଟାକେଙ୍କ ଭଳି ପୋଲିସ ଅଫିସରମାନେ ଦଳିତ ଓ ମୁସଲମାନମାନଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିବା ନେଇ ଗର୍ବରେ ଘୋଷଣା କରିଥାଆନ୍ତି। ଗତବର୍ଷ ଦେଶରେ ୧,୭୩୧ ହାଜତ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରୁ ୬୦% ହେଉଛନ୍ତି ବଞ୍ଚତ୍ତ ସମୁଦାୟର ଲୋକ।
ପୋଲିସ ସଂସ୍କାର ଜରୁରୀ
୧୫୦ରୁ ଊର୍ଦ୍ଧ୍ୱ ବର୍ଷ ତଳେ ଆମ ଦେଶର ପୋଲିସ ବ୍ୟବସ୍ଥା ବ୍ରିଟିଶ ଉପନିବେଶବାଦୀଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବାରୁ ଭାରତୀୟ ପୋଲିସ ଆରମ୍ଭରୁ ସାମ୍ରାଜ୍ୟବାଦୀ। ଉପନିବେଶ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ବ୍ୟକ୍ତିଙ୍କୁ ଦମନ କରିବା ପାଇଁ ସେତେବେଳେ କରାଯାଇଥିତ୍ବା କଠୋର ନିୟମର ଫାଇଦା ବର୍ତ୍ତମାନ ଉଠାଯାଇ ପାରୁଛି। ବିହାରରେ ପ୍ରତି ୫ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ୨ ଜଣ ଏବଂ ଅନ୍ୟ ରାଜ୍ୟଗୁଡ଼ିକରେ ପ୍ରତି ୫ ଜଣଙ୍କ ଭିତରୁ ଜଣେ ଆଧୁନିକ ନ୍ୟାୟ ଓ ମାନବାଧିକାର ସମ୍ପର୍କିତ କୌଣସି ଆନୁଷ୍ଠାନିକ ତାଲିମ ପାଇନାହାନ୍ତି। ଷ୍ଟାଟସ୍‌ ଅଫ୍‌ ପୋଲିସ ଇନ୍‌ ଇଣ୍ଡିଆ ରିପୋର୍ଟ ଅନୁସାରେ ଦେଶରେ ପୋଲିସ ଅଧିକାରୀମାନଙ୍କୁ ୧୫ ଘଣ୍ଟିଆ ଡ୍ୟୁଟି ଦିଆଯାଇଥାଏ। ୭୭% କର୍ମଚାରୀଙ୍କୁ ନେଇ ପୋଲିସ ବାହିନୀ କାର୍ଯ୍ୟ କରିଥାଏ। କରୋନା ଭାଇରସ୍‌ ଅନେକ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ଜୀବନ ନେଇଥିବାରୁ ଅନ୍ୟମାନଙ୍କ ଉପରେ କାର୍ଯ୍ୟଚାପ ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ପୋଲିସର ଦକ୍ଷତା ବୃଦ୍ଧି ପାଇଁ ସଂସ୍କାର ଜରୁରୀ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?