ବାଲି ମାଫିଆଙ୍କ ନିଦ ହଜାଇଲା ‘ଅପରେସନ୍ ବୈତରଣୀ’: ହାଟଡିହୀରେ ରାତିଅଧିଆ ଚଢ଼ାଉ, ୧୦ ବାଲି ବୋଝେଇ ହାଇୱା…

ହାଟଡିହୀ,୧୧।୧୧(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲା କେନ୍ଦୁଝରରେ ବେଆଇନ ବାଲି ମାଫିଆଙ୍କ ବିରୋଧରେ ଶକ୍ତ ଆକ୍ସନ୍‌। କେନ୍ଦୁଝର ଏସପି ନୀତିନ କୁଶଲକର ଦାଗୁଡ଼ୁଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଥିବା ‘ଅପରେସନ୍ ବୈତରଣୀ’ ଅଭିଯାନ ଏବେ ବାଲି ମାଫିଆଙ୍କ ପାଇଁ କଣ୍ଟା ସାଜିଛି। ମଙ୍ଗଳବାର ବିଳମ୍ବିତ ରାତିରେ ହାଟଡିହୀ ବ୍ଲକ ଅଞ୍ଚଳରେ ଚଢ଼ାଉ କରି ନନ୍ଦିପଦା ପୋଲିସ ୧୦ଟି ବାଲି ବୋଝେଇ ହାଇୱା ଜବତ କରିଛି।

ସୂଚନା ଅନୁଯାୟୀ, ବୈତରଣୀ ନଦୀର ବିଭିନ୍ନ ଘାଟରୁ ବେଆଇନ ଭାବେ ବାଲି ଉଠାଣ କରାଯାଇ ପରିବହନ ହେଉଥିବା ନେଇ ପୁଲିସକୁ ଖବର ମିଳିଥିଲା। ଏହା ପରେ ନନ୍ଦିପଦା ପୋଲିସ ଅଣା-ସମଣା ରାସ୍ତାରେ ଗାଡ଼ିଗୁଡ଼ିକୁ ଘେରି ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଅନ୍ଧାରର ସୁଯୋଗ ନେଇ କିଛି ଗାଡ଼ି ଚାଳକ ରାସ୍ତା ଉପରେ ବାଲି ଢାଳି ଦେଇ ଫେରାର ହୋଇଯାଇଥିବା ବେଳେ ଅନ୍ୟ କିଛି ଗାଡ଼ି ଛାଡ଼ି ପଳାଇଥିଲେ।

ଏହି ଘଟଣାରେ ନନ୍ଦିପଦା ଥାନାରେ ୪୦୧ରୁ ୪୧୦ ପର୍ଯ୍ୟନ୍ତ ମୋଟ ୧୦ଟି ମାମଲା ରୁଜୁ ହୋଇଛି। ପୁଲିସ ୪ ଜଣ ଗାଡ଼ି ଚାଳକଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି। ଜବତ ହାଇୱାଗୁଡ଼ିକୁ ଥାନା ପରିସରକୁ ଅଣାଯାଇଛି।

ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତିଙ୍କ ସମେତ ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା, ଉପଜିଲ୍ଲାପାଳ ନୀଳମାଧବ ସୁନା, ହାଟଡିହୀ ତହସିଲଦାର ସଞ୍ଜୟ ସାମନ୍ତରାୟ ଏବଂ ଖଣି ବିଭାଗର ମିଳିତ ଟିମ୍‌ ଏହି ଚଢ଼ାଉରେ ସାମିଲ ଥିଲେ।

ସୂଚନାଯୋଗ୍ୟ ଯେ, ‘ଅପରେସନ୍ ବୈତରଣୀ’ ଅଧୀନରେ ପୂର୍ବରୁ ମଧ୍ୟ ଅନେକ ବାଲି ମାଫିଆଙ୍କ ଘରେ ଚଢ଼ାଉ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ପ୍ରଶାସନର ଏହି କଡ଼ା ପଦକ୍ଷେପ ଯୋଗୁ ବେଆଇନ ବାଲି କାରବାର କରୁଥିବା ଅସାଧୁ ବ୍ୟବସାୟୀଙ୍କ ମଧ୍ୟରେ ଛନକା ଖେଳିଯାଇଛି।

Dharitri – Odisha’s No.1 Odia Daily

Share