Categories: ଖେଳ

ଜାତୀୟ ସଙ୍ଗୀତ ବିନା ପୋଡିୟମ ଫିନିଶ୍‌: ରୁଷୀୟ ସନ୍ତରଣକାରୀଙ୍କ ଅସନ୍ତୋଷ

ଟୋକିଓ,୨୮।୭(ପି.ଟି.): ପୋଡିୟମରେ ଜାତୀୟ ସଙ୍ଗୀତ ଗାନ ହେଉ ନ ଥିବାରୁ ଅଲିମ୍ପିକ ପଦକ ବିଜେତା ଆଥ୍‌ଲେଟ ତଥା ସନ୍ତରଣକାରୀମାନେ ନିରାଶ ହେବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁରୁଷ ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିବା ରୁଷୀୟ ସନ୍ତରଣକାରୀମାନେ ପୋଡିୟମରେ ନିଜ ଦେଶର ଜାତୀୟ ସଙ୍ଗୀତ ଶୁଣିବାର ସୌଭାଗ୍ୟ ହାସଲ କରି ନ ଥିବାରୁ ଦୁଃଖିତ ହୋଇଛନ୍ତି। ତେବେ ଏଭଳି ସ୍ଥିତି କାହିଁକି ଉପୁଜିଛି ତାହାକୁ ଏମାନେ ହୃଦୟଙ୍ଗମ କରିଛନ୍ତି ବୋଲି କହିଛନ୍ତି।
ସ୍ବର୍ଣ୍ଣ ପଦକ ଜିତିଥିବା ଏଭେଗେନି ରିଲୋଭ ଓ କ୍ଲାମେଣ୍ଟ କୋଲେସନିକୋଭଙ୍କ ପାଇଁ ରୁଷୀୟ ଜାତୀୟ ସଙ୍ଗୀତ ବଦଳରେ ଚାଇକୋଭସ୍କିଙ୍କ ସଙ୍ଗୀତ ବାଜିଥିଲା। ତେବେ ଏ ନେଇ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସହିତ ଏକ ବୁଝାମଣା ହୋଇଥିଲା। ଉଲ୍ଲେଖଥାଉ କି ରୁଷିଆରେ ଗତ କେତେବର୍ଷ ହୋଲା ବ୍ୟାପକ ଡୋପିଂ ହେବାର ପ୍ରମାଣ ମିଳିଥିଲା। ଫଳରେ ରୁଷୀୟ ଆଥ୍‌ଲେଟଙ୍କୁ ରୁଷିଆନ ଅଲିମ୍ପିକ୍‌ କମିଟି ନାମରେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଥିଲା। ଆଥ୍‌ଲେଟମାନେ ରୁଷିଆର ନାମ, ପତାକା ଓ ଜାତୀୟ ସଙ୍ଗୀତର ବ୍ୟବହାର କରିପାରିବେ ନାହିଁ ବୋଲି ବୁଝାମଣାରେ ଉଲ୍ଲେଖ କରାଯାଇଥିଲା। ଏ ନେଇ ଅବଗତ ଥିଲେ ମଧ୍ୟ ଖେଳାଳିମାନେ ନିଜର ଅସନ୍ତୋଷ ଚପାଇ ରଖିପାରି ନାହାନ୍ତି।

Share