ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା ପାଇଁ ଅଧୀନସ୍ଥ କର୍ମଚାରୀମାନେ ତତ୍ପର। ଦୁଇଟି ଗାତ ଖୋଳାଯାଇଛି। ତାହା ପୁଣି ବିଜ୍ଞାନସମ୍ମତ ଭାବରେ ନୁହେଁ ସମ୍ପର୍ଣ୍ଣ ବେପରୁଆ ଭାବରେ କେବଳ ଗତାନୁଗତିକ ଦାୟିତ୍ୱ ସମ୍ପାଦନ ପାଇଁ। ନିର୍ଦ୍ଧାରିତ ସମୟରେ ଦୁଇଟି ଗଛ ରୋପଣ ହେଲା। ଫଟୋ ଉଠାଗଲା ଏବଂ ଭାଷଣ ମଧ୍ୟ ହେଲା ଗଛକୁ ନେଇ। କଥା ଛଳରେ କୁହାଗଲା ଆଗ ଗଛ ସବୁ ପଛ। କଥାର ମର୍ମ ବାସ୍ତବରେ ସୁଦୂର ପ୍ରଭାବୀ। ପଛଧାଡିରେ ଠିଆ ହୋଇଥିବା ଛୋଟ କର୍ମଚାରୀ ଜଣକ ଅନ୍ୟଜଣେ କର୍ମଚାରୀଙ୍କୁ କହୁଥାନ୍ତି କିଛି ବର୍ଷ ହେଲା ସେହି ଜାଗାରେ ଏବଂ ସେହି ଗାତ ଦୁଇଟିରେ ହିଁ ଗଛ ଲଗାହେଲା ଭଳି ଲାଗୁଛି। ଧୀରେ କହୁଥିଲେ ମଧ୍ୟ କଥାଟି ଅଧିକାରୀ ସ୍ତର ପର୍ଯ୍ୟନ୍ତ ପହଞ୍ଚି ସାରିଥିଲା କିନ୍ତୁ ନ ଶୁଣିଲା ଭଳି ସମସ୍ତେ ଚାଲିଗଲେ। ପରଦିନ ବଡ଼ ବଡ଼ ଅକ୍ଷରରେ ଅଧ ଡଜନରୁ ଊଦ୍ଧର୍‌ବ ଖବରକାଗଜରେ ଫଟୋ ସହ ପ୍ରକାଶିତ ହେଲା ଅମୁକ ଅନୁଷ୍ଠାନରେ ବିଭିନ୍ନ କିସମର ଔଷଧୀୟ ଚାରା ସହ ଛାୟା, ଫଳ ଓ ପୁଷ୍ପ ପ୍ରଦାନକାରୀ ଗଛ ରୋପଣ କରାଗଲା। ଏଭଳି ଫଟୋ ଉଠା କାର୍ଯ୍ୟକ୍ରମ ଦେଶ ସାରା ଚାଲୁଛି ଏବଂ ଚାଲିବ, କାରଣ ଏହାକୁ ପେସାଗତ ଜୀବନର ରେକର୍ଡ ରଖା ଅଙ୍ଗ ଭାବରେ ରଖାଯାଇଛି। ମାନେ ସରକାରଙ୍କ କଡ଼ା ନିର୍ଦ୍ଦେଶନାମା ଅନୁଯାୟୀ ସବୁ ବିଭାଗର ଅଧିକାରୀମାନେ ଗଛ ଲଗେଇବା ଫଟୋ ପଠେଇବା ବାଧ୍ୟତାମୂଳକ କାମ। ଏହା ଏକ ଭଲ ପଦକ୍ଷେପ ଏବଂ ଯୁଗାନ୍ତକାରୀ ମଧ୍ୟ। କିନ୍ତୁ ଗଛଗୁଡ଼ିକ ବଞ୍ଚିବା ସୁନିଶ୍ଚିତ କରିବା ଅଧିକାରୀଙ୍କ ନୈତିକ ଦାୟିତ୍ୱ ହେବା ଉଚିତ।
ସାରା ଦେଶରେ ଲକ୍ଷ ଲକ୍ଷ ଗଛ ଲଗାଯାଇଛି। ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ସମସ୍ତ କାର୍ଯ୍ୟାଳୟ ବୃକ୍ଷ ରୋପଣ ପାଇଁ ସମ୍ପୂର୍ଣ୍ଣ ସକ୍ରିୟ। ସରକାର ମାଗଣାରେ ଚାରା ବଣ୍ଟନ ବ୍ୟବସ୍ଥା କରୁଛନ୍ତିି। ପ୍ରକୃତି ମିତ୍ର, ପ୍ରକୃତି ବନ୍ଧୁ, ଗଛ ମଣିଷ, ଶ୍ରେଷ୍ଠ ପରିବେଶବିତ୍‌ ଭଳି ଅନେକ ପ୍ରୋତ୍ସାହନମୂଳକ ପୁରସ୍କାର ଦିଆଯିବା ଯାହାକି ଗଛ ପ୍ରତି ସମ୍ପର୍କ ବଢେଇବା ପାଇଁ ଉପଯୁକ୍ତ ପଦକ୍ଷେପ। ଗଛ ଲଗାଇବା ଠିକ୍‌। ଗଛ ଲଗେଇବା ପାଇଁ ସରକାରୀ ସ୍ତରରେ ବାଧ୍ୟତାମୂଳକ କରାଯିବା ମଧ୍ୟ ନ୍ୟାୟିକ ଓ ଯୁଗାନ୍ତକାରୀ ପଦକ୍ଷେପ। ହେଲେ ଲଗାଯାଇଥିବା ଚାରାଗୁଡ଼ିକ ମଧ୍ୟରୁ କେତେ ବଞ୍ଚିଛି ଓ ଉତ୍ସବ ପାଳନ ଶେଷ ହେବାର କିଛିଦିନ ଭିତରେ କେତେ ମରିଛନ୍ତି ସେ ବିଷୟରେ ଯାଞ୍ଚ କରିବା ନୈତିକ ଦାୟିତ୍ୱ ନୁହେଁ କି? ଲାଗିଥିବା ଗଛଗୁଡ଼ିକ ପାଣି, ଖାଦ୍ୟ ଓ ରକ୍ଷଣାବେକ୍ଷଣର ଅଭାବ ଯୋଗୁ ମରିଯାଇଥିବା ହେତୁ ଫଟୋ ଉଠାଇ ନିଜକୁ ଗଛ ପ୍ରେମୀ, ପରିବେଶବିତ୍‌ ତଥା ଧରିତ୍ରୀ ପୁତ୍ର କହୁଥିବା ଅଧିକାରୀ ବା କର୍ମଚାରୀଙ୍କୁ ଦଣ୍ଡବିଧାନ ସରକାରୀ ଦାୟିତ୍ୱ ନୁହେଁ କି?
ଯଦି ପରିସଂଖ୍ୟାନଗତ ହିସାବ ହେବ ପ୍ରତିବର୍ଷ ଲଗାଯାଉଥିବା ଗଛ ସଂଖ୍ୟାର ପରିମାଣ ବାସ୍ତବ ସ୍ଥିତିଠାରୁ ପଚାଶ ଗୁଣ ହେବ। ଅର୍ଥାତ୍‌ ଗଛ ଲଗାଯାଉଛି କିନ୍ତୁ ସେଗୁଡ଼ିକର ରକ୍ଷଣାବେକ୍ଷଣ ତଥା ବଞ୍ଚେଇ ରଖିବାର ପ୍ରୟାସ ଫଳପ୍ରଦ ହେଉନାହିଁ। ମାନେ ବୃକ୍ଷ ରୋପଣ ଓ ବନମହୋତ୍ସବ ପାଳନ ପର୍ବତର ମୂଷିକ ପ୍ରସବ ଭଳି। ଭାରତୀୟ ପରମ୍ପରାରେ ଚାରାଟିକୁ ଶିଶୁ ସହ ତୁଳନା କରାଯାଏ। କାରଣ ଚାରାଟି ପରିବାରର ଶିଶୁ ଭଳି। ଶିଶୁଟିକୁ ଯତ୍ନ ନ ନେଇ ମାରିଦେବା ଯାହା ଗଛଟିକୁ ଲଗେଇ ପାଣି,ସାର ଓ ସୁରକ୍ଷା ନ ଦେଇ ମାରିଦେବା ସମାନ ଅପରାଧ ବା ପାପ। ସେଥିପାଇଁ ଏବେ ମଧ୍ୟ ଗ୍ରାମବାସୀ ଗଛକୁ ଶିଶୁ ଭଳି ଯତ୍ନ ନିଅନ୍ତି ଏବଂ ସେଗୁଡିକୁ ପୂଜା କରନ୍ତି ଓ ବଡ଼ ହେଲେ ପ୍ରତିଷ୍ଠା କରନ୍ତି। ଏହା କାହାକୁ ଅନ୍ଧବିଶ୍ୱାସ ଲାଗିପାରେ କିନ୍ତୁ ବାସ୍ତବରେ ଏହା ଗଛ ପ୍ରତି ଥିବା ସମ୍ପର୍କ, ସ୍ନେହ ଓ ଭକ୍ତିର ପ୍ରତିଫଳନ। କିନ୍ତୁ ଆମେ ବଡ଼ ପାଠୁଆମାନେ ଗଛ ସହ ଫଟୋ ଉଠେଇ ସାମାଜିକ ଗଣମାଧ୍ୟମରେ ପ୍ରସିଦ୍ଧି ଲାଭ ପାଇଁ କରୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ମହାଭାରତର ଅନୁଶାସନ ପର୍ବରେ କୁହାଯାଇଛି ଦଶକୂପସମା ବାପୀ, ଦଶବାପୀସମୋ ହ୍ରଦଃ। ଦଶହ୍ରଦସମଃ ପୁତ୍ରୋ, ଦଶପୁତ୍ରସମୋ ଦ୍ରୁମଃ ଅର୍ଥାତ୍‌ ୧୦ କୂଅ = ୧ ପୋଖରୀ, ୧୦ ପୋଖରୀ = ୧ ହ୍ରଦ, ୧୦ ହ୍ରଦ = ୧ ପୁଅ, ୧୦ ପୁଅ = ୧ ଗଛ। ଅତଏବ, ଗୋଟିଏ ଗଛ ୧୦ ପୁଅ ସହ ସମାନ।
ଭାରତୀୟ ପରମ୍ପରାରେ ବୃକ୍ଷ କେବଳ କାଠ ବା ଫଳ ଦେବା ପାଇଁ ନୁହେଁ, ବରଂ ଦେବତା, ପିତୃପୁରୁଷ ଓ ଜୀବନଦାତା ଭାବେ ପୂଜା ପାଆନ୍ତି। ଅଥର୍ବବେଦର ପୃଥିବୀ ସୂକ୍ତ କହେ ମାତା ଭୂମିଃ ପୁତ୍ରୋହଂ ପୃଥିବ୍ୟାଃ। ଅର୍ଥାତ ଭୂମି ମାଆ, ବୃକ୍ଷ ତା’ର କେଶ। ବନ ନଷ୍ଟ କଲେ ମାଆକୁ କ୍ଷତ। ପଦ୍ମ ପୁରାଣ କହେ ଅଶ୍ୱତ୍ଥମେକଂ ପିଚୁମନ୍ଦମେକଂ, ନ୍ୟଗ୍ରୋଧମେକଂ ଦଶ ଚିଞ୍ଚିନୀକମ। କପିତ୍ଥ ବିଲୱାମଳକତ୍ରୟଂ ଚ, ପଞ୍ଚାମ୍ରବାପୀ ନରକଂ ନ ଯାତି ମାନେ ଗୋଟିଏ ଓସ୍ତ, ଗୋଟିଏ ନିମ, ଗୋଟିଏ ବର, ଦଶଟି ତେନ୍ତୁଳି, ତିନିଟି କଇଁଥ-ବେଲ-ଅଁଳା ଓ ୫ଟି ଆମ୍ବ ଗଛ ଲଗାଇଲେ ନର୍କ ଯିବାକୁ ପଡେନି।
ଆଦିବାସୀ ପରମ୍ପରାରେ ଡଙ୍ଗରିଆ କନ୍ଧ, ବଣ୍ଡା ସମ୍ପ୍ରଦାୟ ଭଳି ପ୍ରାୟ ସମସ୍ତ ଜନଜାତି ଜଙ୍ଗଲ ଓ ବୃକ୍ଷକୁ ଦେବତା ଭଳି କେବଳ ପୂଜା କରନ୍ତି ନାହିଁ ରକ୍ଷଣାବେକ୍ଷଣ ମଧ୍ୟ କରନ୍ତି। ସୁତରାଂ ଶାସ୍ତ୍ର କହେ ‘ବୃକ୍ଷ ଲଗାଅ, ପୁଣ୍ୟ କମାଅ’। ବିଜ୍ଞାନ କହେ ‘ବୃକ୍ଷ ଲଗାଅ, ପୃଥିବୀ ବଞ୍ଚାଅ’। ଆମେ କହୁ ଆଗେ ଗଛ ସବୁ ପଛ। ସେଥିପାଇଁ ଗଛ ରୋପଣ ହେଉଛି କିନ୍ତୁ ସେଗୁଡ଼ିକ ବଞ୍ଚାଇବା ପାଇଁ ଆମେ ସେତିକି ସମ୍ବେଦନଶୀଳ ଓ ଉତ୍ତରଦାୟୀ ନୁହନ୍ତି। ଯଦି ପ୍ରତିବର୍ଷ ଗଛ ଅଡିଟ ହୁଅନ୍ତା, ଲଗାଯାଇଥିବା ଗଛରୁ କେତେ ବଞ୍ଚିଛି ଏବଂ ମରିଯାଇଥିବା ଗଛ ପାଇଁ ଉତ୍ତରଦାୟୀ ହେବାର କଠୋର ବ୍ୟବସ୍ଥା ହୁଅନ୍ତା, ତାହେଲେ ଅନେକ ଗଛ ବଞ୍ଚି ପାରନ୍ତେ। ଏ ଧରାପୃଷ୍ଠ ପୁଲକିତ ହୁଅନ୍ତା। ଅତିଶୟ ଗରମ, ଅଦିନିଆ ବର୍ଷା, ମରୁଡି, ବାତ୍ୟା ଭଳି ଦୈବିଦୁର୍ବିପାକର ଉପଚାର ହୋଇପାରନ୍ତା। ମୁକ୍ତ ବାୟୁ, ସୁସ୍ବାଦ ଫଳ, ବହୁବର୍ଣ୍ଣା ଫୁଲ ଫଳରେ ପୃଥିବୀମାତା ଅତ୍ୟନ୍ତ ମନୋରମ ଦେଖାଯାଆନ୍ତା। ତେଣୁ ଗଛ ବଞ୍ଚେଇବା କେତେ ଜରୁରୀ ତାହା ହୃଦୟଙ୍ଗମ କରିବାକୁ ହେଲେ ୧୭୩୦ ମସିହାରେ ରାଜସ୍ଥାନର ଅମୃତା ଦେବୀ ବିଷ୍ଣୋଇ ଯେକି ୩୬୩ ଜଣଙ୍କ ସହ ଖେଜଡି ଗଛକୁ ଜାବୁଡ଼ି ଧରି ଯେଉଁ ପ୍ରାଣବଳି ଦେଇଥିଲେ ତାହାକୁ ଅନୁଶୀଳନ କରୁବାକୁ ହେବ। ପ୍ରାଣ ବିସର୍ଜନ ସମୟରେ କହିଥିଲେ‘ସର ସାଣ୍ଟେ ରୁଖ ରହେ ତୋ ଭୀ ସସ୍ତୋ ଜାଣ’। ଅର୍ଥାତ ମୁଣ୍ଡ କଟିଗଲେ ବି ଗଛ ବଞ୍ଚାଅ। ଦେଖାଯାଉ ଏ ବର୍ଷ ବନମହୋତ୍ସବରେ ଲଗାଯିବାକୁ ଥିବା ଗଛରୁ କେତେ ବଞ୍ଚୁଛି!

ଡ. ମନୋରଞ୍ଜନ ପ୍ରଧାନ

ମୋ: ୭୦୦୮୨୮୩୦୫୫

Dharitri – Odisha’s No.1 Odia Daily