ଉଦ୍ଭିଦ ମହାମାରୀ ଆଣିବ ଅନାହାର

ଲଣ୍ଡନ, ୧୩।୪: ଜଳବାୟୁ ପରିବର୍ତ୍ତନ ଯୋଗୁ ସମସ୍ତ ଜୀବଜଗତ ପ୍ରଭାବିତ। ଏହାଦ୍ୱାରା ଦେଖାଯାଉଥିବା ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ କୃଷି କ୍ଷେତ୍ରରେ ବ୍ୟାପକ କ୍ଷତି ଘଟାଇବା ଆରମ୍ଭ କରିଛି। ଏହା ଫଳରେ ଉଦ୍ଭିଦ ମହାମାରୀ ଦେଖାଯିବ। ଏଥିଯୋଗୁ ଆଗାମୀ ଦିନରେ ବିଶ୍ୱର ଅନେକ କୋଟି ଲୋକ ଏକକାଳୀନ ଅନାହାର ଭୋଗିବେ ବୋଲି ୟୁନିଭର୍ସିଟି କଲେଜ୍‌ ଲଣ୍ଡନର ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଗବେଷଣାରେ ଉଲ୍ଲେଖ କରାଯାଇଛି।
ପରିବର୍ତ୍ତିତ ଋତୁ ଯୋଗୁ ଶସ୍ୟ ଉତ୍ପାଦନ କମିଛି। ବିଭିନ୍ନ ପ୍ରକାର ରୋଗ ଯୋଗୁ ଏବେ ଗହମ ଫସଲ ଉତ୍ପାଦନ କମିବାକୁ ବସିଲାଣି। ବିଶେଷକରି ଦକ୍ଷିଣ ଆମେରିକାରେ ଗହମଠାରେ ଦେଖାଯାଉଥିବା ଫଙ୍ଗସ୍‌ଜନିତ ରୋଗ ଏବେ ଏସିଆ ଓ ଆଫ୍ରିକାରେ ଦେଖିବାକୁ ମିଳିଥିବା ବୈଜ୍ଞାନିକମାନେ କହିଛନ୍ତି। ସମୟ ପୂର୍ବରୁ ଏପ୍ରକାର ରୋଗରୁ ଗହମ ଫସଲ ରକ୍ଷା ନ କଲେ ଆଗାମୀ ଦିନରେ ବିଶ୍ୱବାସୀ ଖାଦ୍ୟ ସଙ୍କଟ ଭୋଗିବେ ବୋଲି ବୈଜ୍ଞାନିକମାନେ ଚେତାବଦୀ ଦେଇଛନ୍ତି।
ଅନ୍ୟପକ୍ଷେ ଗହମ ଫସଲରେ ଦେଖାଯାଉଥିବା ରୋଗ ମଧ୍ୟରୁ ୨୦% ରୋଗ କୀଟଙ୍କ ଦ୍ୱାରା ବ୍ୟାପୁଛି। ଗହମ ଫସଲ କ୍ଷେତ୍ରରେ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ଫଙ୍ଗାଲ୍‌ଜନିତ ରୋଗ ୧୯୮୫ରେ ପ୍ରଥମେ ବ୍ରାଜିଲ୍‌ରେ ଦେଖାଯାଇଥିଲା। କିନ୍ତୁ ଗତ କିଛିବର୍ଷ ହେବ ଏହି ରୋଗ ବାଂଲାଦେଶ ଏବଂ ଜାମ୍ବିଆରେ ଦେଖିବାକୁ ମିଳିଲାଣି। ଏଥିଯୋଗୁ ୨୦୧୬ରେ ବାଂଲାଦେଶରେ ୫୧% ଫସଲ ନଷ୍ଟ ହୋଇଥିଲା।
ଜଳବାୟୁ ପରିବର୍ତ୍ତନ ଯୋଗୁ ତିନି ମହାଦେଶରେ ଏବେ ଗହମ ଫସଲ ଉତ୍ପାଦନରେ ହ୍ରାସ ଘଟିଛି। ଏହାର ପ୍ରଭାବ ବୈଶ୍ୱିକ ଖାଦ୍ୟ ସୁରକ୍ଷା ଉପରେ ପଡ଼ିବ ବୋଲି ଆକଳନ କରାଯାଇଛି। ସଂକ୍ରମିତ ଗହମ ରେଣୁ ପବନ ଦ୍ୱାରା ଅନ୍ୟ ଫସଲକୁ ସଂକ୍ରମିତ କରିବ। ସେହିପରି ସଂକ୍ରମିତ ଗହମ ଅନ୍ୟ ଦେଶକୁ ରପ୍ତାନି ବିଶ୍ୱର ୨ ପ୍ରଚୁର ଗହମ ଉତ୍ପାଦନକାରୀ ରାଷ୍ଟ୍ର ଚାଇନା ଓ ଭାରତରେ ବ୍ୟାପିବାକୁ ଥିବା ବୈଜ୍ଞାନିକମାନେ କହିଛନ୍ତି। ଗହମରେ କୀଟ ଦ୍ୱାରା ବ୍ୟାପୁଥିବା ରୋଗ (ହ୍ବିଟ୍‌ ବ୍ଲାଷ୍ଟ୍‌)ର କାରଣ ଚିହ୍ନଟ କରି ଏହାର ନିରାକରଣ କରିବା ଜରୁରୀ ବୋଲି ବରିଷ୍ଠ ବୈଜ୍ଞାନିକ ନିକ୍‌ ତାଲବୋଟ ଅନାହାର ମୁକାବିଲା ପାଇଁ ବିକଳ୍ପ ବତାଇଛନ୍ତି।

Share