Categories: ଖେଳ

ପିଙ୍କ୍‌ ବଲ୍‌ ଓ୍ବାର୍ମଅପ୍‌ ମ୍ୟାଚ: ଅଷ୍ଟ୍ରେଲିଆ ଏ’ ଦଳରେ ଗ୍ରୀନ୍‌, ସ୍ବେପସନ

ସିଡ୍‌ନୀ, ୧୦ା୧୨ (ପି.ଟି.)-ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି) ଭ୍ରମଣକାରୀ ଭାରତୀୟ ଦଳ ବିପକ୍ଷରେ ଶୁକ୍ରବାର ଖେଳାଯିବାକୁଥିବା ଦିବାରାତ୍ର ଅଭ୍ୟାସ ମ୍ୟାଚ୍‌ ପାଇଁ ବୁଧବାର ୧୨ଜଣିଆ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ବର୍ତ୍ତମାନ ଫର୍ମରେ ଥିବା ଅଲରାଉଣ୍ଡର କାମେରନ ଗ୍ରୀନ୍‌ ଓ ଲେଗ୍‌ ସ୍ପିନର ମିଚେଲ ସ୍ବେପସନଙ୍କୁ ଏଥିରେ ସାମିଲ କରାଯାଇଛି। ଭାରତ ଏ’ ବିପକ୍ଷରେ ଅଷ୍ଟ୍ରେଲିଆ ଏ’ର ପ୍ରଥମ ଅଭ୍ୟାସ ମ୍ୟାଚରେ ୨୧ବର୍ଷୀୟ ଗ୍ରୀନ୍‌ ୧୨୫ରନ କରି ଅପରାଜିତ ରହିଥିଲେ। ସମ୍ପୂର୍ଣ୍ଣ ଭାରତୀୟ ଦଳ ବିପକ୍ଷ ପିଙ୍କ୍‌ବଲ୍‌ ଗେମ୍‌ରେ ପ୍ରଭାବୀ ପ୍ରଦର୍ଶନ ସହ ଆଗକୁ ଖେଳାଯିବାକୁଥିବା ପ୍ରଥମ ଟେଷ୍ଟ ଲାଗି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ଲାଗି ସେ ଲକ୍ଷ୍ୟ ରଖିଛନ୍ତି। ଅନ୍ୟପକ୍ଷରେ ସ୍ବେପସନ ଭାରତ ବିପକ୍ଷ ସମସ୍ତ ତିନୋଟି ଅନ୍ତର୍ଜାତୀୟ ଟି୨୦ ଖେଳିବା ସହ ୫ ଉଇକେଟ ଅକ୍ତିଆର କରିଛନ୍ତି। ତନ୍ମଧ୍ୟରେ ଫାଇନାଲ ଗେମ୍‌ରେ ତାଙ୍କ ୩ଉଇକେଟ ସଫଳତା ରହିଛି। ଏଥିପାଇଁ ସେ ମଙ୍ଗଳବାର ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ। ଅନ୍ତର୍ଜାତୀୟ ଦିନିକିଆ ଉପଅଧିନାୟକ ଆଲେକ୍ସ କାରେଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଏ’ ଦଳରେ ଟେଷ୍ଟ ଦଳର ସଦସ୍ୟ ଜୋ ବନର୍‌ସ ଓ ସିନ୍‌ ଆବଟଙ୍କ ବ୍ୟତୀତ ଅଲରାଉଣ୍ଡର ମୋଇସେସ୍‌ ହେନରିକ୍ସ ଏବଂ ପେସ୍‌ ବୋଲର ମାର୍କ ଷ୍ଟିକେଟି, ହ୍ୟାରି କନଓ୍ବେ ଏବଂ ଓ୍ବିଲ ସଦରଲାଣ୍ଡଙ୍କୁ ନିଆଯାଇଛି। ଚଳିତ ଗ୍ରୀଷ୍ମଋତୁରେ ରେଡ୍‌ବଲ୍‌ କ୍ରିକେଟରେ ବନର୍‌ସଙ୍କ ଫର୍ମ ଫେରିପାଇବା ଲାଗି ସଂଘର୍ଷ ଚଳାଇଥିଲେ। ତାଙ୍କର ଆଭରେଜ ମାତ୍ର ୮.୭୧ ରହିଥିଲା। ଚୟନକର୍ତ୍ତାମାନଙ୍କ ଦୃଷ୍ଟିଆକର୍ଷଣ କରିବା ଲାଗି ବୋଧହୁଏ ଏହା ତାଙ୍କ ପାଇଁ ଶେଷ ସୁଯୋଗ। ପ୍ରଥମ ଓ୍ବାର୍ମଅପ୍‌ ଗେମ୍‌ରେ ବନର୍‌ସ ୪ ଓ ‘୦’ ସ୍କୋର କରିଥିଲେ। ଶୁକ୍ରବାର ଟେଷ୍ଟ ଆଶାୟୀ ଓ୍ବିଲ ପୁକୋଭସ୍କିଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ବନର୍‌ସଙ୍କୁ ଦ୍ୱିତୀୟ ଓ୍ବାର୍ମଅପ୍‌ ପାଇଁ ଦଳରେ ସାମିଲ କରାଯାଇଛି। ସମ୍ଭବତଃ ସେ ମାର୍କସ ହାରିସ୍‌ଙ୍କ ସହ ଇନିଂସ ଓପନ କରିବେ। ମଙ୍ଗଳବାର ପ୍ରଥମ ଓ୍ବାର୍ମଅପ୍‌ ଗେମ୍‌ ଡ୍ର ଭାବେ ଶେଷ ହୋଇଥିଲା। ଆଡିଲେଡ୍‌ଠାରେ ଡିସେମ୍ବର ୧୭ରୁ ପ୍ରଥମ ଦିବାରାତ୍ର ଟେଷ୍ଟ ଆରମ୍ଭ ହେବ।
ଅଷ୍ଟ୍ରେଲିଆ ଏ’ ଦଳ: ଜୋ ବନର୍‌ସ, ମାର୍କସ ହାରିସ, ମୋଇସେସ୍‌ ହେନରିକ୍ସ, କାମେରନ ଗ୍ରୀନ୍‌ ନିକ୍‌ ମାଡିନ୍‌ସନ, ଆଲେକ୍ସ କାରେ (ଅଧିନାୟକ, ଉଇକେଟକିପର), ବେନ୍‌ ମ୍ୟାକ୍‌ଡରମଟ, ସିନ୍‌ ଆବଟ, ଓ୍ବିଲ ସଦରଲାଣ୍ଡ, ହ୍ୟାରି କନଓ୍ବେ, ମିଚେଲ ସ୍ବେପ୍‌ସନ ଓ ମାର୍କ ଷ୍ଟିକେଟି।

Share