ଜାନୁୟାରୀରେ ପିକ୍‌ନିକ ମନା

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟ ସରାକର ଗୁରୁବାର ସନ୍ଧ୍ୟାରେ ଜାନୁୟାରୀ ପାଇଁ ନୂଆଁ ଗାଇଡ୍‌ଲାଇନ ଘୋଷଣା କରିଛନ୍ତି। ଜାନୁଆରୀରେ କୋଭିଡ୍‌ କଟକଣାକୁ କଡାକଡି କରାଯାଇଛି । ମାସରେ ସମସ୍ତ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି ରହିବ। ରାତି ୧୦ରୁ ସକାଳ ୫ଟା ଯାଏଁ ଏହି କଟକଣା  ଜାନୁୟାରୀ ୧ରୁ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିପରି ସକାଳ ୫ଟାରୁ ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ ।

ନୂଆଁ ଗାଇଡ୍‌ଲାଇନ ମୁତାବକ, ଜାନୁଆରୀ ମାସରେ ପିକ୍‌ନିକକୁ ସମ୍ପୂର୍ଣ୍ଣ ମନା କରାଯାଇଛି। ପାର୍କ, ବେଳାଭୂମି ସହ ଅନ୍ୟ ପିକନିକ ସ୍ପଟରେ ଭୋଜି ଭାତ କରିପାରିବେ ନାହିଁ। ଏପରି କି କୌଣସି ଶିକ୍ଷାନୁଷ୍ଠାନ ପିକନିକ ଯାଇପାରିବ ନାହିଁ। ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶକୁ ବାରଣ କରାଯାଇଛି। ରାଜନୈତିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିଛି।

ସେହିପରି ପ୍ରଦର୍ଶନୀ, ବାଣିଜ୍ୟ ମେଳା ଆୟୋଜନକୁ ବାରଣ କରାଯାଇଛି। ହୋଟେଲ, ପାର୍କ, ମଲରେ ସାଂସ୍କୃତିକ, ନୃତ୍ୟ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ବାର୍ଷିକ ଉତ୍ସବ ଓ ଆନିଭର୍ସାରୀ ପାଳନ କରିପାରିବେ ନାହିଁ। ତେବେ କୋଭିଡ ନିୟମ ମାନି ଯାତ୍ରା, ମେଲୋଡ଼ି, ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ। ସର୍ବାଧିକ ୧ ହଜାର ଦର୍ଶକଙ୍କୁ ନେଇ ପ୍ରଶାସନର ଅନୁମତିରେ ହେବ ଯାତ୍ରା। ୫୦ ପ୍ରତିଶତ ଦର୍ଶକ କ୍ଷମତାକୁ ନେଇ ସିନେମା ହହ ଚାଳିବ। ତେବେ ସିନେମା ହଲ ଯିବାକୁ ଡବଲ ଡୋଜ ଟିକା ବା ଟେଷ୍ଟ ରିପୋର୍ଟ ଜରୁରୀ ବୋଲି ଗାଇଡ୍‌ଲାଇନରେ ସ୍ପଷ୍ଟ ରହିଛି।

ସୂଚନାଯୋଗ୍ୟ, କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ଗୁରୁବାର ୫ ଜଣ ନୂଆଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।