ଦାର୍ଶନିକ ଭାଷଣ

ହରେକୃଷ୍ଣ ଦାସ

 

ପରମ ଜ୍ଞାନୀ ରାଜା ଭର୍ତ୍ତୃହରି ମାନବ ଜୀବନ ତଥା ସଂସାରର ଅଳୀକତା ବିଷୟରେ ଯଥେଷ୍ଟ ସଚେତନ ଥିଲେ ମଧ୍ୟ ସନ୍ନ୍ୟାସୀ ଗୋରେଖନାଥଙ୍କ ସହ ସାକ୍ଷାତ ହେବା ପରେ ହିଁ ତାଙ୍କ ଜ୍ଞାନଚକ୍ଷୁ ଉନ୍ମିଳିତ ହୋଇଥିଲା ଏବଂ ସମୟକ୍ରମେ ସେ ବୈରାଗ୍ୟ ଆଦରି ନେଇଥିଲେ। ସନ୍ନ୍ୟାସୀଙ୍କଠାରୁ ନିଜ ପାଇଁ ପାଇଥିବା ଅମୃତଫଳକୁ ନିଜେ ନ ଖାଇ ତାଙ୍କ ପାଇଁ ସର୍ବଶ୍ରେଷ୍ଠ ସାଂସାରିକ ମୋହମାୟାର କାରଣ ତାଙ୍କର ପ୍ରିୟ ରାଣୀ ପିଙ୍ଗଳାଙ୍କୁ ଦେଇଥିଲେ ମଧ୍ୟ ଶଠତାର ଚକ୍ରରେ ଫଳଟି ତାଙ୍କ ପାଖକୁ ଫେରିଆସିବା ପରେ ସେ ଯେତେବେଳେ ଅନୁଭବ କଲେ ଯେ ତାଙ୍କ ଭଲପାଇବା ପ୍ରତି ରାଣୀ ବିଶ୍ୱାସଘାତକତା କରିଛନ୍ତି ସେ ଦୁଃଖରେ ମ୍ରିୟମାଣ ହେଇପଡ଼ିଥିଲେ। ଏଇଭଳି ସମୟରେ ସନ୍ନ୍ୟାସୀ ମହାଭାଗଙ୍କର ଆବିର୍ଭାବ ଭର୍ତ୍ତୃହରିଙ୍କ ଜୀବନର ଗତିପଥ ଓ ଉଦ୍ଦେଶ୍ୟ ବଦଳାଇଦେଇଥିଲା। ଏହି ପରିବର୍ତ୍ତିତ ଜୀବନର ଅନବଦ୍ୟ କୃତି ଭାବରେ ’ବୈରାଗ୍ୟ ଶତକ’ ଏ ସଂସାରକୁ ପ୍ରାପ୍ତ ହେଲା ଯେଉଁଥିରେ ଏକ ଶ୍ଳୋକ ମାଧ୍ୟମରେ ସେ ପରାମର୍ଶ ଦେଇଛନ୍ତି ଯେ ଏ କ୍ଷଣଭଙ୍ଗୁର ଜଗତ, ନଶ୍ବର ଅସ୍ଥି ମାଂସ ରକ୍ତର ଦେହ ତଥା ସ୍ତ୍ରୀ ସନ୍ତାନ ଆଦିଙ୍କ ପ୍ରତି ଥିବା ଆସକ୍ତି ତ୍ୟାଗକରି ବୈରାଗ୍ୟ ଆଚରଣ କରିବା ଉଚିତ।
ଭର୍ତ୍ତୃହରିଙ୍କ ସମ୍ପର୍କରେ ଅନେକ ରୋଚକ କଥା ଧୈର୍ଯ୍ୟର ସହ ଶୁଣିସାରି ବନ୍ଧୁ କହିଲେ, ”ସମ୍ପୂର୍ଣ୍ଣ ଆସକ୍ତି ସହ ଜୀବନକୁ ଭରପୂର ଉପଭୋଗ କରିସାରିଲା ପରେ ରାଜାଙ୍କର ଚୈତନ୍ୟ ଉଦୟ ହେଲା, ଆଉ ସେ ଆମକୁ ଉପଦେଶ ଦେଲେ ଯେ ସ୍ତ୍ରୀ ସନ୍ତାନ ଇତ୍ୟାଦିଙ୍କଠାରୁ ମୋହ ତୁଟାଇ ବୈରାଗୀଙ୍କ ଭଳି ବଞ୍ଚିବା ଉଚିତ। କୋଉ ନୂଆ କଥାଟେ କହିଲେ କି? ଯୁଗ ଯୁଗ ଧରି ଅନେକ ଶାସ୍ତ୍ରରେ ଏ କଥା କୁହାଯାଇଛି ବୋଲି ଆମେ ଜାଣୁ। ଅନେକ ଜ୍ଞାନୀ ଗୁଣୀ ବିଦ୍ବାନ ଏକଥା ଜାଣି ମଧ୍ୟ ନିଜ ଜୀବନରେ ପ୍ରୟୋଗ କରିପାରିନାହାନ୍ତି। କିଏ କ’ଣ ଲେଖିଦେଲା ବୋଲି ସେଇ କଥାକୁ ଧରି ରହିଲେ କ’ଣ ବଞ୍ଚିହେବ? ଦଶରଥଙ୍କର କ’ଣ ଏ ଜ୍ଞାନ ନ ଥିଲା କି? ଭାଷଣ ମାରିବା ଯେମିତି ସହଜ, ମୋହ ତୁଟାଇବା ସେମିତି ସହଜ ହୋଇଥିଲେ ସେ କାହିଁକି ରାମଙ୍କୁ ଝୁରି ଝୁରି ପ୍ରାଣ ତ୍ୟାଗ କରିଥାଆନ୍ତେ? ସମସ୍ତେ ଜାଣନ୍ତି ଯେ ମଲା ବେଳେ ସମ୍ପତ୍ତି କି ସ୍ତ୍ରୀ ପିଲା ସାଙ୍ଗରେ ଯାଆନ୍ତି ନାହିଁ; ତଥାପି କେମିତି ଲୋକେ ଚୋରି ଟାଉଟରି ଠକେଇକରି ହେଉ କି ନିଜେ ସାରା ଜୀବନ ଦୁଃଖକଷ୍ଟରେ ବଞ୍ଚି ବ୍ୟକ୍ତିଗତ ସୁଖ ତ୍ୟାଗକରି ହେଉ ସେଇ ପିଲାମାନଙ୍କ ପାଇଁ ଧନ ଠୁଳ କରିଚାଲନ୍ତି ,ଯୋଉ ପିଲାମାନେ ବେଳ ପଡ଼ିଲେ ଏମାନଙ୍କୁ ଗୋଡ଼ରେ ଆଡ଼େଇଦେବାକୁ ମଧ୍ୟ କୁଣ୍ଠିତ ହୁଅନ୍ତି ନାହିଁ। କେବଳ ବଂଶବୃଦ୍ଧି ହେବାର ମୋହରେ ତୁଚ୍ଛା କୁଳାଙ୍ଗାର ହୋଇଥିଲେ ବି ନିଜ ପିଲାଙ୍କ ଉପରେ ଲୋକେ ନିଜର ଧନ,ସମ୍ପତ୍ତି,ମାନ,ଇଜ୍ଜତ ସବୁ କିଛି ଲୁଟେଇ ଦିଅନ୍ତି ନା ନାହିଁ?“
ବନ୍ଧୁଙ୍କ ପ୍ରଗଳ୍ଭତାରେ ହସ୍ତକ୍ଷେପ କରି ମୁଁ କହିଲି,”ଦଶରଥଙ୍କ ଆସକ୍ତିକୁ ଆଦର୍ଶ ଭାବରେ କାହିଁକି ଦେଖୁଛ? ନିଜ ଅପରାଧୀ ସନ୍ତାନଠାରୁ ମୋହ ତୁଟାଇ, ନିଜ ବଂଶ ରହିବା ନ ରହିବାକୁ ଖାତିର ନ କରି, ତାକୁ ମୃତ୍ୟୁଦଣ୍ଡ ଦେବାକୁ ସ୍ବର ଉଠାଉଥିବା କିମ୍ବା ତାକୁ ବହିଷ୍କାର କରୁଥିବା ଅନେକ ମହାନ୍‌ ବାପାମାଆଙ୍କୁ ଆଦର୍ଶ ବୋଲି ଗ୍ରହଣ କରିବାଟା ବର୍ତ୍ତମାନ ସମୟ ପାଇଁ ବେଶି ଉପଯୋଗୀ ସାବ୍ୟସ୍ତ ହୋଇପାରେ। ବିଡ଼ମ୍ବନା ହେଉଛି ଯେ ସମସ୍ତେ ସବୁଦିନ ଅନେକ ଅପ୍ରିୟ, ଅସତ୍ୟ ସ୍ବପ୍ନ ଦେଖୁଥିଲେ ମଧ୍ୟ ସେସବୁ ନିଜ ସହ କେବେ ଘଟିବନି ବୋଲି ମନକୁ ବୋଧ ଦେଉଥା’ନ୍ତି; ଗୋଟେ ଠୋକର ଖାଇଲା ପରେ ଚୈତନ୍ୟ ଉଦୟ ହୁଏ, କିନ୍ତୁ ଲୋକଲଜ୍ଜା ଭୟରେ ଭିତରେ ମରୁଥିଲେ ବି ଉପରକୁ ସବୁ ଠିକ୍‌ ଥିବାର ଦେଖେଇ ହୁଅନ୍ତି ଏବଂ ଅବଶିଷ୍ଟ ଜୀବନ ସେଇ ମିଛ ଚେହେରା ଧରି ବଞ୍ଚିରହନ୍ତି। କେତେଜଣ ଲୋକ ସବୁ ମୁହୂର୍ତ୍ତରେ ସବୁ ସମ୍ପର୍କରେ ଠୋକର ଖାଉଥିଲେ ମଧ୍ୟ ଦଶରଥଙ୍କର ସ୍ତ୍ରୀ-ପୁତ୍ର ମୋହର ଦୃଷ୍ଟାନ୍ତ ପାଲଟିଯାଆନ୍ତି ପଛେ ଭର୍ତ୍ତୃହରି ହୋଇପାରନ୍ତିନାହିଁ।“
ମୋ ଭାଷଣ ଶୁଣି ବନ୍ଧୁଙ୍କର ଶୁଖିଆସୁଥିବା ମୁହଁ ଦେଖି ମୁଁ ଅଟକିଗଲି ତ ସେ କହିଲେ, ”ପୂରା ଠିକ୍‌ କଥା। ମିଛ ଚେହେରା ଧରି ଆମେ ବଞ୍ଚୁଛୁ ସିନା, ଭିତରେ ଆମେ ସମସ୍ତେ କିନ୍ତୁ ଦୁଃଖ, ହତାଶା ଆଉ ଅସହାୟତାରେ ଶଢ଼ୁଛୁ। ପରିବାରର ମୋହ ଏମିତି ଜାବୁଡ଼ି ଧରିଛି ଯେ ପ୍ରତି ମୁହୂର୍ତ୍ତରେ ମରି ମରି ବଞ୍ଚୁଥିଲେ ମଧ୍ୟ ଆମେ ସଂସାର ଛାଡ଼ିପାରୁନାହୁଁ। ସମସ୍ତେ ଏୟା ଭାବନ୍ତି ଯେ ତମ ପାଇଁ କେହି କିଛି କରିବା ଆବଶ୍ୟକ ନାହିଁ, ସେମାନଙ୍କ ପାଇଁ କେବଳ ତମର ହିଁ ଯାହା କର୍ତ୍ତବ୍ୟ ଅଛି। ଆଉ ସେଥିରେ ସାମାନ୍ୟ ଊଣା ହେଲେ ତୁମ ସ୍ତ୍ରୀ ପିଲା ଭାଇ ବନ୍ଧୁ ସମସ୍ତେ ତୁମକୁ ବିଷଦୃଷ୍ଟିରେ ଦେଖିବେ। ଏସବୁ ଅନୁଭବକରି ମଧ୍ୟ ସେ ମୋହ ତୁଟାଇହେଉନାହିଁ। ଏମିତି ଦେଖିଲେ ଆମେ ସମସ୍ତେ ଜଣେ ଜଣେ ଭର୍ତ୍ତୃହରି। ସେ ନିଜକୁ ମୁକାଳିପାରିଲେ, ଆମେ କିନ୍ତୁ ଚିରକାଳ ବନ୍ଦୀ।“
ବନ୍ଧୁଙ୍କର ଦାର୍ଶନିକ ଭାଷଣ ସରିଛି କି ନାହିଁ, ତାଙ୍କ ସ୍ତ୍ରୀ ଓ ୨ ପିଲା ଆସି ହାଜର ହୋଇଗଲେ। ରାଗ ତମତମ ହୋଇ ବନ୍ଧୁଙ୍କ ସ୍ତ୍ରୀ କହିଲେ, ”ତୁମର ଏତେ ବେଖାତିର ଭାବ! ଆମେ ମଲ୍‌ ବୁଲିଯିବା ପାଇଁ ଅପେକ୍ଷା କରିଛୁ ଅଥଚ ତମେ ଏଠି ଆସି ଖଟି କରୁଛ?“ ଝିଅ ବି ଯୋଡ଼ିଦେଲା,”ଓଃ, ତମେ ଏତେ ସେଲ୍‌ଫିସ୍‌!“ କିଛି ଉତ୍ତର ନ ଦେଇ ବନ୍ଧୁ ଖାଲି କରୁଣ ଚାହାଣିଟେ ଫିଙ୍ଗିଦେଇ ସ୍ତ୍ରୀଙ୍କ ପଛେ ପଛେ ଗଲାବେଳେ ବନ୍ଧୁଙ୍କ ଭିତରେ ମୁଁ ଅନେକଙ୍କୁ ଦେଖି ପାରୁଥିଲି; ସମସ୍ତେ ଠିକ୍‌ ତାଙ୍କ ପରି- ବନ୍ଦୀ ଭର୍ତ୍ତୃହରି।
ଅଧ୍ୟାପକ, ଇଂଲିଶ ବିଭାଗ
ନିଆଳି କଲେଜ, ନିଆଳି, କଟକ
ମୋ: ୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri