ପୋଷା ସାପର ଫଁ

ପ୍ରକାଶ ତ୍ରିପାଠୀ

ଦୁଇ ଆତଙ୍କବାଦୀ ପୃଷ୍ଠଭୂମି ରାଷ୍ଟ୍ର ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି, ଯାହା କି ଏସୀୟ ଦେଶ ପ୍ରତି ଏକ ସତର୍କ ଘଣ୍ଟି। ବିବାଦୀୟ ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ବାରମ୍ବାର ସଂଘର୍ଷ କ୍ରମଶଃ ଗୁରୁତର ହେବା ସହ ଉଭୟ ଦେଶ ମଧ୍ୟରେ କଟୁ ବାକ୍ୟ ବିନିମୟ ପରିସ୍ଥିତିକୁ ଅଧିକ ଜଟିଳ କରିବାରେ ଲାଗିଛି। ନିକଟରେ ପାକିସ୍ତାନରେ ବେଆଇନ ଘୋଷିତ ଆତଙ୍କବାଦୀ ସଂଗଠନ ତେହେରିକ ଏ ତାଲିବାନ ପାକିସ୍ତାନ (ଟିଟିପି) ପାକିସ୍ତାନ ସରକାର ଓ ପାକିସ୍ତାନୀ ସେନାକୁ ଧମକ ଦେଇଛି। ପାକିସ୍ତାନ ସରକାର ଓ ସେନା ବିରୋଧରେ ଏକଜୁଟ ହେବାକୁ ଟିଟିପି ଏହାର ସାଙ୍ଗଠନିକ ନେତାଙ୍କୁ ଆହ୍ବାନ ଦେଇଛି ଓ ପାକିସ୍ତାନକୁ ଆମେ ଆସୁଛୁ ବୋଲି ଏକ ବାର୍ତ୍ତା ଜାରି କରିବା ସହ ଏକ ଭିଡିଓ ପ୍ରସାର କରିଛି। ଟିଟିପି ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆଫଗାନିସ୍ତାନରେ ଟିଟିପିର ସମସ୍ତ ଶିବିରକୁ ଧ୍ବଂସ କରାଯିବ ବୋଲି ପାକିସ୍ତାନୀ ମୁଖପାତ୍ରଙ୍କ ଘୋଷଣାକୁ ତାଚ୍ଛଲ୍ୟ କରି ଟିଟିପିର ସମର୍ଥକ ତଥା ଆଫଗାନିସ୍ତାନର ତାଲିବାନ ଶାସକଙ୍କ ପକ୍ଷରୁ ଏକ ଫଟୋ ସୋସିଆଲ ମିଡିଆରେ ଛଡ଼ା ଯାଇଛି, ଯେଉଁଥିରେ କି ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ ପାକିସ୍ତାନ ସେନା ଅଧିକାରୀଙ୍କ ଆତ୍ମସମର୍ପଣ ଦୃଶ୍ୟ ରହିଛି। ଅଗଷ୍ଟ ୨୦୨୧ରେ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ପ୍ରଥମରୁ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଭଲ ଥିଲା। ପାକିସ୍ତାନ ପକ୍ଷରୁ ତାଲିବାନମାନଙ୍କୁ ଶାସନ ପରିଚାଳନା ପାଇଁ ସମସ୍ତ ସହଯୋଗ ମିଳୁଥିଲା। ମାତ୍ର ପରବର୍ତ୍ତୀ ସମୟରେ ତାଲିବାନ ଆଫଗାନିସ୍ତାନରେ ନିଜର ସ୍ଥିତି ମଜଭୁତ କରିନେବା ପରେ ସୀମାକୁ ନେଇ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବାକୁ ଲାଗିଲା। ପାକିସ୍ତାନର ବଡଭାଇ ପଣିଆକୁ ତାଲିବାନ ଆଉ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ତାହା ଏବେ ପ୍ରମାଣ ହେବାରେ ଲାଗିଛି।
ଆଫଗାନିସ୍ତାନର କ୍ଷମତାରେ ଥିବା ତାଲିବାନ ଗୋଷ୍ଠୀ ଓ ପାକିସ୍ତାନ ସରକାରଙ୍କ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଇତି ମଧ୍ୟରେ କାବୁଲରେ ଦୁଇ ଦେଶ ମଧ୍ୟରେ ଥିବା ସୀମା ସମସ୍ୟାର ସମାଧାନ ନିମନ୍ତେ ଅନେକ ବୈଠକ ବସି ସାରିଥିଲେ ମଧ୍ୟ ସମାଧାନର ବାଟ ବାହାରିପାରୁନି। ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଅନ୍ତର୍ଜାତୀୟ ସୀମା ଭାବରେ ଡୁରାଣ୍ଡ ଲାଇନକୁ ଗ୍ରହଣ କରିବାକୁ କାବୁଲର କ୍ରମାଗତ ଅମଙ୍ଗ ପରିସ୍ଥିତିକୁ ଅଧିକ ଜଟିଳ କରୁଛି ଓ ଏହାକୁ ନେଇ ସୀମାରେ ଉଭୟ ଦେଶର ସେନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଅଧିକନ୍ତୁ, ନୂତନ ଆଫଗାନିସ୍ତାନ ଶାସକମାନେ ଅନ୍ତର୍ଜାତୀୟ ମାନ୍ୟତା, ମାନବିକ ସହାୟତା, ମୌଳିକ ସ୍ବାସ୍ଥ୍ୟସେବା, ମହିଳାଙ୍କ ଶିକ୍ଷା ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ଅନେକ ଆହାନ ସହ ମୁକାବିଲା କରୁଥିଲା ବେଳେ ପାକିସ୍ତାନ ସହ ଦୁର୍ବଳ ଦିପାକ୍ଷିକ ସମ୍ପର୍କ ତାଲିବାନ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି।
ଏବେ ତାଲିବାନ ଗୋଷ୍ଠୀ ପାକିସ୍ତାନ ଜନତାଙ୍କ ମଧ୍ୟରେ ତାଲିବାନ ନୀତିକୁ ଗ୍ରହଣ କରାଇବାକୁ ନେଇ ଉଦ୍ୟମ ଆରମ୍ଭ କରିଦେଇଛି। ସେଥିପାଇଁ ମୌଳବାଦୀ ଗୋଷ୍ଠୀଙ୍କ ପକ୍ଷରୁ ପ୍ରଚେଷ୍ଟା ଆରମ୍ଭ ହୋଇଛି। ଆଫଗାନିସ୍ତାନ ଉପରେ ତାଲିବାନଙ୍କ ସାମରିକ ଶାସନ ପୁନଃ ପ୍ରତିଷ୍ଠା ପରେ ସେମାନେ ଚାହୁଁଛନ୍ତି ଯେ ପାକିସ୍ତାନରେ ଆଫଗାନ ଭଳି ଶାରିୟା ଆଇନ ଲାଗୁ ହେଉ। ଏହାକୁ ପାକିସ୍ତାନର କେତେକ ଆତଙ୍କୀ ଗୋଷ୍ଠୀ ଖୋଲାଖୋଲି ଭାବେ ସମର୍ଥନ ନ କଲେ ମଧ୍ୟ ଭିତରେ ଭିତରେ ସମର୍ଥନ କରୁଛନ୍ତି। ଜିହାଦୀ ବାହିନୀକୁ ସମର୍ଥନ କରିବା ପାଇଁ ପାକିସ୍ତାନର ନିରନ୍ତର ଅଭ୍ୟାସ ବର୍ତ୍ତମାନ ନିଜ ଦେଶରେ ଏହାର କୁପ୍ରଭାବ ଭୋଗିବାକୁ ଯାଉଛି। ଆଫଗାନିସ୍ତାନରେ ଏକଦା ତାଲିବାନକୁ ସବୁ ପ୍ରକାର ସାହାଯ୍ୟ କରିଥିବା ପାକିସ୍ତାନ ଏବେ ନିଜ ଦେଶରେ ଇସଲାମବାଦୀ ଆଞ୍ଚଳିକତା ବୃଦ୍ଧି ପାଇଁ ବାଟ ଖୋଲିଛି। ଗତ ସେପ୍ଟେମ୍ବର ମାସରେ ପାକିସ୍ତାନଠାରୁ ଏକ କ୍ରିକେଟ ମ୍ୟାଚରେ ଆଫଗାନିସ୍ତାନ ହାରିଯିବା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ିଯାଇଥିଲା। ସେଇ ଷ୍ଟାଡିୟମ ଭିତରେ ପାକିସ୍ତାନୀ ଖେଳାଳି ଓ ସମର୍ଥକମାନଙ୍କ ଉପରକୁ ଚେୟାର ଫିଙ୍ଗିବା ସହ ସୋସିଆଲ ମିଡିଆରେ ସେମାନଙ୍କ ବିରୋଧରେ ନାନାଦି ମନ୍ତବ୍ୟ, ଏପରି କି ସେମାନଙ୍କୁ ସନ୍ତ୍ରାସବାଦୀ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ। ଅନୁରୂପ ଭାବେ ଆଫଗାନୀମାନଙ୍କୁ ନମକ ହରାମ ଆଖ୍ୟା ଦେଇ ଅନେକ ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ ପାକିସ୍ତାନବାସୀ। ଆଫଗାନିସ୍ତାନରେ ପାକିସ୍ତାନର ଲୋକପ୍ରିୟତା କମିବା ସାଙ୍ଗକୁ ପାକିସ୍ତାନ ହାତରେ କ୍ରୀଡ଼ନକ ନ ହେବାକୁ ଏବେ ତାଲିବାନ ଚାହୁଁ ଥିବାରୁ ଉଭୟ ଦେଶ ମଧ୍ୟରେ ଦୂରତା କ୍ରମଶଃ ବଢ଼ିବାରେ ଲାଗିଛି। ଏପରି କି ଉଭୟ ଦେଶର ଜନସାଧାରଣ ପରସ୍ପର ବିରୋଧୀ ହେଲେଣି।
ତାଲିବାନର ଜନ୍ମସ୍ଥାନ ହେଉଛି ପାକିସ୍ତାନ। ଶାନ୍ତି ଓ ସୁରକ୍ଷା ନାମରେ ମୁଲ୍ଲା ମହମ୍ମଦ ଉମର ଯେତେବେଳେ ତାଲିବାନ ଗଢ଼ିଥିଲେ, ସେତେବେଳେ କେହି ସ୍ବପ୍ନରେ ଭାବି ନ ଥିଲେ ଯେ ସେହି ତାଲିବାନ ଦିନେ ଆଫଗାନିସ୍ତାନର ଶାସନଭାର ସମ୍ଭାଳିବ। ଏବେ ସର୍ବଶକ୍ତିମାନ ଥିବା ତାଲିବାନର ପୂର୍ଣ୍ଣ ସମର୍ଥନରେ ତେହେରିକ ଏ ତାଲିବାନ ପାକିସ୍ତାନ ବା ଟିଟିପି ପାକିସ୍ତାନରେ ଶକ୍ତି ସଂଗ୍ରହ କରୁଛି। ଆଶଙ୍କା ପ୍ରକାଶ ପାଇଲାଣି ଯେ ଭବିଷ୍ୟତରେ ଟିଟିପି ମଧ୍ୟ ପାକିସ୍ତାନରେ କ୍ଷମତା ଦଖଲ କରିପାରେ। ଦିନକୁ ଦିନ ଏହି ଆତଙ୍କବାଦୀ ସଂଗଠନ ପାକିସ୍ତାନରେ ଯେପରି ବଳୀୟାନ ହେଉଛି ଏହି ଆଶଙ୍କା ଅମୂଳକ ଲାଗୁନାହିଁ। ଗତ ମାସରେ ପାକିସ୍ତାନର ଗୋଟିଏ ଆର୍ମୀ କ୍ୟାମ୍ପରେ ପ୍ରବେଶ କରି କିଛି ଅଧିକାରୀଙ୍କୁ ବନ୍ଦୀ କରିବା ଘଟଣା ଟିଟିପି ଶକ୍ତିର ପ୍ରମାଣ ଦିଏ। ୨୦୦୭ରେ ଜନ୍ମ ନେଇଥିବା ତେହେରିକ ଏ ତାଲିବାନ ପାକିସ୍ତାନ ୨୦୦୯ରେ ମେରିଆଟ ହୋଟେଲ ଆକ୍ରମଣ ଓ ଏହାପରେ ପାକିସ୍ତାନ ସେନା ମୁଖ୍ୟାଳୟ ଉପରେ ଅନୁପ୍ରବେଶ ପ୍ରମାଣ ଦିଏ ତାଲିବାନ ପ୍ରତିପାଳିତ ଉକ୍ତ ଆତଙ୍କବାଦୀ ସଂଗଠନର ସାହସ। ଏପରି କି ଏକ ସ୍କୁଲରେ ଆଖିବୁଜା ଗୁଳି ଚାଳନା କରି ଏହି ସଂଗଠନ ଶତାଧିକ ଛାତ୍ରୀଛାତ୍ରଙ୍କ ମୃତ୍ୟୁର କାରଣ ହୋଇଥିଲା। ଯଦି ବିଷଧର ସର୍ପ ପାଳି ଭାବୁଥାନ୍ତି ଯେ ସର୍ପ ଆପଣଙ୍କ ଶତ୍ରୁକୁ ଦଂଶନ କରିବ, ତାହା ଦିବା ସ୍ବପ୍ନ। ସର୍ପ ଦିନେ ନା ଦିନେ ଆପଣଙ୍କୁ ଚୋଟ ମାରିବ। ଏବେ ପାକିସ୍ତାନ ପୋଷିତ ଟିଟିପି ପାକିସ୍ତାନ ପ୍ରତି ଅନୁରୂପ ଆଶଙ୍କା ସୃଷ୍ଟି କରିବାକୁ ବସିଲାଣି।
ପ୍ରକାଶଯୋଗ୍ୟ ଯେ, ଆଫଗାନିସ୍ତାନରୁ ଆମେରିକାର ପ୍ରତ୍ୟାବର୍ତ୍ତନ ଓ ତା’ ସହ ତାଲିବାନ ଗୋଷ୍ଠୀଙ୍କ ଦ୍ୱାରା ଆଫଗାନିସ୍ତାନର କ୍ଷମତା ଭାର ଗ୍ରହଣ ହେଉ ହେଉ ପ୍ରଥମେ ପାକିସ୍ତାନ ତାଲିବାନ ସରକାରଙ୍କୁ ମାନ୍ୟତା ପ୍ରଦାନ କରିଥିଲା। ଏହା ପରଠାରୁ ତାଲିବାନ ଆଫଗାନିସ୍ତାନରେ ନିଜର ସ୍ଥିତି ମଜଭୁତ କରୁଥିବା ବେଳେ ଟିଟିପି ନିଜର ସ୍ଥିତି ପାକିସ୍ତାନରେ ମଜଭୁତ କରିବାକୁ ଲାଗୁଛି। ନିଜ ପାଖରେ ଅସ୍ତ୍ରଶସ୍ତ୍ର ମହଜୁଦ ରଖୁଛି। ପାକିସ୍ତାନ ସହ ଆଫଗାନିସ୍ତାନର ସୀମା ବିବାଦ ସମାଧାନ ବଦଳରେ ଅଧିକ ବିବାଦୀୟ ହେଉଛି। ତେଣୁ ଏ ସମୟରେ ତାଲିବାନ ପାଇଁ ଟିଟିପି ସହଯୋଗୀ ସାବ୍ୟସ୍ତ ହେଉଛି ଓ କ୍ରମଶଃ ଟିଟିପି ଆଗରେ ପାକିସ୍ତାନ ଦୁର୍ବଳ ହେବାର ସମ୍ଭାବନା ସୃଷ୍ଟି ହେଉଛି। ସମସ୍ତେ ଜାଣନ୍ତି ଯେ ପାକିସ୍ତାନ ସେନା ଦ୍ବାରା ଅନେକ ଆତଙ୍କୀ ସଂଗଠନ ପାକିସ୍ତାନରେ ସଂଚାଳନ ହେଉଛି ଓ ଏହାର ମୁଖ୍ୟ ଲକ୍ଷ୍ୟ ଭାରତରେ ଅଶାନ୍ତି ସୃଷ୍ଟି କରିବା। ଯଦି ଏହି ସବୁ ଆତଙ୍କୀ ସଂଗଠନ ଟିଟିପି ସହିତ ଏକଜୁଟ ହୋଇଯା’ନ୍ତି, ତେବେ ସେମାନଙ୍କ ସହଯୋଗରେ ପାକିସ୍ତାନର କ୍ଷମତା ଦଖଲ କରିବାକୁ ଟିଟିପିକୁ ଅସୁବିଧା ହୋଇ ନ ପାରେ। ଯଦି ଏହା ସମ୍ଭବ ହୁଏ ତେବେ କେବଳ ଭାରତ ପାଇଁ ନୁହେଁ, ସମଗ୍ର ବିଶ୍ବ ପାଇଁ ତାହା ସଙ୍କଟ ପରିସ୍ଥିତି ସୃଷ୍ଟି ହେବ। କାରଣ ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କୀ ସଂଗଠନ ପାଖରେ ପରମାଣୁ ବୋମା ଓ ଏହିଭଳି ସମୂହ ସଂହାରକାରୀ ମାରଣାସ୍ତ୍ର ନାହିଁ। ଯଦି ପାକିସ୍ତାନକୁ ଟିଟିପି ଦଖଲ କରିନିଏ, ତେବେ ପରମାଣୁ ଅସ୍ତ୍ର ଟିଟିପି ହାତକୁ ଚାଲିଯିବ ଓ ଏହାର ପରିଣାମ ସମଗ୍ର ବିଶ୍ୱକୁ ଭୋଗିବାକୁ ବେଶି ସମୟ ଲାଗିବ ନାହିଁ। ଏଥିପ୍ରତି ପଡ଼ୋଶୀ ରାଷ୍ଟ୍ର ଭାବେ ଭାରତକୁ ବିଶେଷ ଦୃଷ୍ଟିଦେବାକୁ ପଡ଼ିବ।
ମୋ: ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri