ଘର୍‌ମାଓ

ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ

 

ଘର୍‌ମାଓ କହିଲେ ପୋଷା ବିଲେଇକୁ ବୁଝାଏ, ଯିଏ ତାକୁ ପାଳିଥିବା ମାଲିକର ଘରେ ରହିଥାଏ ଦିନରାତି ଚବିଶଘଣ୍ଟା। ତା’ ଆହାର ବିହାର, ଖେଳକୁଦ ସବୁକିଛି ହେଉଥାଏ, କିନ୍ତୁ ସେଇ ଘର ଭିତରେ କେବଳ। ତା’ କାମ କହିଲେ ସକାଳୁ ସଞ୍ଜଯାଏ କେବଳ ମାଲିକ/ମାଲିକାଣୀର ପାଖେପାଖେ ରହି ଗୁଡୁରୁ ଗୁଡୁରୁ ହେଉଥିବ। କେତେବେଳେ କେମିତି ଦେହରେ ଟିକେ ଆଦରରେ ଘଷି ହେଉଥିବ। ଭଲମନ୍ଦ କିଛି ହିଁ ବାଛବିଚାର ନ କରି ଯାହା ମିଳୁଥିବ ଗେଫି ଦେଉଥିବ। କେବେ କେମିତି କୋଉ ଘରମୂଷାକୁ ଶିକାର କଲା ତ କଲା, ନ ହେଲେ ବାକି ସମୟ କୋଉ ମଞ୍ଚାତଳେ କି କୋଉ ଖଟତଳେ ଶୋଇ ଘୁଙ୍ଗୁଡ଼ି ମାରୁଥିବ ଅଚିନ୍ତାରେ। କେତେବେଳେ ବର୍ଷା ହେଲା କି କେତେବେଳେ ପଡ଼ିଲା ଖରା, ସେସବୁ ବାହାର ଦୁନିଆର କଥା କିଛିହେଲେ ଜାଣେନାହିଁ ଘର୍‌ମାଓ। ତା’ ପାଇଁ ଜାଣିବାର ଆବଶ୍ୟକତା ହେଲେ କ’ଣ? ତାକୁ ତ ସମୟ ଜାଣି ଖାଇବାକୁ ମିଳୁଛି ପେଟପୂରା ଦାନା। ଶୋଇବାକୁ ମିଳୁଛି ନରମ ବିଛଣା ଏବଂ ଅପର୍ଯ୍ୟାପ୍ତ ସମୟ। ତେବେ ତା’ର ଚିନ୍ତା କ’ଣ? ଛୋଟବଡ଼ ଜୀବଜନ୍ତୁ ଶିକାର କରି ଆତ୍ମ ନିର୍ଭରଶୀଳ ହେବାର କୌଣସି ଆବଶ୍ୟକତା ନାହିଁ କି ଦିନକୁ କେତୋଟି ମୂଷା ମାରିବ ସେମିତି କିଛି ଧରାବନ୍ଧା ନିୟମ ମଧ୍ୟ ନାହିଁ ତା’ ପାଇଁ। ଘର ଭଲ ତ ସେ ଭଲ। ଦେଶ ଦୁନିଆ ଉଡ଼ୁବୁଡ଼ୁ ତା’ର କି ଯାଏ? ସେଇଥି ପାଇଁ ସଦାବେଳେ ବିନ୍ଦାସ୍‌ ଥାଏ ଘର୍‌ମାଓ। ଆତ୍ମରତିରେ ମଗ୍ନ ମସ୍ତମୌଳାଟିଏ ସେ, ସାଂସାରିକ ରାଗ ବିରାଗ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ। ସଦାସର୍ବଦା ଯେଉଁ ଲୋକଟି ପୋଷାବିରାଡ଼ି ପରି କେବଳ ଘର ଭିତରେ ପଡ଼ି ରହିଥାଏ, ଦେଶ ଦୁନିଆର ହାଲଚାଲ୍‌ କିଛି ବୋଲି କିଛି ବି ଜାଣେନା, ସେମିତି ଲୋକକୁ ଘର୍‌ମାଓ ବୋଲି କହିଥାନ୍ତି ଆମ ଅଞ୍ଚଳର ଲୋକମାନେ।
ଅନେକ ବର୍ଷ ତଳର କଥା। ଘର୍‌ମାଓ ପରି ଅହର୍ନିଶ ଘରେ ପଡ଼ି ରହୁଥିବା ତା’ ପୁଅ ସଦାଶିବକୁ ଘରୁ ବାହାରି ହାଟକୁ ବାଟକୁ ଯିବା ପାଇଁ କହୁଥିଲା ଆମ ଗାଆଁର ଉକିଆ ବୁଢ଼ୀ। ତା’ର ଯୁକ୍ତି ହେଲା, ହାଟକୁ ବାଟକୁ ବାହାରିଲେ ସିନା ଜଣେ ଲୋକ ଆହୁରି ଅନେକ ଲୋକଙ୍କ ସହିତ ଭେଟ ହୋଇପାରିବ। ତାଙ୍କ ସାଥିରେ ଭଲମନ୍ଦ ଦି’ପଦ କଥା ହେଉ ହେଉ ଜାଣିପାରିବ ଦେଶ ଦୁନିଆର ହାଲ୍‌ଚାଲ୍‌। ଶିଖିବାକୁ ପାଇବ ଭଦ୍ରଜନୋଚିତ ଆଚାର ବ୍ୟବହାର। ଆହୁରି ମଧ୍ୟ ଶିଖିପାରିବ ମଣିଷର ଚାଲିଚଳଣି, ହାବଭାବ, ରଙ୍ଗଢ଼ଙ୍ଗ। ଅଧିକ କିଛି ହେଉ କି ନ ହେଉ ନିଶ୍ଚିତ ରୂପେ ସମାଜ ସଚେତନ ହୋଇପାରିବ ପିଲାଟି। ସେମିତିରେ ବଳେ ବଳେ ବ୍ୟାପକ ହୋଇଯିବ ତା’ର ଦୃଷ୍ଟିଭଙ୍ଗୀ। ଦୁନିଆରେ ଏକା ଏକା ଚାଲିବାକୁ ପାଇବ ଶକ୍ତି ଆଉ ସାହସ। ଘରେ ବସି ବସି ସମୟ କାଟିଲେ କ’ଣ ଅବା ଦେଖିବାକୁ କି ଶିଖିବାକୁ ମିଳିବ ତାକୁ?
ଅନ୍ୟଲୋକଙ୍କ ଦୃଷ୍ଟିରେ ଗାଉଁଲି ମୂର୍ଖ ମହିଳା ହେଲେ ହେଁ ଆମ ସଦାଶିବର ମାଆ ଉକିଆ ବୁଢ଼ୀ କିନ୍ତୁ ଠିକ୍‌କଥା ହିଁ କହୁଥିଲା, ଯାହା କି ଆଜିକାର ବଡ଼ ବଡ଼ ଶିକ୍ଷିତ ଲୋକଙ୍କ ମୁଣ୍ଡକୁ ବି ଢୁକି ପାରୁନାହିଁ। ପ୍ରତିଯୋଗିତାପୂର୍ଣ୍ଣ ଏଇ ଦୁନିଆରେ ପିଲାଟି ଦିନରୁ କେବଳ ପାଠ ପଛରେ ଗୋଡ଼େଇ ଗୋଡ଼େଇ ପରିଶେଷରେ ଆମ ପିଲେ ହୋଇ ଯାଉଛନ୍ତି ଘର୍‌ମାଓ ନତୁବା ଗୋଟେ ଗୋଟେ ସଖୀ କଣ୍ଢେଇ। ଦୁନିଆର ହାଲ୍‌ଚାଲ୍‌ କିଛି ବି ଶିଖି ପାରୁନାହାନ୍ତି ସେମାନେ କି ଜାଣି ପାରୁନାହାନ୍ତି ସମାଜର ଚାଲିଚଳଣି, ହାବଭାବ। ଫଳରେ ତାଙ୍କର ପରବର୍ତ୍ତିତ ଜୀବନରେ ଏକନିଷ୍ଠ ପୁସ୍ତକ ଜ୍ଞାନକୁ ଆଶ୍ରାକରି ସଂସାର ଭିତରେ ଚାଲିବାକୁ ଆରମ୍ଭ କରିବା ବେଳେ ସହଜରେ ବାଟହୁଡ଼ି ଯାଉଛନ୍ତି ବିଚରାମାନେ। ଅଜାଣତରେ ଅଜ୍ଞାନ ଅନ୍ଧକୂପରେ ପଡ଼ି ଛଟପଟ ହେଉଛନ୍ତି। କେବେ କୋଉଠି କୌଣସି ଆପଦ ବିପଦରେ ପଡ଼ିଲେ, ଅଳ୍ପକେ ହୋଇ ପଡ଼ୁଛନ୍ତି ଧୈର୍ଯ୍ୟହରା। ହୋଇଯାଉଛନ୍ତି ଅଥୟ, ଚିନ୍ତିତ। କିଂ କର୍ତ୍ତବ୍ୟ ବିମୂଢ଼ ହୋଇ ଭୁଲିଯାଉଛନ୍ତି ନିଜର ଜ୍ଞାନଧ୍ୟାନ ସବୁକିଛି। ଖୋଜିଲୋଡ଼ି ବାହାର କରିପାରୁନାହାନ୍ତି ଆସନ୍ନ ବିପଦର ଆବର୍ତ୍ତରୁ ମୁକୁଳିବାର ବାଟ। ତେଣୁ ନିଜକୁ ଅତ୍ୟନ୍ତ ଅସହାୟ ମନେକରୁଛନ୍ତି ସେଇ ନିଷ୍ପାପ ପିଲାମାନେ। କାହିଁକି ନା ସେମାନଙ୍କୁ କେଉଁଠୁ ହେଲେ ମିଳିପାରୁନାହିଁ ବ୍ୟବହାରିକ ଜ୍ଞାନ, ମାନସିକ କି ବୌଦ୍ଧିକ ସମର୍ଥନ। ହଇହୋ ବାବୁ, ପୋଥି ବାଇଗଣ ଆଉ ବାଡ଼ି ବାଇଗଣ ଭିତରେ କ’ଣ କିଛିହେଲେ ତଫାତ୍‌ ନାହିଁ? ପୋଥି ବାଇଗଣ ଚାଷ କରିବା ସହଜ। କିନ୍ତୁ ବାଡ଼ିରେ ବାଇଗଣ ଉପୁଜାଇବା କେତେ କଷ୍ଟ? ତାହା ଜଣେ ଚାଷୀ ହିଁ କହିପାରିବ।
ଘର୍‌ମାଓ/ଗ୍ରନ୍ଥକୀଟ ଭଳି ଜୀବନଟିଏ ଜିଉ ଜିଉ ଆମ ପିଲାମାନେ ହଜେଇ ଦେଉଛନ୍ତି ଜୀବନ ଜିଇବାର ଅସଲ ବାଟ। ଅନୁଭବିବାରୁ ବଞ୍ଚିତ ହେଉଛନ୍ତି ବାହାରର ଖୋଲା ପବନ କି ମୁକ୍ତ ଆଲୋକ। ପରିବାର କି ସମାଜ ଭିତରେ କାହା ସହିତ ହୃଦୟ ଖୋଲି ମିଶି ପାରୁନାହାନ୍ତି ସେମାନେ; ଯାହା ଫଳରେ ଏକାକି ହୋଇ ଯାଉଛନ୍ତି ତାଙ୍କ ଜୀବନର ଚଲାପଥରେ। ସତ୍‌ପରାମର୍ଶ ଦେବାକୁ କି ହାତଧରି ସତ୍‌ମାର୍ଗରେ ବାଟ କଢ଼େଇ ନେବାକୁ, ସେମାନଙ୍କ ଆଗକୁ କି ପଛକୁ କେହି ନାହାନ୍ତି ବନ୍ଧୁ ବାନ୍ଧବ, ସାଙ୍ଗ ସାଥୀ, ଗୁରୁ ଗୁରୁଜନ। ଏମିତି ସ୍ଥିତିରେ ସେମାନେ କେଉଁଠୁ ପାଇପାରିବେ ବ୍ୟବହାରିକ ଜ୍ଞାନ? ପୁସ୍ତକଜ୍ଞାନ ହୁଏତ ଚାକିରି ବୃତ୍ତିଟେ ଯୋଗାଇ ଦେଇପାରେ, କିନ୍ତୁ ତାହା ସର୍ବଶ୍ରେଷ୍ଠ ନୁହେଁ। କାରଣ ତାହା ନୁହେଁ ଅନୁଭୂତି ସିଦ୍ଧ କି ବ୍ୟବହାରିକ। ଏଣୁ କେତେବେଳେ କେଉଁଠି ଅସୁବିଧାରେ ପଡ଼ିଲେ କି ଠିକ୍‌ପଥ ନିରୁପଣ କରି ନ ପାରିବାର ଏକ ଦୋଦୁଲ୍ୟମାନ ସ୍ଥିତିରେ ଅଟକି ଗଲେ, ଆମ ପିଲାଙ୍କୁ ଉପଯୁକ୍ତ ଦିଗ୍‌ଦର୍ଶନ ଦେଇପାରୁନାହିଁ ତାଙ୍କର ପୁସ୍ତକଲବ୍ଧ ଜ୍ଞାନ। ସେଇଥି ପାଇଁ ବାରମ୍ବାର ବାଟହୁଡ଼ି ଯାଉଛନ୍ତି। ଏପରି କି ଅବାଟରେ ଚାଲି ଯାଉଛନ୍ତି ସେମାନେ। ସେମିତି ହେଉ ନ ଥିଲେ, ଆମ ପିଲାମାନେ ଆଜି ବଞ୍ଚିବାର ରାହା ହରେଇ ନିଶାଗ୍ରସ୍ତ ହେଉ ନ ଥାନ୍ତେ କି ସର୍ବଶୂନ୍ୟତାର ଅନୁଭବରେ ବାଛି ନେଉ ନ ଥାନ୍ତେ ସୁଇସାଇଡ୍‌ ଭଳି ଗୋଟେ ଚରମ ପନ୍ଥା।
ପିଲାଏ ବିପଥଗାମୀ ହେବା କି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିବା, ଏକ ବିରାଟ ସଙ୍କଟ ଭାବେ ଉଭା ହୋଇଛି ଆଜିକାର ସମାଜରେ। ଏଇ ସଙ୍କଟରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ କିଛି ଗୋଟେ ନୂଆବାଟ ବାହାର କରିବାକୁ ଆମ ସମସ୍ତଙ୍କୁ ଚିନ୍ତା କରିବାକୁ ପଡ଼ିବ। ଘର୍‌ମାଓ/ଗ୍ରନ୍ଥକୀଟ ଅବସ୍ଥାରୁ ମୁକୁଳାଇ ଦେବାକୁ ହେବ ବ୍ୟବହାରିକ ଜ୍ଞାନ। କାରଣ ବିପଥଗାମୀ ପିଲାଙ୍କୁ ସତ୍‌ମାର୍ଗରେ ନେଇଯିବାର ଦାୟିତ୍ୱ ଆମ ସମସ୍ତଙ୍କର। ହେଲେ ସେଇ ଗୁରୁଦାୟିତ୍ୱ ମୁଣ୍ଡେଇବା ପାଇଁ ଏବେ ଆମେ ଚେତିବା କି ଅଚିନ୍ତାର ଘୁଙ୍ଗୁଡ଼ି ମାରି ଶୋଇ ଯାଇଥିବା ଅନନ୍ତକାଳ ପର୍ଯ୍ୟନ୍ତ?
ଭାରତୀ କୁଟୀର, ଡୁଙ୍ଗୁରିପାଲି, ସୁବର୍ଣ୍ଣପୁର, ମୋ:୮୨୪୯୮୦୭୨୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri