ବ୍ୟକ୍ତିଗତ ଆଇନ

ଗତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି କହିଛନ୍ତି ଯେ, ଏବକାର ସ୍ଥିତିରେ ଭାରତ ସକାଶେ ଏକକ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ୍‌ କୋଡ୍‌ର ଆବଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ ଯେ, ଦେଶରେ ପ୍ରଚଳିତ ବିଭିନ୍ନ ଧର୍ମର ବ୍ୟକ୍ତିଗତ ଆଇନ (ପର୍ସନାଲ ଲ’) ପରିବର୍ତ୍ତେ ସବୁ ଭାରତୀୟଙ୍କ ପାଇଁ ବିବାହ, ବିଚ୍ଛେଦ, ଉତ୍ତରାଧିକାର ଏବଂ ପୋଷ୍ୟଗ୍ରହଣ କ୍ଷେତ୍ରରେ ସମାନ ନିୟମ ଅଣାଯିବା ଏହାର ପରିସରଭୁକ୍ତ ହେବା ଦରକାର। ସମ୍ବିଧାନର ଧାରା ୪୪ରେ ସବୁ ଧର୍ମ ପାଇଁ ଏକକ ନାଗରିକ ସଂହିତା ଲାଗୁ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ଥାନର ମୀନା ସମ୍ପ୍ରଦାୟର ଏକ ଛାଡ଼ପତ୍ର ମାମଲାର ଶୁଣାଣି କରିବା ଅବସରରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ପ୍ରତିଭା ଏମ୍‌ ସିଂହ ଏଭଳି କହିଥିଲେ। ଶୁଣାଣି ବେଳେ ବିଚାରପତି କହିଥିଲେ ଯେ, ଧାରା ୪୪ର ମୁଖ୍ୟ ଉଦ୍ଦେଶ୍ୟ ବୈଷମ୍ୟ ଦୂର କରିବା ଥିବାରୁ ଏହାକୁ ବାସ୍ତବତାରେ ପରିଣତ କରିବାକୁ ହେବ। ସେହିପରି ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୦୧୯ରେ କେନ୍ଦ୍ର ସରକାରଙ୍କୁ କହିଥିଲେ ଯେ ସମ୍ବିଧାନ ପ୍ରଣେତାମାନେ ଏକକ ନାଗରିକ ସଂହିତା ନେଇ ଆଇନ ପ୍ରଣୟନ କରିବା ନିମନ୍ତେ ଆଶା ବ୍ୟକ୍ତ କରିଥିଲେ ମଧ୍ୟ ତାହା ହୋଇପାରିଲା ନାହିଁ। କେବଳ ଗୋଆ ଏହି ଆଇନ ଆଣିବାରେ ସକ୍ଷମ ହୋଇଛି ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ।
ଉପରଲିଖିତ ଘଟଣାକୁ ଦେଖିଲେ ନ୍ୟାୟପାଳିକା ଏକକ ନାଗରିକ ସଂହିତା ସପକ୍ଷରେ ମତ ଦେଉଛନ୍ତି। କିନ୍ତୁ ଭାରତୀୟ ଜନତା ପାର୍ଟି (ଭାଜପା) ତା’ର ନିର୍ବାଚନୀ ଇସ୍ତାହାରରେ ଏହାକୁ ସନ୍ନିବେଶିତ କରିଥିବାରୁ ହିନ୍ଦୁ ବିବାହ ଆଇନକୁ ସମଗ୍ର ଦେଶ ଉପରେ ଲଦି ଦେବାକୁ ଚାହୁଁଛି ବୋଲି କେତେକ ମହିଳା ଗୋଷ୍ଠୀ ଓ ଧର୍ମନିରପେକ୍ଷ ସଙ୍ଗଠନଗୁଡ଼ିକ ଏହାକୁ ବିରୋଧ କରୁଛନ୍ତି। ଏମାନଙ୍କ ଅଭିଯୋଗ ହେଉଛି ଯେ, ଏକକ ନାଗରିକ ସଂହିତା ଲାଗୁ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଅଦ୍ୟାବଧି ଏହାର ରୂପରେଖ କ’ଣ ହେବ ସେ ସଂକ୍ରାନ୍ତରେ ଚିଠା ପ୍ରସ୍ତୁତ କରିନାହାନ୍ତି କିମ୍ବା ଏ ନେଇ ବ୍ଲୁପ୍ରିଣ୍ଟ ଦେଖିବାକୁ ମିଳିନାହିଁ। ତେଣୁ ଏହାର ସ୍ବରୂପ କ’ଣ ରହିବ ତାହା ଉପରେ ଅନେକେ ସନ୍ଦିହାନ ଅଛନ୍ତି। ଏଭଳି ସ୍ଥିତିରେ କେନ୍ଦ୍ରରେ ଭାଜପା ସରକାର ଚାଲିଥିବାରୁ ସଂଖ୍ୟାଲଘୁଙ୍କ ବ୍ୟକ୍ତିଗତ ଆଇନ ଅଣଦେଖା ହୋଇଯିବାର ଯଥେଷ୍ଟ ଆଶଙ୍କା ରହିଥିବା କୁହାଯାଉଛି। ଏଠାରେ ସମ୍ବିଧାନ ପ୍ରଣୟନ ଦିଗରେ କାର୍ଯ୍ୟ କରିଥିବା ଅନ୍ୟତମ ସଦସ୍ୟ ଡକ୍ଟର ବି.ଆର୍‌. ଆମ୍ବେଡ୍‌କର ସାମ୍ବିଧାନିକ ବିତର୍କରେ ଭାଗ ନେଇ ଦେଇଥିବା ମନ୍ତବ୍ୟକୁ ଉଲ୍ଲେଖ କରାଯାଇପାରେ। ପାଶ୍ଚାତ୍ୟ ଜଗତରେ ଏକକ ନାଗରିକ ସଂହିତା ଲାଗୁ କରାଯାଇଥିବାରୁ ସମାଜରେ ସମାନତା ଓ ଏକତା ଆଣିବା ଦିଗରେ ଏହା ସହାୟକ ହୋଇଥିବା ବିଷୟ ସେ ଦର୍ଶାଇଥିଲେ। ସେହି ଅନୁଯାୟୀ ସେ ଭାରତରେ ଏହାକୁ ଲାଗୁ କରିବା ସପକ୍ଷରେ ଥିଲେ। କିନ୍ତୁ ଏ ଦେଶରେ ବିବିଧ ସଂସ୍କୃତି ଓ ଧର୍ମ ଥିବାରୁ ଏଭଳି ଆଇନ ଅଣାଯିବାକୁ ସାମ୍ବିଧାନିକ ସଭାର ଅନ୍ୟ ସଦସ୍ୟମାନେ ସେତେବେଳେ ବିରୋଧ କରିଥିଲେ। ସେମାନଙ୍କ ଯୁକ୍ତି ଥିଲା ଯେ, ଧାରା ୨୫ ଓ ୨୬ରେ ଧର୍ମୀୟ ସ୍ବାଧୀନତା ଓ ଧର୍ମୀୟ ବ୍ୟାପାର ପରିଚାଳନା ସଂକ୍ରାନ୍ତ ଯେଉଁ ଅଧିକାର ବ୍ୟବସ୍ଥା ରହିଛି, ଏକକ ନାଗରିକ ସଂହିତା ସେଗୁଡ଼ିକୁ ଲଂଘନ କରିବ। ସେଥିପାଇଁ ସରକାର ଏହାକୁ ଭବିଷ୍ୟତରେ କାର୍ଯ୍ୟକାରୀ କରିବାର ଉଦ୍ଦେଶ୍ୟ ରଖି ସମ୍ବିଧାନର ୪ର୍ଥ ଭାଗରେ ରାଜ୍ୟ ନୀତି ନିର୍ଦ୍ଦେଶନାମା ସିଦ୍ଧାନ୍ତ ବା ଡାଇରେକ୍ଟିଭ୍‌ ପ୍ରିନ୍ସିପୁଲ୍ସ ଅଫ୍‌ ଷ୍ଟେଟ୍‌ ପଲିସିରେ ସନ୍ନିବେଶିତ କରାଇଥିଲେ।
ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ମତକୁ ପଢ଼ିଲେ ସ୍ପଷ୍ଟ ବୁଝାପଡ଼ୁଛି ଯେ, ନ୍ୟାୟାଳୟର ସମସ୍ୟା କେଉଁଠି ରହିଛି। ସବୁ ଜାତି ଓ ଧର୍ମର ନାଗରିକ ନ୍ୟାୟର ଆଶ୍ରୟ ନେବାକୁ ଇଚ୍ଛୁକ। କିନ୍ତୁ ସମସ୍ତେ ଭିନ୍ନ ପ୍ରକାରର ନ୍ୟାୟ ଆଶା କରୁଥିବାରୁ ନ୍ୟାୟାଳୟ ସକାଶେ ରାୟ ଦେବା କଷ୍ଟକର ହେଉଛି। ନ୍ୟାୟିକ ଦୃଷ୍ଟିକୋଣରୁ ଦେଖିଲେ ବିଚାରପତିମାନେ ସ୍ବଇଚ୍ଛାରେ ନ୍ୟାୟ ବାଣ୍ଟିପାରିବେ ନାହିଁ। ଆଇନ ପ୍ରଣୟନ କରାଯାଏ ବ୍ୟବସ୍ଥାପକ ବା ଲେଜିସ୍‌ଲେଚର ଦ୍ୱାରା। ଆଧୁନିକ ପୃଥିବୀରେ ଧର୍ମର ଊର୍ଦ୍ଧ୍ୱକୁ ଯାଇ ବ୍ୟକ୍ତିଗତ ଆଇନ ପ୍ରଣୟନ କରାଯିବାର ଗୁରୁତ୍ୱକୁ ଅଣଦେଖା କରାଯାଇପାରିବ ନାହିଁ। ଏଥିସହିତ ଯେଉଁ ଗୋଷ୍ଠୀଗୁଡ଼ିକ ଆଜିର ଭାରତର ରାଜନୈତିକ ନେତୃତ୍ୱର ଆଭିମୁଖ୍ୟ ଉପରେ ସନ୍ଦେହ ପ୍ରକଟ କରୁଛନ୍ତି, ସେମାନଙ୍କୁ ମଧ୍ୟ ଏଡ଼େଇ ଦେଇହେବ ନାହିଁ। ସେଥିପାଇଁ କେବଳ ଧର୍ମ ନୁହେଁ, ଜାତିର ଊର୍ଦ୍ଧ୍ୱକୁ ଉଠିବା ଗୁରୁତ୍ୱପୂର୍ଣ୍ଣ। ଉଦାହରଣ ସ୍ବରୂପ, ଉତ୍ତର ଭାରତରେ ଦେଖାଦେଉଥିବା ତଥାକଥିତ ଲଭ୍‌ ଜିହାଦ ସମସ୍ୟାଠାରୁ କାହିଁ ଅଧିକ ଗୁରୁତ୍ୱ ଧାରଣ କରୁଛି ହିନ୍ଦୁ ଧର୍ମ ଭିତରେ ଥିବା ଦୁଇ ବ୍ୟକ୍ତିଙ୍କ ବିବାହ ଯୋଗୁ ‘ଅନର୍‌ କିଲିଂ’ର ଆକ୍ରୋଶମୂଳକ ଚିନ୍ତାଧାରା।
ଭିନ୍ନ ଏକ ଉଦାହରଣ ଉତ୍ତର ପୂର୍ବାଞ୍ଚଳର ମିଜୋରାମର ଜିଓନା ଚାନାଙ୍କୁ ନିଆଯାଇପାରେ। ଗତମାସରେ ତାଙ୍କର ପରଲୋକ ଘଟିଥିଲା। ସେ ମାତ୍ର ୩୮ ମହିଳାଙ୍କୁ ବିବାହ କରିଥିଲେ ଓ ତାଙ୍କର ୮୯ ପିଲା ଅଛନ୍ତି। ହିନ୍ଦୁ ଆଇନ ଅନୁଯାୟୀ ଏତେ ସଂଖ୍ୟକ ବିବାହ କରିବା ବେଆଇନ। ଜିଓନା ଖ୍ରୀଷ୍ଟିଆନର ଚାନା ପାଓ୍ବଲ ସମ୍ପ୍ରଦାୟର। ଯଦି ତାଙ୍କର କୌଣସି ସ୍ତ୍ରୀ ସମସ୍ୟା ସୃଷ୍ଟି କରିଥାଆନ୍ତେ, ତେବେ ଜିଓନାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଇଥାଆନ୍ତା। ତାହା ଯେକୌଣସି ନ୍ୟାୟାଳୟ ପାଇଁ ସମସ୍ୟା ହୋଇଥାଆନ୍ତା। ସେଠାରେ ଭାରତର ଆଇନ ଅଧିକ ଗୁରୁତ୍ୱ ଧାରଣ କରିଥାଆନ୍ତା ନା ତାଙ୍କ ସମ୍ପ୍ରଦାୟର ଆଇନ ପ୍ରାଧାନ୍ୟଲାଭ କରିଥାଆନ୍ତା, ହୋଇଥାଆନ୍ତା ବିଚାରର ମୁଖ୍ୟ ବିଷୟ। ତଥାପି ଏକକ ନାଗରିକ ସଂହିତା ଅଣାଯିବାର ଆବଶ୍ୟକତାକୁ କେହି ଅସ୍ବୀକାର କରିବେ ନାହିଁ। ସମସ୍ୟା ହେଉଛି କେଉଁଭଳି ବ୍ୟକ୍ତିବିଶେଷ ଏହି ନୂତନ ଆଇନ ଲେଖିବାରେ ନିଯୁକ୍ତ ହେବେ। ଆଜିର ରାଜନେତାଙ୍କ ଆନ୍ତରିକତା ଉପରେ କେବଳ ସଂଖ୍ୟାଲଘୁ ନୁହେଁ, ଅନେକ ସଂଖ୍ୟାଗରିଷ୍ଠଙ୍କ ସନ୍ଦେହ ରହିଛି। ଏଭଳି ବାତାବରଣରେ ନୂତନ ଆଇନ ସୃଷ୍ଟି କରିବା ଅତ୍ୟନ୍ତ କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri