Categories: ଖେଳ

ପ୍ରଦର୍ଶନରେ ଉନ୍ନତି ହୋଇଛି: ବିଲିଙ୍ଗ୍ସ

ନୂଆଦିଲ୍ଲୀ,୩।୪(ପି.ଟି.): ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍‌ରେ ଇଂଲଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ସାମ ବିଲିଙ୍ଗ୍ସ ଅଲଗା କିଛି କରିଦେଖାଇବାକୁ ଉତ୍ସାହିତ ଅଛନ୍ତି। ନିଜର ପ୍ରଦର୍ଶନରେ ଉନ୍ନତି ହୋଇଛି ବୋଲି ସେ କହିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ସେ ଏଥର ଅଂଶଗ୍ରହଣ କରିବେ। ପୂର୍ବରୁ ୨୦୧୬ ଓ ୨୦୧୭ରେ ବିଲିଙ୍ଗ୍ସ ଦିଲ୍ଲୀ ଫ୍ରାଞ୍ଚାଇଜ ତରଫରୁ ଆଇପିଏଲ୍‌ ଖେଳିଥିଲେ। ଏଥର ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କାରେ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କ୍ରୟ କରିଛି।
ଶେଷଥର ପାଇଁ ଦିଲ୍ଲୀ ତରଫରୁ ଖେଳିବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଖିବାକୁ ଗଲେ ମୋର ପ୍ରଦର୍ଶନରେ ଉନ୍ନତି ହୋଇଛି ବୋଲି ସେ କହିଛନ୍ତି। ଏଥର ଦଳ ପାଇଁ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ ବୋଲି ସେ କହିଛନ୍ତି। ଆଇପିଏଲ୍‌କୁ ପ୍ରତ୍ୟାବର୍ତ୍ତନ କରିବା ସବୁଠାରୁ ବଡ଼ କଥା। ଦିଲ୍ଲୀ ଦଳରେ ଏକାଧିକ ବିଶ୍ୱସ୍ତରୀୟ ଖେଳାଳି ରହିଛନ୍ତି ଓ ଏଠି ଉପସ୍ଥିତ ରହି ବେଶ୍‌ ଉତ୍ସାହିତ ଅଛି ବୋଲି ସେ କହିଛନ୍ତି। ୨୯ ବର୍ଷୀୟ ବିଲିଙ୍ଗ୍ସ ଏ ପର୍ଯ୍ୟନ୍ତ ୧୮୭ ଟି୨୦ ମ୍ୟାଚ୍‌ ଖେଳିଛନ୍ତି ଓ ୩୫୨୭ ରନ ସଂଗ୍ରହ କରିବା ସହ ୧୦୭ଟି କ୍ୟାଚ ନେଇଛନ୍ତି ଓ ୧୭ଟି ଷ୍ଟମ୍ପିଂ କରିଛନ୍ତି। ଆଇପିଏଲ୍‌କୁ ଭଲ ପାଏ। ଏହି ଲିଗ୍‌ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଇଭେଣ୍ଟ ରୂପେ ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଛି। ଦିଲ୍ଲୀ ପାଇଁ ଖେଳିବାକୁ ବ୍ୟଗ୍ର ଅଛି ବୋଲି ସେ କହିଛନ୍ତି। ଇଞ୍ଜୁରି କାରଣରୁ ନିୟମିତ ଅଧିନାୟକ ଶ୍ରେୟାସ ଆୟାର ବାଦ୍‌ ପଡିବା ପରେ ରିଷଭ ପନ୍ତ ଏଥର ଦିଲ୍ଲୀର ନେତୃତ୍ୱ ନେବେ। ବର୍ତ୍ତମାନ ପନ୍ତ ହେଉଛନ୍ତି ଶ୍ରେଷ୍ଠ ଯୁବ କ୍ରିକେଟର ଓ ତାଙ୍କ ସହ ଖେଳିବାକୁ ଉତ୍ସାହିତ ଅଛି ବୋଲି ବିଲିଙ୍ଗ୍ସ କହିଛନ୍ତି। ଏପ୍ରିଲ ୧୦ ତାରିଖରୁ ଦିଲ୍ଲୀ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ।

Share