ବାଟମାରଣାର ନିଚ୍ଛକ ନମୁନା

ହରିଶଙ୍କର ମିଶ୍ର

 

୨୦୦୪ ସାଧାରଣ ନିର୍ବାଚନ ପରେ କେନ୍ଦ୍ରରେ ମିଳିତ ସରକାରଙ୍କ ଦ୍ବାରା ଅଣକୁଶଳୀ ଶ୍ରମିକଙ୍କ ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଆରମ୍ଭ ହେଲା। ଏବଂ ଅଧିକ ସକ୍ରିୟ ଓ ଉତ୍ତରଦାୟୀ କରିବାକୁ ଏହା ଆଇନ ପରିସରଭୁକ୍ତ ହେଲା। ଦେଶରେ ୧୯୭୭ ମସିହାରେ ପ୍ରଥମ ଅଣକଂଗ୍ରେସ ସରକାର ଗଠନ ପରଠାରୁ ଅଣକୁଶଳୀ ସମେତ ବିବିଧ ବର୍ଗର ଯଥା ବିଡ଼ି ଓ କେନ୍ଦୁପତ୍ର ଶ୍ରମିକ, ଗୋତି ଶ୍ରମିକ, ଖଣି ଶ୍ରମିକ, କୁଶଳୀ ଏବଂ ଅତି କୁଶଳୀ ତଥା ପାରମ୍ପରିକ ଓ ପରେ ନିର୍ମାଣ ଏବଂ କୃଷି ଶ୍ରମିକଙ୍କ ପାଇଁ ହୋଇଥିବା ଯୋଜନାରେ ସାମିଲ କଲେ ତା’ର ସଂଖ୍ୟା ଶତାଧିକ ଓ ଉପକୃତ ଶ୍ରମିକଙ୍କ ସଂଖ୍ୟା ବହୁକୋଟି ହେବ। ବିଗତ ୪୬ ବର୍ଷର ଯୋଜନାକୁ ତର୍ଜମା କଲେ ଜଣାଯାଏ ଯେ ସରକାର ବଦଳିଲେ ଯୋଜନାର ନାମ ବଦଳିଥାଏ। ଏବଂ ଯୋଜନା ସକ୍ରିୟ ଥିବାବେଳେ ସଫଳତା କେବଳ କାଗଜରେ ସୀମିତ ରହେ। ଏହା ସମସ୍ତେ ଜାଣନ୍ତି ଯେ ରାଜ୍ୟର ପ୍ରତ୍ୟେକ ଯୋଜନାରେ ହିତାଧିକାରୀ ଚୟନ ରାଜନୈତିକ ପ୍ରଭାବରେ ଏବଂ ପ୍ରତ୍ୟେକ ଉନ୍ନୟନ କାର୍ଯ୍ୟ ନିର୍ବାଚିତ ବ୍ୟକ୍ତିଙ୍କ ଅନୁଗତ ଠିକାଦାର ବା ସ୍ଥାନୀୟ ଦଲାଲ ଓ ଅସାଧୁ ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ହୋଇଥାଏ। ଏହି ଯୋଜନା ଆରମ୍ଭରୁ ଅଣକୁଶଳୀ ଶ୍ରମିକଙ୍କୁ ବାର୍ଷିକ ୧୦୦ ଦିନର କାମ ଦେବା ପାଇଁ ଲକ୍ଷ୍ୟ ଥିବାରୁ ମାଟିରାସ୍ତା ନିର୍ମାଣ ଓ ପୋଖରୀ ଖନନରେ ସୀମିତ ଥିଲା। କିନ୍ତୁ ନିୟମାବଳୀରେ ଶ୍ରମିକଙ୍କୁ ପାନୀୟ ଜଳଯୋଗାଣ, ଔଷଧ, କାର୍ଯ୍ୟସ୍ଥଳୀରେ ଅସ୍ଥାୟୀ ବିଶ୍ରାମ ଗୃହ, ଏକ ତୃତୀୟାଂଶ ମହିଳା ଶ୍ରମିକ ନିୟୋଜନ ଏବଂ ତାଙ୍କ ଶିଶୁଙ୍କ ପାଇଁ ସହାୟକ ଓ ଖେଳଣା, ମାଟିର ନମୁନା ପ୍ରଦର୍ଶନର ଅଜବ ନିର୍ଦ୍ଦେଶ ଥିଲା। ଏହି ଯୋଜନାରେ ପଞ୍ଜୀକୃତ ଶ୍ରମିକ ଆବେଦନ କଲେ ବିଡିଓ ତାଙ୍କୁ କାର୍ଯ୍ୟ ଯୋଗାଇ ଦେବା ଏବଂ ଶ୍ରମିକଙ୍କ ମଜୁରି ପ୍ରତି ସପ୍ତାହରେ ବ୍ୟାଙ୍କ ସଞ୍ଚୟ ଖାତାରେ ଜମା କରାଯିବ ପାଇଁ ନିୟମ ବଳବତ୍ତର ରହିଛି। କିନ୍ତୁ ଅନୁଦାନ ବଢ଼ିବାରେ କୃଷି, ମୃତ୍ତିକା ସଂରକ୍ଷଣ, ଉଦ୍ୟାନ, ଓ ଜଙ୍ଗଲ ବିଭାଗକୁ ଏହା ସମ୍ପ୍ରସାରିତ ହୋଇଛି।
ଏହି ଯୋଜନାର ସଫଳତା ପାଇଁ ଅନେକ ପଦବୀ ସୃଷ୍ଟି ଓ ଅନେକ ବ୍ୟକ୍ତିଙ୍କ ସମ୍ପୃକ୍ତି ଯୋଗୁ ଅଘୋଷିତ ପିସି ପରିମାଣ ମଧ୍ୟ ବଢିବା ସ୍ବାଭାବିକ। କାରଣ କୁଆ ସଂଖ୍ୟା ବଢିଲେ ହେଁସରୁ ଧାନ କମିବା ଯେପରି ସତ୍ୟ ସେପରି ପିସି, କୌଣସି ତର୍କ ବା ସ୍ପଷ୍ଟୀକରଣ ନୁହେଁ ବରଂ ପଦବୀଭିତ୍ତିକ ଅଲିଖିତ ଦାବି ଏବଂ ବାଧ୍ୟ ବାଧକତାର ନିୟମିତ ଧାରା ହୋଇସାରିଛି। ଅନୁଭବୀମାନେ ଜାଣନ୍ତି ଯେ ଆମର ବାସ୍ତବ କାର୍ଯ୍ୟର ମାନ ଗୁଣ ଆର୍ଥିକ ପରିମାଣ ସହ ସରକାରୀ ନଥିଭୁକ୍ତ ତଥ୍ୟରେ ଅନେକ ତଫାତ ଥାଏ। ବିଗତ ବର୍ଷରେ କେନ୍ଦ୍ର ସରକାର ଅଣକୁଶଳୀ ଶ୍ରମିକଙ୍କ ପାଇଁ ଶସ୍ୟ ବଦଳରେ କାର୍ଯ୍ୟ ଯୋଜନା କରିଥିଲେ ବି ଯୋଗାଇ ଥିବା ରିହାତି ଦରର ଚାଉଳ ଗହମକୁ ଶ୍ରମିକଙ୍କ ମଜୁରି ସହ ମୋରମ,ପଥର ମୂଲ୍ୟ ଓ ପରିବହନ ପାଇଁ ମଧ୍ୟ ଉପଯୋଗ କରାଯାଉଥିଲା। ଫଳତଃ ଶ୍ରମିକ ପରିବର୍ତ୍ତେ କିଛି ଦଲାଲ ଦି’ଗୁଣା ଲାଭ ପାଉଥିଲେ। ନିୟମକୁ ବାଟବଣା କରିବାର ଦକ୍ଷତା ଯୋଗୁ ଏହି ଯୋଜନାରେ ସଞ୍ଚୟ ଖାତାକୁ ଅର୍ଥ ଯିବା ପୂର୍ବରୁ ମଷ୍ଟରରୋଲରେ ନାମ ଥିବା ଶ୍ରମିକଙ୍କଠାରୁ ସମ୍ପୃକ୍ତ ବ୍ୟାଙ୍କ ସହଯୋଗରେ ଉଠାଣ ଫର୍ମରେ ସ୍ବାକ୍ଷର ନିଆଯାଇଥାଏ। ପୂର୍ବ ଯୋଜନା ପରି ଏହି ଯୋଜନାରେ ମଧ୍ୟ ବାସ୍ତବ ସ୍ଥିତି ଅପେକ୍ଷା ଶ୍ରମଦିବସ ସୃଷ୍ଟିର ସଂଖ୍ୟାକୁ ଗୁରୁତ୍ୱ ଦିଆଯାଉଛି। ଅଣକୁଶଳୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାରେ ରାଜ୍ୟ ସରକାର ମୋ ପୋଖରୀ, ମୋ ଗୁହାଳ, ଗ୍ରାମୀଣ ପାର୍କ ଓ ପର୍ଯ୍ୟଟନସ୍ଥଳୀ ବିକାଶ, ଆଦର୍ଶ ପୋଖରୀ, ମତ୍ସ୍ୟଚାଷ, ବିଜୁ ପଞ୍ଚାୟତ ପାଠାଗାର, ଅଙ୍ଗନଓ୍ବାଡି ଆଦି ଅନ୍ତର୍ଭୁକ୍ତ କରିଥିବାରୁ ବିବିଧ ବର୍ଗର ଶ୍ରମିକ ନିୟୋଜିତ ହେଉଛନ୍ତି। ନିର୍ମାଣ ସାମଗ୍ରୀ ମୂଲ୍ୟ ବି ଦିଆଯାଉଛି। ଏହି ଯୋଜନାର ଶ୍ରମଦିବସ ସୃଷ୍ଟି ମଧ୍ୟ କାଗଜରେ ସୀମିତ ଏଥିରେ ସାମାନ୍ୟ ସନ୍ଦେହ ନାହିଁ। ୨୦୦୬ ମସିହାରୁ ଏଥିପାଇଁ ଅର୍ଥ ବରାଦ ହେଉଛି। କେବଳ ୨୦୧୮-୧୯ରୁ ୨୦୨୨-୨୩ ଆର୍ଥତ୍କ ବର୍ଷରେ ଓଡ଼ିଶା ସମେତ ୫ଟି ରାଜ୍ୟ ଅଟକଳଠାରୁ ଅଧିକ ଖର୍ଚ୍ଚ କରିଛନ୍ତି। ଆମ ରାଜ୍ୟରେ ବିଗତ ୫ବର୍ଷ ମଧ୍ୟରେ ୩୦ହଜାର କୋଟିରୁ ଅଧିକ ଅର୍ଥ ଏହି ଯୋଜନାରେ ଖର୍ଚ୍ଚ ହୋଇ ୬ ଲକ୍ଷ କାର୍ଯ୍ୟ ହୋଇଥିବା ସରକାରୀ ତଥ୍ୟ ରହିଛି। ସୂଚନା ଯୋଗ୍ୟ ଯେ ରାଜ୍ୟର ସର୍ବାଧିକ ଲୋକ ସୁରଟରେ କାମକରୁଥିବା ଗଞ୍ଜାମ ଜିଲା ଏଇ ଯୋଜନାରେ ନିୟମିତ ରାଜ୍ୟରେ ପ୍ରଥମ ହେବାସହ ୨୦୨୧-୨୨ମସିହା ପାଇଁ ଦେଶରେ ପ୍ରଥମ ଓ ୨୦୨୨-୨୩ ମସିହା ଲାଗି ତୃତୀୟ ହୋଇଛି।
ଜିଲାରେ ବର୍ଷ ଶେଷ ସୁଦ୍ଧା ୩,୬୧,୫୭,୪୭୦ ଶ୍ରମ ଦିବସ ସୃଷ୍ଟି ଲକ୍ଷ୍ୟ ରହିଛି। ଏହି ସଫଳତା ବାସ୍ତବ ପରିବର୍ତ୍ତେ ବ୍ୟବସ୍ଥିତ କାଗଜପତ୍ର ପ୍ରସ୍ତୁତି ଯୋଗୁ ସମ୍ଭବ ଏଥିରେ ମଧ୍ୟ ଦ୍ବିରୁକ୍ତି ନାହିଁ। ଜିଲାରେ ସର୍ବାଧିକ ବର୍ଷା ହୋଇଥିବା ଦିନ ସର୍ବାଧିକ ଶ୍ରମିକ ନିୟୋଜିତ ହେବା ପରି ଏକ ରୋଚକ ଖବର ଅନୁସନ୍ଧାନ ସାପେକ୍ଷ। ଏହି ଯୋଜନାରେ ରହୁଥିବା ଅସଙ୍ଗତିକୁ ବିଚାର କଲେ ଏହା ଗ୍ରାମୀଣ ଶ୍ରମିକ ନିଶ୍ଚିତ ରୋଜଗାର ଯୋଜନା ପରିବର୍ତ୍ତେ ପାରସ୍ପରିକ ସହଯୋଗଭିତ୍ତିକ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଅର୍ଥ ଲୁଟ ଯୋଜନା ନାମକରଣ ଯଥାର୍ଥ ହେବ। ପ୍ରଥମତଃ ରାଜ୍ୟରେ ସାଧାରଣ ସର୍ବନିମ୍ନ ମଜୁରି ୩୩୩ ଟଙ୍କା ସ୍ଥଳେ ଏହି ଯୋଜନାରେ ୨୨୫ଟଙ୍କା ମଜୁରି ଧାର୍ଯ୍ୟ ହୋଇଛି। ରାଜ୍ୟରେ ଏହି ଯୋଜନାରେ ସକ୍ରିୟ ୭୮ଲକ୍ଷ ୬୦ହଜାର ଶ୍ରମିକଙ୍କ ମଧ୍ୟରୁ ଉପର ଦର୍ଶିତ ଅନ୍ୟ ଶ୍ରମିକ ଭାବେ ବା କୌଣସି ସରକାରୀ ସହାୟତା ପାଉ ନ ଥିବାର ପ୍ରାମାଣିକ ତଥ୍ୟ ନ ଥିବାବେଳେ ପ୍ରକୃତ ଅଣକୁଶଳୀ ଶ୍ରମିକ ସଂଖ୍ୟା ସରକାରଙ୍କ ପାଖରେ ଉପଲବ୍ଧ ନ ଥିବା ସ୍ପଷ୍ଟ କରୁଛି।
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯାନ୍ତ୍ରିକ ପଦ୍ଧତିର ବ୍ୟାପକ ପ୍ରୟୋଗ ବେଳେ ଶ୍ରମ ଦିବସ ସୃଷ୍ଟିର ଉଦ୍ଭଟ ପରିକଳ୍ପନା କରାଯାଇଛି।ଏହି ଯୋଜନାରେ ମେଶିନ ଦ୍ବାରା କାମ ହେଉଥିବାର ଅଭିଯୋଗ ବିଭିନ୍ନ ଗଣମାଧ୍ୟମରେ ନିୟମିତ ପ୍ରକାଶ ପାଉଛି। ଏହା ସତ୍ୟ ଯେ ସରକାରୀ ନିର୍ଦ୍ଧାରିତ ଦରରେ ମେଶିନ ଦ୍ବାରା ମାଟି ଖୋଳା ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ୭୨୦୦ ଘନ ମିଟର ମାଟି କାମ ହୋଇପାରିବ। ସେହି ମାଟି କାମର ମୂଲ୍ୟ ଏହି ଯୋଜନାରେ ୯ ଲକ୍ଷରୁ ଅଧିକ ଏବଂ ଶ୍ରମ ଦିବସ ୪ ହଜାରରୁ ଅଧିକ ଦର୍ଶାଯାଇ ବଳକା ୭ ଲକ୍ଷ ଟଙ୍କାରୁ ନିର୍ଦ୍ଧାରିତ ପିସି ସହ ସମ୍ପୃକ୍ତ କରାଯାଇଥିବା ଶ୍ରମିକଙ୍କୁ ଫଳେ ପୁଷ୍ପେ କିଛି ପ୍ରଦାନ କଲେ ସଭିଏ ଖୁସି ଓ ଯୋଜନା ସଫଳ ହେଉଥିବାରୁ ସିଂହ ଭାଗ ବାଟମାରଣା ହେଉଛି। ଏହା କେବଳ ଗୋଟିଏ ନମୁନା। କିନ୍ତୁ ଏହାକୁ ଅଧିକ ସ୍ବଚ୍ଛ ଦର୍ଶାଇବାକୁ ଯେଉଁ ସାମାଜିକ ସମୀକ୍ଷା କରାଯାଉଛି ତାହା ବି କାଗଜରେ ସୀମିତ। ଏହା ମଧ୍ୟ ଅସତ୍ୟ ହୋଇ ନ ପାରେ ଯେ ଯୋଜନାର ଆରମ୍ଭରୁ ଏ ପର୍ଯ୍ୟନ୍ତ ଅନେକ ପୋଖରୀ ଏକାଧିକ ବାର ଖୋଳାଯାଇଥିବା ବେଳେ ବ୍ୟକ୍ତିଗତ ମାଲିକାନାରେ ଥିବା ‘ମୋ ପୋଖରୀ’ ହୁଏତ ଖୋଳା ଯାଇନାହିଁ ବା ଏବେ ଲାପତ୍ତା ହୋଇସାରିଛି। ଏହି ଯୋଜନାର ଅନେକ ନଥି ମଧ୍ୟ ନିଖୋଜ ହୋଇଥିବା ଖବର ପ୍ରକାଶ ପାଉଛି। ରାଜ୍ୟରେ କେବଳ ବିଗତ ଦୁଇବର୍ଷରେ ଏଇ ଯୋଜନାରେ ଖର୍ଚ୍ଚ ହୋଇଥିବା ୧୨ ହଜାର କୋଟିରୁ ଅଧିକ ଅର୍ଥରୁ ଶ୍ରମିକମାନେ ପ୍ରକୃତରେ କେତେ ଉପକୃତ ହୋଇଛନ୍ତି ତାହା ତୃତୀୟ ପକ୍ଷ ଦ୍ବାରା ଅନୁସନ୍ଧାନ କରାଗଲେ ଏଭଳି ଯୋଜନାର ସମାପ୍ତି ଦେଶ ଓ ରାଜ୍ୟର ସ୍ବାର୍ଥ ପାଇଁ ଜରୁରୀ,ଏହା ନିଶ୍ଚିତ ସ୍ପଷ୍ଟ ହେବ।
୧୧୩-ଗୁଣ୍ଡିଚା ବିହାର, ପୁରୀ
ମୋ- ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri