Categories: ଖେଳ

କ୍ଷମା ମାଗିଲେ ପେନ୍‌

ସିଡ୍‌ନୀ,୧୩।୧(ପି.ଟି.): ତୃତୀୟ ଟେଷ୍ଟରେ ପଡିଆରେ ନିଜର ବିବାଦୀୟ ବ୍ୟବହାର ପାଇଁ ଅଷ୍ଟ୍ରେଲିଆ ଅଧିନାୟକ ତଥା ଉଇକେଟକିପର ଟିମ୍‌ ପେନ୍‌ କ୍ଷମା ମାଗିଛନ୍ତି। ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସେ ସ୍ଲେଜିଂ କରିଥିଲେ। ଏହାଠିକ୍‌ ନ ଥିଲା। ମୋର ନେତୃତ୍ୱ ଆଦୌ ଭଲ ନ ଥିଲା ବୋଲି ସେ କହିଛନ୍ତି। ନିଜର ଏହି ଆଚରଣ ପାଇଁ ସେ ମଙ୍ଗଳବାର ଔପଚାରିକ ଭାବେ କ୍ଷମା ମାଗିଛନ୍ତି।
ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ହନୁମା ବିହାରୀ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂରେ ପେନ୍‌ ବେଶ୍‌ ନିରାଶ ହୋଇଥିଲେ। ସେତେବେଳେ ଧୈର୍ଯ୍ୟ ହରାଇ ବିଚଳିତ ହେବା ସହ ରାଗି ଯାଇଥିଲି ବୋଲି ପେନ୍‌ ଏକ ଭର୍ଚୁଆଲ ଖବରଦାତା ସମ୍ମିଳନୀରେ ସ୍ବୀକାର କରିଛନ୍ତି। ସୋମବାର ଖେଳ ସରିବା ପରେ କିନ୍ତୁ ସେ ନିଜ ବ୍ୟବହାରକୁ ଠିକ୍‌ ବୋଲି ଦର୍ଶାଇଥିଲେ। କନ୍ତୁ ସେ ଏବେ ତାଙ୍କ ଭୁଲ୍‌ ବୁଝି ପାରିଛନ୍ତି ବୋଲି ପେନ୍‌ କହିଛନ୍ତି।
ଦୁର୍ବ୍ୟବହାର କରିବା ଦ୍ୱାରା ପେନ୍‌ ଦ୍ୱିତୀୟ ଇନିଂସରେ ୩ଟି କ୍ୟାଚ୍‌ ହାତଛଡ଼ା କରିଥିଲେ। ଅଶ୍ୱିନଙ୍କୁ ସ୍ଲେଜିଂ କରବା ପରେ ସେ ହନୁମା ବିହାରୀଙ୍କ ଏକ ସହଜ କ୍ୟାଚ୍‌ ଉଇକେଟ ପଛରେ ହାତଛଡ଼ା କରିଥିଲେ। ଦଳ ଆଶାନୂରୂପ ପ୍ରଦର୍ଶନ କରି ନ ପାରବା ଫଳରେ ମ୍ୟାଚରେ ପ୍ରବଳ ଚାପ କାରଣରୁ ଏପରି ହୋଇଥିଲା ବୋଲି ସେ ସ୍ବୀକାର କରିଛନ୍ତି। ପୂର୍ବରୁ ସେ ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରି ରବିବାର ମ୍ୟାଚ ପାଉଣାର ୧୫ ପ୍ରତିଶତ ଜରିମାନାର ସମ୍ମୁଖୀନ ହୋଇଥିଲେ। ଅମ୍ପାୟରଙ୍କୁ ଦୁର୍ବ୍ୟବହାର କରିଥିବାରୁ ସେ ମଧ୍ୟ କ୍ଷମା ମାଗିଛନ୍ତି।

Share