Posted inଜାତୀୟ

ପେଗାସସ୍‌: ଶାସକଙ୍କ ଅସ୍ତ୍ର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୭: ବିଶ୍ୱବ୍ୟାପୀ ପୁନଶ୍ଚ ଶିରୋନାମା ମଣ୍ଡନ କରିବାରେ ଲାଗିଛି ପେଗାସସ୍‌ ସ୍ପାଏଓ୍ବେର। ଖବରଦାତା, ମାନବାଧିକାର କର୍ମୀ, ବିଜ୍‌ନେସ୍‌ ଏକ୍‌ଜିକ୍ୟୁଟିଭ୍‌, ରାଜନେତାମାନଙ୍କ ଉପରେ ଗୁପ୍ତଚରଗିରି କରିବା ପାଇଁ ପେଗାସସ୍‌କୁ ବ୍ୟବହାର କରାଯାଇଥିବା ନେଇ ଓ୍ବାଶିଂଟନ ପୋଷ୍ଟ ଓ ୧୬ ମିଡିଆ ପାର୍ଟନର ପ୍ରଘଟ କରିଛନ୍ତି। ଭାରତର ଅନୂ୍ୟନ ୪୦ ଖବରଦାତାଙ୍କ ସ୍ମାର୍ଟଫୋନ୍‌କୁ ସ୍ପାଏଓ୍ବେର ଜରିଆରେ ଟାର୍ଗେଟ କରାଯାଇଛି। ଖୋଳତାଡ଼ ପରେ ଏହି ପ୍ରସଙ୍ଗରେ ଦିନକୁ ଦିନ ନୂଆ ନୂଆ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି।

ବିଶ୍ୱର ୧୪ ରାଷ୍ଟ୍ରମୁଖ୍ୟଙ୍କ ପଛରେ ଇସ୍ରାଏଲର ପେଗାସସ୍‌ ସ୍ପାଏଓ୍ବେରକୁ ଲଗାଯାଇଥିଲା। ସେମାନଙ୍କ ମଧ୍ୟରେ ୧୦ ଜଣ ପ୍ରଧାନମନ୍ତ୍ରୀ, ୩ ରାଷ୍ଟ୍ରପତି ଓ ଜଣେ ରାଜା ରହିଛନ୍ତି। ପେଗାସସ୍‌ ଫୋନ୍‌ ହ୍ୟାକିଂ ସ୍କାଣ୍ଡାଲକୁ ନେଇ ଖୋଳତାଡ଼ରୁ ଏହି ବିଷୟ ସାମ୍ନାକୁ ଆସିଛି। ପୋଷ୍ଟରେ ପ୍ରକାଶିତ ଏକ ଅନୁସନ୍ଧାନମୂଳକ ରିପୋର୍ଟରୁ ଜଣାପଡ଼ିଛି ଯେ, ପେଗାସସ୍‌ ସ୍ପାଏଓ୍ବେରକୁ ୩ ରାଷ୍ଟ୍ରପତିଙ୍କ ସ୍ମାର୍ଟଫୋନ୍‌ରେ ଇନ୍‌ଷ୍ଟଲ କରାଯାଇଥିଲା। ସେମାନେ ହେଲେ ଫ୍ରାନ୍ସର ଇମାନ୍ବେଲ ମାକ୍‌ରଁ, ଇରାକ୍‌ର ବରହାମ୍‌ ସାଲିହ ଓ ଦକ୍ଷିଣ ଆଫ୍ରିକାର ସିରିଲ ରାମାପୋସା। ସେହିପରି ବର୍ତ୍ତମାନର ୩ ପ୍ରଧାନମନ୍ତ୍ରୀ ହେଲେ ପାକିସ୍ତାନର ଇମ୍ରାନ୍‌ ଖାନ୍‌, ଇଜିପ୍ଟର ମୋସ୍ତାଫା ମଦବୋଉଲି ଓ ମରକ୍କୋର ସାଦ୍‌-ଏଡ୍ଡିନ୍‌ ଏଲ୍‌ ଓଥମାନି। ସ୍ପାଏଓ୍ବେର ଗୁପ୍ତଚରଗିରିର ଶିକାର ହୋଇଥିବା ୭ ପୂର୍ବତନ ପ୍ରଧାନମନ୍ତ୍ରୀ ହେଲେ ଅହମଦ ଓବେଇଦ ବିନ୍‌ ଡଘର (ୟେମେନ), ସାଦ୍‌ ହାରିରି (ଲେବାନନ୍‌), ରୁହାକାନା ରୁଗାଣ୍ଡା (ଉଗାଣ୍ଡା), ଏଡୁଆର୍ଡ ଫିଲିପେ (ଫ୍ରାନ୍ସ), ବାକିଝାନ ସାଗିଣ୍ଟାୟେଭ୍‌ (କାଜାଖସ୍ତାନ), ନୋଉରେଦ୍ଦିନ୍‌ ବେଦୋଉଇ (ଅଲ୍‌ଜେରିଆ) ଏବଂ ଚାଲର୍‌ସ ମାଇକେଲ (ବେଲ୍‌ଜିୟମ୍‌)। ଏହି ୭ ପୂର୍ବତନ ପ୍ରଧାନମନ୍ତ୍ରୀ କ୍ଷମତାରେ ଥିବାବେଳେ ସେମାନଙ୍କୁ ଟାର୍ଗେଟ କରାଯାଇଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ମରକ୍କୋ ରାଜା ମହମ୍ମଦ ଷଷ୍ଠଙ୍କ ଫୋନ୍‌କୁ ମଧ୍ୟ ସ୍ପାଏଓ୍ବେର ଜରିଆରେ ହ୍ୟାକ୍‌ କରାଯାଇଥିବା ପ୍ରଘଟ ତଥ୍ୟରୁ ଜଣାପଡ଼ିଛି।
‘ଦି ଓ୍ବେର’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ମରକ୍କୋ କର୍ତ୍ତୃପକ୍ଷଙ୍କ ଦ୍ୱାରା ଟାର୍ଗେଟ ହୋଇଥିଲେ। ଫ୍ରାନ୍ସ ପକ୍ଷରୁ ମରକ୍କୋ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ତେବେ ମରକ୍କୋ ଏନେଇ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। ପାକିସ୍ତାନର ସୂଚନା ମନ୍ତ୍ରୀ ଫଓ୍ବାଦ୍‌ ଚୌଧରୀ ଅଲ୍‌ଜଜିରାକୁ କହିଛନ୍ତି, ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଫୋନ୍‌କୁ ପ୍ରକୃତରେ ହ୍ୟାକ୍‌ କରାଯାଇଥିଲା କି ନାହିଁ ସେନେଇ ତଦନ୍ତ ଆରମ୍ଭ ହୋଇଛି। ଉପର ଲିଖିତ ଅନେକ ମାମଲାରେ ରାଷ୍ଟ୍ରମୁଖ୍ୟ, ସେମାନଙ୍କ ପରିବାର ସଦସ୍ୟ, ଘନିଷ୍ଠ ସହଯୋଗୀ ପରାମର୍ଶଦାତା ଏବଂ ଡାକ୍ତରମାନଙ୍କ ଫୋନ୍‌ଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ତେବେ ଏହି ନେତାମାନେ ନିଜ ନିଜ ସ୍ମାର୍ଟଫୋନ୍‌କୁ ଫୋରେନ୍ସିକ୍‌ ଯାଞ୍ଚ ପାଇଁ ଲାବ୍‌କୁ ପଠାଇନାହାନ୍ତି।

କିଏ ପ୍ରସ୍ତୁତ କରିଛି

ଇସ୍ରାଏଲଭିତ୍ତିକ ଟେକ୍‌ କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ହେଉଛି ପେଗାସସ୍‌ ସ୍ପାଏଓ୍ବେରର ନିର୍ମାତା। ‘କ୍ୟୁ ସାଇବର ଟେକ୍ନୋଲୋଜି’ ନାମରେ ଜଣାଶୁଣା ଏହି କମ୍ପାନୀ ବିକଶିତ କରିଥିବା ସ୍ପାଏଓ୍ବେର ଅନ୍‌ଲାଇନ୍‌ରେ ଉପଲବ୍ଧ ଏକ ର଼୍ୟାଣ୍ଡମ୍‌ ସଫ୍ଟଓ୍ବେର ନୁହେଁ। ଏନ୍‌ଏସ୍‌ଓ ଗ୍ରୁପ୍‌ ୨୦୦୯ରେ ଏହାକୁ ଏକ ସ୍ବତନ୍ତ୍ର ସର୍ଭିଲାନ୍ସ ଟେକ୍ନୋଲୋଜି ସୋଲ୍ୟୁଶନ ରୂପେ ବିକଶିତ କରିଥିଲା, ଯାହାକି ବିଶିଷ୍ଟ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ହାସଲ କରିବା ପାଇଁ ଉଦ୍ଦିଷ୍ଟ। ଏହା ଥରେ ଜଣଙ୍କ ସ୍ମାର୍ଟଫୋନ୍‌ରେ ଇନ୍‌ଷ୍ଟଲ ହୋଇଗଲେ ତାକୁ ବାହାର କରିବା ଏକପ୍ରକାର ଅସମ୍ଭବ। ଏଥିରୁ ବୁଝାପଡ଼ୁଛି କେତେ ବିପଜ୍ଜନକ ଏହି ଲୁକ୍କାୟିତ ସ୍ପାଏଓ୍ବେର।

କିପରି କାମ କରେ

ପେଗାସସ୍‌ ସ୍ପାଏଓ୍ବେରକୁ କୌଣସି ସ୍ମାର୍ଟଫୋନ୍‌ରେ ଅପ୍‌ଲୋଡ୍‌ କଲେ ହ୍ୟାକର ସମ୍ପୃକ୍ତ ଫୋନ୍‌ର ମାଇକ୍ରୋଫୋନ, କ୍ୟାମେରା, ଅଡିଓ, ଟେକ୍ସଟ୍‌ ମେସେଜ, କଣ୍ଟାକ୍ଟ, ଇ-ମେଲ୍‌, ବ୍ରାଉଜିଂ ହିଷ୍ଟ୍ରି ଏବଂ ଲୋକେଶନ ତଥ୍ୟ ହାସଲ କରିପାରିବେ। ପେଗାସସ୍‌ ଏନ୍‌କ୍ରିପ୍ଟଟେଡ୍‌ ଅଡିଓ ଶୁଣିବା ଏବଂ ଏନ୍‌କ୍ରିପ୍ଟଟେଡ୍‌ ମେସେଜ ପଢ଼ିବାକୁ ସହଜ କରିଦେଇଥାଏ। ଏନ୍‌କ୍ରିପ୍ଟଟେଡ୍‌ ମେସେଜ ଜରିଆରେ କେବଳ ମେସେଜ ପଠାଉଥିବା ଏବଂ ପାଉଥିବା ବ୍ୟକ୍ତି ହିଁ ସେଥିରେ ଥିବା ତଥ୍ୟ ସମ୍ପର୍କରେ ଜାଣିପାରନ୍ତି। ଅଥଚ ମେସେଜ୍‌ ପଠାଯାଉଥିବା ପ୍ଲାଟ୍‌ଫର୍ମର ସ୍ବତ୍ୱାଧିକାରୀ କମ୍ପାନୀ ମଧ୍ୟ ତାକୁ ଦେଖି ବା ଶୁଣି ପାରିବ ନାହିଁ।

ଏନ୍‌ଏସ୍‌ଓ କମ୍ପାନୀର ଯୁକ୍ତି

ଏନ୍‌ଏସ୍‌ଓ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ସ୍ପାଏଓ୍ବେର ପ୍ରୋଗ୍ରାମକୁ କେବଳ ସରକାରୀ ଏଜେନ୍ସିଗୁଡ଼ିକୁ ଏହା ବିକ୍ରି କରିଥାଏ। ଆତଙ୍କବାଦ ଓ ଅପରାଧ ବିରୋଧରେ ଲଢ଼େଇ କରିବା ହେଉଛି ଏହାର ଉଦ୍ଦେଶ୍ୟ। ବିିଭିନ୍ନ ଦେଶର ସରକାର ଏହାକୁ ଆତଙ୍କବାଦ ନିରୋଧୀ ଲଢ଼େଇ ଏବଂ ସୁରକ୍ଷା ଦୃଷ୍ଟିରୁ ବ୍ୟବହାର ପାଇଁ କିଣିଥାନ୍ତି। ବର୍ତ୍ତମାନ ଆସିଥିବା ଅଭିଯୋଗକୁ କମ୍ପାନୀ ଖଣ୍ଡନ କରିଛି।

 

ନ୍ୟାୟ ବହିର୍ଭୂତ ସର୍ଭିଲାନ୍ସ

ଖବରଦାତା, ମାନବାଧିକାର କର୍ମୀ ଓ ଶାସକବର୍ଗର ସମାଲୋଚକଙ୍କ ବିରୋଧରେ ପେଗାସସ୍‌ ସ୍ପାଏଓ୍ବେରର ଗୁପ୍ତଚରଗିରିକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିନ୍ଦା କରିଛନ୍ତି। ସେ ଏହାକୁ ନ୍ୟାୟ ବହିର୍ଭୂତ ସର୍ଭିଲାନ୍ସ ଭାବେ ଅଭିହିତ କରିଛନ୍ତି। ଚାଇନା ଓ ରୁଷିଆ ସାଇବର ହ୍ୟାକର୍ସଙ୍କୁ ସୁରକ୍ଷା ଦେବା ସହ ଗୁପ୍ତଚରଗିରିରେ ସହଯୋଗ କରୁଛନ୍ତି। ଏହା ଲୋକଙ୍କ ମୌଳିକ ସ୍ବାଧୀନତାର ଉଲ୍ଲଂଘନ ବୋଲି ବାଇଡେନ୍‌ ସମାଲୋଚନା କରିଛନ୍ତି।

କେତେ ନିଏ ଏନ୍‌ଏସ୍‌ଓ

ପେଗାସସ୍‌ ସ୍ପାଏଓ୍ବେରର ଗୁପ୍ତଚରଗିରି ସମ୍ପର୍କରେ ପ୍ରଥମେ ୨୦୧୬ରେ ପ୍ରଘଟ ହୋଇଥିଲା। ଏହାର ନିର୍ମାତା ଏନ୍‌ଏସ୍‌ଓ ଗ୍ରୁପ୍‌ ଇନ୍‌ଷ୍ଟାଲେଶନ ଫିଜ୍‌ ବାବଦକୁ ୩.୭ କୋଟି ଟଙ୍କା ନେଇଥାଏ। ଏହା ପରେ ୧୦ଟି ଆଇଫୋନ୍‌ କିମ୍ବା ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ଉପରେ ଗୋଇନ୍ଦାଗିରି କରିବା ପାଇଁ ୪.୮୪ କୋଟି ଟଙ୍କା ଚାର୍ଜ କରିଥାଏ। ୫ ବ୍ଲାକ୍‌ବେରି ୟୁଜର୍ସଙ୍କ ପାଇଁ ୩.୭ କୋଟି ଟଙ୍କା ଏବଂ ୫ ସିମ୍ବିଆନ୍‌ ୟୁଜର୍ସଙ୍କ ପଛରେ ଲଗାଇବା ସକାଶେ ୨.୨୫ କୋଟି ଟଙ୍କା ଦାବି କରିଥାଏ।

ଭାରତ ଖର୍ଚ୍ଚ କରିଛି ୫୬ କୋଟି

ଏକ ରିପୋର୍ଟରେ ପ୍ରକାଶିତ ଆକଳନ ଅନୁସାରେ ଭାରତ ସରକାର ୩୦୦ ଜଣଙ୍କ ଉପରେ ଗୁପ୍ତଚରଗିରି କରିବା ପାଇଁ ୫୬ କୋଟି ଟଙ୍କା ଖର୍ଚ୍ଚ କରିଥାଇପାରନ୍ତି। ଏହାବାଦ୍‌ ମେଣ୍ଟେନାନ୍ସ ଓ ରିନ୍ୟୁଆଲ୍‌ ଫି ବାବଦ ଖର୍ଚ୍ଚ ରହିଛି। ଅଧିକ ସର୍ଭିଲାନ୍ସ ଟାର୍ଗେଟ ପାଇଁ କ୍ଲାଏଣ୍ଟଙ୍କୁ ଅତିରିକ୍ତ ଅର୍ଥ ପଇଠ କରିବାକୁ ପଡ଼ିଥାଏ। ୧୦୦ ଏକ୍ସଟ୍ରା ଟାର୍ଗେଟ ପାଇଁ ୫.୯୭ କୋଟି, ୫୦ ଟାର୍ଗେଟ ଲାଗି ୩.୭ କୋଟି ଏବଂ ୨୦ ଅତିରିକ୍ତ ଟାର୍ଗେଟ ସକାଶେ ୧.୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏହାବାଦ୍‌ ବାର୍ଷିକ ସିଷ୍ଟମ୍‌ ମେଣ୍ଟେନାନ୍ସ ବାବଦକୁ ଏନ୍‌ଏସ୍‌ଓ ମୋଟ ମୂଲ୍ୟର ୧୭% ନେଇଥାଏ। ଅର୍ଡର କରୁଥିବା ସରକାର ଏହି ସର୍ଭିସ୍‌ ରିନ୍ୟୁଆଲ୍‌ କଲେ କମ୍ପାନୀକୁ ଅତିରିକ୍ତ ଖର୍ଚ୍ଚ ଦେଇଥାଆନ୍ତି।

ଖଣ୍ଡନ କରିନି କେନ୍ଦ୍ର

ପେଗାସସ୍‌ ସ୍ପାଏଓ୍ବେରକୁ ନେଇ ଭାରତରେ ଝଡ଼ ସୃଷ୍ଟି ହୋଇଥିବାବେଳେ କେନ୍ଦ୍ର ସରକାର ଏହାକୁ ବିରୋଧୀଙ୍କ ବିରୋଧରେ ବ୍ୟବହାର କରିଥିବା ବିଷୟକୁ ଅଦ୍ୟାବଧି ଖଣ୍ଡନ କରିନାହାନ୍ତି। ପାର୍ଲାମେଣ୍ଟରେ ସରକାର ସଫେଇ ଦେଉଛନ୍ତି। ଭାଜପା ପକ୍ଷରୁ ନାନା କଥା କୁହାଯାଉଛି। ତେବେ ଉଠିଥିବା ଅଭିଯୋଗ ମିଥ୍ୟା ବୋଲି କେନ୍ଦ୍ର ସିଧାସଳଖ କହୁ ନ ଥିବାରୁ ସରକାରଙ୍କ ଭୂମିକା ସ୍ବତଃ ସନ୍ଦେହ ଘେରକୁ ଟାଣି ହୋଇଯାଇଛି। ଏଥିପାଇଁ ଆସନ୍ତା ୨୮ ତାରିଖରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ପାର୍ଲାମେଣ୍ଟାରି ଷ୍ଟାଣ୍ଡିଂ କମିଟିର ବୈଠକ ହେବ। ଲୋକ ସଭା ସେକ୍ରେଟାରିଏଟ୍‌ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ୩୨ ଜଣିଆ କମିଟିର ଏଜେଣ୍ଡା ରହିଛି ‘ସିଟିଜେନ୍ସ ଡାଟା ସିକ୍ୟୁରିଟି ଆଣ୍ଡ ପ୍ରିଭେସି’। ଉକ୍ତ ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ପେଗାସସ୍‌ ସ୍ପାଏଓ୍ବେର ଫୋନ୍‌ ଟ୍ୟାପିଂ ସମ୍ପର୍କରେ ଜେରା କରାଯିବ।

ବର୍ଷକୁ ୧ ବିଲିୟନ୍‌ ଡଲାର ଲାଭ

ଇସ୍ରାଏଲର ଅନ୍ୟ ଏକ ସ୍ପାଏଓ୍ବେର ମେକର କାଣ୍ଡିରୁ ଅନୁରୂପ ସର୍ଭିସ୍‌ ପାଇଁ ଏନ୍‌ଏସ୍‌ଓ ତୁଳନାରେ ୨୫ରୁ ୬୦ ଗୁଣ ଅଧିକ ଅର୍ଥ ଦାବି କରିଥାଏ। ଇସ୍ରାଏଲରେ ଏଭଳି ସାଇବର ଅପରେଶନ ଶିଳ୍ପ ବର୍ଷକୁ ୧ ବିଲିୟନ୍‌ ଡଲାର ରାଜସ୍ବ ଲାଭ କରିଥାଏ। ସେଥିରୁ ସର୍ବାଧିକ ଆୟ ଏନ୍‌ଏସ୍‌ଓ କରିଥାଏ ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି।
ଏନ୍‌ଏସ୍‌ଓ ପକ୍ଷରୁ କୁହାଯାଇଛି ଯେ, ଏହାର ମୋଟ ୟୁଜର୍ସଙ୍କ ମଧ୍ୟରୁ ଅଧା ହେଉଛନ୍ତି ଇଣ୍ଟେଲିଜେନ୍ସ ଇଣ୍ଡଷ୍ଟ୍ରି ବା ଗୋଇନ୍ଦା ଶିଳ୍ପ ସହ ଜଡ଼ିତ। ଅବଶିଷ୍ଟ ୧୧% ସାମରିକ ଓ ୩୮% ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ସହ ଜଡ଼ିତ ବ୍ୟକ୍ତି ଏହି ଗୁପ୍ତଚରଗିରି ସ୍ପାଏଓ୍ବେରକୁ ବ୍ୟବହାର କରିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

ଅବୈଧ ସମ୍ପର୍କରେ ବାଧା ସାଜିଲେ ସନ୍ତାନ; ପ୍ରେମିକ ସହ ମିଶି ହତ୍ୟା କଲେ, ଅନ୍ୟ ଜିଲାକୁ ନେଇ ଫିଙ୍ଗିଦେଲେ ମା’

ଚେନ୍ନାଇ,୬।୯: ତାମିଲନାଡୁର ତିରୁପତ୍ତୁର ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୫ ବର୍ଷ ଓ ୩ ବର୍ଷ ବୟସର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗି…

ରାହୁଙ୍କ ସବୁଠାରୁ ବଡ଼ ଗୋଚର; ୩ ରାଶିଙ୍କୁ ବମ୍ପର ଲାଭ, ଚମକି ଉଠିବ ଭାଗ୍ୟ

ଡିସେମ୍ୱର ୨୦୨୬ରେ ରାହୁ କୁମ୍ଭ ରାଶିରୁ ମକର ରାଶିକୁ ଚଳନ କରିବେ, ଯାହା ଫଳରେ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଚୁର ଲାଭ ମିଳିବାର ଯୋଗ ରହିଛି। ବୈଦିକ…

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri