ଥୁଆମୂଳ ରାମପୁର,୨୦ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତରେ ପିଡିଏସ (PDS) ରାସନ ଚାଉଳ ଓଜନରେ ବ୍ୟାପକ ହେରଫେର୍ ନେଇ ଗୁରୁବାର ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ନିର୍ଦ୍ଧାରିତ ପରିମାଣଠାରୁ କମ୍ ଚାଉଳ ଦିଆଯାଉଥିବାରୁ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଅଭିଯୋଗ ଅନୁସାରେ, ଦେରଗୁଡ଼ା ଗ୍ରାମର ଚୀନା ଦେଇ ମାଝୀ ୩୫ କିଲୋ ବଦଳରେ ୩ କିଲୋ କମ୍ ପାଉଥିବା ବେଳେ, ୧୯ ନମ୍ବର ୱାର୍ଡର ଅନ୍ୟ ହିତାଧିକାରୀମାନେ ପ୍ରତି ମାସରେ ୨ରୁ ୫ କିଲୋଗ୍ରାମ ଚାଉଳ କମ୍ ପାଉଛନ୍ତି। ଏହି ଅନିୟମିତତା ବିରୋଧରେ ଉମର ମାଝୀ, ଅଷ୍ଟମୀ ମାଝୀ, ରଞ୍ଜିତା ନାଏକ, ମହେଶ୍ୱର ନାଏକ, ପ୍ରଦୀପ କୁମାର ନାଏକ ଓ ଧନେଶ୍ୱର ନାଏକଙ୍କ ସମେତ ଅନେକ ହିତାଧିକାରୀ ବ୍ଲକ୍ ଯୋଗାଣ ନିରୀକ୍ଷକ (MI)ଙ୍କ ନିକଟରେ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ଏମ୍ଆଇ ଗୋଡାଉନ୍ରେ ପହଞ୍ଚି ଅନ୍ୟ ମେସିନ୍ ଦ୍ୱାରା ଯାଞ୍ଚ କରିବାରୁ ଓଜନରେ ୮୦୦ ଗ୍ରାମରୁ ୩ କିଲୋ ପର୍ଯ୍ୟନ୍ତ ତଫାତ୍ ଥିବା ପ୍ରମାଣିତ ହୋଇଥିଲା। ଘଟଣା ପରେ ସମ୍ପୃକ୍ତ ଓଜନ ମେସିନ୍କୁ ତୁରନ୍ତ ବନ୍ଦ କରାଯାଇଛି। ତେବେ ଯୋଗାଣ ସହାୟକ ଏହାକୁ ଯାନ୍ତ୍ରିକ ତ୍ରୁଟି ଦର୍ଶାଉଥିବା ବେଳେ, ପ୍ରତ୍ୟେକ କାର୍ଡରୁ କାଟି ରଖାଯାଉଥିବା ଏତେ ପରିମାଣର ବଳକା ଚାଉଳ କୁଆଡ଼େ ଯାଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗରିବଙ୍କ ଆହାର ହେରଫେର୍ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି।