ପ୍ରତିବାଦରେ ଦେଶପ୍ରେମ

ଗୋଟେ ରାଷ୍ଟ୍ର ପ୍ରତି ଦେଶପ୍ରେମ କେବଳ ସରକାରଙ୍କୁ ସମର୍ଥନ ବା ପ୍ରଶଂସା କରିବାରେ ନ ଥାଏ। ଯେତେବେଳେ କୌଣସି ଶାସନ ବ୍ୟବସ୍ଥା ନାଗରିକଙ୍କ ଅଧିକାରକୁ ଛଡ଼ାଇନେବା ପାଇଁ ଉଦ୍ୟମ କରେ, ସେତେବେଳେ ତାହା ବିରୋଧରେ ସ୍ବର ଉଠାଇବା ହେଉଛି ପ୍ରତ୍ୟେକଙ୍କ ନୈତିକ କାର୍ଯ୍ୟ। କାତାରର ଦୋହାଠାରେ ଚାଲିଥିବା ଫୁଟ୍‌ବଲ ବିଶ୍ୱକପ୍‌ ପ୍ରତିଯୋଗିତାର ୨୧ ନଭେମ୍ବରରେ ଇଂଲଣ୍ଡ ବିପକ୍ଷରେ ଇରାନ ଖୋଳିବା ପୂର୍ବରୁ ଦୁଇ ଦେଶର ଜାତୀୟ ସଙ୍ଗୀତ ବଜାଯାଇଥିଲା। ହେଲେ ଇରାନୀୟ ଖେଳାଳିମାନେ ତାଙ୍କ ଜାତୀୟ ସଙ୍ଗୀତ ବାଜୁଥିବା ବେଳେ ନୀରବ ରହିଥିବା ଦେଖାଯାଇଥିଲା। ସେମାନେ ପରସ୍ପର କାନ୍ଧ ଉପରେ ହାତ ପକାଇ ଏକତା ସୂତ୍ରରେ ବନ୍ଧା ବୋଲି ଦର୍ଶାଉଥିଲେ ମଧ୍ୟ କେତେଜଣ ତଳକୁ ମୁଣ୍ଡ ନୁଆଁଇଥିବା ଦେଖାଯାଇଥିଲା। ଏଭଳି ପ୍ରଦର୍ଶନ ପଛରେ ରହିଥିବା କାରଣ ହେଲା ଗତ ସେପ୍ଟେମ୍ବରରେ ୨୨ ବର୍ଷୀୟା ଯୁବତୀ ମହସା ଅମିନଙ୍କ ହାଜତରେ ଘଟିଥିବା ଅସ୍ବାଭାବିକ ମୃତ୍ୟୁ ପ୍ରତିବାଦରେ ଦେଶବ୍ୟାପୀ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରିବା। ମହସା ହିଜାବ ନ ପିନ୍ଧି ରକ୍ଷଣଶୀଳ ମାନସିକତାକୁ ବିରୋଧ କରୁଥିବାରୁ ଇରାନୀୟ ପୋଲିସ ତାଙ୍କ ଉପରେ ପ୍ରତିଶୋଧ ନେଇଥିଲା। ସେବେଠାରୁ ଇରାନୀୟ ମହିଳାଙ୍କ ସମେତ ଦେଶବାସୀ ଶାସକଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଚାଲିଛନ୍ତି। ଇତିମଧ୍ୟରେ ୨,୪୦୦ ଲୋକଙ୍କୁ ଜେଲଦଣ୍ଡ ଦିଆଯାଇସାରିଲାଣି ଓ ଅନେକଙ୍କୁ ମାରିଦିଆଗଲାଣି। ୧୯୭୯ ଇରାନୀୟ ବିପ୍ଳବ ପରେ ହିଜାବ ବିରୋଧୀ ମହିଳାଙ୍କ ପ୍ରତିବାଦ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। କିନ୍ତୁ ଫୁଟବଲ ବିଶ୍ୱକପ୍‌ ମ୍ୟାଚ୍‌ ପୂର୍ବରୁ ଖଲିଫା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ ବାହାରେ ‘ମହସା ଅମିନ୍‌’ଙ୍କ ନାମ ପ୍ରତିଧ୍ୱନିତ ହେବା ଓ ଷ୍ଟାଡ଼ିୟମ ଭିତରେ ଜାତୀୟ ସଙ୍ଗୀତ ବାଜୁଥିବା ବେଳେ ଯେଭଳି ଇରାନୀୟ ଖେଳାଳି ଶାସକଙ୍କ ବିରୋଧରେ ପ୍ରତିବାଦ ଜଣାଇଲେ, ତାହା ଏବେ ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି କରିଦେଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଇରାନ୍‌ରେ ୧୯୭୯ରେ ଇସ୍‌ଲାମୀୟ ହିଂସାତ୍ମକ ବିପ୍ଳବ ଦ୍ୱାରା ସେଠାକାର ରାଜା ଶାହା ମହମ୍ମଦ ରେଜା ପହଲ୍‌ବିଙ୍କୁ ଗାଦିଚ୍ୟୁତ କରାଯାଇଥିଲା। ସେହି ଜନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଧର୍ମଗୁରୁ ରୁହୋଲ୍ଲା ଖୋମେନୀ। ତାଙ୍କ ଦେହାନ୍ତ ହୋଇଥିଲା ୩ ଜୁନ୍‌ ୧୯୮୯ରେ। ତାଙ୍କ ମୃତ୍ୟୁ ପରେ ଦେଶବ୍ୟାପୀ ଏକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯେଉଁଥିରେ କବିମାନଙ୍କୁ ନୂଆ ଜାତୀୟ ସଙ୍ଗୀତ ରଚନା ଲାଗି କୁହାଯାଇଥିଲା। ବିଜେତାଙ୍କ ଦ୍ୱାରା ଲେଖାଯାଇଥିବା ଜାତୀୟ ସଙ୍ଗୀତରେ ସ୍ବାଧୀନତା ଆଣିଥିବାରୁ ଖୋମେନୀଙ୍କୁ ଇମାମ୍‌ ଭାବରେ ପ୍ରଶଂସା କରାଯାଇଥିଲା। ସମ୍ଭବତଃ ଏହି ପ୍ରଶଂସାକୁ ବିରୋଧ କରି ଫୁଟ୍‌ବଲ ଖେଳାଳିମାନେ ଜାତୀୟ ସଙ୍ଗୀତ ଗାଇବା ପରିବର୍ତ୍ତେ ମୌନ ରହିଥିଲେ।
ବିଶ୍ୱସ୍ତରରେ ଫୁଟ୍‌ବଲ ଖେଳର ଲୋକପ୍ରିୟତା ସର୍ବାଧିକ ରହିଆସିଛି। ଏଭଳି ଏକ ମଞ୍ଚରେ ଇରାନୀୟ ଖେଳାଳି ସାହସ ଦେଖାଇ ସେମାନଙ୍କ ଶାସକଙ୍କ ବିରୋଧରେ ଅଭିନବ ପ୍ରଦର୍ଶନ କରିବା ସାମାନ୍ୟ ବିଷୟ ନୁହେଁ। ହୁଏତ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ମାତ୍ର ଏକ ରକ୍ଷଣଶୀଳ ଚିନ୍ତାଧାରା ବିରୋଧରେ ଦେଶବାସୀଙ୍କ ସ୍ବର ସହ ସ୍ବର ମିଳାଇବା ନିଶ୍ଚିତ ଭାବେ ସେମାନେ ଇତିହାସରେ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଲେ ବୋଲି କୁହାଯିବ। ଶାସକ ସର୍ବଦା ଜନମଙ୍ଗଳ କାର୍ଯ୍ୟ କରି ଦେଖାଇବା କଥା। ପୂର୍ବରୁ ଗଡ଼ି ଆସିଥିବା ପୁରୁଣାକାଳିଆ ପ୍ରଥା ଓ ପରମ୍ପରାକୁ ସମୟର ଗତି ସହ ପରିବର୍ତ୍ତନ କରାଯିବା ଆବଶ୍ୟକ ହୋଇଥାଏ। କିନ୍ତୁ ଯେଉଁ ଧର୍ମୀୟ ଶାସକ ନିଜ କ୍ଷମତା ବଳରେ ନୂତନତ୍ୱ ଗ୍ରହଣ କରିବାକୁ ଅସ୍ବୀକାର କରିଥାଆନ୍ତି, ସେତେବେଳେ ନାଗରିକମାନେ ବିପ୍ଳବ ମାଧ୍ୟମରେ ପରିବର୍ତ୍ତନ ଆଣିଥାଆନ୍ତି। ଭାରତରେ ମଧ୍ୟ ଅନେକଙ୍କ ମୁଖରୁ ରାମରାଜ୍ୟ କଥା ଶୁଣାଯାଏ। ଦେଖିବାକୁ ଗଲେ ରାମାୟଣ ଏକ ପୁରାଣଶାସ୍ତ୍ର ହୋଇଥିବା ବେଳେ ତାହାର କୌଣସି ଐତିହାସିକ ପ୍ରମାଣ ମିଳିନାହିଁ। ଅର୍ଥାତ୍‌ ରାମଙ୍କ ଜନ୍ମଭୂମିର ନିର୍ଦ୍ଦିଷ୍ଟ ସ୍ଥାନ ଜାଣିବା ଅସମ୍ଭବ। ଏଥିସହିତ ରାମରାଜ୍ୟରେ ଗରିବ ଲୋକର ଜୀବନଶୈଳୀ କେଉଁ ପ୍ରକାର ଥିଲା, ନ୍ୟାୟ ବ୍ୟବସ୍ଥା କିଭଳି ଭାବେ ପରିଚାଳିତ ହେଉଥିଲା, ରାଜ୍ୟରେ ଟିକସ ବ୍ୟବସ୍ଥାର ରୂପରେଖ କ’ଣ ଥିଲା, କେଉଁ ପ୍ରକାରର ବ୍ୟବସାୟୀ ସେତେବେଳେ ଲାଭବାନ ହୋଇପାରୁଥିଲେ ଏବଂ ସାମାଜିକ ପ୍ରଥା ଯଥା-ବ୍ରାହ୍ମଣମାନଙ୍କ ବ୍ରତରେ ପଢ଼ାଯାଉଥିବା ଶ୍ଳୋକରେ ରାମ ଓ କୃଷ୍ଣଙ୍କ ନାମ ଥିଲା କି ନାହିଁ ଭଳି ଉତ୍ତର କାହାରି ପାଖରେ ନାହିଁ; କାରଣ ସେତେବେଳକାର କୌଣସି ପୋଥି ମିଳିନାହିଁ। ଏଥିରୁ ବୁଝିବାକୁ ହେବ ଯେ, ମଣିଷ ତା’ର ଚିନ୍ତାଶକ୍ତି ଦ୍ୱାରା ଏକ ଉଚ୍ଚକୋଟୀର ଶାସନ ବ୍ୟବସ୍ଥାର ପରିକଳ୍ପନା କରିଥିଲା। ସେହିଭଳି ଇସ୍‌ଲାମ ଧର୍ମର ଶିୟା ସମ୍ପ୍ରଦାୟରେ ମଧ୍ୟ ଉଚ୍ଚ ଚିନ୍ତାଧାରାରେ କାଳ୍ପନିକ ରାଜ୍ୟ ସୃଷ୍ଟି କରିବାର ସ୍ବପ୍ନ ରହିଛି। ସେହି ପ୍ରକାରର ସ୍ବପ୍ନ ଇସ୍‌ଲାମିକ ଷ୍ଟେଟ୍‌ର ମଧ୍ୟ ଥିଲା, ଯାହାର ନାମ ‘ଆଇଏସ୍‌’ ହୋଇଥିଲା।
ତେବେ ଇରାନ୍‌ ଫୁଟ୍‌ବଲ ଖେଳାଳିଙ୍କ ପ୍ରତିବାଦ ମନେପକାଇଦିଏ ‘ବ୍ଲାକ୍‌ ଲାଇଭ୍‌ସ ମେଟର’ ସ୍ଲୋଗାନ। ଆମେରିକାରେ ଜର୍ଜ ଫ୍ଲଏଡ୍‌ଙ୍କୁ ଆମେରିକୀୟ ପୋଲିସ ଆଣ୍ଠୁରେ ଚାପି ମାରିଦେବା ପରେ ଏହା ବିଶ୍ୱବ୍ୟାପୀ ଚହଳ ପକାଇଥିଲା। ଫିଫା ମଧ୍ୟ ସେତେବେଳେ ଖେଳାଳିଙ୍କ ବ୍ଲାକ୍‌ ଲାଇଭ୍‌ସ ମେଟରକୁ କରାଯାଇଥିବା ସମର୍ଥନରେ ‘ହଁ’ ଭରିଥିଲା। ଚଳିତ ଥର ଫୁଟ୍‌ବଲ ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ଲାଗି ହୋଇଥିବା ଖେଳ ସମୟରେ କାତାରରେ ହେଉଥିବା ମାନବ ଅଧିକାର ଉଲ୍ଲଂଘନକୁ ବିରୋଧ କରି ନରଓ୍ବେ ଏବଂ ଜର୍ମାନୀ ଖେଳାଳି ‘ମାନବ ଅଧିକାର’ ଲେଖା ଥିବା ଟି-ଶାର୍ଟ ପରିଧାନ କରିଥିଲେ। ଏହା ପରେ ଫିଫା ପକ୍ଷରୁ ଉଭୟ ଦେଶକୁ ସମର୍ଥନ କରାଯାଇଥିଲା। ଫିଫା ବାକ୍‌ ସ୍ବାଧୀନତା ଓ ଫୁଟ୍‌ବଲର ଶକ୍ତି ଭଲ କାର୍ଯ୍ୟ ଲାଗି ବଳ ଦେଇଥିବାର ବିଶ୍ୱାସ କରେ ବୋଲି କହେ। ଏବେ ଜାତୀୟ ସଙ୍ଗୀତ ଗାନ ବେଳେ ଇରାନୀୟ ଖେଳାଳିଙ୍କ ନୀରବ ପ୍ରତିବାଦର ପ୍ରଭାବ ନିଶ୍ଚିତ ଭାବେ ସେଠାକାର ସରକାରଙ୍କ ଉପରେ ପଡ଼ିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri