ପାଟଣା, ୧୪।୧୧(ବୀର କିଶୋର ଦାଶ): ଶିଶୁ ଶ୍ରମିକ ମୁକ୍ତ ଅଭିଯାନକୁ ନେଇ କେନ୍ଦୁଝର ଜିଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ପାଟଣା ବ୍ଲକ କେନ୍ଦେଇପଶି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ତ୍ରିପାଠୀ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏନେଇ ଶନିବାର ଦିନ କେନ୍ଦୁଝର ଡି.ଏନ୍. ହାଇସ୍କୁଲ ପରିସରରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଜିଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ‘ଶିଶୁ ଶ୍ରମିକ ମୁକ୍ତ ଅଭିଯାନ’ ଉପରେ ନିଜର ଓଜସ୍ୱିନୀ ବକ୍ତୃତା ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ଯୋଗଦେଇ କୃତୀ ଛାତ୍ରୀ ଶୁଭଶ୍ରୀଙ୍କୁ ଏକ ଟ୍ରଫି, ମାନପତ୍ର ସହିତ ଜିଲାସ୍ତରୀୟ ପୁରସ୍କାର ବାବଦରେ ୨,୦୦୦ ଟଙ୍କା ଏବଂ ବ୍ଲକ୍ ସ୍ତରୀୟ ପୁରସ୍କାର ବାବଦରେ ୧,୫୦୦ ଟଙ୍କା ପ୍ରଦାନ କରି ପୁରସ୍କୃତ ଓ ଉତ୍ସାହିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲା ଶ୍ରମ ଅଧିକାରୀ ଦୀପ୍ତିମୟୀ ରାଉଳ, ଡି.ଏନ୍. ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରବୀର କୁମାର ମହାନ୍ତି ଏବଂ ସହକାରୀ ଜିଲା ଶ୍ରମ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଶୁଭଶ୍ରୀ ଜଣେ ମେଧାବୀ ଛାତ୍ରୀ ହେବା ସହ ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରତିଯୋଗିତାରେ ଉତ୍କୃଷ୍ଟ ବକ୍ତୃତା ପ୍ରଦାନ କରିଆସିଛନ୍ତି। ସେ ପାଟଣା ବ୍ଲକର ଜଣେ ଜଣାଶୁଣା ଶିକ୍ଷକ ଦମ୍ପତି ଜ୍ୟୋତିର୍ମୟ ତ୍ରିପାଠୀ ଓ ସ୍ମିତାରାଣୀ ଦାଶଙ୍କ କନ୍ୟା ଅଟନ୍ତି। ଶୁଭଶ୍ରୀଙ୍କ ଏଭଳି ଗୌରବଜନକ ସଫଳତା ପାଇଁ କେନ୍ଦେଇପଶି ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା ଏବଂ ବିଦ୍ୟାଳୟର କର୍ମଚାରୀମାନେ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

