ଦ୍ରୁତ ଗତିରେ ଆସି କାରକୁ ଧକ୍କା ଦେଲା ବାଇକ, ୨….

ପଟ୍ଟାଙ୍ଗି,୨୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ବାଲିଘାଟ ସରିଗୁଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । କାର ସହ ମୋଟର ସାଇକେଲ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁସାରେ, ସୁନାବେଡା ଥାନା ଅନ୍ତର୍ଗତ କଳାହାଣ୍ଡି କଲୋନୀର ମନୋଜ ବେସ୍ରା ଏବଂ ନିଖିଲ୍ କୁଲଦୀପ୍ ଦୁହେଁ ଏକ ମୋଟର ସାଇକେଲ ନଂ OD 10 AD 0140 ଯୋଗେ ପଟ୍ଟାଙ୍ଗି ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗ ସୁନାବେଡା ଅଭିମୁଖେ ଯାଉଥିବା କାର୍ ନଂ OD 10 Z 4488 ସହ ଧକ୍କା ହୋଇଥିଲା । ମନୋଜଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ନିଖିଲଙ୍କୁ ପ୍ରଥମେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇବା ପରେ କୋରାପୁଟ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ଦୁର୍ଘଟଣାସ୍ଥଳେ ପୋଲିସ୍ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ କାର ଏବଂ ମୋଟର ସାଇକେଲ ଜବତ୍ କରି ତଦନ୍ତ ଆରମ୍ଭ କରିଛି ।

ପୋଲିସ୍ ପ୍ରାଥମିକ ତଦନ୍ତ ଅନୁସାରେ ମୃତ ମନୋଜ ଏବଂ ନିଖିଲ୍ ଦୁହେଁ ପଟ୍ଟାଙ୍ଗି ଅଭିମୁଖେ ଆସୁଥିବା ବେଳେ ମୋଟର ସାଇକେଲ ଦ୍ରୁତ ଗତିରେ ଆସି କାରକୁ ଧକ୍କା ଦେଇଥିଲା । ଫଳରେ କାର୍ ଆଗ ଚକା ଫାଟି ବେଲୁନ ବାହାରି ଯାଇଥିବା ସହ କାରରେ ଥିବା ଏକ ପରିବାର ସାମାନ୍ୟ ଆହତ ହୋଇ ଠିକ୍ ରହିଥିବା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବିଳମ୍ବିତ ସନ୍ଧ୍ୟା ସମୟ ହୋଇ ଯାଇଥିବାରୁ ମୃତ ମନୋଜଙ୍କ ଶବ ବ୍ୟବଚ୍ଛେଦ ଗୁରୁବାର ହେବ ବୋଲି ପୋଲିସ୍ ପ୍ରକାଶ କରିଛି ।

 

Dharitri – Odisha’s No.1 Odia Daily

Share