ଦଳୀୟ ରାଜନୀତି ଓ ଜିଡିପି

ସହଦେବ ସାହୁ

ଉପସ୍ଥିତ କୃଷକ ଆନ୍ଦୋଳନ ସମ୍ବନ୍ଧରେ ଆଲୋଚନା ବେଳେ ଘରୋଇ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ନୂଆ କୃଷି ଆଇନ ଅଣାଯାଇଛି ବୋଲି ବେଶ୍‌ ଚର୍ଚ୍ଚା ହେଉଛି, ତେଣେ ଆମ ଦେଶର ସ୍ଥୂଳ ଆୟ, ଗ୍ରସ୍‌ ଡୋମେଷ୍ଟିକ୍‌ ପ୍ରଡକ୍ଟ (ଜିଡିପି) କାହିଁକି କମିଯାଉଛି ବୋଲି ସରକାରଙ୍କ ଉପରେ ଦୋଷ ଲଦୁଛ। ଦେଶର ଆଭ୍ୟନ୍ତରୀଣ ପୁଞ୍ଜି ଲଗାଣ ସରକାରଙ୍କ ଟିକସ ଆୟ ପରିମାଣ ଦ୍ୱାରା ସୀମିତ, ଟିକସ ନ ବଢ଼ାଇ ବିକାଶ ଦିଗରେ ପୁଞ୍ଜି ଲଗାଣ ବଢ଼ାଇବାର ସହଜ ଉପାୟ ହେଉଛି ବେସରକାରୀ ବା ଘରୋଇ ପୁଞ୍ଜିକୁ ଆମନ୍ତ୍ରଣ କରିବା। ପୁଞ୍ଜି ଲଗାଣ ମାନେ ଦେଶ ଭିତରେ ଖର୍ଚ୍ଚ ହେବ, ଖର୍ଚ୍ଚ ହିଁ ଜିଡିପି ବଢ଼ାଏ, ସଞ୍ଚୟ ନୁହେଁ। କାମ ଜରିଆରେ ହେଉ ବା ଟିକସ ରିହାତି ଜରିଆରେ ହେଉ ବା ସାହାଯ୍ୟ ଭାବରେ ହେଉ, ଲୋକଙ୍କ ହାତରେ ପଇସା ଆସିଲେ ଜିନିଷ କିଣିବାକୁ ମଣିଷର ମନ ହେବ, ପରିବାରର ସ୍ବାସ୍ଥ୍ୟ ତଥା ପିଲାଙ୍କ ଶିକ୍ଷା ଭଳି ସେବାରେ ଖର୍ଚ୍ଚ କରିବାକୁ ମନ ବଳିବ। ଜିନିଷ ବିକ୍ରି ହେଲେ ସେହି ଜିନିଷର ଉପତ୍ାଦନ ବଢ଼ିବ, ସେବା ଆଦାୟ କଲେ ସେବାଯୋଗାଣକାରୀର ବ୍ୟବସାୟ ବଢ଼ିବ, ତେଣୁ ଜିଡିପି ବଢ଼ିବ। ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ନିର୍ବାଚନ ପ୍ରଚାରରେ ବା ଇସ୍ତାହାରରେ ମାଗଣା ସାମଗ୍ରୀ ବା ସେବା (ଫ୍ରିବି) ଯୋଗାନ୍ତି ବା ଯୋଗାଇବାର ପ୍ରତିଶ୍ରୁତି ଦିଅନ୍ତି, ଲୋକେ ଭାବନ୍ତି ଏସବୁ ଅନୈତିକ। ଅର୍ଥନୀତି ଶାସ୍ତ୍ର ନୈତିକତା ପ୍ରତି ଉଦାସୀନ, ଚୋରି ଜିନିଷର କାରବାର ବା କଳା କାରବାରରେ ପଇସା ଯଦି କିଣାକିଣିରେ ଲାଗିଲା, ତାହା ଅର୍ଥନୈତିକ। ଲୋକଙ୍କ ଦୈନନ୍ଦିନ କାରବାରରେ ୮୫%ରୁ ବେଶି ଅନୈତିକ ଦେଖି ନୀତିଶାସ୍ତ୍ରର ଅଧ୍ୟାପକତ୍ୱ ଛାଡ଼ି ଅର୍ଥଶାସ୍ତ୍ରର ଅଧ୍ୟାପକ ହେଲେ ‘ୱେଲ୍‌ଥ ଅଫ୍‌ ନାସନସ୍‌’ର ରଚୟିତା ଆଦାମ୍‌ ସ୍ମିଥ୍‌। ଋଣଛାଡ଼ କରିଦେବୁ, କି ସବ୍‌ସିଡି ଦେବୁ, ଜୋତା ଛତା ମୋବାଇଲ ଆଉ ପକ୍କା ଘର କରିଦେବୁ, ଏପରି କି ଝିଅ ବାହାଘରେ ମଙ୍ଗଳ ସୂତ୍ର ପ୍ରଦାନ ଭଳି କେତେ କ’ଣ ଯାଚୁଥିବା ରାଜନୈତିକ ଦଳଗୁଡ଼ିକ ଲୋକଙ୍କ ହାତରେ ପଇସା ଦିଅନ୍ତି, ଅଧିକା ପଇସା ପାଇଲେ ଲୋକେ ଖର୍ଚ୍ଚ କରିବେ, ତାହା ଜିଡିପି ବୃଦ୍ଧିରେ ଗଣାହେବ। ଟିକସଦାତାମାନଙ୍କ ପ୍ରତି ଏ ଏକ ବିଦ୍ରୂପ ଭଳି ମନେହୁଏ ସିନା ! ଯେତେବେଳେ ସରକାର ଟିକସ କମାନ୍ତି ଲୋକଙ୍କ ହାତକୁ ପଇସା ବେଶି ଆସେ। ଅର୍ଥନୀତି ବିଶାରଦମାନେ କହନ୍ତି, ଡିସ୍ପୋଜେବଲ ଇନକମ୍‌ ବଢ଼ିଯାଏ, ଲୋକଙ୍କ ଚାହିଦା ବଢ଼ିଯାଏ, କିଣିବାର ଇଚ୍ଛା ବଢ଼େ, ତେଣୁ ଦେଶରେ ଉପତ୍ାଦନ ପରିମାଣ ବଢ଼େ। ଅତିବୟସ୍କମାନଙ୍କୁ ତୀର୍ଥ ଯାତ୍ରାରେ ବୁଲାଇ ଆଣ, ଧର୍ମଗତ ଯାନିଯାତ୍ରାର ସୁବିଧା ଯୋଗାଅ, ଲୋକଙ୍କୁ ଛୁଟି କଟାଇବାର ସୁଯୋଗ ଦିଅ, ଏ ସବୁ ଜିଡିପି ବଢ଼ାଇବ। ଏହାର ଓଲଟା ହେଉଛି (ଅର୍ଥନୈତିକ ବୃଦ୍ଧି କମାଇବାର ପ୍ରକ୍ରିୟା ହେଉଛି) ଟିକସ ବଢ଼ାଅ, ଲୋକଙ୍କ ଯିବା ଆସିବା ବନ୍ଦକର, ଯାନିଯାତ୍ରାରେ ଲକ୍‌ଡାଉନ୍‌ କର, ଲୋକଙ୍କ ହାତକୁ କମ୍‌ ପଇସା ଆସିବ ବା ଲୋକେ ଖର୍ଚ୍ଚ କରିବାର ସୁବିଧା ପାଇବେ ନାହିଁ; ତେବେ ଜିଡିପି କମିଯାଇପାରେ। ଅବଶ୍ୟ ଦେଶ ବାହାରେ ବିକ୍ରି, ବିଦେଶକୁ ଟଙ୍କା ପଠାଇବା ବା ସେଠାରେ ଜମା କରିବା, ନିଜର ସେବା ବା ସାମଗ୍ରୀକୁ ବେଆଇନ ଭାବେ ବିକିବା ଆଦି ଜିଡିପିରେ ହିସାବ କରାଯାଏ ନାହିଁ।
୨୦୧୨ରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଚାଲିଥିବା ନ୍ୟାଶନାଲ୍‌ ଡିମୋକ୍ରାଟିକ୍‌ ଆଲାଏନ୍ସ ଦେଶର ଚାରିକୋଣକୁ ଯୋଡ଼ିବା ପ୍ରକଳ୍ପ ସ୍ବର୍ଣ୍ଣ ଚତୁର୍ଭୁଜ (ଗୋଲ୍‌ଡେନ୍‌ କ୍ୱାଡ୍ରିଲାଟେରାଲ) ଆରମ୍ଭ କଲେ, ତହିଁରେ ବଜେଟର ସିଧାସଳଖ ବରାଦ ନ ଥାଇ ପେଟ୍ରୋଲଜାତ ସାମଗ୍ରୀରୁ ମିଳିଥିବା ଅଥଚ ଖର୍ଚ୍ଚ ନ ହୋଇ ଜମା ରହିଥିବା ସେସ୍‌ ଟଙ୍କା ଖର୍ଚ୍ଚ ହେଲା, ପ୍ରାୟ ସମାନ ପରିମାଣର ପୁଞ୍ଜି ଘରୋଇ କ୍ଷେତ୍ରରୁ ବି ଆସିବାର ଥିଲା। ସଡ଼କ, ପୋଲ, ପାୱାର ଷ୍ଟେସନ, ଏୟାର୍‌ପୋର୍ଟ ଆଦି ନୂଆ ନୂଆ ଭିିତ୍ତିଭୂମି ନିର୍ମାଣ ଚାଲିଲା। ଆମର ମୋଟ ଘରୋଇ ଉପତ୍ାଦ ବା ଜିଡିପି (ଗ୍ରସ୍‌ ଡୋମେଷ୍ଟିକ୍‌ ପ୍ରଡକ୍ଟ) ବର୍ଷକୁ ହାରାହାରି ଶତକଡ଼ା ୯ ବଢ଼ିପାରିଲା। କିନ୍ତୁ ଏ ଆଶା ମଉଳିଗଲା ଯେତେବେଳେ ୟୁନାଇଟେଡ୍‌ ପ୍ରୋଗ୍ରେସିଭ୍‌ ଆଲାଏନ୍ସ ନାମରେ କଂଗ୍ରେସ ପରିଚାଳିତ ମିଳିତ ସରକାର ନିର୍ବାଚନ ଜିତିଲା କ୍ଷଣି ସ୍ବର୍ଣ୍ଣ ଚତୁର୍ଭୁଜ ଯୋଜନାକୁ ବନ୍ଦ କରିଦେଲା, ଲୋକେ ଚାରିଆଡ଼େ ପାଟି କଲାରୁ କଂଗ୍ରେସ ପରିଚାଳିତ ଉପା ସରକାର ପୁଣି ସ୍ବର୍ଣ୍ଣ ଚତୁର୍ଭୁଜ ଆରମ୍ଭ କଲେ, କିନ୍ତୁ ଶାସକଦଳର ନେତାମାନଙ୍କ ସମର୍ଥିତ କୁଜି ଠିକାଦାରମାନେ ବଡ଼ ବଡ଼ ଠିକାଦାରଙ୍କଠାରୁ ଉପଠିକା ନେଲେ, ‘ପର୍ସେଣ୍ଟ’ କାରବାରର ଏକ ଭିନ୍ନ ରୂପ ଦେଖାଗଲା। କୁଜି ନେତା ଓ ଅନୁଗତ ବେକାର ଯୁବଗୋଷ୍ଠୀଙ୍କୁ ଉପୁରି ଯୋଗାଇବାର ଏକ ଉପାୟ ହୋଇ ଯିବାରୁ ସାରା ଭାରତରେ ଦିନକୁ ମାତ୍ର ଗୋଟିଏ କିଲୋମିଟର ପାଖାପାଖି ରାସ୍ତା ବି ହୋଇପାରି ନ ଥିଲା। ଛ’ ଲେନ୍‌ ରାସ୍ତା ତିଆରି ହେଉଥିଲା ସିନା, ପ୍ରତି ଉପଠିକାଦାରଙ୍କ ସୀମାରେ ଖାଲଢିପ ରହିଲା। ‘ପାର୍ଟିର ଲୋକ’ଙ୍କ ଅର୍ଥାଭାବ ଓ ଅପାରଗତା ଯୋଗୁ ରାସ୍ତାରେ ‘ପଟ୍‌ହୋଲ୍‌’ ରହିଗଲା, ପ୍ରକାରାନ୍ତରେ ଦେଶର ଭିିତ୍ତିଭୂମି ହିସାବ ଫର୍ଦ୍ଦରେ (ବାଲାନ୍ସ ଶିଟ୍‌ରେ) ହୋଲ୍‌ (ଗାତ) ରହିଗଲା, ଜିଡିପି ଅଭିବୃଦ୍ଧି ୭%ର ତଳକୁ ଖସିଗଲା।
ପରିବହନ ଓ ଯାତାୟାତ ଯେତେ ସୁଗମ ହେବ, ଶିଳ୍ପ କାରଖାନା ବ୍ୟବସାୟ ବାଣିଜ୍ୟ ସେତେ ବଢ଼ିବ, ଦେଶର ଆର୍ଥିକ ବ୍ୟବସ୍ଥା ସେତେ ସୁଦୃଢ଼ ହେବ, ନାଗରିକମାନଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷା ସେତେ ସୁଦୂର ପ୍ରସାରୀ ହେବ, ଦେଶର ସୁସ୍ଥ ଶିକ୍ଷିତ ଯୁବତୀ ଯୁବକମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇ ଦେଶର ସ୍ଥୂଳ ଉପତ୍ାଦ ବା ଜିଡିପି ବୃଦ୍ଧି କରିବେ। ଅବସର ନେଉଥିବା ଲୋକଙ୍କ ତୁଳନାରେ କର୍ମଲିପ୍ତ ଲୋକଙ୍କ ସଂଖ୍ୟା ବଢ଼ିଯିବ, ତାକୁ ଅର୍ଥନୀତିଜ୍ଞମାନେ ଜନସଂଖ୍ୟାର ଲାଭାଂଶ ବା ଡିମୋଗ୍ରାଫିକ୍‌ ଡିଭିଡେଣ୍ଡ କହନ୍ତି। ଯୁବତୀ ଯୁବକମାନେ କର୍ମସଂସ୍ଥାନ ନ ପାଇଲେ ଡିମୋଗ୍ରାଫିକ୍‌ କର୍ସ ବା ଜନସଂଖ୍ୟାର ଅଭିଶାପ ହୋଇଯାଏ, କାରଣ ଅବସର ନେଉଥିବା ଓ ଅକର୍ମଣ୍ୟ ହେଉଥିବା ଲୋକଙ୍କ ତୁଳନାରେ ରୋଜଗାର କରୁଥିବା ଲୋକଙ୍କ ସଂଖ୍ୟା ଖୁବ୍‌ କମ୍‌ ହୋଇଯାଏ, ସରକାର ବୃଦ୍ଧା ବୃଦ୍ଧ ତଥା ଅକର୍ମଣ୍ୟ ମାନଙ୍କୁ ସହାୟତା ଯୋଗାଇବାରେ ବେଶି ଖର୍ଚ୍ଚ କରନ୍ତି, ବିକାଶ କାମରେ ପୁଞ୍ଜିନିବେଶ କରିବାକୁ ଯଥେଷ୍ଟ ପୁଞ୍ଜି ମିଳେ ନାହିଁ।
ଟିକସ ବସାଇ ପୁଞ୍ଜି ଆଣିଲେ ଭୋଟରମାନେ ବିମୁଖ ହେବେ ତ ଗଣତନ୍ତ୍ରରେ ନିର୍ବାଚନ-ବୈତରଣୀ ପାରହେବା ଶାସକ ଦଳର ନେତାମାନଙ୍କ ପକ୍ଷରେ ଅସମ୍ଭବ ହେବ: ତେଣୁ ଆମେରିକାର ଅର୍ଥନୀତିଜ୍ଞ ଓ ରାଜନେତାମାନେ ସମସ୍ବରରେ ୧୯୮୦ଦଶକରେ ଲିବେରାଲ୍‌ ଡିମୋକ୍ରାସୀ ଧାରଣା ଆଣିଲେ, ସରକାରୀ ପ୍ରୋତ୍ସାହନରେ ଘରୋଇ ପୁଞ୍ଜି ଦେଶର ବିକାଶରେ ଲାଗୁ। ସରକାରୀ ପ୍ରୋତ୍ସାହନ ଯେଉଁ ନେତାମାନେ ଦେବେ ସେମାନେ ନିଜର ପ୍ରଭାବ ଜାହିର କରିଥିବା କାରଣରୁ ମାସୁଲ ଆଦାୟ କରିବେ, ଏହାକୁ ଅର୍ଥଶାସ୍ତ୍ରୀମାନେ ରେଣ୍ଟିଂ (ଭଡ଼ା ଅର୍ଥରେ) କହନ୍ତି। ନିର୍ବାଚନୀ ଖର୍ଚ୍ଚ ତୁଲାଇବା ପାଇଁ ବେଶ୍‌ କିଛି ଅର୍ଥ ଯୋଗାଡ଼ କରିବା ସମ୍ଭବ ହେଲା ଅନୁଗୃହୀତ ପୁଞ୍ଜିନିବେଶକାରୀମାନଙ୍କଠାରୁ (ଅନୁଗ୍ରହର ମୂଲ୍ୟକୁ ଭଡ଼ା କୁହାଯାଉଛି, ଲାଞ୍ଚ ଭଳି କୁଭାଷା ଲଗାଯାଉନାହିଁ)। ଭିିତ୍ତିଭୂମି ନିର୍ମାଣରେ ଓ କଳକାରଖାନା ସ୍ଥାପନରେ ଲାଭ ନାହିଁ ବୋଲି ପୁଞ୍ଜିପତିମାନେ ଆଗେଇ ଆସିବେ ନାହିଁ, ତେଣୁ ସେମାନଙ୍କୁ ଆୟର ସୁବିଧା ଓ ଲାଭର ଲୋଭ ଦିଆଯାଏ। ବିଲ୍ଡ ଅପରେଟ୍‌ ଆଣ୍ଡ ଟ୍ରାନ୍ସଫର୍‌ ବା ବିଲ୍ଡ ଓନ୍‌ ଆଣ୍ଡ ଟ୍ରାନ୍ସଫର୍‌, ନିର୍ମାଣ କର, ଚଳାଅ ଏବଂ ପଇସା ଉଠିଗଲା ପରେ ସରକାରଙ୍କୁ ହସ୍ତାନ୍ତର କର; ଅଥବା ନିର୍ମାଣ କର, ପଇସା ମିଳିଗଲା ଯାଏ ମାଲିକ ହୁଅ, ତା’ ପରେ ହସ୍ତାନ୍ତର କର। ବେଳେ ବେଳେ ରାଜ୍ୟ ବା କେନ୍ଦ୍ର ସରକାରଙ୍କ ସହ ମିଶି ଘରୋଇ କମ୍ପାନୀଗୁଡ଼ିକ ଏ କାମ କରିଥାନ୍ତି, ଏ ଢଙ୍ଗକୁ କହନ୍ତି ପ୍ରାଇଭେଟ୍‌ ପବ୍ଲିକ୍‌ ପାର୍ଟିସିପେସନ୍‌ ବା ପିପିପି ମୋଡ୍‌। ଭିିତ୍ତିଭୂମି କମ୍ପାନୀଗୁଡ଼ିକ ଭିତରେ ନାଁ କରିଥିବା କମ୍ପାନୀ ହେଉଛନ୍ତି ଟାଟା, ଲାର୍ସନ୍‌ ଆଣ୍ଡ ଟୁବ୍ରୋ, ଅମ୍ବାନୀ, ଆଦାନୀ ଆଦି। ଏହି କମ୍ପାନୀଗୁଡ଼ିକ ଆଗେ ଯେଭଳି ତ୍ରୈମାସିକ ଅଭିବୃଦ୍ଧି ଦେଖାଉଥିଲେ, ସେଭଳି ଆଉ ଦେଖାଉ ନାହାନ୍ତି। କମ୍ପାନୀଗୁଡ଼ିକ କାମ ଆରମ୍ଭ କଲା ବେଳେ କିଛି ପାଆନ୍ତି ଏବଂ କାର୍ଯ୍ୟର ଅଗ୍ରଗତି ଘେନି ପର୍ଯ୍ୟାୟ କ୍ରମେ ପାଆନ୍ତି – କମ୍ପାନୀଗୁଡ଼ିକୁ ଆଉ ଏଭଳି ନଗଦ ପଇସା ରାଜ୍ୟ ସରକାରମାନଙ୍କଠାରୁ ମିଳୁନାହିଁ, କେନ୍ଦ୍ର ସରକାରଙ୍କ କାମରେ ରାଜ୍ୟର ଶାସକଦଳର ନେତାମାନେ ନାକ ପୁରଉଛନ୍ତି। ବିଭିନ୍ନ ପ୍ରଦେଶରେ ଆଞ୍ଚଳିକ ଦଳଗୁଡ଼ିକ ପ୍ରଥମେ ପ୍ରଥମେ ସ୍ବଚ୍ଛତା ଦେଖାଉଥିଲେ, ମାତ୍ର ରାଜ୍ୟରେ ନିରଙ୍କୁଶ ଶାସନ କରି (ଦୀର୍ଘ କାଳ ସରକାରରେ ରହିବା ଇଚ୍ଛା କରି) ସେମାନେ ରେଣ୍ଟିଂ ଓ ପର୍ସେଣ୍ଟ ଉପରେ ଏତେ ଜୋର୍‌ ଦେଲେଣି ଯେ ରାସ୍ତାଘାଟରୁ ଗୋଡ଼ି-ଉଠିବା ଓ ପୋଲ ଭୁଶୁଡ଼ି ପଡ଼ିବା ବା ନୂଆ କୋଠାମାନ ଭୂତ କାରଖାନା ଭଳି ଠିଆ ହେବା ଗୋଟିଏ ଗୋଟିଏ ସାଧାରଣ ଘଟଣା ହୋଇଗଲାଣି। ଶାସକଦଳର ସମ୍ପୃୃକ୍ତିରେ ଥିବା ଠିକାଦାରମାନେ କାମ ପାଇଲେ, ବ୍ୟାଙ୍କ ଓ ପୁଞ୍ଜିନିବେଶୀମାନେ ଏଭଳି କାମରେ ଅଧିକା ପୁଞ୍ଜି ଲଗାଉ ନାହାନ୍ତି। ଗାଁ ଗହଳରେ ୮ ଇଞ୍ଚ ମୋଟା କଂକ୍ରିଟ ରାସ୍ତା ନିର୍ମାଣ ବି ଧିମେଇ ଯାଇଛି।
ଏଇଥି ପାଇଁ ଏବକାର ନବଅର୍ଥନୀତିଜ୍ଞମାନେ କହିଲେଣି ଟଙ୍କାପଇସା କାରବାରରେ ମଣିଷ ବିବେକୀ (ରେସନାଲ୍‌) ଜୀବ ନୁହେଁ, ସେହି କାରଣରୁ ସେମାନଙ୍କର ରାଜନେତାମାନେ କ୍ୱଚିତ୍‌ ବିବେକୀ କାମ କରୁଛନ୍ତି। ଦଳର ନେତାଙ୍କ କଥା ନୈତିକତା ତିଆରି କରୁଛି। ବେଳ ଆସିଗଲାଣି ରାଜନୈତିକ ଦଳଗୁଡ଼ିକୁ ଅବିବେକୀ ବା ଇରେସନାଲ୍‌ କହିବାର।
sahadevas@yahoo.mail


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ପ୍ରତିରକ୍ଷାରେ ଘରୋଇକରଣ

କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକ ପାଇଁ ପାରମ୍ପରିକ ମିଶାଇଲ ବା କ୍ଷେପଣାସ୍ତ୍ର ଉତ୍ପାଦନର ଦ୍ୱାର ଉନ୍ମୁକ୍ତ କରିଛନ୍ତି। ଏଣିକି ବେସରକାରୀ କମ୍ପାନୀଗୁଡ଼ିକ ‘ଅସ୍ତ୍ର’ ଏବଂ ‘ପ୍ରଳୟ’ ଭଳି…

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri